ଶୁଣ୍ ସରକାର୍ ଗଙ୍ଗା ଗୁହାରି!
ଭାରତରେ ଗଙ୍ଗା ଅବବାହିକାର ତଳମୁଣ୍ଡରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଆଗାମୀ ତିନି ଦଶନ୍ଧିରେ ଖାଦ୍ୟାଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ । ଗୋଟିଏ ନୂଆ ଗବେଷଣାରୁ ଏକଥା ଜଣାପଡ଼ିଛି ଯେ ମାତ୍ରାତିରିକ୍ତ ଭୂତଳ ଜଳ ଆହରଣ ଏବଂ ଭୂତଳ ଜଳସ୍ତରର ଉଦ୍ବେଗଜନକ ହ୍ରାସ ସମେତ ଅନ୍ୟାନ୍ୟ କାରଣ ଗୁଡିକ ଯୋଗୁ ଏହି ମହାନ ନଦୀର ଜଳପ୍ରବାହ ଓ ଜଳସ୍ରୋତର ଉତ୍ସ ଯଦି ବୃଦ୍ଧି ନହୁଏ ତଥା ଜଳପ୍ରବାହ ଓ ଏହାର ଉତ୍ସକୁ ସୁରକ୍ଷିତ ରଖାନଯାଏ ତେବେ ଗଙ୍ଗା ଗୋଚର ହେବାକୁ ଆଉ ବେଶିଦିନ ଲାଗିବ ନାହିଁ ବୋଲି ବିଶିଷ୍ଟ ବୈଜ୍ଞାନିକ ଏବଂ ଗବେଷକ ପ୍ରଫେସର ଗୋସାଇଁଙ୍କ ଗବେଷଣାତ୍ମକ ଗଣନା ସତର୍କ କରିଦେଲାଣି । ଗଙ୍ଗାର ଜଳ ପ୍ରବାହ ହ୍ରାସ ପାଇବା ଫଳରେ ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ହାସଲ ମଧ୍ୟ ବାଧିତ ହୋଇପାରେ ବୋଲି ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶିତ ଗବେଷଣାର ଅନୁଧ୍ୟାନରେ ଗବେଷକମାନେ କହିଛନ୍ତି । ଏହି ଗବେଷଣାରେ ବାରଣାସୀ ନଗରୀ ଓ ବଙ୍ଗୋପସାଗର ମଧ୍ୟବର୍ତ୍ତୀ ଭାଗର ଗଙ୍ଗାନଦୀକୁ ଅନୁଧ୍ୟାନ କଲେ ପୂର୍ବାନୁମାନ କରାଯାଉଛି ଯଦି ବର୍ତ୍ତମାନ ଠାରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ, ଆଗାମୀ ୩୦ବର୍ଷ ପର୍ଯ୍ୟନ୍ତ ଗଙ୍ଗା ନଦୀର ପ୍ରବାହ ପାଇଁ ଭୂତଳ ଜଳର ଅବଦାନ କ୍ରମାଗତ ଭାବେ କମିଯିବ ।
""ଗଙ୍ଗାନଦୀର ଜଳପ୍ରବାହ ଉପରେ ଭୂତଳ ଜଳ ହ୍ରାସର ପ୍ରଭାବ ବେଶ୍ ଜଟିଳ ବୋଲି ଗବେଷଣାର ଅନ୍ୟତମ ଲେଖକ ଯୋଶିହିଡେ଼ ୱାଡ଼ା କହିଛନ୍ତି । ସେ ଅଷ୍ଟ୍ରିଆସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ଆପ୍ଲାଏଡ଼୍ ସିଷ୍ଟମ୍ସ ଏନାଲିସିସ୍ (ଆଇ.ଆର.ଏ.ଏମ୍.ଏ) ର ୱାଟ୍ ଜଳ କାର୍ଯ୍ୟକ୍ରମର ସହକାରୀ ନିର୍ଦ୍ଦେଶକ ଅଛନ୍ତି । ଏହି ରିପୋର୍ଟରେ କୁହାଯାଇଛି, ""ଆମ ଗବେଷଣାରୁ ଏକଥା ଜଣାପଡ଼ିଛି ଯେ ଏବେ ଗଙ୍ଗା ଅବବାହିକାରେ ଯେଉଁ ମାତ୍ରାରେ ଭୂତଳ ଜଳ ଆହରଣ କରାଯାଉଛି ତାହା ଅନୁମୋଦିତ ପରିମାଣ ଠାରୁ ଯଥେଷ୍ଟ ଅଧିକ ଏବଂ ବେଶୀଦିନ ଯାଏ ଏପରି ଚାଲିପାରିବ ନାହିଁ । ଏହାଫଳରେ ଯେ କେବଳ ଭୂତଳ ଜଳସ୍ତର କମିଯିବ ସେକଥା ନୁହେଁ, ଗୀଷ୍ମ ଋତୁରେ ନଦୀର ପ୍ରବାହ ମଧ୍ୟ କମିଯିିବ । '
ଗଙ୍ଗାର ତଳମୁଣ୍ଡରେ ସମସ୍ୟା ଅଧିକ ସଙ୍ଗୀନ
ଏଯାବତ୍ ବିଗତ ତିନି ଦଶନ୍ଧିରେ ନଦୀର ପ୍ରବାହ ସକାଶେ ଭୂତଳ ଜଳର ଅବଦାନ ଗ୍ରୀଷ୍ମ ଋତୁରେ ୫୦% କମିଯାଇଛି । ୧୯୭୦ ଦଶକର ଗ୍ରୀଷ୍ମ ମାସଗୁଡ଼ିକ ପରିସ୍ଥିତି ତୁଳନାରେ ଗଙ୍ଗାର ପ୍ରବାହକୁ ଭୂତଳ ଜଳର ଅବଦାନ ୭୫% କମିଯାଇଛି,'' ବୋଲି କୁହନ୍ତି ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି, ଖଡ଼ଗପୁରର ଆସୋସିଏଟ୍ ପ୍ରଫେସର ତଥା ଗବେଷଣା ରିପୋର୍ଟର ମୁଖ୍ୟ ଗବେଷକ ଅଭିଜିତ୍ ମୁଖାର୍ଜୀ ।
ଏହି ଗବେଷଣାର ମଡେ଼ଲରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ପ୍ରଭାବକୁ ହିସାବକୁ ନିଆଯାଇ ନାହିଁ । ତେବେ ଗବେଷକମାନଙ୍କର କହିବା କଥା ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବିଚାରକୁ ନେଲେ ପରିସ୍ଥିତି ବର୍ତ୍ତମାନର ଆକଳନ ତୁଳନାରେ ଗଙ୍ଗା ପାଇଁ ଆହୁରି ଅଧିକ ନୈରାଶ୍ୟଜନକ ଓ ଭୟାବହ ହୋଇପାରେ ।
ଗଙ୍ଗାନଦୀର ୨,୫୨୫କି.ମି. (୧,୫୯୬ମାଇଲ) ଦୀର୍ଘ ଗତିପଥ ଗଙ୍ଗା ଅବବାହିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା, ହିମାଳୟ ପର୍ବତମାଳାର ହିମବାହ ତରଳିବା ଏବଂ ଭୂତଳ ଜଳର ନିଷ୍କାସନ ଦ୍ୱାରା ପରିପୁଷ୍ଟ ହୋଇଥାଏ । ଗ୍ରୀଷ୍ମ ଋତୁରେ କିମ୍ବା ଅଣମୌସୁମୀ ମାସଗୁଡ଼ିକରେ ନଦୀକୁ ଭୂତଳ ଜଳର ଅବଦାନ (ନଦୀ ଶଯ୍ୟାର ପ୍ରବାହ ଅର୍ଥାତ୍ ବେସ୍ ଫ୍ଲୋ) କେତେକାଂଶରେ ୩୦% ହୋଇପାରେ ଏବଂ ଅନ୍ୟ କେତେକ ଭାଗରେ ୬୦%ରୁ ୭୦% ପର୍ଯ୍ୟନ୍ତ ହୋଇପାରେ । ଭୂତଳ ଜଳ (ପ୍ରାୟ ୭୦%) ଏବଂ ନଦୀ ଜଳ (୩୦%) ର ମିଳିତ ଉପଲବ୍ଧତା ପ୍ରକୃତରେ ଖାଦ୍ୟପଦାର୍ଥ ଉତ୍ପାଦନ କରୁଥିବା କୃଷି ବ୍ୟବସ୍ଥାକୁ ଚଳାଇଥାଏ ।
ଗବେଷକମାନେ ଆକଳନ କରିଛନ୍ତି ଯେ ସଂପ୍ରତି ଫସଲ ପାଇଁ ଗବେଷଣା କ୍ଷେତ୍ରରେ ମୋଟ ଜଳସେଚନର ମାତ୍ର ୨୭% ଭୁପୃଷ୍ଠ ଜଳଦ୍ୱାରା ହୋଇଥାଏ । ଏହାର ଅର୍ଥ ହେଲା ଯେ ଗଙ୍ଗା ନଦୀରେ ଜଳପ୍ରବାହ କମିଗଲେ ଭୁପୃଷ୍ଠ ଜଳ ଆଧାରିତ ଜଳ ସକାଶେ ଉପଲବ୍ଧ ଜଳର ପରିମାଣ ବ୍ୟାପକରୂପେ ହ୍ରାସ ପାଇବ ଏବଂ ଏହାଫଳରେ ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ କମିଯିବାର ଆଶଙ୍କା ରହିଛି ।
ଆମର ପୂର୍ବାନୁମାନରୁ ଜଣାପଡ଼ିଛି ଯେ ପରବର୍ତ୍ତୀ କେଇ ଦଶନ୍ଧି ମଧ୍ୟରେ ଯଥେଷ୍ଟ ଖାଦ୍ୟ ଉପଲବ୍ଧ ନହେବା ଯୋଗୁଁ ୧୧.୫କୋଟି ଲୋକ ପ୍ରଭାବିତ ହେବେ । ସ୍ଥିତାବସ୍ଥା ବଜାୟ ରହିବା ଦୃଶ୍ୟପଟ୍ଟରେ ମଧ୍ୟ ଖାଦ୍ୟ ଉତ୍ପାଦନ ହ୍ରାସ ପ୍ରକ୍ରିୟା ଭବିଷ୍ୟତର ଆହୁରି ବେଶୀ ହେବ ଏବଂ ଏପରି ସମ୍ଭାବନା ମଧ୍ୟ ରହିଛି ଯେ ଗଙ୍ଗା ଜଳ ପ୍ରବାହ ଓଲଟା ପ୍ରବାହିତ ହୋଇ ଭୂତଳ ଜଳରେ ମିଶିବ। ଏହି ପ୍ରକ୍ରିୟାକୁ ଝରଣାର ପ୍ରବାହକୁ ହାତେଇବା (stream flow capture) ) ବୋଲି କୁହାଯାଏ । ଉଭୟ ଭୁପୃଷ୍ଠ ଜଳ ଓ ଭୂତଳ ଜଳକୁ ନଷ୍ଟ କରିବା ହେଉଛି ଏକ ପ୍ରକୃତ ଦୁଃଖଦ ଘଟଣା'' ବୋଲି କୁହନ୍ତି ଉପମନୁ୍ୟ ଲାଲ, ଯିଏକି ଯୁ୍କ୍ତରାଷ୍ଟ୍ର ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଥିବା ""କଲମ୍ବିଆ ୱାଟର ସେଣ୍ଟର''ର ନିର୍ଦ୍ଦେଶକ ।
ଜଳସେଚନ ଯୋଗୁଁ ଫସଲ ଉତ୍ପାଦନ କ୍ଷେତ୍ରରେ ସେପରି କୌଣସି ବିଶେଷ ଅଭିବୃଦ୍ଧି ଘଟୁନାହିଁ, ଯାହା କି ଅନ୍ୟ ରାଜ୍ୟ ଗୁଡ଼ିକରେ ଘଟୁଛି । କୃଷି ସଂପ୍ରସାରଣର ଅଭାବ ଏବଂ ଉନ୍ନତ କୃଷିକାର୍ଯ୍ୟ ସକାଶେ ଉପଯୁକ୍ତ ଅନୁଷ୍ଠାନର ଅଭାବ ଯୋଗୁଁ ଏପରି ଘଟୁଛି । ଫସଲରୁ ହେଉଥିବା ଅମଳ ବାସ୍ତବରେ ଅନେକ କମ୍ । ଅଧିକ ଉତ୍ପାଦନ ହେଉଥିବା ଭାରତର ଆଗଧାଡ଼ିର ପ୍ରଦେଶ ଗୁଡ଼ିକ ତୁଳନାରେ ଏହି ଅଞ୍ଚଳରେ ଧାନ ଓ ଗହମ ଉତ୍ପାଦନ ୫୦%ରୁ ମଧ୍ୟ କମ । ବାସ୍ତବରେ ଯଦି ବିପୁଳ ପରିମାଣର ଜଳ ଆହରଣ କରାଯାଉଛି ଏବଂ ତାହା ଫଳରେ ଆଶା କରାଯାଉଥିବା ଫସଲ ଉତ୍ପାଦନ ଦୁଇଗୁଣ ହେଉନାହିଁ, ତେବେ ଦୁଃଖଦ ଘଟଣାଟି ହେଲା ଯେ ଜଳକୁ ପ୍ରକୃତରେ ନଷ୍ଟ କରିଦିଆଯାଉଛି ।
