ଦିବ୍ୟାଙ୍ଗଙ୍କ ସ୍ୱାବଲମ୍ବନ ସ୍କିମରେ ରାଜ୍ୟ ସରକାର ଅଂଶଧନ ଜମା କରିସାରିଥିବା ବେଳେ ୩ବର୍ଷରେ ଗୋଟିଏ ଟଙ୍କା ବି ଦେଇନି କେନ୍ଦ୍ର ସରକାର
ଭୁବନେଶ୍ୱର : ଓଡ଼ିଶାରେ ଦିବ୍ୟାଙ୍ଗଙ୍କୁ ବୀମାଭୁକ୍ତ କରିବାକୁ ସ୍ୱାବଲମ୍ବନ ସ୍କିମ ୨୦୧୫ରୁ ପ୍ରଣୟନ କରାଯାଇଛି । ଦୀର୍ଘ ୩ବର୍ଷ ଧରି ଏହା କାର୍ଯ୍ୟକାରୀ ହୋଇ ଆସିଥିଲେ ହେଁ କେନ୍ଦ୍ର ସରକାର ତାଙ୍କର ୯୦ ପ୍ରତିଶତ ସେୟାର ଅର୍ଥରୁ ଗୋଟିଏ ଟଙ୍କା ମଧ୍ୟ ଦେଇଥିବାରୁ ଏବେ ଏହି ସ୍କିମ ବନ୍ଦ ହୋଇଯିବା ଆଶଙ୍କା ଅଧିକ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଆଶଙ୍କା ପ୍ରକାଶ କରିଛନ୍ତି ।
ବୀମାଭୁକ୍ତ ହେବା ପାଇଁ ଦିବ୍ୟାଙ୍ଗମାନଙ୍କ ଲାଗି ସ୍ୱାବଲମ୍ବନ ସ୍କିମ କାର୍ଯ୍ୟକାରୀ ହେବାକୁ ଇତିମଧ୍ୟରେ ୩ବର୍ଷ ବିତିଗଲାଣି । ରାଜନ୍ଥ ସରକାର ଏଥିଲାଗି ତାଙ୍କ ୧୦ ପ୍ରତିଶତ ଅଂଶଧନ ବୀମା କରୁଥିବା କମ୍ପାନୀକୁ ଦେଇ ସାରିଥିବା ବେଳେ କେନ୍ଦ୍ର ସରକାର ତାଙ୍କର ୯୦ ପ୍ରତିଶତ ଅଂଶଧନ ଦେବାକୁ ଥିଲେ ହେଁ ୩୬ମାସ ପରେ ଦିଲ୍ଲୀରୁ ଓଡ଼ିଶାକୁ ଉକ୍ତ ସ୍କିମ ବାବଦ ଗୋଟିଏ ଟଙ୍କା ମଧ୍ୟ ଏ ପର୍ଯ୍ୟନ୍ତ ମିଳିଲା ନାହିଁ । ବୀମା କମ୍ପାନୀ ପକ୍ଷରୁ ଏଥିନେଇ ୩ ବର୍ଷ ପରେ ମଧ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ)ମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି, ରାଜ୍ୟ ସରକାର ଦେବାକୁ ଥିବା ୧୦ ପ୍ରତିଶତ ଅଂଶଧନ ୨୦୧୭ ମଇ ମାସରେ ପୈଠ କରାଯାଇଛି । ଅଥଚ କେନ୍ଦ୍ରର ୯୦ ପ୍ରତିଶତ ଅଂଶଧନରୁ ଗୋଟିଏ ଟଙ୍କା ଏହି ସ୍କିମ ବାବଦରେ ଦିଆଯାଇନଥିବାରୁ ସ୍କିମକୁ ବନ୍ଦ କରିବାକୁ ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି । ଏହା କେନ୍ଦ୍ରର ବିଜେପି ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବ୍ୟତୀତ ଆଉ କିଛି ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି ।











