୧୯୭୧ ଯୁଦ୍ଧର ‘ମିସିଙ୍ଗ୍ ଇନ୍ ଆକ୍ସନ ହିରୋ’ ଜେଡି କୁମାର
“ଅନେକ ଥର ତାଙ୍କ ସହିତ ମୋର ସ୍ୱପ୍ନରେ ଦେଖାହୁଏ ଏବଂ ମୁଁ ଓ ସେ କଥାବାର୍ତ୍ତା ମଧ୍ୟ ହେଉ । ନିଦ ଭାଙ୍ଗିଯାଏ । ଏହାପରେ ମୋ ଆଖିକୁ ଆଉ ନିଦ ଆସେନାହିଁ । ମୁଁ ଗୁମୁରୀ ଗୁମୁରୀ ରାତିସାରା କାନ୍ଦୁଥାଏ ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରେ ତାଙ୍କୁ ଶୀଘ୍ର ଘରକୁ ଫେରାଇ ଆଣିବାକୁ । ଆଜକୁ ୪୯ବର୍ଷ ଧରି ଆମ ଘରେ ମୁଁ କୌଣସି ପର୍ବପର୍ବାଣୀ କିମ୍ବା ପୂଜା ପାଠ କରାଇନାହିଁ । ଯେଉଁଦିନ ସେ ଫେରିବେ ସବୁ ଉତ୍ସବ, ପର୍ବପର୍ବାଣୀ ଓ ପୂଜାପାଠ କରାଯିବ । ଆମର ବିବାହ ୨୧ନଭେମ୍ବର ୧୯୬୨ରେ ହୋଇଥିଲା । ଆମେ ମାତ୍ର ୮ବର୍ଷ ଆମର ବୈବାହିକ ଜୀବନ ଏକାଠି କାଟିଛୁ । ଆଜିର ବୃଦ୍ଧାବସ୍ଥାରେ ଏକୁଟିଆ ରହିବା ତଥା ବିବାହ କରି ଯୌବନ ଅବସ୍ଥାରେ ସ୍ୱାମୀଙ୍କ ଠାରୁ ବିଚ୍ଛେଦ ହେବାର ଯନ୍ତ୍ରଣା ମୋ’ ଠାରୁ କେହି ବେଶୀ ଅନୁଭବ ଜୀବନରେ କରିନଥିବେ । ମୋ’ ଶତ୍ରୁଙ୍କୁ ମଧ୍ୟ ଈଶ୍ୱର ଏଭଳି ଦଣ୍ଡ ନ ଦିଅନ୍ତୁ । ଯୁଦ୍ଧକୁ ଯିବା ପୂର୍ବରୁ ସେ ମୋତେ କହିଥିଲେ, ସତୀଶ ତମେ ବୀର ରମଣୀ । ତିନୋଟି ସନ୍ତାନଙ୍କର ବୀର ପ୍ରସବନୀ ମା’ । ସମସ୍ତଙ୍କର ଲାଳନପାଳନ କରିବ ଏବଂ ଯତ୍ନ ନେବ ।”
ନୂଆଦିଲ୍ଲୀ: ୧୯୭୧ ମସିହା ଡିସେମ୍ବର ୧୩ ତାରିଖ, ସତୀଶ କୁମାରଙ୍କର ୪୯ ବର୍ଷ ଧରି ଦୀର୍ଘ ଅପେକ୍ଷାର ଅନ୍ତ ହେଉନାହିଁ କିମ୍ବା ପ୍ରତିକ୍ଷାର ଆଶା ମଧ୍ୟ ମନରୁ ମରୁନାହିଁ । ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ସ୍କ୍ୱାଡ୍ରନ ଲିଡ଼ର ଥିଲେ ସତୀଶ କୁମାରଙ୍କ ସ୍ୱାମୀ ଜେ.ଡି.କୁମାର । ଜେ.ଡି.କୁମାରଙ୍କୁ ନିର୍ଦ୍ଦେଶ ଆସିଲା ଲୁଚି ରହିଥିବା ପାକିସ୍ତାନୀ ସୈନିକମାନଙ୍କୁ ଖୋଜି ଆକ୍ରମଣ କରିବାକୁ । ଜେ.ଡି.କୁମାର ଆରମ୍ଭ କଲେ ‘ସର୍ଚ୍ଚ ଅପରେସନ୍’ । ୧୩ଡିସେମ୍ବର ୧୯୭୧ ମସିହା ୪ଟା ସମୟରେ ଜେ.