ଏକଥା ଖୁବ୍ ସମ୍ଭବ ଯେ ଉପର ମୁଣ୍ଡରେ ଜଳ ଅପସାରଣ ଯୋଗୁ ମୌସୁମୀ ମାସଗୁଡ଼ିକରେ ଭୂତଳ ଜଳର ପୁନଃ ଭରଣକୁ ଯଥେଷ୍ଟ କମାଇ ଦେବାରେ ସହାୟକ ହେଉଛି । ଫଳସ୍ୱରୂପ ଭୂତଳ ଜଳସ୍ତର କମିଯାଉଛି ଏବଂ ଅଣମୌସୁମୀ ମାସମାନଙ୍କର ବେସ୍ ଫ୍ଲୋ କମିଯାଉଛି, ବୋଲି କହିଛନ୍ତି ପ୍ରଫେସର ଲାଲ ।
ଆଇ.ଆଇ.ଟି. ଦିଲ୍ଲୀର ପ୍ରଫେସର ଏ.କେ.ଗୋସାଇଁ କହିଛନ୍ତି, ""ଗଙ୍ଗା ନଦୀ ଅବବାହିକାରେ ଦୀର୍ଘ କାଳୀନ ଭାବେ ଭୂତଳ ଜଳର ଆହରଣ ଅପ୍ରତିହତ ରହିବା ଫଳରେ ଅଣମୌସୁମୀ ମାସଗୁଡ଼ିକରେ ନଦୀର "ବେସ୍ ଫ୍ଲୋ' କୁ ଦୃତ କମାଇ ଦେଇଛି'' ।
ପ୍ରଚୁର ପରିମାଣର ଜଳ ପୁନଃଭରଣ ହେଉଥିଲେ ମଧ୍ୟ, ବୃଷ୍ଟିପାତ ଯୋଗୁଁ ସ୍ୱାଭାବିକ ରୂପେ ପୁନଃଭରଣ ହେଉଥିବା ଜଳର ପରିମାଣଠାରୁ ଅଧିକ ଜଳ ଆହରଣ କରାଯାଉଛି । ଆମେ ଭୂତଳ ଉତ୍ସରୁ ଜଳଉତ୍ତୋଳନ କରୁଛେ, ଯାହାର ଆଉ କେବେ ଭରଣ ମଧ୍ୟ ହୋଇନପାରେ ଏବଂ ଫଳସ୍ୱରୂପ ବିଗତ ବର୍ଷମାନଙ୍କରେ ଭୂତଳ ଜଳସ୍ତର କ୍ରମାଗତଭାବେ କମିବାରେ ଲାଗିଛି ବୋଲି ପ୍ରଫେସର ଗୋସାଇଁ ମତ ଦେଇଛନ୍ତି । ପ୍ରଫେସର ଗୋସାଇଁ ଦର୍ଶାଇଛନ୍ତି, ଭୂତଳ ଜଳ ଦୀର୍ଘ କାଳ ପାଇଁ ଆମର ଆବଶ୍ୟକତା ମେଣ୍ଟାଇପାରିବ ନାହଁ । ଏହାର ମୁଖ୍ୟ କାରଣ ହେଲା କୃଷି ଏବଂ କୃଷି କ୍ଷେତ୍ରରେ ଜଳ ବ୍ୟବହାରର ଦକ୍ଷତାର ଅଭାବ ।
ଆଜିର ଦିନରେ କୃଷି କ୍ଷେତ୍ରରେ ଜଳ ବ୍ୟବହାର ଦକ୍ଷତା ମାତ୍ର ୩୫% । ଉପଲବ୍ଧ ଜଳର ୮୦ ରୁ ୮୫% ଏହି କ୍ଷେତ୍ରରେ ହିଁ ବ୍ୟବହୃତ ହେଉଛି । ଗଙ୍ଗାରେ ବିପୁଳ ଜଳ ରହିଛି । ଯଦି ଜଳ ବ୍ୟବହାର ଦକ୍ଷତାକୁ ୩୦% ରୁ ୬୦%କୁ ବଢ଼ାଇ ଦିଆଯାଇପାରିବ ତେବେ ଉପଲବ୍ଧ ଜଳର ପରିମାଣ ଦ୍ୱିଗୁଣିତ ହୋଇଯିବ । ଘରୋଇ ବା ଶିଳ୍ପ ପାଇଁ ବ୍ୟବହୃତ ଜଳର ପରିମାଣ ନଗଣ୍ୟ । ଆମେ ଯଦି ବାସ୍ତବରେ ଏହି ବ୍ୟବସ୍ଥା ସକାଶେ କିଛି ଫଳପ୍ରଦ କାମ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଜଳ ବ୍ୟବହାର ଦକ୍ଷତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ନିୟନ୍ତ୍ରଣର ଅଭାବ ତଥା ବିନା ମୂଲ୍ୟରେ ଜଳ ଯୋଗାଣ ଯୋଗୁଁ ମଧ୍ୟ କେନାଲ ମାଧ୍ୟମରେ ଜଳ ଯୋଗାଣକୁ ଭରସା କରି ନହେବାର ପରିସ୍ଥିତି ସୃଷ୍ଟି କରିଛି । ଏପରି ପରିସ୍ଥିତି ଜଳସେଚନ ସକାଶେ ଭୂତଳ ଜଳର ନିଷ୍କାସନକୁ ପ୍ରୋତ୍ସାହିତ କରିଛି | ପମ୍ପ୍ ଯୋଗେ ଭୂତଳ ଜଳର ଆହରଣ ନିର୍ଭରଯୋଗ୍ୟ ଜଳ ଯୋଗାଣ ସମ୍ଭବ କରିଥାଏ । ଏହି ସବୁ ଅଞ୍ଚଳରେ କେତେକ ରାଜ୍ୟ ସରକାର ଭୂତଳ ଜଳ ଉତ୍ତୋଳନ ସକାଶେ ସୌରଶକ୍ତିର ବ୍ୟବହାରକୁ ଉତ୍ସାହିତ କରୁଥିବା ଯୋଗୁ ବ୍ୟବହାରକାରୀର ବିଚାରରେ ଭୂତଳ ଜଳର ଅସୀମିତ ଯୋଗାଣ ହୋଇପାରିବ ବୋଲି ଧାରଣା ସୃଷ୍ଟି ହୋଇଛି । ଏଥିରୁ ଏକଥା ସ୍ପଷ୍ଟ ଯେ ଏବେ ଭୁପୃଷ୍ଠ ଜଳସେଚନ ତୁଳନାରେ ଭୂତଳ ଜଳସେଚନର ବ୍ୟାପକତା ବର୍ତ୍ତମାନ ଯଥେଷ୍ଟ ଅଧିକ । ଏହା ହିଁ ଭବିଷ୍ୟତର ଭୟଙ୍କର ବିପଦକୁ ଗଙ୍ଗା ପାଇଁ ଡ଼ାକିଆଣୁଛି । ଉନ୍ନତତର କୃଷି ପ୍ରଣାଳୀ ଯୋଗୁଁ ଏହି ଅଞ୍ଚଳରେ ଫସଲ ଅମଳ ଦୁଇଗୁଣ ବା ତିନିଗୁଣ ହୋଇଯାଆନ୍ତା, ତେବେ ଜାତୀୟ ସ୍ତରରେ ଖାଦ୍ୟଶସ୍ୟ ଉତ୍ପାଦନ ଯଥେଷ୍ଟ ବଢ଼ିଯାଆନ୍ତା । ଏହାଫଳରେ ଶୁଷ୍କ ଉତ୍ତର ପଶ୍ଚିମ ଏବଂ ଦେଶର ଦକ୍ଷିଣାଞ୍ଚଳରେ ସରକାରଙ୍କ ଦ୍ୱାରା ଚଲାଯାଉଥିବା ସବଶିଡିଯୁକ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥା ସକାଶେ ଏହି ସବୁ ଅଞ୍ଚଳରୁ ହିଁ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ୬୦% ଖାଦ୍ୟ ଶସ୍ୟ ସଂଗୃହୀତ ହୋଇଥାଏ । ଏହାଦ୍ୱାରା ଏହି ଅଞ୍ଚଳ ତୁଳନାରେ ଖୁବ୍ ଭଲ ଉତ୍ପାଦନ ହେଉଥିବା ଏହି କ୍ଷେତ୍ରରେ ଦୀର୍ଘକାଳୀନ ଭୂତଳ ଜଳ ବିପତ୍ତିକୁ ମଧ୍ୟ ଏଡ଼ାଇ ଦିଆଯାଇପାରନ୍ତା ବୋଲି ଉପରୋକ୍ତ ବୈଜ୍ଞାନିକମାନେ ନିଜ ଗବେଷଣାତ୍ମକ ନିବନ୍ଧରେ ମତ ଦେଇଛନ୍ତି ।
ପ୍ରଦୂଷଣର ଅପସାରଣ ମଧ୍ୟ ପ୍ରଭାବିତ
ଗବେଷକମାନେ କହିଛନ୍ତି ଯେ ଗଙ୍ଗାର ଜଳପ୍ରବାହ କମିଯିବା ଫଳରେ ଏହା ଗଙ୍ଗା ନଦୀର ପ୍ରଦୂଷଣ ସ୍ତରକୁ ମଧ୍ୟ ପ୍ରବାହିତ କରିିଛି । ଏବେ ମଧ୍ୟ ଗଙ୍ଗା ବିଶ୍ୱର ସର୍ବାଧିକ ପ୍ରଦୂଷିିତ ଆର୍ନ୍ତଜାତିକ ନଦୀଗୁଡ଼ିକ ମଧ୍ୟରେ ଅନ୍ୟତମ । ନଦୀର ଜଳପ୍ରବାହ ଯେତେ କମିବ, ପ୍ରଦୂଷକର ଘନତ୍ୱ ସେତେ ବଢ଼ିବ ଏବଂ ପ୍ରଦୂଷକକୁ ସଫା କରିବା ଆହୁରି କଷ୍ଟସାଧ୍ୟ ହୋଇପଡ଼ିବ ।
ଦକ୍ଷିଣ ଏସୀୟ ରାଷ୍ଟ୍ରମାନେ ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଉଦ୍ୟମ କରୁଛନ୍ତି । ଏହାର ଲକ୍ଷ୍ୟଗୁଡ଼ିକ ମଧ୍ୟରେ ଜଳ ଓ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜଳାଭାବକୁ କମାଇବା ଅନ୍ତର୍ଭୁକ୍ତ । ମାତ୍ର ଖରାଦିନେ ନଦୀର ପ୍ରବାହ କମିଯିବା ଫଳରେ ତଥା ଭୂତଳ ଜଳର ପରିମାଣ କମିଯିବା ଫଳରେ ୨୦୩୦ସୁଦ୍ଧା ଲକ୍ଷ୍ୟଗୁଡ଼ିକୁ ହାସଲ କରିବା କ୍ଷେତ୍ରରେ ଆଞ୍ଚଳିକ ନୀତି ନିର୍ଦ୍ଧାରଣ ମାନଙ୍କର କାର୍ଯ୍ୟ ଆହୁରି କଷ୍ଟଦାୟକ ହୋଇଯାଉଛି ।
ଆଞ୍ଚଳିକ ସ୍ତରରେ ଜଳର ଆବଣ୍ଟନ ସକାଶେ ଭାରତ ଓ ବାଂଲାଦେଶ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି । ଗଙ୍ଗାନଦୀ ବଙ୍ଗୋପସାଗରରେ ପଡ଼ିବା ପୂର୍ବରୁ ଗଙ୍ଗା ଏହି ଦୁଇଦେଶ ମଧ୍ୟରେ ପ୍ରବାହିତ ହୁଏ । ଉଭୟ ଦେଶର ସ୍ଥାନୀୟଭାବେ ମାତ୍ରାଧିକ ଭୂତଳଜଳ ଆହରଣ ଫଳରେ ସମଗ୍ର ଗଙ୍ଗା ଅବବାହିକାରେ ନଦୀର ପ୍ରବାହ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ଦର୍ଶାଇଛନ୍ତି । ଉଭୟ ଦେଶର ନୀତି ନିର୍ଦ୍ଧାରକ ମାନେ ଭୂତଳ ଜଳର ଆହରଣ ଏବଂ ମୋଟାମୋଟି ଭାବେ ଜଳ ବ୍ୟବହାରକୁ ଯାଞ୍ଚ କରିବା ତଥା ଭୂତଳଜଳ ଆହରଣକୁ ନିୟନ୍ତ୍ରଣ ସକାଶେ ପରସ୍ପର ସହ ସହଯୋଗ କରିବା ପାଇଁ ସେମାନେ ମତ ଦେଇଛନ୍ତି ।
ପ୍ରଫେସର ୱାଡ଼ା କହିଛନ୍ତି, ""ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡ ଅଞ୍ଚଳ ଉନ୍ନତତର ଜଳ ଆବଣ୍ଟନ ନୀତିର ବୋଝକୁ ସମାନ ଭାବରେ ବହନ କରିବା ଆବଶ୍ୟକ । ଉଭୟ ରାଷ୍ଟ୍ର ପରସ୍ପର ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବା ପରିସ୍ଥିତିରେ ସୁଧାର ଆଣିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ପୃଷ୍ଠଭୂମିରେ ପରିସ୍ଥିତିରେ ପରିବର୍ତ୍ତନ ନହେଲେ, ଜଳାଭାବ ଆହୁରି ଉକ୍ରଟ ହେବ '' ।
