ବାରିପଦା ଦୁର୍ଗାପୂଜା :ତୁଳସୀଚଉରା ଛତ୍ରପତି ଶିବାଜୀ ଟର୍ମିନାଲ ଓ ପାଲବଣି ପାଗୋଡ଼ା ମଣ୍ଡପ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ।
ବାରିପଦାରୁ ଦିଲ୍ଲୀପ ମହାନ୍ତି -ଧରାପୃଷ୍ଠ ଅବତରଣ କରିବେ ଜଗତ୍ ଜନନୀ ଦୁର୍ଗତି ନାସିନୀ କଲ୍ୟାଣମୟୀମା’ ଦୁର୍ଗା । ଶରତ ଋତୁ ତଥା ଓଡ଼ିଆ କ୍ୟାଲେଣ୍ଡରରେ ପାର୍ବଣର ମାସ ଆଶ୍ୱିନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଛି । ବିଶ୍ୱ ଧାତ୍ରୀମା’ ଦୁର୍ଗା ଶକ୍ତି ରୂପିଣି, ସେ ମଧ୍ୟ ଜଗଦମ୍ବା, ସିଂହ ବାହିନୀ ଓ ମହିଷ ମର୍ଦ୍ଧିନୀ । ବିଭିନ୍ନ ପୁରାଣରେ ଶକ୍ତି ପୀଠଗୁଡ଼ିକର ସଂଖ୍ୟା ଭିନ୍ନଭିନ୍ନ ହୋଇଥିଲେ ମଧ୍ୟ ପୀଠମାନଙ୍କରେ ଷୋଳ ଦିବସୀୟ ପୂଜାର୍ଚ୍ଚନା ସହିତ ଷୋଡ଼ଶ ଉପଚାର ହୋଇଥାଏ । ଏହି ସମସ୍ତ ପୀଠରେ ମା’ ଦ୍ୱିଭୂଜା, ବିରଜା, ଚର୍ତୁଭୂଜା, ବିମଳା, ବନଦୁର୍ଗା ଭାବେ ନବରାତ୍ର ଧରି ପୂଜା ପାଉଥିବା ବେଳେ କେଉଁଠାରେ ୮ ଦିନ, ୪ ଦିନ ଓ ୩ ଦିନ ଧରି ପୂଜା ପାଇଥାନ୍ତି । ଚଳିତ ବର୍ଷ ମାଦୁର୍ଗା ଧରାପୃଷ୍ଠରେ ଅବତରଣ ହେବାକୁ ଯାଉଛନ୍ତି । ମା’ଙ୍କର ଅଷ୍ଟମୀ ପୂଜା ୧୭/୧୦/୨୦୧୮ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ବିଭିନ୍ନ ପୂଜାକମିଟି, ଭକ୍ତ ଓ ପୌରବାସୀଙ୍କ ପକ୍ଷରୁ ଅବଗଣନା ଆରମ୍ଭ ହୋଇ ଯାଇଛି | ବାରିପଦା ସହରରେ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡେଲ ଓ ମଣ୍ଡପଗୁଡ଼ିକରେ ସାଧାରଣତଃ ପୂଜା ପାଇଥାନ୍ତି ମୃଣ୍ମୟୀ ଦେବୀ ଦଶଭୂଜା ଓ ସିଂହବାହିନୀ ‘ମା ଦୁର୍ଗା’ । ମାଟିରେ ନିର୍ମିତ ହୋଇ ମହିଷାସୁରକୁ ବଧ କରୁଥିବା ଦେବୀ ଦୁର୍ଗାଙ୍କର ମୂର୍ତ୍ତି । ପୂଜା ସମାପ୍ତ ହେବା ପରେ କେଉଁଠି ଦଶହରା ଦିନ ଏହି ଦୁର୍ଗା ମୂର୍ତ୍ତିଙ୍କ ଜଳ ବିସର୍ଜନ କରାଯାଇଥାଏ ତ କେଉଁଠି ଦଶହରାର ପରବର୍ତ୍ତି ଦିନରେ ବିସର୍ଜନ କରାଯାଇ ଥାଏ ।
ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ରାଜବାଟୀ ମଧ୍ୟରେ ଦୁର୍ଗାପୂଜା ଅନୁÂିତ ହେଉଥିଲା । ମା’ଙ୍କୁ ଦର୍ଶନ ସହିତ ଭକ୍ତି ନୈବେଦ୍ୟ ଅର୍ପଣ ନିମନ୍ତେ ପ୍ରଜାମାନଙ୍କୁ ଦୀର୍ଘ ସମୟ ଧାଡ଼ିବାନ୍ଧି ଅପେକ୍ଷା କରିବାକୁ ପଡ଼ୁଥିଲା । କିଛି ବଙ୍ଗାଳୀ ଭାଇ ମହାରାଜାଙ୍କ ନିକଟରୁ ଅନୁମାତି ନେଇ ୧୯୩୪ରେ ସହରର ଗୋପବନ୍ଧୁ ଭବନ ସମ୍ମୁଖ ସହିଦ ପଡ଼ିଆଠାରେ ପଶ୍ଚିମବଙ୍ଗ ରାଜ୍ୟର କୁମାରଟୁଲିରୁ ମୂର୍ତ୍ତି ଆଣି ଆରମ୍ଭ କରିଥିଲେ ସର୍ବ ପ୍ରଥମ ସାର୍ବଜନୀନ ଦୁର୍ଗାପୂଜା । ଚଳିତ ବର୍ଷ ଏହି ସହିଦ ପଡ଼ିଆ ଦୁର୍ଗାପୂଜା ୮୫ ବର୍ଷରେ ପାଦ ଥାପିଛି । ସେହିପରି ଦ୍ୱିତୀୟ ସବାର୍ବଜନୀନ ଦୁର୍ଗାପୂଜା ଭାବେ ବାରିପଦା ଟାଉନ ଥାନା ସମ୍ମୁଖରେ ୧୯୫୭ରୁ ଆରମ୍ଭ ହୋଇ ୬୨ ବର୍ଷରେ ପଦାର୍ପଣ କରିଛି । ଷ୍ଟେସନ ବଜାର ୧୯୫୮ ଆରମ୍ଭ ହୋଇ ୬୧ ବର୍ଷରେ, ଫେଜାର ହଷ୍ଟେଲ ଯୁବକସଂଘ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ୫୭ ବର୍ଷରେ , ପୌରପରିଷଦ ପରିସରରେ ୫୩ ବର୍ଷରେ ପଦାର୍ପଣ କରିଛି । ଜିଲା କୋଷାଗାର ସମ୍ମୁଖ ପୂଜାମଣ୍ଡପ ୪୧ ବର୍ଷ, ମୁର୍ଗାବାଡ଼ି ଗୋଲେଇ ୩୭ ବର୍ଷରେ, ସୁନାମୁହିଁ ୩୬ ବର୍ଷରେ, ତୁଳସୀଚୌରା ଓ ପାଲବଣିଗୋଲେଇ ୩୪ ବର୍ଷରେ, ତେନ୍ତୁଳିଡିଙ୍ଗା ୩୩ ବର୍ଷରେ, କୃଷ୍ଣ ଚନ୍ଦ୍ର ଗୋଲେଇ ଓ ଦାରୋଗାଡାହି ଗୋଲେଇ ୩୨ ବର୍ଷରେ, ଭଞପୁର ୩୧ ବର୍ଷରେ, କମଳା ନେହେରୁ ବାଳିକା ବିଦ୍ୟାଳୟ ନିକଟ ୨୯ ବର୍ଷରେ, ଲାଲବଜାର ଛକ ୨୪ ବର୍ଷରେ ପହଁଞ୍ଚିଛି । ଲାଲବଜାର ପୂଜାକମିଟି ପକ୍ଷରୁମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିରେ ୨ ମହଣରୁ ଅଧିକ ଚାନ୍ଦି ବ୍ୟବହାର କରାଯାଇଥାଏ । ତକତପୁର ଓ ମଧୁବନ ପୂଜା ମଣ୍ଡପ ୨୦ ବର୍ଷ ପଦାର୍ପଣ କରିଥିବା ବେଳେ ମଧୁବନ ବାରୁଣୀରୋଡ଼ର ସାର୍ବଜନୀନ ଦୁର୍ଗାପୂଜାକୁ ୯ ବର୍ଷ ହୋଇଛି । ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ତଥା ଗାନ୍ଧୀ ମାର୍କେଟର ଚାପଲ ପୋଖରୀ ହୁଡ଼ାରେ ମହାବୀର ହନୁମାନଙ୍କର ପୂଜା ୨୪ ବର୍ଷରେ ପହଂଚିଛି ।