ଡି. କୁମାର ନିଜର ସହଯୋଗୀ ଏଚ.ଏମ.କଙ୍ଗ ସହିତ ମିଷ୍ଟେୟର ଏୟାରକ୍ରାଫ୍ଟରେ ନିଜ ଫାଇଟର ଜେଟ୍ ବିମାନରେ ତେଲ ଭରି ନିଜ ମିଶନ ଆରମ୍ଭ କରିଥିଲେ । ଜେ.ଡି.କୁମାରଙ୍କ ଫାଇଟର ଜେଟ୍ ବିମାନ ଯେତେବେଳେ ନିଜ ଲକ୍ଷ୍ୟ ସ୍ଥଳରେ ଶତ୍ରୁପକ୍ଷଙ୍କର ସମ୍ମୁଖୀନ ହୋଇଥିଲା, କୁହାଯାଉଛି ସେତିକିବେଳେ ଶତ୍ରୁ ପକ୍ଷର ପାକିସ୍ତାନୀ ସୈନିକଙ୍କ ଏୟାର କ୍ରାଫ୍ଟ କ୍ଷେପଣାସ୍ତ୍ର ଜେ.ଡି.କୁମାରଙ୍କ ବିମାନ ଉପରକୁ ନିକ୍ଷେପ କରିଥିଲେ । ଯେଉଁଠାରୁ ଶତ୍ରୁ ସୈନ୍ୟ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ସେଠାରେ ପାକିସ୍ତାନୀ ଅସ୍ତ୍ର ଭଣ୍ଡାର ରହିଥିଲା । ଜେ.ଡି.କୁମାରଙ୍କ ଯୁଦ୍ଧ ବିମାନରେ କ୍ଷେପଣାସ୍ତ୍ର ମାଡ ପରେ ତାଙ୍କ ବିମାନରୁ ଧୂଆଁ ବାହାରିଥିଲା ଏବଂ କ୍ଷେପଣାସ୍ତ୍ରଟି ବିମାନର ଷ୍ଟାର ବୋଡର଼୍ରେ ବାଜିଥିଲା । ଫାଇଟର ଜେଟ୍ ବିମାନକୁ ଭାରତୀୟ ସୀମାକୁ ଆଣିବାର ପ୍ରୟାସ କରିଥିଲେ ଜେ.ଡି.କୁମାର, ମାତ୍ର ତାହା ସଫଳ ହୋଇପାରିନଥିଲା ଏବଂ ବିମାନ ପାକିସ୍ତାନ ସୀମାରେ ବିସ୍ଫୋରଣରେ ଧ୍ୱଂସ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଜେ.ଡି.କୁମାରଙ୍କର ସହଯୋଗୀ ଏଚ.ଏମ.କଙ୍ଗ ତାଙ୍କୁ ବିମାନରୁ ପାରଚୁଟ୍ ସାହାଯ୍ୟରେ ତଳକୁ ଲମ୍ପ ପ୍ରଦାନ କରିବା ଦେଖିଥିଲେ ବୋଲି କହିଥିଲେ । କିନ୍ତୁ ଏହାପରେ ଜେ.ଡି.କୁମାରଙ୍କର କିଛି ଖୋଜ ଖବର ମିଳିନଥିଲା- ସେ ହୋଇଗଲେ ନିଖୋଜ । ଏହାପରେ ଯାହା ସବୁ ଘଟି ଯାଇଥିଲା ତାହା ହେଉଛି ଦୀର୍ଘ ୪୯ବର୍ଷର ଏକ ଲମ୍ବା ଇତିହାସ ।
ଆଜକୁ ୪୯ବର୍ଷ ଧରି ଜେ.ଡି.କୁମାରଙ୍କର ନିଖୋଜ ଘଟଣା ସମସ୍ତଙ୍କୁୂ ଯେତିକି ଚିନ୍ତାରେ ପକାଇଛି ଏବଂ ଆଶ୍ଚର୍ଯ୍ୟ କରିଛି ତା ଠାରୁ ଶତଗୁଣ ଅଧିକ ହତଚକିତ କରି ଏକ ଦୁଃଖଦ ଅଧ୍ୟାୟ ସୃଷ୍ଟି କରିଚାଲୁଛି ତାଙ୍କର ପି୍ରୟତମା ପତ୍ନୀ ସତୀଶ କୁମାରଙ୍କର ଅସରନ୍ତି ଅପେକ୍ଷା । ସ୍କ୍ୱାର୍ଡନ ଲିଡର ଜେ.