ଭୂତଳ ଜଳ ଆହରଣର ସୀମା ନିର୍ଦ୍ଧାରଣ
ଗଙ୍ଗା ଏକ ଆନ୍ତର୍ଜାତିକ ନଦୀ ହୋଇଥିବାରୁ ଏଥିରେ ଜଳସ୍ତର ଓ ଏହାର ଜଳ ନିଷ୍କାସନ ଆଞ୍ଚଳିକ ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ । ସର୍ବସାଧାରଣରେ ଏ ସଂର୍ପକିତ ତଥ୍ୟ ମିଳିବା କ୍ୱଚିତ୍ ସମ୍ଭବ ହୋଇଥାଏ ।
ତଥ୍ୟର ଅଭାବ ସତ୍ୱେ ଏହି ଗବେଷଣା ପ୍ରଥମଥର ସକାଶେ ପରିମାଣ ଆଧାରରେ ଆଜିକାଲି ଗ୍ରୀଷ୍ମ ଋତୁରେ ଗଙ୍ଗାନଦୀ ଶୁଖିଯିବାକୁ ଗାଙ୍ଗେୟ ଅବବାହିକାର ଉତ୍ତର ଭାରତରେ ଥିବା ଭୂତଳ ଜଳଭଣ୍ଡାରଗୁଡିକ ରିକ୍ତ ହୋଇଥିବା ସହିତ ଯୋଡିଛି ଏବଂ ମାତ୍ରାତିରକ୍ତ ଭୂତଳ ଜଳ ଆହରଣ ଏହାର କାରଣ ବୋଲି ଦର୍ଶାଇଛନ୍ତି । ପୂର୍ବାନୁମାନ କରିବା ସକାଶେ ଗବେଷକଦଳ ଉପଗ୍ରହ ତଥ୍ୟର ବିଶ୍ଲେଷଣ କରିବା, ଗଙ୍ଗାନଦୀର ଜଳପ୍ରବାହକୁ ସିଧାସଳଖ ମାପିବା ତଥା ଭୂତଳ ଜଳସ୍ତରର ଆକଳନ କରିବା ସଙ୍ଗେ ସଙ୍ଗେ ମଡେଲର ସାହାର୍ଯ୍ୟ ନେଇଛନ୍ତି ଓ ଜଳର ରାସାୟନିକ ବିଶ୍ଲେଷଣ ମଧ୍ୟ କରିଛନ୍ତି ।
ସାଧାରଣଭାବେ ସରକାରୀ ଓ ଅଣସରକାରୀ ସଂସ୍ଥାଗୁଡିକଦ୍ୱାରା ଜଳ ଆକଳନ ବେଳେ "ବେସ୍ ଫ୍ଲୋ' କୁ ବିଚାରକୁ ନିଅନ୍ତି ନାହିଁ । ତେଣୁ ଏହା ମୋଟା ମୋଟି ଭାବେ ଏକ ଅଦୃଶ୍ୟକାରକ ହୋଇ ରହିଥାଏ । ଭୂତଳ ଜଳ ନଦୀକୁ କେତେ ଜଳ ଦେଉଛି, ସିଧାସଳଖ ଭାବେ ସେକଥା ମାପିବା କଷ୍ଟସାଧ୍ୟ । ଏକ ସ୍ୱଳ୍ପକାଳୀନ ଉପାୟ ହିସାବରେ ଭୂତଳ ଜଳ ଆହରଣ ସକାଶେ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ପ୍ରଫେସର ମୁଖାର୍ଜ୍ଜୀ ତାଙ୍କ ଗବେଷଣାରେ ମତ ଦେଇଛନ୍ତି ।
ଧାନ ପରି ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ସହିତ ଅଧିକ ଜଳ ଆବଶ୍ୟକ କରୁନଥିବା ଫସଲ ଅଦଳବଦଳ କରି ଚାଷ କରାଯିବା ଫଳରେ ଏକଥା ହାସଲ କରାଯାଇ ପାରିବି । ଦୀର୍ଘ କାଳୀନ ଭିତ୍ତିରେ ନଦୀର ବିଭିନ୍ନ ଖଣ୍ଡ ପାଇଁ ଭୂତଳ ଜଳ ଏବଂ ଗଙ୍ଗା ମଧ୍ୟ ଜଳର ଆଦାନ ପ୍ରଦାନ ସଂପର୍କରେ ଗଭୀର ଗବେଷଣା କରାଯିବା ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ସୁଶାସନ ଦ୍ୱାରା ଜଳ ଉପଲବ୍ଧତା ବଢାଇବା ଦରକାର । ନ୍ୟାୟୋଚିତ ଭୂତଳ ଜଳର ବ୍ୟବହାର ସକାଶେ ନୀତିନିୟମ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯଦ୍ଧ୍ୱାରା ଚାହିଦା ଓ ଉପଲବ୍ଧତା ମଧ୍ୟରେ ସନ୍ତୁଳନ ବଜାୟ ରଖାଯାଇ ପାରିବ । ଏହି ଆହ୍ୱାନ ଦେଇଛନ୍ତି ପ୍ରଫେସର ଗୋସାଇଁ ।
ଏହାର ଅର୍ଥ ହେଲା, ଏକଥା ନିର୍ଦ୍ଧିଷ୍ଟ କରିବାକୁ ପଡିବ ଯେ କେଉଁ ପ୍ରକାରର ଫସଲ ଜଣେ ଚାଷ କରିପାରିବ, ଜଣେ କେତେ ଜଳ ଆହରଣ କରିପାରିବ ଏବଂ ଏହା ସହିତ ବିଭିନ୍ନ ପ୍ରସଙ୍ଗ ସହ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ଜଣେ ଯଦି ଏହି ସବୁ ପ୍ରକ୍ରିୟାଗୁଡିକର ଉପଯୁକ୍ତ ରୂପାୟନ କରେ ତେବେ ଜୀବିକା ପ୍ରଭାବିତ ହେବନାହିଁ ମାତ୍ର ଜଳ ଅପଚୟକୁ କମାଯାଇ ପାରିବ ।
ଉଦାହରଣ ସ୍ୱରୂପ,ଜଣେ ଚାଷୀର ଏପରି ଏକ ଫସଲ ଚାଷ କରୁଥିବ ଯାହା ଅଧିକ ଜଳ ଆବଶ୍ୟକ କରେ । ଯଥେଷ୍ଟ ପରିମାଣର ଜଳ ବିନା କୃଷକ ଜଣକ ସେହି ଫସଲ ଚାଷ କରିବାକୁ ଚାଲୁ ରଖିପାରିବେ ନାହିଁ ଏବଂ ଫଳସ୍ୱରୂପ ଚାହିଦା ଓ ଯୋଗାଣର ତାରତମ୍ୟର ଭରଣା କରିବା ସକାଶେ ସେ ଭୂତଳ ଜଳରୁ ତାହା ଆହରଣ କରିବେ । ଚାଷୀ ପାଇଁ ଯେତେବେଳେ ଜଳ ଉପଲବ୍ଧ ହେଉନାହିଁ, ସେତେବେଳେ ସେ ନଳକୂଅ ଖୋଳୁଛି ଏବଂ ଭୂତଳ ଜଳ ଆହରଣ କରୁଛି । ଫଳସ୍ୱରୂପ ଭୂତଳ ଜଳସ୍ତର କମୁଛି ଏବଂ ଜଳ ଉତ୍ତୋଳନ କରିବା କ୍ରମାଗତ ଭାବେ ଅଧିକ ଖର୍ଚ୍ଚ ବହୁଳ ହୋଇଯାଉଛି । ଚାଷୀ ବ୍ୟାଙ୍କରୁ ଋଣ ନେବାର କାରଣ ମଧ୍ୟରେ ଏହା ଅନ୍ୟତମ । ସେ ଯେତେବେଳେ ଜମିରେ ବିହନ ବୁଣନ୍ତି, ସେତେବେଳକୁ ଭୂତଳ ଜଳସ୍ତର ତଳକୁ ଖସିଗଲାଣି । ସାମୁହିକ ଭାବେ ସଭିଏଁ ଜଳ ଆହରଣ କରିବା ଫଳରେ ଏପରି ହେଉଛି । ତେଣୁ ଗରିବ କୃଷକଟି ସେହି ଜଳକୁ ବ୍ୟବହାର କରିବାରେ ସମର୍ଥ ହେଉନାହିଁ ଏବଂ ଏହା କୃଷକ-କୃଷକ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି କରୁଛି ।
ସେହି ଅଞ୍ଚଳରେ କୃଷି ପାଇଁ ଖରାଦିନେ ଜଳସେଚନ ଜଳର ଚାହିଦା ହଠାତ୍ ବଢିଯିବା ଫଳରେ ସଂଖ୍ୟାଭିତ୍ତିକ ମଡେଲ ଏକ ଉପଯୋଗୀ ସାଧନ ହୋଇପାରେ । ଏହା କେବଳ ଯେ ମାଟି ତଳେ ଥିବା ଭୂତଳ ଜଳତନ୍ତ୍ରକୁ ବୁଝିବା ସକାଶେ ଖୋରାକ୍ ଯୋଗାଇବ ତା ନୁହେଁ ବରଂ ଗଙ୍ଗା ଅବବାହିକାରେ କିପରି ପ୍ରଭାବ ପଡିବ ସେକଥା ବୁଝିବାରେ ମଧ୍ୟ ସହାୟକ ହେବ । ଏହା ପରିଚାଳନା ଏବଂ ନୀତି ସ୍ତରୀୟ ହସ୍ତକ୍ଷେପ ସକାଶେ ଆବଶ୍ୟକୀୟ ତଥ୍ୟରୂପେ ବିନିଯୋଗ କରାଯାଇ ପାରିବ ।
ଗଙ୍ଗାର ଜଳ ବ୍ୟବହାର ସକାଶେ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରିବାକୁ ପଡିବ, ଏହାକୁ ରୂପାୟିତ କରିବାକୁ ପଡିବ ଏବଂ ମାର୍ଗ ଦର୍ଶିକାମାନ ପ୍ରସ୍ତୁତ କରିବାକୁ ପଡିବ । ଗଙ୍ଗା ଅବବାହିକାରେ ଥିବା ୧୧ଟି ରାଜ୍ୟ ମିଳିତ ଭାବେ ଏ ସଂପର୍କରେ ଗଭୀର ଆଲୋଚନା କରିବା ଆବଶ୍ୟକ । ପ୍ରତ୍ୟେକ ରାଜ୍ୟକୁ ଅଲଗା ଅଲଗା ବିଚାର କଲେ ମଧ୍ୟ ଏହି ରାଜ୍ୟଗୁଡିକ ଏପରି କିଛି କରିପାରିବେ ନାହିଁ ଯାହା ସେହି ରାଜ୍ୟର ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି । ଆମ ପାଇଁ ଗଙ୍ଗା ନଦୀ ଅବବାହିକା ପ୍ରାଧିକରଣ ରହିଛି ମାତ୍ର ଆମେ ତାକୁ ସକ୍ରିୟ କରିପାରିବା ନାହିଁ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି ଏବଂ ସମାଜ ଓ ସରକାର ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ସମସ୍ୟାକୁ ଠିକ୍ ଭାବରେ ବୁଝିବା ଏକାନ୍ତ ଜରୁରୀ । ଏହା ନହେଲେ ପ୍ରଫେସର ଗୋସାଇଁଙ୍କ ଗଣନା ସତ ହୋଇ ନିକଟ ଭବିଷ୍ୟତରେ ଗଙ୍ଗା ଗୋଚର ହେବ । ସମୟ ଆସିଛି ଗଙ୍ଗାର ଗୁହାରୀକୁ ସରକାରଙ୍କୁ ଶୁଣିବାକୁ ପଡ଼ିବ ନହେଲେ ସରସ୍ୱତୀ ଭଳି ଗଙ୍ଗା ମଧ୍ୟ ଗବେଷଣା ତଥ୍ୟ ହୋଇ ରହିଯିବ ।
ଜଞ୍ଜିରରେ ଜାହ୍ନବୀ , ଜବାବ ଦିଅ ଜାଗୀରଦାର !!!!!
