ହେଡଲାଇନସ୍:

ମହାବାତ୍ୟା ଓ ଫାଇଲିନ୍‍କୁ ଟପିଲା ଚଳିତ ବର୍ଷର ବଡ଼ ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥା ନିୟନ୍ତ୍ରଣାଧୀନ: ବିଜୟ

ଭୁବନେଶ୍ୱର: ଗତ ଦୁଇଦିନ ହେଲା ରାଜ୍ୟ ବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ସକ୍ରିୟ ଓ ବଡ଼ଧରଣର ପଦକ୍ଷେପ ଯୋଗୁ ପରିସ୍ଥିତି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖାଯାଇପାରିଛି । ଏଥିଯୋଗୁ ବର୍ଷା ବିପରୀତ  ଅଞ୍ଚଳଗୁଡିକ ସ୍ୱାଭାବିକ ପରିସ୍ଥିତିକୁ ଫେରିଆସିଛି । ଏପରିକି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମୟରେ ନିଆଯାଇଥିବା ସାମୟିକ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ଯୋଗୁ ଭବିଷ୍ୟତରେ ମଧ୍ୟ କୌଣସି ଦୈବଦୁର୍ବିପାକ ହେଲେ ଏଭଳି ଜଳଘେରି ଭଳି ପରିସ୍ଥିତି ଉପୁଜିବ ନାହିଁ । ଲଘୁଚାପ ଯୋଗୁ ଗତ ୨ଦିନ ମଧ୍ୟରେ ହୋଇଥିବା ପ୍ରବଳ ବର୍ଷା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଠାରୁ କମ୍‍ ନୁହେଁ । ଏହି ୨ଦିନରେ ହୋଇଥିବା ବର୍ଷାର ପରିମାଣ ଗତ ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ୍‍ରେ ହୋଇଥିବା ବର୍ଷାର ପରିମାଣ ଠାରୁ ଯଥେଷ୍ଟ ଅଧିକ ।

୧୯୯୯ ମସିହାରେ ହୋଇଥିବା ମହାବାତ୍ୟାରେ କଟକ ଜିଲ୍ଲାର ବାରଙ୍ଗ ଠାରେ ୬୦ ମିମି ବର୍ଷା ହୋଇଥିବା ବେଳେ ଗତକାଲି ଏଠାରେ ୨୦୫ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ମହାବାତ୍ୟା ଠାରୁ ୪ଗୁଣ ଅଧିକ ବର୍ଷା ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକରେ ମହାବାତ୍ୟା ବେଳେ ୨୧୩ ମିମି ହୋଇଥିବା ବେଳେ ଗତକାଲି ୨୫୫ ମିମି ବର୍ଷା ହୋଇଛି । ଏଠାରେ ବର୍ଷାର ପରିମାଣ ୪୨ମିମି ଅଧିକ ରହିଥିଲା । ସେହିପରି ପୁରୀ ଜିଲ୍ଲାର ବ୍ରହ୍ମଗିରି, ଡେଲାଙ୍ଗ, ପିପିଲିରେ ମହାବାତ୍ୟା ସମୟରେ ଯଥାକ୍ରମେ ୨୨୮ ମିମି, ୭୫ ମିମି ଓ ୨୪୨ ମିମି ବର୍ଷା ହୋଇଥିବା ବେଳେ ଗତକାଲି ଏହି ଅଞ୍ଚଳଗୁଡିକରେ ଯଥାକ୍ରମେ ୨୯୩ ମିମି, ୨୪୫ମିମି, ୨୪୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଉପରୋକ୍ତ ସ୍ଥାନଗୁଡିକରେ ଗତକାଲି ଗୋଟିଏ ଦିନର ବର୍ଷାର ପରିମାଣରୁ ସ୍ପଷ୍ଟ ଯେ ଏହା ୧୯୯୯ ମହାବାତ୍ୟା ଠାରୁ ଢେର୍‍ ଗୁଣରେ ଅଧିକ । ଗତକାଲିର ବର୍ଷାର ପରିମାଣ ମହାବାତ୍ୟା ଠାରୁ ଦେଢ଼ଗୁଣା ଅଧିକ ବୋଲି ଜଣାଯାଇଛି । ସେହିପରି ପୁରୀ ଜିଲ୍ଲାରେ ଗତ ୨୦୧୩ ମସିହା ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଫାଇଲିନ୍‍ରେ ୧୩୦ ମିମି ବର୍ଷା ହୋଇଥିଲା । ଏହାକୁ ତୁଳନା କଲେ ଗତକାଲିର ବର୍ଷାର ପରିମାଣ ଏହାଠାରୁ ଅଢେ଼ଇଗୁଣା ଅଧିକ । ଏହି ଦୃଷ୍ଟିରୁ ଭୁବନେଶ୍ୱରରେ ମଧ୍ୟ ଫାଇଲିନ୍‍ ଠାରୁ ଗତକାଲି ୧୮୦.୬ ମିମି ଅଧିକ ବର୍ଷା ହୋଇଥିବା ଜଣାଯାଇଛି । ସେହିପରି ଆଜି ସମ୍ବଲପୁରସ୍ଥିତ ବୁର୍ଲାର ହୀରାକୁଦ ଡ୍ୟାମ୍‍ ଅଞ୍ଚଳରେ ସର୍ବାଧିକ ୬୨୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଓଡ଼ିଶାର କୌଣସି ସ୍ଥାନରେ ସର୍ବାଧିକ ବର୍ଷା ହେବାରେ ଏହା ପ୍ରଥମ । ଏହା ପୂର୍ବରୁ ୧୯୯୨ ମସିହା ଅଗଷ୍ଟ ୧୯ ତାରିଖରେ ସମ୍ବଲପୁରରେ ସର୍ବାଧିକ ୫୮୧.୯ ମିମି ବର୍ଷା ହୋଇଥିଲା । ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ଗତକାଲିର ବର୍ଷା ପରିମାଣ ୨୦୧୩ ଫାଇଲିନ୍‍ ଠାରୁ କେତେ ଅଧିକ ଥିଲା । ଉପରୋକ୍ତ ତଥ୍ୟ ଉପରେ ନଜର ପକାଇଲେ, ଏହାକୁ ପ୍ରାକୃତିକ ବିପର୍ଯ୍ୟୟର ଆଖ୍ୟା ଦେବା ଆଦୌ ବାହୁଲ୍ୟ ହେବ ନାହିଁ । କିନ୍ତୁ ଏଭଳି ସଂଗୀନ ପରିସ୍ଥିତିକୁ ରାଜ୍ୟ ସରକାର ଦୃଢ଼ତା ଓ ସକ୍ରିୟତାର ସହ ମୁକାବିଲା କରି ବହୁ ଧନଜୀବନ ହାନିକୁ ରୋକି ପାରିଛନ୍ତି । ଭୀଷଣ ବର୍ଷା ସତ୍ତେ୍ୱ ଗମନାଗମନ,ବିଦ୍ୟୁତ ସରବରାହରେ ବାଧାପ୍ରାପ୍ତ ହୋଇନାହିଁ । ଯେଉଁ କେତୋଟି ହାତଗଣତି ସ୍ଥାନରେ ଏପରି ସମସ୍ୟା ଦେଖାଦେଇଥିଲା, ୨୪ ଘଣ୍ଟା ମଧ୍ୟରେ ତାହାର ତ୍ୱରିତ୍‍ ସମାଧାନ କରାଯାଇଛି ।

