ହେଡଲାଇନସ୍:

ଗତବର୍ଷ ତୁଳନାରେ ଦେଶରେ କୃଷିଜାତ ସାମଗ୍ରୀର ରପ୍ତାନୀ 23.24 ପ୍ରତିଶତ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• କୃଷି ବିପଣନ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ, ରପ୍ତାନୀ ବୃଦ୍ଧି ସହ ଯୋଜନାରେ ଆମଦାନୀ ସାମଗ୍ରୀର ବିକଳ୍ପ ଉପରେ ପ୍ରାଧାନ୍ୟ

• କୃଷି ମନ୍ତ୍ରଣାଳୟ ଆଦେଶ କ୍ରମେ କୃଷି ଓ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ (ଏପିଇଡିଏ) ଦ୍ଵାରା କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀର ରପ୍ତାନୀ ନେଇ ଯୋଜନା

Bhubaneswar(Shasak Prashasak) : କୃଷିରେ ଆତ୍ମନିର୍ଭରତା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଖୁବ ଗୁରୁତ୍ୱପୂର୍ଣ୍ଣ । କୃଷିଜାତ ସାମଗ୍ରୀ ବିଦେଶକୁ ପଠାଇ ବୈଦେଶିକ ମୁଦ୍ରା ଆହରଣ ଦ୍ଵାରା କୃଷକ, ଉତ୍ପାଦକ ଓ ରପ୍ତାନିକାରୀ ସମସ୍ତେ ଆନ୍ତର୍ଜାତିକ ବଜାର ଜରିଆରେ ସେମାନଙ୍କ ଆୟବୃଦ୍ଧିର ସୁଯୋଗ ପାଉଛନ୍ତି । ରପ୍ତାନୀ ଯୋଗୁଁ କୃଷି ଉତ୍ପାଦନ ଓ ଉତ୍ପାଦକତାରେ ମଧ୍ୟ ବୃଦ୍ଧି ଘଟିଛି ।

ବିଶ୍ଵ ବାଣିଜ୍ୟ ସଂଗଠନର ଏକ ପରିସଂଖ୍ୟାନ ଅନୁସାରେ ଭାରତର କୃଷିଜାତ ସାମଗ୍ରୀ ରପ୍ତାନୀ 2017ରେ 2.27 ପ୍ରତିଶତ ଥିବା ବେଳେ ଆମଦାନୀ 1.90 ପ୍ରତିଶତ ଥିଲା । ଏପରିକି ବୈଶ୍ଵିକ ମହାମାରୀର ଲକଡାଉନ କାଳରେ ଏଥିରେ କୌଣସି ବ୍ୟତିକ୍ରମ ନଘଟି ଦେଶ ତାହାର ରପ୍ତାନୀ ଧାରା ଅବ୍ୟାହତ ରଖିଥିଲା । ଚଳିତ ବର୍ଷ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ 25552.7 କୋଟି  ଟଙ୍କା ଆୟ ହୋଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ 20734.8 କୋଟି ଟଙ୍କା ଆୟ ହୋଇଥିଲା । ସେଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷର ରପ୍ତାନୀରେ 23.24 ପ୍ରତିଶତ ଅଭିବୃଦ୍ଧି ଘଟିଛି ।

2017-18 ଆର୍ଥିକ ବର୍ଷରେ କୃଷି ରପ୍ତାନୀ ବାବଦରୁ ଭାରତର କୃଷି ଜିଡିପି 9.4 ପ୍ରତିଶତ ଥିବା ବେଳେ 2018-19ରେ ଏହା 9.9କୁ ବୃଦ୍ଧି ପାଇଥିଲା । କୃଷିଜାତ ସାମଗ୍ରୀର ରପ୍ତାନୀ ଏହି ସମୟ ମଧ୍ୟରେ 5.7 ପ୍ରତିଶତରୁ 4.9 ପ୍ରତିଶତକୁ ହ୍ରାସ ପାଇଥିଲା । ଏଥିରୁ ରପ୍ତାନୀ ବାବଦ ଅଧିକ ଲାଭ ମିଳିଥିବା ବେଳେ କୃଷିଜାତ ଦ୍ରବ୍ୟର ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି ।