ସ୍ୱରୂପ ସାନନ୍ଦ ସନ୍ୟାସୀଙ୍କ ସ୍ୱର୍ଗପ୍ରାପ୍ତିର ମୂଲ୍ୟ ଦେବେ ମୋଦୀ । ୨୦୧୮ ନଭେମ୍ବର ଦୀର୍ଘ ଚାରିବର୍ଷରୁ ଉର୍ଧ୍ଵ ହେଲାଣି ମୋଦୀଙ୍କ ମିଛ ପାଇଁ ଜହର ପିଇ ଜଉଘର ଜଞ୍ଜିରରେ ଜଳି ଜଳି ଜାଗର ପାଳୁଛି ଜାହ୍ନବୀ(ଗଙ୍ଗା) । ମୋଦୀ ଜାହ୍ନବୀର ଜାଗିର୍ ଖାଇ ଏବଂ ନିଜକୁ ଜହ୍ନବୀର ଜାଗିରଦାର୍ ବୋଲି ପରିଚୟ ଦେଇ ଯାହ୍ନବୀକୁ ଯାତନା ଦେଇଚାଲିଛନ୍ତି । ଆଜି ମୋଦୀଙ୍କ ଜାଲ୍ର ଜବରଦସ୍ତ ଜବାବ୍ ମାଗୁଛି ଜାହ୍ନବୀ । ଆଗାମୀ ଦିନରେ ସ୍ୱରୂପ ସାନନ୍ଦଙ୍କ ସତ୍ୟାଗ୍ରହ ଏବଂ ସ୍ୱର୍ଗପ୍ରାପ୍ତି ପାଇଁ ମୋଦୀ ଜାହ୍ନବୀକୁ ଜରିମାନା ନିଶ୍ଚିତ ଦେବେ ।
ଗଙ୍ଗାର ସ୍ୱଚ୍ଛତା ଓ ମୁକ୍ତ ପ୍ରବାହ ପାଇଁ ଆମରଣ ଅନଶନ ଓ ସତ୍ୟାଗ୍ରହ ଚଳାଇଥିବା ସନ୍ୟାସୀ ସ୍ୱରପ ସାନନ୍ଦଙ୍କର ୮୬ ବର୍ଷ ବୟସରେ ସ୍ୱର୍ଗପ୍ରାପ୍ତି ହେଲା । ୨୦୧୮ ଜୁନ୍ ୨୨ତାରିଖରୁ ଦେଶର ବିଶିଷ୍ଟ ପରିବେଶବିତ୍ ତଥା ଗଙ୍ଗା ମୁକ୍ତି ଆନ୍ଦୋଳନର ଭୀଷ୍ମ ପିତାମହ ସ୍ୱରପ ସାନନ୍ଦ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରି ଏହାକୁ ପ୍ରବାହକୁ ମୁକ୍ତ ରଖିବା ତଥା ମୋଦୀ ତାଙ୍କ ଗଙ୍ଗା ମାତାଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଆମରଣ ଅନଶନ ଆରମ୍ଭ କରିଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ପ୍ରତିଶ୍ରୁତି ପୂରଣ ନହେବା ପର୍ଯ୍ୟନ୍ତ ସେ ଆମରଣ ଅନଶନ ପ୍ରତ୍ୟାହାର କରିବେନାହିଁ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସେ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ ବୋଲି ବିଜେପି ସରକାରଙ୍କୁ ସ୍ପଷ୍ଟ ଭାବେ ଜଣାଇଥିଲେ । ଯଥାଶୀଘ୍ର ଗଙ୍ଗା ସମେତ ଏହାର ଶାଖା ନଦୀରେ କରାଯାଉଥିବା ଏକାଧିକ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ସରକାରୀ ସ୍ତରରେ ବନ୍ଦ କରାଯିବାର ଘୋଷଣା କରାଯାଇ ଗଙ୍ଗାର ପ୍ରବାହ ଓ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ମୁକ୍ତ କରାଯିବାକୁ ମୋଦୀ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଖୋଦ୍ କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା କାୟାକଳ୍ପ ପୁନରୁଦ୍ଧାର ମନ୍ତ୍ରୀ ଉମା ଭାରତୀ ମଧ୍ୟ ସ୍ୱାମୀ ସ୍ୱରପ ସାନନ୍ଦଙ୍କୁ ଭେଟି ସତ୍ୟାଗ୍ରହରୁ ନିବୃତ୍ତ ହେବାକୁ ଅନୁରୋଧ କରିଥିଲେ । ମାତ୍ର ସ୍ୱରପ ସାନନ୍ଦ ମିଥ୍ୟ ପ୍ରତିଶ୍ରୁତି ପରିବର୍ତ୍ତେ ଯଥାଶୀଘ୍ର ଜଳବିଦ୍ୟୁତ ପ୍ରକଳ୍ପ ବନ୍ଦ କରିବାର ଘୋଷଣା କରିବାକୁ ଉମା ଭାରତୀଙ୍କୁ ଅନୁରୋଧ କରିଥିଲେ ।
୨୦୧୮ ଫେବୃୟାରୀ ୨୪ ଏବଂ ଜୁନ୍ ୧୩ ଦୁଇ ଦୁଇଟି ଚିଠି ସ୍ୱରୂପ ସାନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିଲେ । ଏଇ ଦୁଇଟି ଚିଠିରେ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ନିଜର ଆଦରର ସାନଭାଇ ବୋଲି ସମ୍ବୋଧନ କରିଥିଲେ । ତୃତୀୟ ଚିଠି ସ୍ୱରୂପ ସାନନ୍ଦ ଅଗଷ୍ଟ ୫ରେ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିଲେ ସେତେବେଳକୁ ସନ୍ୟାସୀ ସ୍ୱରୂପ ସାନନ୍ଦଙ୍କର ସତ୍ୟାଗ୍ରହ ଏବଂ ଆମରଣ ଅନଶନ ଆରମ୍ଭ ହୋଇଯାଇଥିଲା । ଉମା ଭାରତୀଙ୍କୁ ଏଇ ଚିଠିର ଏକ ନକଲ ଦିଆଯାଇଥିଲା । ଅଗଷ୍ଟ ୫ରେ ସନ୍ୟାସୀ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ଲେଖିଥିବା ତୃତୀୟ ଚିଠିରେ ଶ୍ରୀ ନରେନ୍ଦ୍ର ଭାଇ ମୋଦୀଜୀ, ସମ୍ମାନନୀୟ ଭାରତର ପ୍ରଧାନମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ । ତା'ପରେ ସବୁକିଛି ଇତିହାସ ପାଲଟିଗଲା । ଆଜି ସନ୍ୟାସୀଙ୍କ ସ୍ୱର୍ଗପ୍ରାପ୍ତି ର ସେହି ଇତିହାସ ମୋଦୀଙ୍କ ମହାମିଛର ମୂକସାକ୍ଷୀ ପାଲଟିଯାଇଛି ।
ଅତ୍ୟନ୍ତ ଦୁଃଖ ଓ ଗଭୀର ପରିତାପରେ ସନ୍ୟାସୀ ସ୍ୱରୂପ ସାନନ୍ଦ ଶେଷ ଚିଠିଟି ମୋଦୀଙ୍କୁ ଲେଖିଥିଲେ । ପୂର୍ବର ଦୁଇ ଚିଠି ଭଳି ତୃତୀୟ ଚିଠିର କୌଣସି ଉତ୍ତର ମଧ୍ୟ ସନ୍ୟାସୀ ସ୍ୱରୂପ ସାନନ୍ଦଙ୍କ ସ୍ୱର୍ଗପ୍ରାପ୍ତି ପର୍ଯ୍ୟନ୍ତ ମିଳିନଥିଲା । ମୋଦୀ କ୍ଷମତାକୁ ଆସିବା ପରେ ଏବଂ ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବାପରେ ସମସ୍ତେ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ଦୃଢ଼ ଆଶାବାଦୀ ହୋଇ ଆତ୍ମବିଶ୍ୱାସ କରିଥିଲେ ମୋଦୀ ନିଶ୍ଚିତ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରି ଏହାର ସ୍ୱଚ୍ଛ ଓ ମୁକ୍ତ ପ୍ରବାହକୁ ପୁର୍ନଜୀବନ ଦେବେ । କାରଣ ୨୦୧୪ ନିର୍ବାଚନ ପ୍ରତିଶ୍ରୁତିରେ ମୋଦୀ ନିଜର ନିର୍ବାଚନୀ ଭାଷଣରେ କହିଥିଲେ "ମୁଁ, ମୋଦୀ ମୋ ଗଙ୍ଗା ମାଆର ଡ଼ାକରାରେ ଏଠାକୁ ଆସିଛି । ଗଙ୍ଗାକୁ ମୁକ୍ତ କରିବାକୁ ମୁଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ସନ୍ୟାସୀ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ଲେଖିଥିବା ତୃତୀୟ ଚିଠିରେ ଏସବୁ ମିଛ ଥିଲାବୋଲି ସ୍ପଷ୍ଟ ବୁଝା ପଡ଼ୁଛି । ସନ୍ୟାସୀ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ଲେଖିଥିବା ତୃତୀୟ ଚିଠିର ଅବିକଳ ନକଲ ଏଠାରେ ପାଠକଙ୍କ ପାଇଁ ଆମେ ଉପସ୍ଥାପିତ କରୁଛୁ ।
ସ୍ୱରପ ସାନନ୍ଦ ପ୍ରଥମେ ୨୦୦୮ରେ ଗଙ୍ଗା ପାଇଁ ସତ୍ୟାଗ୍ରହ କରିଥିଲେ ଏବଂ ତକ୍ରାଳୀନ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିରେ ଅନଶନ ପ୍ରତ୍ୟାହାର କରିଥିଲେ । ପୁନଶ୍ଚ ୨୦୦୯ରେ ଦିଲ୍ଲୀ ଏବଂ ୨୦୧୦ରେ ହରିଦ୍ୱାର ଠାରେ ମଧ୍ୟ ଅନଶନ ଆରମ୍ଭ କରିଥିଲେ । ତକ୍ରାଳୀନ କଂଗ୍ରେସ ସରକାର ତାଙ୍କର ଦାବୀ ମାନିନେଇ ପାଳନ କରିବାରୁ ସେ ଅନଶନ ପ୍ରତ୍ୟାହାର କରିଥିଲେ । ୨୦୧୧ ଜୁଲାରେ ସ୍ୱରପ ସାନନ୍ଦ ସ୍ୱାମୀ ଅଭିମୁକ୍ତେଶ୍ୱାରାନନ୍ଦଙ୍କ ଠାରୁ ସନ୍ୟାସ ବ୍ରତ ଗ୍ରହଣ କରିଥିଲେ । ପ୍ରାୟ ଚାରିମାସ ଧରି କେବଳ ପାଣି ଓ ମହୁ ପିଇ ସ୍ୱରପ ସାନନ୍ଦ ଗଙ୍ଗାର ମୁକ୍ତି ସତ୍ୟାଗ୍ରହ ଚଳାଇ ଶେଷରେ ସ୍ୱର୍ଗପ୍ରାପ୍ତି କରିଛନ୍ତି ।
