ହେଡଲାଇନସ୍:

ଚଳିତବର୍ଷ ସେପ୍ଟେମ୍ବର 15 ଯାଏଁ ଚାଲିବ 2021 ପଦ୍ମ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି)  2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ । ପଦ୍ମ ପୁରସ୍କାର ପୋର୍ଟାଲ https://padmaawards.gov.in ରେ ଏହି ସୁପାରିସ ଓ ନାମ ମନୋନୟନ କରାଯାଇପାରିବ । ଆଗାମୀ ସେପ୍ଟେମ୍ବର 15 ତାରିଖ ପରେ ଏ ସଂକ୍ରାନ୍ତ କୌଣସି ସୁପାରିସକୁ ବିଚାରକୁ ନିଆଯିବ ନାହିଁ ।

ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଦେଶର ଏହି ବେସାମରିକ ସର୍ବୋଚ୍ଚ ସମ୍ମାନ ପ୍ରଦାନ ବ୍ୟବସ୍ଥା 1954ରେ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଭେଷଜ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜିନିୟରିଂ,  ଲୋକସେବା ବ୍ୟାପାର, ସିଭିଲ ସେବା, ବାଣିଜ୍ୟ ଏବଂ ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ଦିଆଯାଇଥାଏ । ଜାତି, ଧର୍ମ, ପେସା, ପଦପଦବୀ ଓ ଲିଙ୍ଗ ବିଚାର ନିର୍ବିଶେଷରେ ସମସ୍ତେ ଏହା ପାଇବା ପାଇଁ ଯୋଗ୍ୟ; କିନ୍ତୁ ସେମାନଙ୍କର ସଂପୃକ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଆବଶ୍ୟକ । ସରକାରୀ କର୍ମଚାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ସମ୍ମାନ ପାଇଁ ଯୋଗ୍ୟ । ତେବେ ଡାକ୍ତର ଓ ବୈଜ୍ଞାନିକମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ସେମାନଙ୍କ ପାଇଁ ଅନ୍ୟ ଜାତୀୟ ପୁରସ୍କାରର ବ୍ୟବସ୍ଥା ରହିଛି । ପଦ୍ମ ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିସ ଭିତ୍ତିରେ ମନୋନୀତ ହୋଇଥାଏ ।

ଏ ସଂକ୍ରାନ୍ତ ମନୋନୟନ ଓ ସୁପାରିସରେ ସବିଶେଷ ତଥ୍ୟାବଳୀ ପ୍ରଦାନ କରିବାକୁ ପଡିବ ଏବଂ ଏଥିପାଇଁ ପଦ୍ମ ପୋଟାର୍ଲରେ ନିର୍ଦିଷ୍ଟ ଫର୍ମାଟ ରହିଛି । ଏହାଛଡା ଏହି ମନୋନୟନ ଓ ସୁପାରିସପତ୍ର ସହିତ ଆଠଶହ ଶବ୍ଦ ବିଶିଷ୍ଟ ଏକ ଲେଖା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ଲେଖିବାକୁ ପଡିବ । ସେ କେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ସେ କ୍ଷେତ୍ରରେ ତାଙ୍କର ବିଶେଷ ଉପଲବ୍‌ଧି କ’ଣ ରହିଛି ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିବାକୁ ପଡିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ମର୍ମରେ ସବୁ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଭାରତରତ୍ନ ଓ ପଦ୍ମବିଭୂଷଣ ପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ଅତି ଉତ୍କୃଷ୍ଟ ପ୍ରତିଷ୍ଠାନଗୁଡିକୁ ପତ୍ରଲେଖି ଏଭଳି ପ୍ରତିଭାଶାଳୀ ଲୋକଙ୍କୁ ଏହି ସମ୍ମାନ ପାଇଁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି । ସରକାର ମଧ୍ୟ ପଦ୍ମ ସମ୍ମାନକୁ ‘ଗଣପଦ୍ମ’ରେ ପରିଣତ କରିବା ପାଇଁ ଅଙ୍ଗୀକୃତ । ସେଥିପାଇଁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ମନୋନୀତ/ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି । ଏପରିକି ଯୋଗ୍ୟ ବ୍ୟକ୍ତିବିଶେଷ ନିଜ ନାମ ମଧ୍ୟ ନିଜେ ସୁପାରିସ କରିପାରିବେ ବୋଲି ସରକାର ଜଣାଇଛନ୍ତି । ମହିଳା, ସମାଜର ଦୁର୍ବଳ ଶ୍ରେଣୀର ଲୋକ, ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକ, ଦିବ୍ୟାଙ୍ଗ ବ୍ୟକ୍ତି ତଥା ଅନ୍ୟ ଯେଉଁମାନେ ନିଃସ୍ୱାର୍ଥପରଭାବେ ସମାଜସେବା କରୁଛନ୍ତି ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବସାଇଟରେ ‘ଆୱାର୍ଡସ ଏଣ୍ଡ ମେଡାଲ୍‌ସ’ ଶୀର୍ଷକରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ମିଳିପାରିବ ।  ଏଥିପାଇଁ www.mha.gov.inକୁ ଲଗ୍‌ଅନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଲିଙ୍କରେ https://padmaawards.gov.in/ AboutAwards.aspxକୁ ଲଗ୍‌ଅନ କରି ପୁରସ୍କାରର ନିୟମାବଳୀ ଦେଖିହେବ ।

 

0
0
0
s2sdefault