ସେହିପରି ବଡ଼ବଜାର କଲେଜ ଛକ ଓ ଅମ୍ବିକା ମନ୍ଦିର ସାହିର ତିନିକୋଣିଆ ଦୋଳି ପଡ଼ିଆଠାରେ ଯଥାକ୍ରମେ ୪୨ ଓ ୨୩ ବର୍ଷ ଧରି ହରପାର୍ବତୀ ପୂଜା ପାଇ ଆସୁଥିବା ବେଳେ ବଡ଼ବଜାର ଶୀତଳା ମନ୍ଦିର ସମ୍ମୁଖରେ ୩୪ ବର୍ଷ ଧରି ବନଦୁର୍ଗାପୂଜା ପାଉଛନ୍ତି । ପୂଜା ବଜାରରେ ସହର ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ ତୁଳସୀଚୌରା ଓ ପାଲବଣି ପୂଜା ମଣ୍ଡପ । ଏହି ଦୁଇ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭିନ୍ନଭିନ୍ନ ଆକୃତିର ପେଣ୍ଡେଲ ଓ ତୋରଣ ନିର୍ମାଣ କରାଯାଇ ଭକ୍ତ ତଥା ଦର୍ଶକମାନଙ୍କ ଦ୍ୱାରା ଉଚ୍ଛସିତ ଭାବେ ପ୍ରସଂଶିତ ହୋଇ ଆସୁଛି । ତୁଳସୀଚୌରା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ବମ୍ବେର ଛତ୍ରପତି ଶିବାଜୀ ଟର୍ମିନାଲର ଭ୍ରମ ସୃଷ୍ଟି କରିପାରିବା ଭଳି ମଣ୍ଡପର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି ଓ ନିର୍ମାଣ ଦାୟିତ୍ୱ ପଶ୍ଚିମବଙ୍ଗ ରାଜ୍ୟ ୨୪ ପ୍ରଗଣା ଅଞ୍ଚଳର ଚନ୍ଦନ ମଣ୍ଡଳ ଗ୍ରହଣ କରିଥିବା ସମୟରେ ମଣ୍ଡପର ଶୋଭା ରାଜିକୁ ଜୀବନ୍ତ କରି ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଇବା କ୍ଷେତ୍ରରେ ମା କାଳୀ ଟେଣ୍ଟ ହାଉସର ୩୦/୩୫ରୁ ଅଧିକ କରୀଗର ଦିନରାତି ଉଦ୍ୟମ ଚଳାଇଛନ୍ତି । ଏହି ଛତ୍ରପତି ଶିବାଜୀ ଟର୍ମିନାଲ ପୂଜା ମଣ୍ଡପ ନିର୍ମାଣରେ କେବଳ ବାଉଁଶ, କାଠର ବଟନ, ପ୍ଲାଇ, ସନପେଗ, ଷ୍ଟୋନ ଆଦିକୁ ବ୍ୟବହାର କରାଯାଉଥିବା ବେଳେ ମାଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ନିର୍ମାଣରେ କଟକର ଭୀମସେନ ମଲ୍ଲିକ ଦିନରାତି ଏକ କରିଦେଇଛନ୍ତି ।
ତୁଳସୀଚୌରା ପୂଜା କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ ଓ ସମ୍ପାଦକ ବାସୁଦେବ ପ୍ରଧାନଙ୍କ ନେତୃତ୍ୱରେ ଏକ କାର୍ଯ୍ୟାଳୟ ଖୋଲା ଯାଇ ସଦସ୍ୟମାନେ ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଛନ୍ତି । ସେହିପରି ସଭାପତି କିଶୋର ଦାସପଟ୍ଟନାୟକ ଓ ସମ୍ପାଦକ କୁମାରେନ୍ଦ୍ର ଟୁଡ଼ୁଙ୍କ ନେତୃତ୍ୱରେ ପରିଚାଳିତ ପାଲବଣି ପୂଜାକମିଟି