ମୋଦୀ ସରକାରଙ୍କର ଚଞ୍ଚକତା ଓ ଅଜ୍ଞତାକୁ ଲୋକଲୋଚନକୁ ଆଣିଛନ୍ତି ଦେଶର ସୁପ୍ରସିଦ୍ଧ ପରିବେଶବିତ୍ ସ୍ୱରୂପ ସାନନ୍ଦ । ସତ୍ୟାଗ୍ରହୀ ସ୍ୱରୂପ ସାନନ୍ଦ ତଥା ସନ୍ୟାସୀଙ୍କ ଆଗରେ ମୋଦୀ ସରକାର ହତବମ୍ବ ହୋଇ ଠିଆ ହୋଇଛନ୍ତି । ସ୍ୱରୂପ ସାନନ୍ଦ କୁହନ୍ତି ଯେ ବିଜେପି ସରକାରଙ୍କର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦେଶର ସର୍ବାଧିକ ରାଜନୈତିକ ନେତାମାନଙ୍କର ଗଙ୍ଗାର ବିଜ୍ଞାନ, ପରିବେଶ ଓ ପବିତ୍ରତା ସମ୍ପର୍କରେ କୌଣସି ଧାରଣା ନାହିଁ । ଗଙ୍ଗା ନଦୀରେ ନର୍ମାଣ କରାଯାଇଥିବା ଜଳବିଦୁ୍ୟତ୍ ପ୍ରକଳ୍ପଗୁଡ଼ିକୁ ବିରୋଧ କରି ସ୍ୱରୂପ ସାନନ୍ଦ ସତ୍ୟାଗ୍ରହ କରୁଥିଲେ । ସ୍ୱରୂପ ସାନନ୍ଦ ଗଙ୍ଗାର ପ୍ରବାହ, ପରିବେଶ ଓ ବିଜ୍ଞାନ ତଥ୍ୟକୁ ତର୍ଜ୍ଜମା କରି କହିଛନ୍ତି ମୋଦୀ ସରକାରଙ୍କ ପ୍ରକଳ୍ପ ଗୁଡ଼ିକ ଗଙ୍ଗାର ଜୀବନକୁ ଶ୍ୱାସରୁଦ୍ଧ କରିଦେଉଛନ୍ତି ।
ଆଇ.ଆଇ.ଟି କାନପୁର ସିଭିଲ ତଥା ପାରିବେଶିକ ଇଂଜିନିୟରିଂ ବିଭାଗର ପ୍ରାକ୍ତନ ଅଧ୍ୟାପକ ଜି.ଡ଼ି ଅଗ୍ରୱାଲଙ୍କର(ସ୍ୱରୂପ ସାନନ୍ଦ ଭାବେ ସୁପରିଚିତ) ଦୀର୍ଘ ଚାରିମାସରୁ ଉର୍ଧ୍ଵ ସମୟ ଧରି ଦେଶରେ ଚହଳ ପକାଇ ଚଳାଇଥିବା ସତ୍ୟାଗ୍ରହର ବାର୍ତ୍ତା ଥିବା ଓଲଡ଼ ଟେଷ୍ଟାମେଣ୍ଟରେ ମହାତ୍ମାଙ୍କ ପରି, କିନ୍ତୁ ତାଙ୍କର ରଣକୌଶଳ ଜଣେ ସତ୍ୟାଗ୍ରହୀର । ସ୍ୱରୂପ ସାନନ୍ଦ ହେଉଛନ୍ତି ଭାରତର ମହାନ ପରିବେଶବିତ୍ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ସେ ଏକ ଭିନ୍ନ ବୈଜ୍ଞାନିକ । ସେ ନିଜେ ଜଣେ ଦୃଷ୍ଟାନ୍ତ ଓ ତାଙ୍କର ନିଜସ୍ୱ ବିଚାରଧାରା ରହିଛି । ସେ ଏପରି ଜଣେ ବୈଜ୍ଞାନିକ ଯାହାଙ୍କ ପାଖରେ ଗଙ୍ଗାକୁ ନେଇ ଅନେକ ପ୍ରକାରର ଭାବନା, ଗବେଷଣା ତଥା ପ୍ରସ୍ତାବ ରହିଛି ଏବଂ ତାଙ୍କର ଜୀବନଧାରା ତାଙ୍କର ବିଚାରଧାରା ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି ।
ସ୍ୱରୂପ ସାନନ୍ଦ ଡ଼ାକ୍ତରଖାନାରେ ସରକାରୀ ଜଗୁଆଳୀର ପହରାରେ ରହି ପରପାରିକୁ ଚାଲିଗଲେ । କାରଣ ତାଙ୍କର ପ୍ରିୟ ନଦୀ ଗଙ୍ଗା ପ୍ରତି ଯେପରି ଆଚରଣ ପ୍ରଦର୍ଶନ କରାଯାଉଛି ତାହାର ବିରୋଧ କରି ସେ ଚାରିମାସକାଳ ପାଇଁ ଆମରଣ ଅନଶନରେ ବସିଥିଲେ । ମୋଦୀ ସରକାର ଗଙ୍ଗା ସମ୍ପର୍କରେ ଯେପରି ଧାରଣା ସୃଷ୍ଟି କରାଉଛନ୍ତି ଏବଂ ଯେପରି ଭାବରେ ଏହାର ପରିଚାଳନା କରାଯାଉଛି ସେକଥାର ଘୋର ବିରୋଧ କରୁଥିଲେ ସ୍ୱରୂପ ସାନନ୍ଦ ।
ଗଙ୍ଗା ହେଉଛି ଅନନ୍ୟ, ସ୍ୱତନ୍ତ୍ର ଏବଂ ଏକ ନିଆରା ନଦୀ । ନଦୀକୁ କେବଳ ତାର ଭୌତିକ ସ୍ଥିତିଠାରୁ ଅଧିକ କିିଛି ବୋଲି ବିଚାର କରାଯିବା ଉଚିତ । ଗଙ୍ଗା ପବିତ୍ରତାର ଏକ ପ୍ରତୀକ ଏବଂ ଏହା ସ୍ୱତନ୍ତ୍ର ଗୁଣର ଅଧିକାରିଣୀ । ଗଙ୍ଗାନଦୀର ଜଳରେ ଏପରି ଅଣୁଜୀବମାନେ ଅଛନ୍ତି ଯେଉଁମାନେ ପ୍ରଦୂଷଣକୁ ବି ନଷ୍ଟ କରିଥାଆନ୍ତି । ସାଧାରଣ ଜଳ ପରି ଗଙ୍ଗାଜଳ ଯେତେଦିନ ରହିଲେ ମଧ୍ୟ ତା'ର ମାନ ଖରାପ ହୁଏ ନାହିଁ ।
ଏସବୁ ସତ୍ତେ୍ୱ ପ୍ରତିଟି ସରକାର ଗଙ୍ଗା ନଦୀ ପ୍ରତି ଖାମଖିଆଲି ଆଚରଣ ପ୍ରଦର୍ଶନ କରୁଛନ୍ତି । ଏକଥା ସତ୍ୟ ଯେ ସରକାର ଜାତୀୟ ଗଙ୍ଗା ନଦୀ ଅବବାହିକା ପ୍ରାଧିକରଣ ଗଠନ କରିଛନ୍ତି । ମାତ୍ର ସ୍ୱରୂପ ସାନନ୍ଦଙ୍କ ମତରେ ଏହି ଜାତୀୟ ଚରିତ୍ରଟି (ଗଙ୍ଗା ନଦୀ ଅବବାହିକା ପ୍ରାଧିକରଣ) କେବଳ ମାତ୍ର ଅମଲାତାନ୍ତ୍ରିକ ଢ଼ାଞ୍ଚାପାଇଁ ପ୍ରଯୁଜ୍ୟ, ନଦୀ ପାଇଁ ନୁହେଁ । ସେ କୁହନ୍ତି ଯେ ଗଙ୍ଗାକୁ ସଭ୍ୟତା ଆଧାରରେ ବିଚାର କରାଯିବା ଆବଶ୍ୟକ, ଯେଉଁସ୍ଥାନରେ ପୁରାଣ ଓ ବୈଜ୍ଞାନିକ ପ୍ରାମାଣିକତାର ସହାବସ୍ଥାନ ଘଟେ । ସ୍ୱରୂପ ସାନନ୍ଦ ଦାବୀ କରନ୍ତି ଯେ ତାଙ୍କର ଦୁଃଖର ମୂଳ ହେଉଛି ଗଙ୍ଗା ନଦୀର ସରକାରୀକରଣ । ଏହାର ପବିତ୍ରତା ସତ୍ତ୍ୱେ ଗଙ୍ଗା ନଦୀକୁ ପି.ଡ଼ବ୍ଲୁ୍ୟ.ଡ଼ି. ବିଭାଗର ଭିତ୍ତିଭୂମି ପରି ବିଚାର କରାଯାଉଛି । ନଦୀର ପୌରାଣିକତା, ପବିତ୍ରତା କିମ୍ବା ନଦୀର ପାରିବେଶିକ ପରିସଂସ୍ଥାନ ସମ୍ପର୍କରେ କୌଣସି ଅବଧାରଣା ଏଥିରେ ନାହିଁ । ସରକାର ଗଙ୍ଗାର ପ୍ରଦୂଷଣକୁ ସର୍ବନିମ୍ନ ସ୍ତରକୁ ଆଣିବା ଏବଂ ଏହାର ଧାରାକୁ ବାଧିତ ନକରିବା ସହିତ ଗଙ୍ଗା ପ୍ରବାହକୁ ମୁକ୍ତ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁନାହାନ୍ତି । ମାତ୍ର ସରକାର ଓ ଅମଲାତନ୍ତ୍ର ଗଙ୍ଗା ଉପରେ ୬୦୦ବନ୍ଧର ବୋଝ ଲଦିଦେଇଛନ୍ତି । ପ୍ରଦୂଷଣ ଓ ଜବରଦଖଲ ଜଞ୍ଜିରରେ ଗଙ୍ଗା ଏବେ ଶ୍ୱାସରୁଦ୍ଧ । ସ୍ୱରୂପ ସାନନ୍ଦ ଦାବୀ କରିଛନ୍ତି ଯେ ମୋଦୀ ସରକାର ଗଙ୍ଗା ସମ୍ପର୍କରେ ଅଜ୍ଞ ଏବଂ ଏହାର ସ୍ଥିତିକୁ ନେଇ ଚିନ୍ତିତ ନୁହଁନ୍ତି । ସେ ଉଭୟ ପୁରାଣ ଏବଂ ବିଜ୍ଞାନ ଆଧାରରେ ତାଙ୍କର ଯୁକ୍ତି ଉପସ୍ଥାପନ କରୁଥିଲେ । ସେ କହୁଥିଲେ ଯେ ଗଙ୍ଗା ତାଙ୍କର ଜେଜେମା' ହୋଇଥିବାରୁ ସେ ଆମରଣ ଅନଶନ କରୁଛନ୍ତି । ମାତ୍ର ଏହା ସଙ୍ଗେ ସଙ୍ଗେ ବିଜ୍ଞାନ ଆଧାରରେ ମଧ୍ୟ ସ୍ୱରୂପ ସାନନ୍ଦ ତାଙ୍କର ଯୁକ୍ତି ଦର୍ଶାଉଥିଲେ । ଏବେ ମୋଦୀଙ୍କ ବି.ଜେ.