ହେଡଲାଇନସ୍:

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରତିଭାଦିପ୍ତ କବି ଭାବେ ଜଣାଶୁଣା ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପି୍ରଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ. ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରୀ ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତି୍ରକାର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ୍ ଘୋଷଣା କରିଛନ୍ତି ।
ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ପ୍ରତିଭାବାନ ସାହିତ୍ୟିକ ଓ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଡ. ପଣ୍ଡାଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ୱର ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ “ମହୁରି ସମ୍ମାନ” ପ୍ରଦାନ କରାଯାଉଛି ।
ଜଗତସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ. ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି । କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତିକ ଫିଚର ରଚନା କରନ୍ତି । ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତିଭାବରେ ଗ୍ରହଣ କରିଛନ୍ତି । ଏଯାବତ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ପାଇସାରିଥିବା ବେଳେ ୨ଟି ଯନ୍ତ୍ରସ୍ଥ ରହିଛି । ଡ. ପଣ୍ଡାଙ୍କର ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।
୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଯୁବ ପୁରସ୍କାର ପାଇବା ସହିତ ଡ. ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ୨୦୧୫ରେ ସେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସତର ଦିନ ଅବସ୍ଥାନ କରିଥିଲେ । ଏଯାବତ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ । କେବଳ ସାହିତ୍ୟ ରଚନା ନୁହେଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ୱର୍ଣ୍ଣପଦକ ପାଇଛନ୍ତି । ଡ. ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା “ଅନ୍ୟା”ର ସଂପାଦକ ଅଟନ୍ତି । ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ କେନ୍ଦ୍ରର ମୁଖ୍ୟ ଡ. ପଣ୍ଡା ଅନେକ ସୃଜନଶୀଳ କାର୍ଯ୍ୟ ହାତକୁ ନେଇଛନ୍ତି ।

0
0
0
s2sdefault