ହେଡଲାଇନସ୍:

ବାରିପଦା ନିର୍ବାଚନ ମଣ୍ଡଳୀ : ବିଜେଡ଼ି ଦୁର୍ଗ ଦଖଲ ପାଇଁ ବିଜେପି ରଚିଛି ବ୍ୟୁହ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି ) - ଛକପଞ୍ଜା ରାଜନୀତି ଚାଲିଛି ମୟୁରଭଞ୍ଜ ରାଜନୀତିରେ | କେଉଁଠି ନିଜ ଦଳ ଭିତରେ, ତ  କେଉଁଠି ଦଳ ଦଳ ଭିତରେ | କଇଁଚି ଧରି ସମସ୍ତେ ଛକି ବସିଛନ୍ତି କୋଉଠି ଟିକେ ମଉକା ପାଇଲେ ଚରରର କରି ମାରିଦେବେ |  ଆଉ ସବୁଠୁ ରୋଚକ ହେବାକୁ ଯାଉଛି ଲଢେଇ ଜିଲ୍ଲାର ବାରିପଦା ନିର୍ବାଚନମଣ୍ଡଳୀରେ | 

 ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଏପ୍ରିଲ ୧୦ ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏଥିରେ ବିଜେଡ଼ି ପ୍ରାର୍ଥୀ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ସତ୍ୟପାଠ ଉପରକୁ ଅଙ୍ଗୁଳି ଉଠାଇ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ  ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିକଟରେ ଅଭିଯୋଗ ବାଢ଼ିଥିଲେ ବିଜେପି ପ୍ରାର୍ଥୀ  ପ୍ରକାଶ ସୋରେନ । ମତଦାନ ପ୍ରକ୍ରିୟାର ପ୍ରାରମ୍ଭରେ ନିଜର ସମ୍ମୁଖ ପ୍ରତିଦ୍ୱନ୍ଦି ବିଜେଡ଼ି ପ୍ରାର୍ଥୀ ସରୋଜିନୀଙ୍କୁ ମିଥ୍ୟା ଓ ଅସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ ଅଭିଯୋଗ ଆଣି ପ୍ରତିଦ୍ୱନ୍ଦିତାର ପ୍ରଥମ ରାଉଣ୍ଡ ପ୍ରାରମ୍ଭରେ ଧରାଶାୟୀ  କରାଇବା ନିମନ୍ତେ ବିଜେପି ପ୍ରାର୍ଥୀ ପ୍ରକାଶ ଉଦ୍ୟମ କରିଥିଲେ । କିନ୍ତୁ ମ୍ୟାଚ ରେଫରୀ ରିଟର୍ଣ୍ଣିଂ ଅଧିକାରୀ ବିଜେପି ଅପିଲକୁ ନାକଚ କରାଇବା ଫଳରେ ପ୍ରତିଯୋଗିତା ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଜାରି ରହିଛି । ତଥାପି ମଇଦାନରେ ବିଜେପି ପ୍ରାର୍ଥୀ ଶ୍ରୀସୋରେନ  ପ୍ରତିପକ୍ଷ ପ୍ରତିଦ୍ୱନ୍ଦି ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀହେମ୍ବ୍ରମଙ୍କୁ ସିଧାସଳଖ ସେଟରେ ପରାସ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଆଧାରରେ ଏକ ଚକ୍ରବୁ୍ୟହ ରଚନା କରିଥିବାର ପରିଲକ୍ଷିତ ହୋଇଛି । ଉକ୍ତ ଚକ୍ରବୁ୍ୟହ ଭେଦ କରିବାରେ ବିଜେଡ଼ି ସଫଳ ହେଉଛି ଅଥବା ଅଭିମନୁ୍ୟ ସାଜୁଛି ବୁ୍ୟହ ମଧ୍ୟରୁ ବାହାରକୁ ବାହାରିବାରେ ବିଫଳ ହେଉଛି, ତାହା ମେ ୨୩ ମତଗଣନାରୁ ଜଣାପଡ଼ିବ ।