ପି. ସରକାର ଏଥିପାଇଁ କିଂକର୍ତ୍ତବ୍ୟମୂଢ଼ ଯେ ସମ୍ରାଟଙ୍କୁ ଉଲଗ୍ନ ବୋଲି କହୁଥିବା ଏହି ସନ୍ୟାସୀଙ୍କୁ ନେଇ କ'ଣ କରାଯିବ ସେକଥା ସ୍ଥିର କରିପାରିଲେନାହିଁ । ସ୍ୱରୂପ ସାନନ୍ଦ ଥିଲେ ପରସ୍ପର ବିରୋଧୀ ଭାବଧାରାର ସମାହାର । ସେ ଜଣେ ସନ୍ୟାସୀ ହେଲେ ମଧ୍ୟ ବୈଜ୍ଞାନିକ ଏବଂ ବିଜ୍ଞାନର ଭାଷା କହୁଥିଲେ । ସେ ଜଣେ ପରିବେଶବିତ୍ ଯିଏକି ନଦୀର ପୁରାଣ, ପରିବେଶ, ପରିସଂସ୍ଥାନ ଓ ପ୍ରବାହକୁ ଭଲଭାବରେ ଜାଣିଥିଲେ । ସ୍ୱରୂପ ସାନନ୍ଦ ଜଣେ ଗାନ୍ଧିବାଦୀ ଯିଏକି ସରକାରୀ ହିଂସାକୁ ସହିବାର ସମସ୍ତ ଶକ୍ତି ରଖିଥିଲେ ଏବଂ ସରକାରଙ୍କ ଦ୍ୱାରା ତଥାକଥିତ ପରିବେଶ ସମ୍ପର୍କିତ ଦାବୀକୁ ଗ୍ରହଣ କରୁନଥିଲେ । ସରକାରଙ୍କର ଛଳନାର ପୃଷ୍ଠଭୂମିରେ ତାଙ୍କ କଥାର ସତ୍ୟତାର ଅନେକ ଶକ୍ତି ରହିଛି । ନିରବଛିନ୍ନ ଭାବେ ସ୍ୱରୂପ ସାନନ୍ଦ କହିଆସୁଥିଲେ ଯେ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି ଗଙ୍ଗା ର ମୁକ୍ତ ପ୍ରବାହ । ସ୍ୱରୂପ ସାନନ୍ଦଙ୍କ ଯୁକ୍ତି ଆଗରେ ଅସହାୟ ହୋଇପଡ଼ିଥିବା ସରକାର ଶେଷରେ ହିଂସାର ଆଶ୍ରୟ ନେଇଥିଲେ । ହରିଦ୍ୱାର ଆଶ୍ରମରେ ସେ ଅନଶନ କରିବାର ତୃତୀୟ ସପ୍ତାହରେ ଦଳେ ପୋଲିସ କର୍ମଚାରୀ ତାଙ୍କୁ ସେଠାରୁ ଅତି ଅମାନବୀୟ ଭାବରେ ଘୋଷାରି ଘୋଷାରି ବାହାର କଲେ ଏବଂ ଗୋଟିଏ ଆମ୍ବୁଲାନ୍ସରେ ଠୁସିଲେ ତଥା ତାଙ୍କୁ ଗୋଟିଏ ଡ଼ାକ୍ତରଖାନାରେ ବଳପୂର୍ବକ ରଖିଲେ । ଜାହ୍ନବୀର ଜଗୁଆଳୀ ସ୍ୱରୂପ ସାନନ୍ଦଙ୍କୁ ପହରା ଦେଇ ଚିକିତ୍ସାଳୟର ଚାରି କାନ୍ଥ ମଧ୍ୟରେ ବୁଝି ବିଚାରି ବନ୍ଦୀ ଭାବେ ରଖାଗଲା ବୋଲି ଅଭିଯୋଗ ଉଠିଲା ।
ଏସବୁ ସତ୍ତେ୍ୱ ସ୍ୱାମୀ ସ୍ୱରୂପ ସାନନ୍ଦଙ୍କ ନୈତିକତାର ସ୍ୱରକୁ ଦମନ କରିବା ସହଜ ହୋଇପାରିନଥିଲା । ତାଙ୍କର ଛାତ୍ରଛାତ୍ରୀ ଓ ସମର୍ଥକମାନେ ତାଙ୍କ ସହିତ ଠିଆ ହୋଇଥିଲେ । ଭାରତର ଜଳପୁରୁଷ ରାଜେନ୍ଦ୍ର ସିଂହ ସବୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସ୍ୱରୂପ ସାନନ୍ଦଙ୍କ ପ୍ରତି ସମ୍ମାନ ଓ ସମର୍ଥନ ଜଣାଇ ଦିନିକିଆ ପ୍ରତୀକ ଧର୍ମଘଟ କରିବା ସକାଶେ ଆହ୍ୱାନ ଦେଇଛନ୍ତି ଏବଂ ଏଥିରେ ସଫଳ ହୋଇଛନ୍ତି ।
ଗଙ୍ଗା ପାଇଁ ତାଙ୍କର ସଂଗ୍ରାମ ବିଜ୍ଞାନକୁ ଆୟୁଧ କରିଥିବା ଏକ କ୍ଷୁଦ୍ରଶକ୍ତି ସରକାରଙ୍କର ବିପୁଳ ଶକ୍ତିସହ ସଂଗ୍ରାମ କରୁଥିବାର ନଜିର ସୃଷ୍ଟିକରିଛି । ସ୍ୱରୂପ ସାନନ୍ଦ ମୋଦୀ ସରକାରଙ୍କର ଚଞ୍ଚକତାକୁ ପଦାରେ ପକାଇବା ସଙ୍ଗେ ସଙ୍ଗେ ଏହାର ଅଜ୍ଞତାକୁ ମଧ୍ୟ ଲୋକଲେଚନକୁ ଆଣିଛନ୍ତି । ମୋଦୀ ସରକାର ଏବଂ ବିଜେପି ଦଳର ବିଜ୍ଞାନ କିମ୍ବା ପୁରାଣ ତଥା ଗଙ୍ଗାର ପରିବେଶ ଓ ପ୍ରବାହ ସମ୍ପର୍କରେ କୌଣସି ଧାରଣା ନାହଁ ବୋଲି ଦାବୀ କରିଥିବା ଏହି ସନ୍ୟାସୀଙ୍କ ଓ ସତ୍ୟାଗ୍ରହ ଏବଂ ସ୍ୱର୍ଗପ୍ରାପ୍ତି ସମ୍ପର୍କରେ କ'ଣ କରିବ ତାକୁ ନେଇ ବର୍ତ୍ତମାନ ଦ୍ୱିଧାରେ ପଡ଼ିଛନ୍ତି । ସ୍ୱରୂପ ସାନନ୍ଦ ଗଙ୍ଗାନଦୀରେ ଜଳବିଦୁ୍ୟତ୍ ପ୍ରକଳ୍ପ ଗୁଡ଼ିକୁ ବିରୋଧ କରିଆସୁଥିଲେ ଯାହା ନଦୀକୁ ଶ୍ୱାସରୁଦ୍ଧ କରିଦେଉଛି । ବାସ୍ତବରେ ସ୍ୱରୂପ ସାନନ୍ଦ ଜାତୀୟ ଗଙ୍ଗା ଅବବାହିକା ପ୍ରାଧିକରଣରୁ ଇସ୍ତଫା ଦେଇଦେଇଥିଲେ । ତାଙ୍କ ବିଚାରରେ ଏହି ପ୍ରାଧିକରଣ ଏକ ଚଞ୍ଚକତା ମାତ୍ର ।
ସ୍ୱରୂପ ସାନନ୍ଦଙ୍କ ପାଇଁ ନଦୀ, ବିଶେଷକରି ଗଙ୍ଗା ନଦୀ ଏକ ପେଶା ତଥା ଜୀବନର ଲକ୍ଷ୍ୟ । ରୁୁର୍କିରୁ ଇଞ୍ଜିନିୟରିଂ ଡ଼ିଗ୍ରୀ ହାସଲ କରିବା ପରେ ସେ ଆଇ.ଆଇ.ଟି. କାନପୁରର ସିଭିଲ ଇଞ୍ଜିନିୟରିଂ ବିଭାଗର ଡ଼ିନ୍ ଥିଲେ ତଥା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ର ସଦସ୍ୟ ସମ୍ପାଦକ ମଧ୍ୟ ଥିଲେ । ସ୍ୱରୂପ ସାନନ୍ଦଙ୍କ ପରିବେଶ ତଥା ପରିସଂସ୍ଥାନ ପ୍ରତିଥିବା ଆଗ୍ରହ, ତାଙ୍କର ବହୁ ଛାତ୍ରଛାତ୍ରୀ ଓ ଅନୁଗାମୀମାନଙ୍କ ମଧ୍ୟରେ ଅନୁରୂପ ରୁଚି ସୃଷ୍ଟି କରିଛି । ସେଣ୍ଟର ଫର ସାଇନ୍ସ ଏବଂ ଏନ୍ଭାରନମେଣ୍ଟର ପ୍ରତିଷ୍ଠାତା ତଥା ଦେଶର ବିଶିଷ୍ଟ ପରିବେଶବିତ୍ ଅନୀଲ ଅଗ୍ରୱାଲ ସ୍ୱରୂପ ସାନନ୍ଦଙ୍କର ଛାତ୍ର ଏବଂ ଅନୁଗାମୀ ଥିଲେ । ରାଜେନ୍ଦ୍ର ସିଂହ ଯିଏକି ଅନେକ ନୂଆକାମ କରିଛନ୍ତି ଏବଂ ନିଜ ଯୋଗ୍ୟତାରେ ଜଣେ ବିଶିଷ୍ଟ ପରିବେଶବିତ୍ ସେ ମଧ୍ୟ ସ୍ୱରୂପ ସାନନ୍ଦଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବତ ହୋଇଛନ୍ତି । ତେବେ ସ୍ୱରୂପ ସାନନ୍ଦ ପାଇଁ ଏସବୁ ପ୍ରମାଣ କିମ୍ବା ପ୍ରଶଂସାପତ୍ରର କୌଣସି ଆବଶ୍ୟକତା ନାହିଁ । ତାଙ୍କର କେବଳ ମାତ୍ର ଉପସ୍ଥିତି ନଥିଲେ ମଧ୍ୟ ତାଙ୍କ ସଂଗ୍ରାମର ନୈତିକ ପ୍ରଭାବ ସମଗ୍ର ଦେଶକୁ ଆଗାମୀ ଦିନରେ ପ୍ରଭାବିତ କରିବ ଏବଂ ପ୍ରଭାବିତ କରିବାର ଶକ୍ତି ରଖିଛି । ଏହାକୁ ମୋଦୀ ସରକାର ଭୁଲିଯିବା ଉଚିତ ନୁହେଁ । ଯେଉଁ ସମୟରେ ଅସହମତି ବିଶେଷକ କରି ପାରିବେଶିକ ଅସହମତି ପ୍ରକାଶ କରିବା ବିରଳ ହୋଇଗଲାଣି ସେପରି ପରିସ୍ଥିତିରେ ନଛାଡେ଼ ବନ୍ଧା ଭାବରେ ସ୍ୱରୂପ ସାନନ୍ଦ ତାଙ୍କର ଅସହମତି ପ୍ରକାଶ କରି ସ୍ୱର୍ଗପ୍ରାପ୍ତି କରିଛନ୍ତି । ଗଙ୍ଗା ପାଇଁ ବିରୋଧ ଯୋଗୁଁ ତାଙ୍କୁ ଅନେକଥର ସରକାରଙ୍କ ଦ୍ୱାରା ଅପମାନିତ ଏବଂ ଲାଂଛିତ ହେବାକୁ ପଡ଼ିଛି ତଥା ତାଙ୍କୁ ସି.ଆଇ.ଏ. ଖେଳନାର ଆଖ୍ୟା ମଧ୍ୟ ଦିଆଯାଇଛି । ମାତ୍ର ସରକାରଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ୮୬ ବର୍ଷ ବୟସ୍କ ପ୍ରଫେସର ସ୍ୱରୂପ ସାନନ୍ଦଙ୍କ ନିଷ୍ଠାରେ କୌଣସି ପରିବର୍ତ୍ତନ ଆଣିପାରିନାହିଁ । ସେ ଅସମ୍ଭବ ଭାବରେ ସ୍ପଷ୍ଟବାଦୀ । ସେ ଦାବୀ କରନ୍ତି ଯେ "ଗଙ୍ଗା ଆକ୍ସନ୍ ପ୍ଲାନ୍' ହେଉଛି କିରାଣୀମାନଙ୍କ ମାନସ ପ୍ରସ୍ତୁତ ପୁରୁୁଣା "ଗଙ୍ଗା ସଫେଇ ଯୋଜାନାର' ଭିନ୍ନ ରୂପ । ଏହି ଉଭୟ ସଂସ୍ଥା ମଧ୍ୟରୁ କାହାରି ପାଖରେ ମଧ୍ୟ ସଠିକ୍ ଆକଳନ କରିବାର ଦକ୍ଷତା, ଉତ୍ତରଦାୟିତ୍ୱ, ଦାୟିତ୍ୱବୋଧ କିମ୍ବା ଟ୍ରଷ୍ଟି ଆକରରେ କର୍ତ୍ତବ୍ୟ ସମ୍ପାଦନା କରିବାର ଜ୍ଞାନ ଓ ବୁଦ୍ଧି ନାହିଁ । ଗଙ୍ଗାକୁ ଅମଲାତାନ୍ତ୍ରିକ ଜାଲରେ ଛନ୍ଦି ଦିଆଯିବା ଫଳରେ ନୈତିକତା ତଥା ବୈଜ୍ଞାନିକ ଦକ୍ଷତାର ବିଫଳତାର କାରଣ ପାଲଟିଛି ବୋଲି ସ୍ୱରୂପ ସାନନ୍ଦ କ୍ଷୋଭ ପ୍ରକାଶ କରିଥିଲେ ।