ପୂର୍ବରୁ ଅଧିକ ବର୍ଷା ହେଲେ ହଜାର ହଜାର ଘର ଭୁଶୁଡ଼ି ପଡିବା ନେଇ ଖବର ମିଳୁଥିଲା । କିନ୍ତୁ ଗତକାଲି ଏତେ ବର୍ଷା ପରେ ମଧ୍ୟ କୌଣସି ଗୋଟିଏ ବି ଘର ଭୁଶୁଡ଼ି ନଥିବା ଜଣାଯାଇଛି । ଏହା ରାଜ୍ୟ ସରକାରଙ୍କ କ୍ରମାଗତ ବିକାଶର ଫଳ ବ୍ୟତୀତ ଅନ୍ୟ କିଛି ନୁହେଁ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକ ଦ୍ୱାରା ଗ୍ରାମାଞ୍ଚଳକୁ ମଜଭୁତ କରାଯାଇପାରିଛି । ଲୋକଙ୍କ ଜୀବନଧାରଣର ମାନ ଉନ୍ନତ ହୋଇପାରିଛି । ଲୋକମାନେ ଯେତେବେଳେ ଅସୁବିଧାରେ ପଡିଛନ୍ତି ଏବଂ ରାଜ୍ୟ ସରକାର ପରିସ୍ଥିତିର ସୁଧାର ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି, ସେତେବେଳେ ବିରୋଧୀ ଦଳର ବୟାନବାଜି ଲୋକମାନଙ୍କ ପ୍ରତି ନିଷ୍ଠୁରତାର ଅନ୍ୟ ଏକ ଉଦାହରଣ । ସେହି ସମୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଓ ଲୋକମାନଙ୍କ କଷ୍ଟ ଲାଘବପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରିବା ମାନବିକତାର କାର୍ଯ୍ୟ । କିନ୍ତୁ ବିରୋଧୀ ଦଳ ଯେଭଳି ଭାବରେ ଗଣମାଧ୍ୟମ ଜରିଆରେ ଏହି ପରିସ୍ଥିତିର ଫାଇଦା ନେବା ପାଇଁ ପ୍ରୟାସ କରୁଛନ୍ତି, ତାହା ଆଦୌ ସମୀଚୀନ ନୁହେଁ । ସାରା ବିଶ୍ୱ ଜାଣିଛି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିଭଳି ନୂତନ ମାନକ ସୃଷ୍ଟି କରିଛି । କେବଳ ଭାରତ ସରକାର ନୁହନ୍ତି, ୨୦୧୩ ଫାଇଲିନ୍‍ ମହାବାତ୍ୟାରେ ମଧ୍ୟ ରାଜ୍ୟ ସରକାରଙ୍କ ସକ୍ରିୟ ଓ ତ୍ୱରିତ୍‍ ପଦକ୍ଷେପ ଯୋଗୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିତ ଜାତିସଂଘ ରୋଲ୍‍ମଡେଲ୍‍ର ମାନ୍ୟତା ଦେଇଛି । ଏକ ଅସ୍ୱାଭାବିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ଏବଂ ସଫଳ ହେଉଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ପ୍ରତିଟି ନାଗରିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏଭଳି ସମୟରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରି କୁତ୍ସାରଟନା କରି ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଉଦ୍ୟମ କରିବା ଅବିବେକତାର କାର୍ଯ୍ୟ ଅଟେ । ବିରୋଧୀ ଦଳ ଅଯଥା ବୟାନବାଜିରୁ ନିବୃତ ରହି ଲୋକମାନଙ୍କ ପାଖରେ ପହଂଚି  ସରକାରଙ୍କ ପ୍ରୟାସକୁ ସହଯୋଗ କରିବା ପାଇଁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ପରାମର୍ଶ ଦେଇଛନ୍ତି ।

0
0
0
s2sdefault