ଡି. ଶର୍ମା ଆଜି ଦେଶର ଅନେକ ନିଖୋଜ ମହାନ୍ ପରାକ୍ରମୀ ବୀରମାନଙ୍କ ମଧ୍ୟରେ ‘ମିସିଙ୍ଗ ଇନ୍ ଆକ୍ସନ’ ଯୋଦ୍ଧା ଭାବେ ଗଣାଯାଉଛନ୍ତି । ୪୯ବର୍ଷ ଧରି ସରହଦ୍ ସ୍ୱପ୍ନରେ ସତୀଶ ଖୋଜୁଛନ୍ତି ନିଜ ପି୍ରୟତମ ପତି ‘ମିସିଙ୍ଗ୍ ଇନ୍ ଆକ୍ସନ’ ହିରୋ ଜେ.ଡି.କୁମାରଙ୍କୁ । ଆଜି ବି ସତୀଶ ଦୃଢ଼ ମନରେ କହୁଛନ୍ତି, ‘ମୋ’ ସ୍ୱାମୀ ଜୀବିତ ଅଛନ୍ତି । ମୋ’ ମୃତୁ୍ୟ ପୂର୍ବରୁ ନିଶ୍ଚିତ ଫେରିବେ । ଏଇ ଆଶା ଓ ଦୃଢ଼ ବିଶ୍ୱାସରେ ସତୀଶ ବିଧବା ହୋଇ ନାହାନ୍ତି କିମ୍ବା ନିଜ ପ୍ର୍ରାଣପି୍ରୟ ସ୍ୱାମୀଙ୍କ ଫଟୋରେ ଫୁଲମାଳ ଚଢାଇନାହାନ୍ତି । ସମାଜର ତାଡନା କିମ୍ବା ପି୍ରୟ ପରିଜନଙ୍କ ସାନ୍ତ୍ୱନା କିଛି ଶୁଣିନାହାନ୍ତି ସତୀଶ । ସମସ୍ତଙ୍କୁ ଜବାବ ଦେଇଛନ୍ତି ମୋ’ ସ୍ୱାମୀ ବଂଚିଛନ୍ତି ।
ସତୀଶଙ୍କ ସରହଦର ସ୍ୱପ୍ନ: “ସରହଦରେ ଆମେ ଖୁବ୍ ସହଜରେ ଯୁଦ୍ଧ କରିପାରିବା । ସରହଦରେ ଆମେ ଯୁଦ୍ଧ ଜିତିପାରିବା । ମାତ୍ର ମାନବିକତାକୁ ଆମେ ବଳି ପକାଇ ଦେବା !! ଯୁଦ୍ଧ ଖୋର ରାଜନୈତିକ ନେତା ଓ ବ୍ୟକ୍ତି ବିଶେଷ ଏହାକୁ ମନେ ରଖିବା ଉଚିତ୍ । ଦୁଇ ଦୁଇଥର ଯୁଦ୍ଧ କରି କ’ଣ ଲାଭ ପାଇଛି ପାକିସ୍ତାନ? କେବେ ଭାବିଛନ୍ତି ଏଭଳି ଯୁଦ୍ଧରେ କିପରି ହଜାର ହଜାର ପରିବାର ବେଘର ହୋଇଛନ୍ତି । ଲକ୍ଷାଧିକ ମଣିଷ କିପରି ପ୍ରତିଟି ମୁହୂର୍ତ୍ତରେ ମରି ମାରି ବଂଚୁଛନ୍ତି ? ଅସହାୟ ହୋଇ କରୁଣ କଣ୍ଠରେ ଆତର ହୋଇ ମୃତ୍ୟୁ ପାଇଁ ଭଗବାନଙ୍କୁ ଡାକୁଛି ? ଯୁଦ୍ଧ କରାଇଥିବା ଏବଂ ଯୁଦ୍ଧ ପାଇଁ ଉସୁକାଉଥିବା ରାଜନୈତିକ ବ୍ୟକ୍ତି ବିଶେଷ କେବେ ଏହାର ପରିଣାମ ଭାବି ନଥାନ୍ତି ତଥା ଯୁଦ୍ଧରେ ହେଉଥିବା ଭୟଙ୍କର ପରିଣାମର ଫଳ ଭୋଗିନଥାନ୍ତି”, ଏହା କୁହନ୍ତି ୭୯ବର୍ଷ ବୟସ୍କା ମିସିଙ୍ଗ୍ ଇନ୍ ଆକ୍ସନ ହିରୋ ଜେ.ଡି.କୁମାରଙ୍କ ପତ୍ନୀ ସତୀଶ ।