ସ୍ୱରୂପ ସାନନ୍ଦ ଯେପରି ଭାବରେ ପର୍ଯ୍ୟଟନର ମହାମାରିକୁ ନାପସନ୍ଦ କରନ୍ତି, ସେପରି ଭାବରେ ନାଗରିକମାନଙ୍କର ଦାୟିତ୍ୱବୋଧକୁ ନେଇ ମଧ୍ୟ ଅଧୈର୍ଯ୍ୟ । ପର୍ଯ୍ୟଟନ ତୀର୍ଥଯାତ୍ରାର ପବିତ୍ର ସ୍ଥଳୀଗୁଡ଼ିକୁ ପାରିବେଶିକ ଧ୍ୱଂସର ପିକ୍ନିକ୍ସ୍ଥଳୀ କରିଦେଇଛି । ପୁରୁଣାକାଳିଆ ସନ୍ଥଙ୍କ ପରି ଗଙ୍ଗାର ପବିତ୍ରତାକୁ ଧ୍ୱଂସ କରୁଥିବା କୌଣସି ଲୋକପ୍ରିୟ ପଦକ୍ଷେପକୁ ସ୍ୱରୂପ ସାନନ୍ଦ ସମ୍ମାନ ଦଅନ୍ତି ନାହିଁ । ତାଙ୍କର ଦାବୀଗୁଡ଼ିକ ବେଶ ନିର୍ଦ୍ଧିଷ୍ଟ ଏବଂ ସେ ତୁରନ୍ତ କାର୍ଯାନୁଷ୍ଠାନ ଦାବୀ କରନ୍ତି । ସେ ପରାମର୍ଶ ଦେଇଛନ୍ତି ଯେ ପ୍ରଦୂଷଣର ପ୍ରତିକାର ସ୍ୱରୂପ ଗଙ୍ଗାର ପାରିବେଶିକ ପ୍ରବାହକୁ ନିଶ୍ଚିତ କରାଯିବା ଆବଶ୍ୟକ । ନଈକୂଳରେ ହୋଇଥିବା ଜବରଦଖଲଗୁଡ଼ିକୁ ହଟାଇ ଦିଆଯିବା ଆବଶ୍ୟକ । ଏହି କାର୍ଯ୍ୟଗୁଡ଼ିକ ଯେପରି ବିନା ପ୍ରତିବନ୍ଧକରେ ରୂପାୟିତ ହୋଇପାରିବ ସେଥିପାଇଁ ଆଇନ ପ୍ରଣୟନ କରାଯିବା ଜରୁରୀ ।
ସ୍ୱରୂପ ସାନନ୍ଦଙ୍କ ଆନ୍ଦୋଳନ ଏବଂ ତାଙ୍କର ସ୍ୱର୍ଗପ୍ରାପ୍ତି ପରେ ବ୍ୟକ୍ତିଗତ ସୀମା ଅତିକ୍ରମକରି ଏକ ମହାସଂଗ୍ରାମର ଆକାର ଧାରଣ କରିସାରିଲାଣି । ନିଃଶବ୍ଦ ଭାବରେ ଏହା ବହୁ ସାମାଜିକ କର୍ମୀ ଏବଂ ନଦୀ ସୁରକ୍ଷା କାର୍ଯ୍ୟକର୍ତ୍ତାମାନଙ୍କ ନୈତିକ ବିଚାରକୁ ପ୍ରଭାବିତ କରିସାରିଲାଣି । ବିକାଶ ସମ୍ପର୍କରେ ମାଧବ ଗାଡ଼ଗିଲଙ୍କ ସମାଲୋଚନା ପରେ ସ୍ୱରୂପ ସାନନ୍ଦଙ୍କ ସମାଲୋଚନା ମଧ୍ୟ ସାଧାରଣ ଦ୍ୱାରା ସ୍ୱୀକୃତ ଓ ପ୍ରଶଂସିତ ହେଇଛି । ଉଭୟ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଅତ୍ୟାବଶ୍ୟକୀୟ ନୈତିକ ବିଚାରର ପ୍ରଣେତା ।
ସ୍ୱରୂପ ସାନନ୍ଦ ଯେ କେବଳ ଅରଣ୍ୟରୋଦନ କରୁଥିବା ଜଣେ ସନ୍ଥ ସେକଥା ନୁହେଁ, ପୂର୍ବେ ତାଙ୍କ ଦ୍ୱାରା କରାଯାଇଥିବା ବିରୋଧ ଯୋଗୁଁ କଂଗ୍ରେସ ସରକାର ଅମଳରେ ତତ୍କାଳୀନ ମନ୍ତ୍ରୀ ଜୟରାମ ରମେଶ ଭାଗୀରଥୀ ନଦୀବନ୍ଧକୁ ବାତିଲ କରିଦେଇଥିଲେ ।
ତେବେ, ନରେନ୍ଦ୍ର ମୋଦୀଙ୍କ ଗଙ୍ଗା ଉଦ୍ଧାର ପ୍ରତିଶ୍ରୁତି ଓ କାର୍ଯ୍ୟକ୍ରମ ତଥା ଯୋଜନା ଏବଂ ଗଙ୍ଗାକୁ ତା'ର ମୌଳିକ ରୂପକୁ ଫେରାଇ ଆଣିବା ଥିଲା କେବଳ ତାଙ୍କର ବହୁଳଭାବେ ବିଜ୍ଞାପିତ ନିର୍ବାଚନ ପ୍ରତିଶ୍ରୁତି । ଯେତେବେଳେ ପରିସ୍ଥିତି ପାଇଁ ଚିନ୍ତାଗ୍ରସ୍ତ ଜଣେ ନାଗରିକ ପ୍ରତିବାଦ କରୁଛନ୍ତି ଏବଂ ଯେଉଁ ପ୍ରତିଶ୍ରୁତି ଦେଇ ମୋଦୀ ବନାରସ ନିର୍ବାଚନ ବୈତରଣୀ ପାର ହେଲେ ସେତେବେଳେ ସେହି ମୋଦୀ ଓ ତାଙ୍କର ସରକାରଙ୍କ ପାଖରେ ଦୀର୍ଘ ଚାରିମାସ ଧରି କୌଣସି ଉତ୍ତର ନାହିଁ । ମୋଦୀ ନିଜର ଗଙ୍ଗାମାତାଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଆଜି ଭୁଲିଯାଇଛନ୍ତି । ତେଣୁ ଏବେ ଉତ୍ତର ଦାୟିତ୍ତ୍ୱ ହେଉଛି ସେହିମାନଙ୍କର ଯେଉଁମାନେ ସ୍ୱରୂପ ସାନନ୍ଦ ସଂଗ୍ରାମର ଏହି କାହାଣୀ ପଢ଼ୁଛନ୍ତି । ମାତ୍ର ସବୁଠାରୁ ବଡ଼ ଆହ୍ୱାନ ହେଲା ଆଗାମୀ ଦିନରେ ଜାହ୍ନବୀ ପାଇଁ ଜନସାଧାରଣ କେତେ ମାତ୍ରାରେ ଏହି ପରିସ୍ଥିିତିରେ ମାତି ଉଠିବେ ଏବଂ ସ୍ୱରୂପ ସାନନ୍ଦ ସୃଷ୍ଟି କରିଥିବା ସତ୍ୟାଗ୍ରହରେ ଯୋଗଦେଇ ତାଙ୍କର ସ୍ୱର୍ଗପ୍ରାପ୍ତି ପରେ ଗଙ୍ଗା ମୁକ୍ତି ଆନ୍ଦୋଳନ ଓ ସତ୍ୟାଗ୍ରହକୁ ଅଧିକ ବଳିଷ୍ଠ କରିବେ । ତେବେ ଆଗାମୀ ଦିନରେ ଏହା ନିଶ୍ଚିତ ଯେ ସ୍ୱରୂପ ସାନନ୍ଦଙ୍କ ସତ୍ୟାଗ୍ରହ ଓ ସ୍ୱର୍ଗପ୍ରାପ୍ତି ପାଇଁ ପାଇଁ ମୋଦୀ ନିଜ ମିଛ ମୂଲ୍ୟବୋଧର ମୂଲ୍ୟ ବହୁମାତ୍ରାରେ ଦେବେ ଯାହାର ପରିଣାମ ବିଜେପି ଭବିଷ୍ୟତରେ ଭୋଗ କରିବ ।
ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ : ସନ୍ୟାସୀଙ୍କ ସତ୍ୟାଗ୍ରହ ଓ ସ୍ୱର୍ଗବାସ
ଗଙ୍ଗା ଯୋଦ୍ଧା ଜି.ଡ଼ି. ଅଗ୍ରୱାଲ ଆଉ ନାହାନ୍ତି । ସ୍ୱାମୀ ଜ୍ଞାନ ସ୍ୱରୂପ ସାନନ୍ଦ ରୂପେ ଅଧିକ ଲୋକପ୍ରିୟ ଭାରତର ଏହି ବିଶିଷ୍ଟ ପରିବେଶବିତ୍ ୮୬ବର୍ଷ ବୟସରେ ଋଷିକେଶର ଏକ ଡ଼ାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଦୂଷଣମୁକ୍ତ ଗଙ୍ଗା ପାଇଁ ପ୍ରାୟ ଚାରିମାସ ପାଖାପାଖି ଅନଶନ ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏବଂ ଅପୂର୍ଣ୍ଣ ରହିଗଲା ତାଙ୍କର ଇଚ୍ଛା - ମୁକ୍ତ ଗଙ୍ଗା ଅଭିଯାନ ।
ତାଙ୍କର ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଲେଖିଛନ୍ତି, ଶ୍ରୀ ଜି.ଡ଼ି. ଅଗ୍ରୱାଲଙ୍କ ମୃତୁ୍ୟରେ ସେ ମର୍ମାହତ । ଶିଖିବା ପାଇଁ, ଶିକ୍ଷା ପାଇଁ, ପରିବେଶ ସୁରକ୍ଷା ପାଇଁ ବିଶେଷ କରି ଗଙ୍ଗା ସଫେଇ ପାଇଁ ତାଙ୍କର ଆବେଗ ସକାଶେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ମୃତ୍ୟୁରେ ମୁଁ ଗଭୀର ସମବେଦନା ଜ୍ଞାପନା କରୁଛି । ମୋଦୀଙ୍କ ଏଭଳି ଟ୍ୱିଟ୍କୁ ଆଜି ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଅତି ସହଜରେ ଗ୍ରହଣ କରିପାରିନାହାନ୍ତି । ବରଂ ସେମାନେ ମୋଦିଙ୍କ ସମବେଦନାକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ପ୍ରବଞ୍ଚନା ବୋଲି କହି ନିନ୍ଦା କରିଛନ୍ତି । ଯଦି ମୋଦୀ ପ୍ରକୃତରେ ସନ୍ୟାସୀଙ୍କୁ ସମବେଦନା ଦେବାକୁ ଚାହାନ୍ତି ତେବେ ସେ ସନ୍ୟାସୀଙ୍କ ଦାବୀ ମାନି କାର୍ଯ୍ୟକ୍ରମ ଆରମ୍ଭ କରିବେ ତେବେ ତାହା ହିଁ ହେବ ସନ୍ୟାସୀଙ୍କ ପ୍ରତି ତାଙ୍କର ବାସ୍ତବ ସମବେଦନା ଓ ଗଙ୍ଗା ପ୍ରତି ଭକ୍ତି ବୋଲି ଦେଶର ଅଗଣିତ ନଦୀସୁରକ୍ଷା କର୍ମୀ, ପରିବେଶ ପ୍ରେମୀ ତଥା ପରିବେଶବିତ୍ କହିଛନ୍ତି ।
ବିଡ଼ମ୍ବନାର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ତାଙ୍କ ଚିଠିର ଉତ୍ତରକୁ ଅପେକ୍ଷା କରି କରି ସନ୍ୟାସୀ ସ୍ୱରୂପ ସାନନ୍ଦ ଆଖି ବୁଜିଦେଲେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଉତ୍ତର ଆସିଲା ନାହିଁ କି ତାଙ୍କର ଜୀବଦ୍ଧଶାରେ ମୋଦୀ ମୁହଁ ମଧ୍ୟ ଖୋଲିଲେ ନାହିଁ । ଏହି ଗଙ୍ଗା ଯୋଦ୍ଧା ମୋଦୀଙ୍କ ପାଖକୁ ଗୋଟିଏ ନୁହେଁ, ତିନି ତିନି ଖଣ୍ଡ ଚିଠି ଲେଖିଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ମୋଦୀଙ୍କ ଉତ୍ତରକୁ ଅପେକ୍ଷା କରିବେ ।