ସ୍ଵାଧୀନତା ପରଠାରୁ କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି । 1950-51 ଭିତରେ ଦେଶର କୃଷିଜାତ ସାମଗ୍ରୀ ରପ୍ତାନୀରୁ ମାତ୍ର 149 କୋଟି ଟଙ୍କା ମିଳିଥିବା ବେଳେ 2019-20ରେ ଏହା 2.53 ଲକ୍ଷ୍ୟ କୋଟିକୁ ବୃଦ୍ଧି ପାଇଛି । ଗତ 15 ବର୍ଷ ମଧ୍ୟରେ ସମସ୍ତ କୃଷିଜାତ ସାମଗ୍ରୀର ରପ୍ତାନୀରେ ଆଶାନୁରୂପ ପ୍ରଗତି ଘଟିଛି । କୃଷି ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ ହୋଇଥିଲେ ମଧ୍ୟ ଏହା ବିଶ୍ଵର କେତେକ ପ୍ରମୁଖ ଆମଦାନକାରୀଙ୍କ ତାଲିକାରେ ସ୍ଥାନ ପାଇପାରି ନାହିଁ । ଉଦାହରଣ ସ୍ୱରୂପ ଗହମ ଉତ୍ପାଦନରେ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହାର ସ୍ଥାନ 34ରେ ରହିଛି । ସେହିପରି ପନିପରିବା ଉତ୍ପାଦନରେ ଭାରତ ବିଶ୍ଵରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା 14ତମ ସ୍ଥାନରେ ରହିଛି । ଫଳ ଉତ୍ପାଦନରେ ମଧ୍ୟ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା 23ତମ ସ୍ଥାନରେ ରହିଛି । କୃଷିରେ ଅନ୍ୟାନ୍ୟ ଅଗ୍ରଣୀ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାକୁ ହେଲେ ଆମକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ପଡିବ ।

ଏହାକୁ ଦୃଷ୍ଟିରେ ରଖି କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସି ଏଣ୍ଡ ଏଫ ଡବ୍ଲୁ) ପକ୍ଷରୁ ଏକ ବିସ୍ତୃତ ଯୋଜନା କୃଷି ବିପଣନକୁ ପ୍ରୋତ୍ସାହନ ଦେବାପାଇଁ ପ୍ରସ୍ତୁତ କରାଯାଇଛି । ଏକ ଉତ୍ତମ ରଣନୀତି ପ୍ରସ୍ତୁତ ପାଇଁ ପ୍ରାକ ଉତ୍ପାଦନ, ଉତ୍ପାଦନ ଓ ଅମଳ ପରବର୍ତ୍ତୀ ସମସ୍ୟାଗୁଡ଼ିକର ଅନୁଧ୍ୟାନ କରାଯାଇଛି । ବର୍ତ୍ତମାନ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡିକର ସ୍ଥିତି, ରପ୍ତାନୀ ଏବଂ ଏଥିରେ ଥିବା ବାଧାବିଘ୍ନଗୁଡିକ ସମ୍ପର୍କରେ ବିଶ୍ଳେଷଣ ଜରାଯାଇଛି । ଏକ ଦ୍ଵେତନୀତି ସ୍ୱରୂପ କୃଷି ରପ୍ତାନୀ ବୃଦ୍ଧି ସହ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକର ବିକଳ୍ପ ସମ୍ପର୍କରେ ମଧ୍ୟ ଚିନ୍ତା କରାଯାଇଛି । ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀଗୁଡିକର ଗୁଣାତ୍ମକ ମାନ ଉପରେ ଗୁରୁତ୍ଵ ଦିଆଯାଇ ଏହା କିପରି ବିଦେଶ ବଜାରରେ ଆଦୃତ ହେବ ସେ ସମ୍ପର୍କରେ ଚିନ୍ତା କରାଯାଇଛି । ଉପସାଗରୀୟ ଦେଶଗୁଡିକରେ ବିପଣନ ବୃଦ୍ଧି ପାଇଁ ଅଧିକ ଗୁରୁତ୍ଵ ଦିଆଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଉଦ୍ୟାନ କୃଷି ଏକ କ୍ରମବର୍ଦ୍ଧିଷ୍ଣୁ କ୍ଷେତ୍ର ରୂପେ ଉଭା ହୋଇଛି । ଭାରତ ଫଳ ଓ ପନିପରିବା ଉତ୍ପାଦନରେ ବିଶ୍ଵର ଦ୍ଵିତୀୟ ସ୍ଥାନରେ ଅଛି । ଭାରତ ବିଦେଶକୁ ବାର୍ଷିକ 8.23 ଲକ୍ଷ ଟନ ଅର୍ଥାତ 5,638 କୋଟି ଟଙ୍କାର ଫଳ ଏବଂ 31.92 ଲକ୍ଷ ଟନ ପନିପରିବା ଅର୍ଥାତ 5,679 କୋଟି ଟଙ୍କାର ପନିପରିବା ରପ୍ତାନୀ କରିଥାଏ । ରପ୍ତାନୀ ସାମଗ୍ରୀ ମଧ୍ୟରେ ଅଙ୍ଗୁର ସବୁଠାରୁ ଆଗରେ ଥିବା ବେଳେ ତା’ପଛକୁ ଆମ୍ବ, ଡାଳିମ୍ବ, କଦଳୀ ଏବଂ କମଳାର ସ୍ଥାନ ରହିଛି । ତଟକା ପନିପରିବା ରପ୍ତାନୀ ସାମଗ୍ରୀ ମଧ୍ୟରେ ପିଆଜ, ମିଶ୍ରିତ ପନିପରିବା ଆଳୁ, ଟମାଟୋ ଓ କଞ୍ଚାଲଙ୍କା ମୁଖ୍ୟ ସ୍ଥାନ ଅଧିକାର କରିଥାଏ । ତେବେ ପୃଥିବୀ ବ୍ୟାପୀ 208 ବିଲିୟନ ଆମେରିକୀୟ ଡଲାରର ଫଳ ଓ ପନିପରିବାର କାରବାର ହେଉଥିବା ବେଳେ ଭାରତର ସ୍ଥାନ ଏଥିରେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଦୃଷ୍ଟିରୁ ଫଳ ଓ ପନିପରିବା ରପ୍ତାନୀ ପାଇଁ ଦେଶର ପର୍ଯ୍ୟାପ୍ତ ସୁବିଧା ରହିଛି । ତଟକା ଫଳ ଓ ପନିପରିବା ବିଶେଷକରି ଅଙ୍ଗୁର, ଆମ୍ବ, ଡାଳିମ୍ବ, ପିଆଜ, ଆଳୁ ଓ କାକୁଡି ଇତ୍ୟାଦି ରପ୍ତାନୀ ନିମନ୍ତେ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି ।