          ଓଡ଼ିଶା ବିଧାନସଭାର ୩୩ନଂ ବାରିପଦା(ସଂ) ନିର୍ବାଚନ ମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ଅନେକ ଗୁରୁତ୍ୱ ବହନ କରିଥାଏ । ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡ଼ି ଟିକଟରୁ ସାନନ୍ଦ ମାର୍ଣ୍ଡି ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ୨୦୦୯ ନିର୍ବାଚନରେ ବିଜେଡ଼ି ଖାତାକୁ ୨୯.୬୩ ପ୍ରତିଶତ ହାରରେ ୩୩,୮୪୦ , ଜେଏମଏମ ୨୫.୪୬ ପ୍ରତିଶତ ହାରରେ ୨୯,୦୮୦, ବିଜେପି ୨୩.୫୯ ପ୍ରତିଶତ ହାରରେ ୨୬,୯୪୦ ଓ କଂଗ୍ରେସ ୧୪.୮୭ ପ୍ରତିଶତ ହାରରେ ୧୬,୯୭୯ ଖଣ୍ଡ ଭୋଟ ଆସିଥିଲା । ସେହିପରି ୨୦୧୪ ନିର୍ବାଚନରେ  ଉପବାଚସ୍ପତି ସାନନ୍ଦ ୩୭.୪୯ ପ୍ରତିଶତ ହାରରେ ୫୪,୧୩୧ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ବିଜପେି ୨୫.୬୪ ପ୍ରତିଶତ ହାରରେ ୩୭,୦୧୭, କଂଗ୍ରେସ ୧୫.୧୯ ପ୍ରତିଶତ ହାରରେ ୨୧,୯୩୩ ଓ ଜେଏମଏମ ୧୩.୩୧ ପ୍ରତିଶତ ହାରରେ ୧୯,୨୧୪ ଖଣ୍ଡ ଭୋଟ ପାଇଥିଲେ । ୨୦୦୯ ତୁଳନାରେ ଉପବାଚସ୍ପତି ସାନନ୍ଦ ପାଇଥିବା ଭୋଟର ହାର ୭.୮୩ ପ୍ରତିଶତ, ବିଜେପି ଭୋଟର ହାର ୨.୦୩ ପ୍ରତିଶତ, କଂଗ୍ରେସର ଭୋଟର ହାର ୦.୩୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଜେଏମଏମର ଭୋଟର ହାର ୧୨.୧୮ ପ୍ରତିଶତ ତଳକୁ ଖସି ଆସିଥିଲା । ୨୦୧୯ ନିର୍ବାଚନ ସମୟରେ କ୍ରମାଗତ ଭାବେ ୧୦ ବର୍ଷ ଉପବାଚସ୍ପତି ଭାବେ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ସାନନ୍ଦ ବାନ୍ଧି ହୋଇଆସିଥିଲେ ମଧ୍ୟ ବାରିପଦା ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଦଳୀୟ ଚକ୍ରାନ୍ତର ଶିକାର ହୋଇଥିଲେ । ଫଳରେ ବିଜେଡ଼ିର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ସାନନ୍ଦଙ୍କୁ ଦଳୀୟ ଟିକଟରୁ ବଞ୍ଚିତ କରାଇ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଟିକଟ ଦେଇଥିଲେ ଏବଂ ଶ୍ରୀମତୀ ହେମ୍ବ୍ରମ ଏପ୍ରିଲ ୮ରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ । ଶ୍ରୀମତୀ ହେମ୍ବ୍ରମ ନିର୍ବାଚନୀ ବୈତରଣୀକୁ ପାରିହେବା ଯେତିକି ସହଜ ମନେକରିଥିଲେ ତାହା ବର୍ତ୍ତମାନ ଏକ ମସ୍ତବଡ଼ ଚ୍ୟାଲେଞ୍ଜ ହୋଇସାରିଛି । ଘରେ ନପଶୁଣୁ ମୁଣ୍ଡରେ ଛପର ବାଜିଛି । ନିର୍ବାଚନ ମଣ୍ଡଳୀର ଖୁଣ୍ଟା ବ୍ଲକରେ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ବୈଠକରେ ଦଳୀୟ କର୍ମୀଙ୍କ ସଂଖ୍ୟା ନୈରାଶ୍ୟ ଜନକ ରହିଥିବା ବିଷୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫଳରେ ଶ୍ରୀମତୀ ହେମ୍ବ୍ରମଙ୍କୁ ନିର୍ବାଚନୀ ରଣାଙ୍ଗନରେ ଏକମାତ୍ର ସାହାଭରସା ଉପବାଚସ୍ପତି ସାନନ୍ଦମାର୍ଣ୍ଡିଙ୍କ ସୈନ୍ୟସାମନ୍ତ ସହିତ ମୁଖ୍ୟମନ୍ତ୍ରୀ ନବୀନଙ୍କ ସେନାପତି, ରଥୀମହାରଥୀ, ଓଡ଼ିଶାରେ ବିକାଶର ନାରା ଓ କେନ୍ଦ୍ରର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନର ଅଭିଯୋଗ ସହ ବିଜେଡ଼ିର ନିର୍ବାଚନୀ ଇସ୍ତାହାର । ତେବେ ନିର୍ବାଚନୀ କରୁକ୍ଷେତ୍ରରେ ଶ୍ରୀମତୀହେମ୍ବ୍ରମଙ୍କୁ ବିଜୟ ତିଳକ ପିନ୍ଧାଇବା ଦିଗରେ ସାନନ୍ଦଙ୍କ ସୈନ୍ୟସାମନ୍ତ କେତେଦୂର ଆନୁଗତ ପ୍ରଦର୍ଶନ କରୁଛନ୍ତି ତାହା ପରବର୍ତ୍ତି ସମୟରୁ ଜଣାପଡ଼ିବ ।