ପକ୍ଷରୁ ୯୦ ଫୁଟ ଉଚ୍ଚର ସୁନେଲୀ ପାଗୋଡ଼ା(ବୌଦ୍ଧ ମନ୍ଦିର) ନିର୍ମାଣ କରାଯାଉଛି । ପଶ୍ଚିମବଙ୍ଗ ରାଜ୍ୟ ବେଲଦା ପାଲବଣି ପୂଜା ମଣ୍ଡପର ନିର୍ମାଣ ଦାୟିତ୍ୱ ହାତକୁ ନେଇଛନ୍ତି ଓ ମଣ୍ଡପ ନିର୍ମାଣରେ ଦିନରାତି ସିଫଟ ଅନୁସାରେ ୩୫ରୁ ୪୦ ଜଣ କାରୀଗରକୁ ନିୟୋଜିତ କରାଇଛନ୍ତି । ମହଙ୍ଗା ବଜାର ଅବସ୍ଥାକୁ ନଜରକୁ ନେଇପୂଜାକମିଟି ପକ୍ଷରୁ ଚଳିତ ବର୍ଷ ୧୮ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ମଣ୍ଡପ ନିର୍ମାଣ କରାଯାଉଛି । ସେହିପରି ମା’ଙ୍କ ପ୍ରତିମୂର୍ତ୍ତିକୁ ଜୀବନ୍ତ କରି ଗଢ଼ିତୋଳିବା ନିମନ୍ତେ ବାରିପଦା ସହରର ଅକ୍ଷୟ କୁମାର ବାରିକ, ମନୋରଞ୍ଜନ ରାଉତ ଓ ସୁମନ୍ତ ନାୟକ ଉଦ୍ୟମ ଚଳାଇଥିବା ବେଳେ ମୂର୍ତ୍ତିଗୁଡ଼ିକୁ ସୁନା ଓ ରୁପା ଅଳଙ୍କାରରେ ସୁସଜ୍ଜିତ କରାଯିବ । ଭକ୍ତ ତଥା ଦର୍ଶକମାନେ ସୁବିଧାରେ ମାଆଙ୍କୁ ଦର୍ଶନ କରିବାର ସୁବିଧା ନିମନ୍ତେ ଏବଂ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ କମିଟି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପୂଜା ମଣ୍ଡପ ନିର୍ମାଣ ଉପରେ ଯେପରି ଗୁରୁତ୍ୱ ଦିଆଯାଇଛି ଠିକ୍ ସେହିପରି ଆଲୋକ ସଜ୍ଜା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ମଣ୍ଡପର ସୌନ୍ଦର୍ଯ୍ୟକୁ ଅଧିକ ରୁଦ୍ଧିମନ୍ତ କରି ଗଢ଼ିତୋଳିବା ପାଇଁ ରଙ୍ଗବେରଙ୍ଗ ବୈଦୁ୍ୟତିକ ସାଜସଜ୍ଜାକୁ କମିଟି ପ୍ରାଧାନ୍ୟ ଦେଇଛି ବୋଲି ସମ୍ପାଦକ ଶ୍ରୀଟୁଡ଼ୁଙ୍କଠାରୁ ସୂଚନା ମିଳିଛି । ଏହାବ୍ୟତୀତ ଅନ୍ୟତମ ଆକର୍ଷଣ ହେଉଛି ମଧୁବନ ପୂଜାକମିଟି ପକ୍ଷରୁ ଦଶହରା ଅବସରରେ ରାବଣ ପୋଡ଼ି । ଅତ୍ୟାଧୁନିକ ଆତସବାଜିର ସମ୍ଭାରରେ ଝଲମଲ ହୋଇଉିଠ ଆକାଶ । ଅନ୍ଧକାରର ବୁକୁଚିରି ଆତସବାଜିର ରଙ୍ଗବେରଙ୍ଗ ଆଲୋକମାଳାର ଦୃଶ୍ୟ ଆକାଶରେ କାହିଁ କେତେ ଦୂରକୁ ଦୃଶ୍ୟମାନ ହୋଇଥାଏ । ଲକ୍ଷାଧିକ ଦର୍ଶକମାନଙ୍କ ଗହଣରେ ମଧୁବନ ରାବଣପୋଡ଼ି ଆୟୋଜନ ହୋଇଥାଏ । ସେହିପରି ଅନ୍ୟତମ ଆକର୍ଷଣ ପାଲଟିଥାଏ ତେନ୍ତୁଳିଡ଼ିଙ୍ଗାର ନିଆରା ପୂଜା ମଣ୍ଡପ । ଏହା ଏକ ଆଦର୍ଶ ପୂଜା ମଣ୍ଡପ ଭାବେ କେବଳ ଓଡ଼ିଶା ନୁହେଁ ପୃଥିବୀରେ ଉଦାହରଣ ପାଲଟି ଯାଇଛି । ସମଗ୍ର ପୃଥିବୀର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ବିଦ୍ୱେଶ କାରଣରୁ ହିଂସା ଓ ଅସହିଷ୍ନୁତା ବୃଦ୍ଧି ପାଉଥିବା ବେଳେ ତେନ୍ତୁଳିଡିଙ୍ଗା ପୂଜା ମଣ୍ଡପରେ ଭାଇଚାରା, ବନ୍ଧୁତ୍ୱ ଓ ପ୍ରେମର ଗଭୀର ନିଦର୍ଶନ ଦେଖିବାକୁ ମିଳେ । କୋହିନୂର ଇସଲାମ ନାମକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ନେତୃତ୍ୱରେ ତେନ୍ତୁଳିଡ଼ିଙ୍ଗାଠାରେ ମା ଦୁର୍ଗା ୩୩ ବର୍ଷ ଧରି ପୂଜା ପାଇ ଆସୁଛନ୍ତି । ଏହି ପୂଜା ମଣ୍ଡପ କେବଳ ମୟୂରଭଞ୍ଜ ନୁହେଁ ପୃଥିବୀବାସୀଙ୍କୁ ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ବାଣ୍ଟି ଚାଲିଛି । ଏହାବ୍ୟତୀତ ସ୍ୱତନ୍ତ୍ର ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କ ରାଜତ୍ୱ ସମୟରୁ ରାଜ ପ୍ରାସାଦ ସଂଗଲଗ୍ନ କିଚକେଶ୍ୱରୀ ମନ୍ଦିର ସମ୍ମୁଖ ଦେବୀମାଲା ମଣ୍ଡପରେ ଆରମ୍ଭ ହୋଇଥିବା ମା ଦୁର୍ଗାଙ୍କ ପୂଜା ବାବୁସାହି କିଚକେଶ୍ୱରୀ ମନ୍ଦିର ଫାଟକ ନିକଟରେ ସ୍ଥାନୀୟ କେତେକ ପରିବାର ପକ୍ଷରୁ ଆୟୋଜିତ ହୋଇ ଆସୁଛି ।
ଚଳିତ ବର୍ଷ ଦୁର୍ଗାପୂଜାକୁ ଧୂମ ଧାମରେ ପାଳନ କରାଯିବା ନିମନ୍ତେ ସମସ୍ତ ପୂଜା କମିଟି ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ବାରିପଦା ପୌରବାସୀ ମଧ୍ୟ ପର୍ବକୁ ମାନିବା ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ବଜାରର ଗହଣା, ଲୁଗା ଦୋକାନ ସହିତ ବିଭିନ୍ନ ଗୃହ ଉପକରଣ ଦୋକାନଗୁଡ଼ିକରେ ଭିଡ଼ ଆସ୍ତେ ଆସ୍ତେ ଜମିବାରେ ଲାଗିଛି । ପ୍ରତ୍ୟେକଙ୍କ ପରିବାରରେ ପୂଜାକୁ ନୂଆ ଉତ୍ସାହ ଓ ଉଦ୍ଧୀପନାର ସହିତ ପାଳନ କରିବା ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଥିବାବେଳେ ଗତ ୨୦୧୩ ଅକ୍ଟୋବର ୧୨ ଦୁର୍ଗାପୂଜା ସମୟରେ ପ୍ରାକୃତିକ ବିପର୍ଯ୍ୟୟ(ଫାଇଲିନ ମହାବାତ୍ୟା)ର କରୁଣ ଦୃଶ୍ୟକୁ ମଧ୍ୟ ସ୍ମରଣକରାଇ ଦେଉଛି । ।