ହେଡଲାଇନସ୍:

ଅଗଷ୍ଟ ୧୫ରେ  ସୃଷ୍ଟି ହେବ ଇତିହାସ,ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ନ୍ୟୁୟର୍କ(ଏଜେନ୍ସି ) : ଆମେରିକାର ନ୍ୟୁୟର୍କ ସହରର ଆଇକନିକ୍ ଟାଇମ୍ସ ସ୍କୋୟାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଗଷ୍ଟ ୧୫  (ସ୍ୱାଧୀନତା ଦିବସ ୨୦୨୦ ) ରେ ଭାରତୀୟ ତ୍ରିରଙ୍ଗା  ପତାକା ଉତ୍ତୋଳନ କରାଯିବ। ଆମେରିକାରେ ରହୁଥିବା ଭାରତୀୟଙ୍କ ସଂଗଠନ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍ (ଏଫଆଇଏ) ପକ୍ଷରୁ କରାଯିବ ଏହି ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ | ଏଫଆଇଏ ପକ୍ଷରୁ  ଏକ ବିବୃତ୍ତିରେ  ଏ ବିଷୟରେ ସୂଚନା ଦିଆଯାଇଛି । ନ୍ୟୁୟର୍କର କନସୁଲ୍ ଜେନେରାଲ୍ ରଣାଧୀର ଜୟସ୍ବାଲ  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଫଆଇଏ କହିଛି ଯେ ଏମ୍ପାୟାର  ଷ୍ଟେଟ ବିଲଡିଂ ପ୍ରତ୍ୟେକ ବର୍ଷ ଭଳି ଅଗଷ୍ଟ ୧୪ ରେ କମଳା, ଧଳା ଏବଂ ସବୁଜ ଆଲୋକରେ  ଆଲୋକିତ ହେବ| 

ସଂଗଠନ କହିଛି ଯେ ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା  ପତାକା ଉତ୍ତୋଳନ କରିବା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଦେଶପ୍ରେମର ପ୍ରତୀକ ଅଟେ। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି | ୧୯୭୦  ମସିହାରେ ସବୁଠାରୁ ବଡ ପ୍ରବାସୀ ସଂଗଠନ ମଧ୍ୟରୁ ଏଫଆଇଏ ପ୍ରତିଷ୍ଠା କରାଯାଇଥିଲା |

ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ରମେଶ ପଟେଲଙ୍କ କରୋନା ଜନିତ  ମୃତ୍ୟୁ ପରେ ଜୁଲାଇରେ ଅଙ୍କୁର ବୈଦ୍ୟଙ୍କୁ ଏଫଆଇଆର ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ୪୦  ବର୍ଷୀୟ ଶ୍ରୀ ବୈଦ୍ୟ  ଦୀର୍ଘ ସମୟ ଧରି ଏଫଆଇଏ ସହିତ ଜଡିତ ଥିଲେ ଏବଂ ୨୦୧୪  ମସିହାରୁ ପ୍ରବାସୀ  ସଂଗଠନର ଚେୟାରମ୍ୟାନ୍ ମଧ୍ୟ ରହିଆସିଛନ୍ତି। ଶ୍ରୀ ବୈଦ୍ୟ ସର୍ବ କନିଷ୍ଠ ବୋର୍ଡ ସଦସ୍ୟ ତଥା ସର୍ବ କନିଷ୍ଠ ଚେୟାରମ୍ୟାନ୍ ହେବାର ଗୌରବ ହାସଲ କରିଛନ୍ତି | 

ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ୍ ଅଗଷ୍ଟ 15 ରେ ଏକ ଭର୍ଚୁଆଲ୍ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବ | ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେବ। ଏଥିପାଇଁ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଭାରତର ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସୂଚନାଯୋଗ୍ୟ ଯେ ଏଫଆଇଏ  ପ୍ରତିବର୍ଷ ଅଗଷ୍ଟ ମାସରେ ଭାରତର ସ୍ୱାଧୀନତା ଦିବସ ଅବସରରେ ଇଣ୍ଡିଆ ଡେ ପ୍ୟାରେଡ୍ ଆୟୋଜନ କରେ | ଆମେରିକାର ପ୍ରମୁଖ ରାଜନୈତିକ  ନେତା, ଆଇନଜୀବୀ ତଥା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ବିଶିଷ୍ଟ ସଦସ୍ୟଙ୍କ ସହ ଭାରତର ସେଲିବ୍ରିଟିମାନେ ଏହି ପ୍ୟାରେଡରେ ଅଂଶଗ୍ରହଣ କରନ୍ତି। ତେବେ କରୋନା ମହାମାରୀ ହେତୁ ଚଳିତ ବର୍ଷ ପରେଡ ଅନୁଷ୍ଠିତ ହେବ ନାହିଁ।

0
0
0
s2sdefault