              ସେହିପରି ୨୦୧୯ରେ ଉପବାଚସ୍ପତି ସାନନ୍ଦଙ୍କ ନିର୍ମିତ ଦୁର୍ଗର ସୁରକ୍ଷା ଭାର ସରୋଜିନୀ ହେମ୍ବ୍ରମଙ୍କ ହାତକୁ ଆସିଥିବା ବେଳେ ଉକ୍ତ ଗଡ଼କୁ ବିଜେଡ଼ି ହାତରୁ ଛଡ଼ାଇ ନେବା ନିମନ୍ତେ ଚକ୍ରବୁ୍ୟହ ରଚନା କରିଛନ୍ତି ବିଜେପି ପ୍ରାର୍ଥୀ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲାପରିଷଦ ସଭାପତି ପ୍ରକାଶ ସୋରେନ । ବାରିପଦା ନିର୍ବାଚନ ମଣ୍ଡଳୀରେ ଶଙ୍ଖକୁ ବେକଫୁଟକୁ ଠେଲିଦେଇ  ପ୍ରକାଶ ହାତରେ ପଦ୍ମଫୁଲ ଧରି ବିଜୟ ସଙ୍କଳ୍ପ ଅଭିଯାନ ମାଧ୍ୟମରେ ମଇଦାନକୁ ଉହ୍ଲାଇଛି । ଏକ ବିକାଶଶୀଳ ନୂତନ ଓଡ଼ିଶା ପ୍ରଦେଶ ଗଠନର ନବସୂର୍ଯେ୍ୟାଦୟ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ଓ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେବାର ନାରା ଓ ବାର୍ତ୍ତା ନେଇ ଭୋଟରମାନଙ୍କ ନିକଟତର ହେବା ନିମନ୍ତେ ପ୍ରୟାସ ଜାରିରଖିଛି ବିଜେପି । ବାରିପଦା ସହରରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ ବାରିପଦା ଛଉପଡ଼ିଆଠାରେ ଗତ ଜାନୁଆରୀ ୫ ଆୟୋଜିତ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଏଥି ସହିତ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେପି ସପକ୍ଷରେ ଏକ ଅନ୍ତସ୍ରୋତ ପ୍ରବାହିତ ହେଉଥିବାର ପରିଲକ୍ଷିତ ହୋଇଛି । ନିର୍ବାଚନ ମଣ୍ଡଳୀରେ ଯୁବ ଗୋÂୀ ଓ ଶିକ୍ଷିତ ସମାଜ ବିଜେପି ମୁହାଁ ହୋଇଥିବାର ଆକଳନ କରାଯାଇଛି । ସେହିପରି ଖୁଣ୍ଟା, ବାରିପଦା ବ୍ଲକ ସହିତ ବଡ଼ସାହି ବ୍ଲକରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ୯ଟି ଗ୍ରାମପଞ୍ଚାୟତରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ବିଜେପି ଦିଗକୁ ଢ଼ଳିଥିବାର ସୂଚନା ମିଳୁଛି । ଏହା ବ୍ୟତୀତ ବିଜେଡ଼ି ସରକାରର ଶାସନ ବ୍ୟବସ୍ଥାରେ ଅଫିସର ରାଜ, ଦୁର୍ନୀତି, ଭ୍ରଷ୍ଟାଚାରକୁ ବିଜେପି ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କରବା ସହ ନିଜର ନିର୍ବାଚନୀ ଇସ୍ତାହାରକୁ ଧରିି ଭୋଟରଙ୍କ ନିକଟତର ହେବାରେ ଲାଗିଛି । 