ନିଜର ମନର କଥାକୁ ରୋମନ୍ଥନ କରି ସତୀଶ କୋହଭରା କଣ୍ଠ ଏବଂ ଛଳଛଳ ଆଖିରେ ପୁଣି ଆବେଗରେ କୁହନ୍ତି, “ଅନେକ ଥର ତାଙ୍କ ସହିତ ମୋର ସ୍ୱପ୍ନରେ ଦେଖାହୁଏ ଏବଂ ମୁଁ ଓ ସେ କଥାବାର୍ତ୍ତା ମଧ୍ୟ ହେଉ । ନିଦ ଭାଙ୍ଗିଯାଏ । ଏହାପରେ ମୋ ଆଖିକୁ ଆଉ ନିଦ ଆସେନାହିଁ । ମୁଁ ଗୁମୁରୀ ଗୁମୁରୀ ରାତିସାରା କାନ୍ଦୁଥାଏ ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରେ ତାଙ୍କୁ ଶୀଘ୍ର ଘରକୁ ଫେରାଇ ଆଣିବାକୁ । ଆଜକୁ ୪୯ବର୍ଷ ଧରି ଆମ ଘରେ ମୁଁ କୌଣସି ପର୍ବପର୍ବାଣୀ କିମ୍ବା ପୂଜା ପାଠ କରାଇନାହିଁ । ଯେଉଁଦିନ ସେ ଫେରିବେ ସବୁ ଉତ୍ସବ, ପର୍ବପର୍ବାଣୀ ଓ ପୂଜାପାଠ କରାଯିବ । ଆମର ବିବାହ ୨୧ନଭେମ୍ବର ୧୯୬୨ରେ ହୋଇଥିଲା । ଆମେ ମାତ୍ର ୮ବର୍ଷ ଆମର ବୈବାହିକ ଜୀବନ ଏକାଠି କାଟିଛୁ । ଆଜିର ବୃଦ୍ଧାବସ୍ଥାରେ ଏକୁଟିଆ ରହିବା ତଥା ବିବାହ କରି ଯୌବନ ଅବସ୍ଥାରେ ସ୍ୱାମୀଙ୍କ ଠାରୁ ବିଚ୍ଛେଦ ହେବାର ଯନ୍ତ୍ରଣା ମୋ’ ଠାରୁ କେହି ବେଶୀ ଅନୁଭବ ଜୀବନରେ କରିନଥିବେ । ମୋ’ ଶତ୍ରୁଙ୍କୁ ମଧ୍ୟ ଈଶ୍ୱର ଏଭଳି ଦଣ୍ଡ ନ ଦିଅନ୍ତୁ । ଯୁଦ୍ଧକୁ ଯିବା ପୂର୍ବରୁ ସେ ମୋତେ କହିଥିଲେ, ସତୀଶ ତମେ ବୀର ରମଣୀ । ତିନୋଟି ସନ୍ତାନଙ୍କର ବୀର ପ୍ରସବନୀ ମା’ । ସମସ୍ତଙ୍କର ଲାଳନପାଳନ କରିବ ଏବଂ ଯତ୍ନ ନେବ ।” ଏତିକି କହିସାରିବା ପରେ ସତୀଶ ଭୋଭୋ ହୋଇ କାନ୍ଦି ଉଠିଥିଲେ ।
୧୯୭୧ ମସିହା ଡିସେମ୍ବର ମାସ । ସେତେବେଳେ ଜେ.ଡି. ଏବଂ ସତୀଶ ହିଣ୍ଡନରେ ରହୁଥିଲେ । ସେହି ସମୟରେ ସତୀଶଙ୍କ ସବୁଠାରୁ ସାନ ଝିଅ ମାତ୍ର ତିନି ବର୍ଷର ହୋଇଥିଲା । ବଡ଼ ଝିଅକୁ ମାତ୍ର ୭ବର୍ଷ ହୋଇଥିଲା । ଯୁଦ୍ଧକୁ ବାହାରି ଯାଇଥିଲେ ଜେ.ଡି. ଓରଫ୍ ମିସିଙ୍ଗ୍ ଇନ୍ ଆକ୍ସନ ହିରୋ । ଯୁଦ୍ଧକ୍ଷେତ୍ରରୁ ଦେଇଥିଲେ ସତୀଶଙ୍କୁ ଚିଠି । ସ୍ୱପ୍ନରେ ସତୀଶ ଭାବିନଥିଲେ ଏହା ହେବ ତାଙ୍କ ପାଇଁ ନିଜ ପ୍ରାଣପି୍ରୟଙ୍କ ଶେଷ ଚିଠି । ଚିଠିରେ ଲେଖାଥିଲା ଯଦି କିଛି ଜରୁରୀ କାମ ପଡେ଼ ଚୌଧୁରୀକୁ କହି କରାଇବ । ପିଲାମାନଙ୍କୁ ଯାହା ଦରକାର ତାହା ଦେବ ଏବଂ ସେମାନଙ୍କୁ ଖୁସିରେ ରଖିବ । ଏହାର ମାତ୍ର କିଛି ଦିନ ପରେ ଡିସେମ୍ବର ୧୪ ତାରିଖ ଦିନ ହଠାତ୍ ସତୀଶଙ୍କ ପାଖକୁ ସକାଳୁ ସକାଳୁ ବାର୍ତ୍ତା ଆସିଲା ତାଙ୍କ ସ୍ୱାମୀ ସ୍କ୍ୱାଡ୍ରନ ଲିଡର ଜେ.