ବର୍ତ୍ତମାନର କୃଷି ଉପଯୋଗୀ ଅଞ୍ଚଳଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବା ସହ ଅଧିକ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଉତ୍ପାଦନ ପାଇଁ ଅଧିକ କ୍ଷେତ୍ର ପ୍ରସ୍ତୁତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଖାଇବା ତେଲ, କାଜୁ, ଫଳ ଓ ମସଲା ଇତ୍ୟାଦି ରପ୍ତାନୀ ବନ୍ଦ କରି ଏହାର ବିକଳ୍ପ ଦେଶରେ ଖୋଜିବା ପାଇଁ ଯୋଜନା ପ୍ରସ୍ତୁତ ମଧ୍ୟ ହୋଇଛି ।

କୃଷି ମନ୍ତ୍ରଣାଳୟ ଅଧିନସ୍ଥ କୃଷି ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ରପ୍ତାନୀ ବୃଦ୍ଧି ଫୋରମ ମାନ ସୃଷ୍ଟି କରାଯାଇଛି । ଏଗୁଡିକ କୃଷି ରପ୍ତାନୀ ବୃଦ୍ଧିରେ ସହାୟକ ହେବେ । ରପ୍ତାନୀ ବୃଦ୍ଧି ଫୋରମ 8ଟି କୃଷି ଓ କୃଷିଜାତ ସାମଗ୍ରୀ ଯଥା ଅଙ୍ଗୁର, ଆମ୍ବ, କଦଳୀ, ପିଆଜ, ଚାଉଳ, ସୋୟାବିନ, ଡାଳିମ୍ବ ଏବଂ ଫୁଲ ଚାଷ ଇତ୍ୟାଦି ପାଇଁ ଏପିଇଡିଏ ଅଧୀନରେ ଏକ ଯୋଜନା ପ୍ରସ୍ତୁତ କରିଛି । ପ୍ରତ୍ୟେକ ରପ୍ତାନୀ ପ୍ରମୋଶନ ଫୋରମରେ ସେହି ସାମଗ୍ରୀର ରପ୍ତାନିକାରୀ ଏହାର ସଦସ୍ୟ ଭାବେ ରହିବା ବେଳେ ଏଥିରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ରହିବେ । ଏପିଇଡିଏର ଅଧ୍ୟକ୍ଷ ଏହି ଫୋରମଗୁଡିକର ଅଧ୍ୟକ୍ଷ ଭାବେ କାର୍ଯ୍ୟ ମଧ୍ୟ କରିବେ । ପ୍ରତି ଦୁଇ ମାସରେ ଠାରେ ଫୋରମର ବୈଠକମାନ ଅନୁଷ୍ଠିତ ହୋଇ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବୈଠକରେ ସୁପାରିଶ କରିପାରିବେ । ଏହି ଫୋରମଗୁଡିକ ନୀରବଚ୍ଛିନ୍ନ ଭାବେ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ପ୍ରଶାସନିକ ପଦକ୍ଷେପ ଉପରେ ନଜର ରଖିବେ । ସେମାନେ ଉତ୍ପାଦନକାରୀ, ରପ୍ତାନିକାରୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପ୍ରତି ମଧ୍ୟ ଦ୍ରୁଷ୍ଟି ଦେବେ ।

ଫୋରମର ସୁପାରିଶଗୁଡିକ ଏପିଇଡିଏ କର୍ତ୍ତୃପକ୍ଷ କିମ୍ବା ଉତ୍ପାଦକ କମିଟି ସାମନାରେ ରଖାଯିବ । କୃଷି ମନ୍ତ୍ରଣାଳୟ ସମେତ ଏଥିସହ ସଂଶ୍ଳିଷ୍ଟ ଅନ୍ୟାନ୍ୟ ବିଭାଗଗୁଡିକ ସହ ଫୋରମ ପକ୍ଷରୁ ସମନ୍ଵୟ ରକ୍ଷା କରାଯିବ ।

 

0
0
0
s2sdefault