             ଏହି ସମୟରେ ପଛରେ ପଡ଼ିଯାଇନାହିଁ କଂଗ୍ରେସ । ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ଜେଏମଏମ ସହ ମେଣ୍ଟ କରିଥିବାରୁ ବାରିପଦା ନିର୍ବାଚନ ମଣ୍ଡଳୀ କଂଗ୍ରେସକୁ ଛାଡ଼ି ଦେଇଛି ଏବଂ କଂଗ୍ରେସରୁ ଦଶରଥ ସିଂ ମଇଦାନକୁ  ଉହ୍ଲାଇ ଉଭୟ ବିଜେଡ଼ି ଓ ବିଜେପିକୁ ସମ୍ମୁଖରୁ ଟକ୍କର ଦେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ହଜାର ହଜାର ସମର୍ଥକମାନଙ୍କୁ ଧରି କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଥିଲା ଏପ୍ରିଲ ୮ ନାମାଙ୍କନପତ୍ର ଦାଖଲ ସମୟରେ । ବାରିପଦା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ମୁଣ୍ଡା ସମ୍ପ୍ରଦାୟର ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ ଭୂମିଜ ସମ୍ପ୍ରଦାୟର ଭୋଟର ତାଙ୍କ ପ୍ରତି ଆକୃଷ୍ଟ ହୋଇଥିବାର ପରିଲକ୍ଷିତ ହୋଇଛି ।  ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ସରକାରରେ ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, ବେକାରୀ ସମସ୍ୟା, କୃଷି ଓ କୃଷକ ମାରଣ ନୀତି; ପାନୀୟ ଜଳ, ଜଳସେଚନ, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବିଜେଡ଼ି ଏବଂ କେନ୍ଦ୍ର ସରକାରଙ୍କ ଅପାରଦତା, କଳାଧନ, ବିମୂଦ୍ରାକରଣ, ଆଦିବାସୀ ମାରଣ ନୀତି, ଜଙ୍ଗଲଜମି ଅଧିକାର, ନିଯୁକ୍ତି; ରାଫେଲ, ବ୍ୟାପମ, ପାନାମା ପେପର ଆଦି ଦୁର୍ନୀତି ଭ୍ରାଷ୍ଟାଚାରକୁ ନେଇ ବିଜେପିକୁ ଘେରିବା ଆରମ୍ଭ କରିଥିବା ବେଳେ କଂଗ୍ରେସ ସରକାରଙ୍କୁ ଆସିଲେ ଜନସାଧାରଣଙ୍କ ନିମନ୍ତେ କେଉଁକେଉଁ କାର୍ଯ୍ୟ କରିବ ସେଥି ନିମନ୍ତେ ଜାରି କରିଥିବା ନିର୍ବାଚନୀ ଇସ୍ତାହାରକୁ ଧରି ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ନିମନ୍ତେ ଉଦ୍ୟମ ଜାରିରଖିଛି । 

            ତେବେ ବାରିପଦା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାରରେ କ୍ଷେତ୍ରରେ ବିଜେଡ଼ି ଓ କଂଗ୍ରେସଠାରୁ ବିଜେପି ଦୁଇପାଦ ଆଗରେ ରହିଥିବା ବେଳେ ମଇଦାନରେ ଅନ୍ୟମାନଙ୍କ ମଧ୍ୟରେ ବିଏସପିରୁ ସରୋଜିନୀ ସୋରେନ, ଆପ୍ରୁ ବିଶ୍ୱନାଥ ହେମ୍ବ୍ରମ, ସ୍ୱାଧୀନ ପ୍ରାର୍ଥୀ ଚନ୍ଦ୍ର ମୋହନ ମୁର୍ମୁ ଓ ଶିବ ପ୍ରସାଦ ସିଂଙ୍କ ନାମ ଚର୍ଚ୍ଚା ପରିସରରେ ରହିଛି । ତେବେ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେ଼ଇ ହେବାର ସମ୍ଭାବନା ଦେଖାଦେଇଛି । 

0
0
0
s2sdefault