ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ ସାମିଲ ହେଲେ ଓମାନରେ ରହୁଥିବା ଓଡ଼ିଆ ଭାଇଭଉଣୀ
ଏକ ସ୍ୱର ହୋଇ ଗାଇଲେ ବନ୍ଦେ ଉତ୍କଳ ଜନନୀ
ଓମାନ (ସ୍ୱତନ୍ତ୍ର ପ୍ରତିନିଧି) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଇ ମାସ ୩୦ ତାରିଖ ସନ୍ଧ୍ୟା ୫:୩୦ ରେ ସମସ୍ତ ରାଜ୍ୟବାସୀଙ୍କୁ ଓ ରାଜ୍ୟ ବାହାରେ ଦୁନିଆର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ମାନଙ୍କୁ 'ବନ୍ଦେ ଉତ୍କଳ ଜନନୀ' ସଂଗୀତ ଗାନ କରିବା ପାଇଁ ଅନୁରୋଧ କରିଥିଲେ । କରୋନା ଯୋଦ୍ଧାଙ୍କୁ ସମ୍ମାନିତ ଓ ପ୍ରୋତ୍ସାହିତ କରିବା ପାଇଁ ହିଁ ଥିଲା ଏଇ ଆହ୍ବାନ । ଆଉ ସେ ଆହ୍ବାନକୁ ଶ୍ରଦ୍ଧାର ସହ ଗ୍ରହଣ କରିଥିଲେ ରାଜ୍ୟ ବାହାରେ ବିଦେଶରେ ଥିବା ଓଡ଼ିଆ ଭାଇଭଉଣୀମାନେ । ଦୀର୍ଘ ବହୁବର୍ଷ ଧରି ଓମାନର ସୋହାର ସହରରେ ରହିଆସିଥିବା ପ୍ରବାସୀ ଓଡ଼ିଆ ପରିବାର Zoom Cloud Meeting ଜରିଆରେ ଏକତ୍ରିତ ହୋଇଥିଲେ । (ଭାରତୀୟ ସମୟ ସନ୍ଧ୍ୟା ୫: ୩୦ ଅନୁଯାୟୀ) ଓମାନରେ ଅପରାହ୍ନ ୪ ଟାରେ ଏଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣେଇ, ଓଡିଶାର ଗର୍ବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚିତ " ବନ୍ଦେ ଉତ୍କଳ ଜନନୀ' ସଂଗୀତ ସମୂହ ଗାନ କରି କରନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କେବଳ ସେତିକି ନୁହେ, ଦୀର୍ଘ ଦିନର ବିରତି ପରେ ଏକାଠି ହେଇଥୁବା ଯୋଗୁଁ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଏବଂ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରି ସମସ୍ତଙ୍କର ନିରୋଗ କାମନା କରିଥିଲେ |