ଡି.କୁମାର ଯୁଦ୍ଧରେ ଗୁରୁତର ଆହତ ହୋଇଛନ୍ତି । ସତୀଶଙ୍କ ମୁଣ୍ଡ ଉପରେ ବଜ୍ରପାତ ହେଲା ପରି ଅନୁଭବ ହେଲା । ସେ ସ୍ତବ୍ଧ ହୋଇଗଲେ ।
୧୪ ଡିସେମ୍ବର ୧୯୭୧ ମସିହାର ଘଟଣାକୁ ମନେ ପକାଇ ସତୀଶ କୁହନ୍ତି, “ଜେ.ଡି.କୁମାର ଯୁଦ୍ଧରେ ଆହତ ହେବାର ବାର୍ତ୍ତା ପାଇବାର କିଛି ଘଣ୍ଟାର ବ୍ୟବଧାନ ପରେ ଏୟାରଫୋର୍ସ ଅଫିସର ଆମ କ୍ୱାର୍ଟରରେ ପହଂଚି ଥିଲେ । ସେମାନେ ମୋତେ କହିଲେ ଦିନେ ଦୁଇଦିନ ପରେ ସେ ଘରକୁ ଫେରିବେ । ଏହାପରେ କେହି ଜଣେ ପାକିସ୍ତାନୀ ରେଡିଓରୁ ଶୁଣିଲେ ଏବଂ ମୋତେ ଆସି କହିଲେ ଫରିଦାକୋଟ ବାସିନ୍ଦା ଜେ.ଡି.କୁମାରଙ୍କୁ ପାକିସ୍ତାନରେ ଧରାଯାଇଛି । ସେ ଆହତ ହୋଇଛନ୍ତି । ଏହାପରେ ମୁଁ କେବଳ ଅପେକ୍ଷା କରିଛି କେବେ ଫେରିବେ ମୋ ‘ମିସିଙ୍ଗ ଇନ୍ ଆକ୍ସନ’ ହିରୋ ଜେ.ଡି.କୁମାର ।”
ଆଜି ଯେତେବେଳେ ଆମେ ଭାରତର ପାକିସ୍ତାନ ଉପରେ ଯୁଦ୍ଧ ବିଜୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛୁ ଠିକ୍ ସେତିକିିବେଳେ ଗୋଟିଏ ଉଜୁଡ଼ା ପରିବାରର ଲହୁଲୁହାଣ ଅପାସୋରା ଯୁଦ୍ଧ ବିଜୟ କାହାଣୀର ହୃଦୟ ବିଦାରକ ଇତିହାସର ସୁବର୍ଣ୍ଣ ଜୟନ୍ତୀର ସତ ବଖାଣୁଛନ୍ତି ସତୀଶ । କେବଳ ସତୀଶ ନୁହେଁ ସତୀଶଙ୍କ ଭଳି ହଜାର ହଜାର ଭାରତ ପାକିସ୍ତାନର ପରିବାର ଆଜି ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀର ଯନ୍ତ୍ରଣାକୁ ଅହରହ ଭୋଗ କରୁଛନ୍ତି । ଏ ଦୁଃଖ-ଦୁର୍ଦ୍ଧଶାକୁ ଦେଖିବାକୁ, ଶୁଣିବାକୁ ଏବଂ ବୁଝିବାକୁ କୌଣସି ରାଜନୈତିକ ଦଳ, ନେତା ଏବଂ ଯୁଦ୍ଧ ପ୍ରିୟ ବ୍ୟକ୍ତି ନାହାନ୍ତି କେବଳ ସତୀଶଙ୍କ ଭଳି ଲକ୍ଷାଧିକ ମଣିଷ ମରଣ ମୁହଁରେ ଏକରକମ ସର୍ବହରା ସାଜି ଖାଲି ନିରବରେ ଲୁହ ଢାଳୁଛନ୍ତି ।