ତାଙ୍କର ବିଜ୍ଞାନକୁ ଭଲପାଇବା ଏବଂ ନଦୀପାଇଁ ଗଭୀର ଶ୍ରଦ୍ଧା ଯୋଗୁଁ ଆମ ସମୟର ସମ୍ଭବତଃ ସବୁଠାରୁ ବଡ଼ ପାରିବେଶିକ ସଂଗ୍ରାମକୁ ଜନ୍ମ ଦେଇଥିଲା । ଜଣେ ବ୍ୟକ୍ତି ନଦୀର ପବିତ୍ରତାକୁ ବଜାୟ ରଖିବା ପାଇଁ ଏକ ବିରାଟ ଲଢେ଼ଇ ଲଢ଼ିଲେ । ମାତ୍ର ଦୁଃଖର ବିଷୟ ଯେ ଭାରତର ସରକାର ତାଙ୍କର ଡ଼ାକରା ଶୁଣିଲା ନାହିଁ । ଦିନକର ଆନେ୍ଦାଳନ ପରେ ଦାବୀ ପୂରଣ ପାଇଁ ବ୍ୟଗ୍ର ହୋଇ ପଡ଼ୁଥିବା ସରକାର ଜି.ଡ଼ି. ଅଗ୍ରୱାଲଙ୍କର ପ୍ରାୟ ଚାରିମାସର ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଲେ । ତାପରେ ବଳପୂର୍ବକ ତାଙ୍କୁ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଗଲା ଏବଂ ବଳପୂର୍ବକ ତାଙ୍କର ଅନଶନ ଭାଙ୍ଗିବାର ପ୍ରୟାସ କରାଗଲା ।
ଗୋଟିଏ ଧାରଣା ଓ ଆଦର୍ଶକୁ ବଞ୍ଚାଇ ରଖିବା ସକାଶେ ଜଣେ ସଂଗ୍ରାମୀ ସନ୍ୟାସୀ ସ୍ୱର୍ଗପ୍ରାପ୍ତି କଲେ । ତାଙ୍କର ବିଶ୍ୱାସ ଯେ ମଣିଷମାନେ ଯାହା କରିବା ଉଚିତ, ତାହା କରିବାର ପ୍ରୟାସରେ ସେ ଦେହତ୍ୟାଗ କଲେ । ତାଙ୍କର ବିଶ୍ୱାସ ଯେ ମଣିଷମାନେ ଆଦର୍ଶ ଦୁନିଆର ବିଶ୍ୱାସକୁ ବଞ୍ଚାଇ ରଖିବା ଆବଶ୍ୟକ ଏବଂ ପବିତ୍ରତାର ଧାରଣାକୁ ବଳବତ୍ତର ରଖିବା ଜରୁରୀ । ଡ଼କ୍ଟର ଜି.ଡ଼ି. ଅଗ୍ରୱାଲଙ୍କ(ସ୍ୱରୂପ ସାନନ୍ଦ) ପାଇଁ ଗଙ୍ଗା କେବଳ ନଦୀଟିଏ ମାତ୍ର ନୁହେଁ, ଏହାଠାରୁ ଅନେକ ବେଶି । ଗଙ୍ଗା ଜୀବନଜୀବିକା, ଜୀବନଶୈଳୀ, ପୁରାଣ, ପବିତ୍ରତା ଓ ପରିବେଶର ଉତ୍ସ । ଏହା ସତ୍ତେ୍ୱ ତାଙ୍କ ବିଜ୍ଞାନର ମୂଳ ଆଧାର ଥିଲା ଗଙ୍ଗା । ଜି.ଡ଼ି. ଅଗ୍ରୱାଲ ଏକ ପ୍ରଦୂଷଣମୁକ୍ତ ଗଙ୍ଗାର ସ୍ୱପ୍ନ ଦେଖିଥିଲେ ଏବଂ ସତ୍ୟାଗ୍ରହ ମାଧ୍ୟମରେ ଏହାର ସୁରକ୍ଷା ପାଇଁ ଆଜିବନ ପ୍ରୟାସ କରିଥିଲେ । ଜି.ଡ଼ି.ଙ୍କ ସମ୍ପର୍କରେ ନାଁ ଧାର୍ମିକ ଆଧାରରେ କିଛି କୁହାଯାଇପାରିବ, ନାଁ ଧର୍ମନିରପେକ୍ଷତା ଆଧାରରେ ତାଙ୍କ ଜୀବନ ଏହି ସବୁ ଦ୍ୱିଧାଠାରୁ ଅନେକ ଉଦ୍ଧ୍ୱର୍କୁ ଚାଲିଯାଇଥିଲା । କାରଣ ସ୍ୱରୂପ ସାନନ୍ଦ କେବଳ ତାତ୍ତ୍ୱିକ ଆଧାରରେ କଥାବାର୍ତ୍ତା କରୁଥିବା ବୁଦ୍ଧିଜୀବୀ ବା ପରିବେଶବିତ୍ ନଥିଲେ, ସେ ଗଙ୍ଗାକୁ ନେଇ ବସ୍ତୁନିଷ୍ଠା କିମ୍ବା ନିଷ୍ପକ୍ଷ ମଧ୍ୟ ନଥିଲେ । ସେ ଏକାଧାରରେ ପୌରାଣିକ, କିମ୍ବଦନ୍ତୀ ଓ ବିଜ୍ଞାନ ଜାଣିଥିବା ଜଣେ ଗଭୀର ଜ୍ଞାନୀ ଓ ବୈଜ୍ଞାନିକ ଥିଲେ ।
ତାଙ୍କର ବିଜ୍ଞାନ ପ୍ରେମ ଏବଂ ନଦୀ ପ୍ରତି ଗଭୀର ଶ୍ରଦ୍ଧା ଆମ ସମୟର ସମ୍ଭବତ ସବୁଠାରୁ ବଡ ପାରିବେଶିକ ସଂଗ୍ରାମକୁ ଜନ୍ମ ଦେଇଥିଲା - ଜଣେ ବ୍ୟକ୍ତି ନଦୀର ପବିତ୍ରତା ବଜାୟ ରଖିବା ପାଇଁ ଲଢେଇ କରିବା । ମାତ୍ର ଦୁଃଖର ବିଷୟ ଯେ ଭାରତ ତାଙ୍କର ଡାକରାର ଉତ୍ତର ଦେଲା ନାହିଁ । ଭାରତର ସରକାର ନିଜର ଅହଂକାର, ବିଜ୍ଞାନ ଓ ପାରିବେଶିକ ଅଜ୍ଞତା କାରଣରୁ ସ୍ୱରୂପ ସାନନ୍ଦଙ୍କ ଭଳି ଜଣେ ପ୍ରସିଦ୍ଧ ବୈଜ୍ଞାନିକ, ପିରବେଶବିତ୍ ଏବଂ ଭାରତର ସଂସ୍କୃତି ବିଶେଷଜ୍ଞଙ୍କୁ ଏକ ଉପଦ୍ରବକାରୀ ତଥା ପ୍ରତିଭାହୀନ ଅଜ୍ଞାନୀ ସନ୍ଥ ବ୍ୟକ୍ତି ରୂପେ ବିବେଚନା କରୁଥିଲେ । ମାତ୍ର ଜି.ଡି. ଅଗ୍ରୱାଲ (ସ୍ୱରୂପ ସାନନ୍ଦ) ଉଭୟେ ବିଜ୍ଞାନ ତଥା ଆଧ୍ୟାତ୍ମିକତା ଭାଷାରେ ପାରଙ୍ଗମ ଥିଲେ । ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ପାଇଁ ଯୁକ୍ତି କରୁଥିଲେ ।
ପର୍ଯ୍ୟଟକମାନେ ତୀର୍ଥଯାତ୍ରୀ
ଜି.ଡି. ଅଗ୍ରୱାଲ(ସ୍ୱରୂପ ସାନନ୍ଦ)ଙ୍କ ସହିତ ବଂଚିବା ତଥା ଚଳିବା ଆଦୌ ସହଜସାଧ୍ୟ ନ'ଥିଲା । ସେ ନିଜେ ଉଚ୍ଚମାନର ଜୀବନ ଜୀଉଁଥିଲେ ଏବଂ ତାଙ୍କର ଛାତ୍ର ଛାତ୍ରୀ ଓ ଚାରିକଡର ଲୋକମାନେ ମଧ୍ୟ ସେପରି ଜୀବନ ବଞ୍ଚନ୍ତୁ ବୋଲି ଚାହୁଁଥିଲେ । ତାଙ୍କ ନିକଟରେ ଲୋକପ୍ରିୟ ହେବାର କୌଣସି ପ୍ରବଣତା ନ'ଥିଲା । ପର୍ଯ୍ୟଟନ ଦ୍ୱାରା ଆଧ୍ୟାତ୍ମିକତାକୁ ବିନିଷ୍ଟ କରିବାର ମୁର୍ଖତାକୁ ସେ ନାପସନ୍ଦ କରୁଥିଲେ । ଜି.ଡି. ଅଗ୍ରୱାଲଙ୍କ ବିଚାରରେ ଜଣେ ନାଗରିକ ତୀର୍ଥଯାତ୍ରୀ ପରି ହେବା ଉଚିତ୍ । କାରଣ ଜଣେ ତୀର୍ଥଯାତ୍ରୀ ହିଁ ଜାଣିଛି ପରିବେଶ (ଜମି, ଜଳ, ଜଙ୍ଗଲ ଏବଂ ନଦନଦୀ, ବାୟୁ ଓ ଆକାଶ)କୁ କିପରି ଛୁଇଁବାକୁ ହେବ ଏବଂ କେତେ କୋମଳତାର ସହ ଛୁଇଁବାକୁ ହେବ । ଯେଉଁ ନାଗରିକମାନେ ନଦୀକୁ ପ୍ରଦୁଷିତ କରନ୍ତି ସେମାନଙ୍କର ନାଗରିକତ୍ୱ ସମ୍ପର୍କରେ କୌଣସି ଧାରଣା ନାହିଁ । ଜି.ଡି. ଅଗ୍ରୱାଲଙ୍କୁ ନିକଟରୁ ଜାଣିବା ପରେ ଇଚ୍ଛା ହୁଏ ବିଜ୍ଞାନର ବିଦ୍ୱାନମାନେ ତାଙ୍କ ପରି ଆଦର୍ଶ ହୁଅନ୍ତି କି? ଯାହା ଫଳରେ ସେମାନେ ବୈଜ୍ଞାନିକ ନୈତିକତା ସୃଷ୍ଟି କରନ୍ତେ ଯାହାକୁ ନେଇ ବିଜ୍ଞାନ ଗର୍ବିତ ହୁଅନ୍ତା । ଆଜିକାଲି ବିଜ୍ଞାନର ନୈତିକତା କେବଳ ଔପଚାରିକତା ଓ ଭଦ୍ରୋଚିତ ବ୍ୟବହାରରେ ସୀମିତ ହୋଇ ରହିଯାଇଛି । ଭୁଲ ନକରିବାର ପ୍ରୟାସ ହିଁ ଏଥିରେ ପ୍ରାଧାନ୍ୟ ପାଇଛି ଏବଂ ଏହି ନୈତିକତାର କୌଣସି ଝୁଙ୍କ ନେବାର ସାହାସ ମଧ୍ୟ ନାହିଁ । ଜି.ଡି. ଅଗ୍ରୱାଲ ଗାନ୍ଧୀ ବିଚାରଧାର ନୈତିକତାକୁ ଠିକ୍ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଜଣଙ୍କର ଶରୀର ଓ ଜୀବନଶୈଳୀ ସେ ପ୍ରସାର କରୁଥିବା ନୈତିକତା ସହ ମେଳ ଖାଉଥିବା ଆବଶ୍ୟକ । ତାଙ୍କ ପାଖରେ ଗାନ୍ଧୀବାଦୀ ବିଚାରଧାରା ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହବସ୍ଥାନ କରୁଥିଲେ ଏବଂ ସେ ଏକ ଭିନ୍ନ ପୃଥିବୀ ପାଇଁ ଆହ୍ୱାନ ଦେଉଥିଲେ ।
ସ୍ୱଚ୍ଛ ଆନେ୍ଦାଳନ କ'ଣ ସେକଥା ଜି.ଡି. ଅଗ୍ରୱାଲ ଭଲ ଭାବରେ ବୁଝିଥିଲେ । ଏହା କେବଳ ସତ୍ୟ ଉପରେ ରଙ୍ଗ ବୋଳିବାର ପ୍ରୟାସ ମାତ୍ର । ଏଥିରେ ସତ୍ୟର ସମ୍ମୁଖୀନର ସତ ସାହାସ ନଥିଲା । ତାଙ୍କ ସମ୍ମୁଖରେ ସରକାର ସମ୍ପୂର୍ଣ୍ଣ ରୂପେ କିଂକର୍ତ୍ତବ୍ୟବିମୂଢ ହୋଇ ପଡିଥିଲେ । କିଛି ବର୍ଷ ପୂର୍ବେ ଇରୋମ ଶର୍ମିଳାଙ୍କ ସମ୍ମୁଖରେ ମଧ୍ୟ ସରକାରଙ୍କର ଏକା ଅବସ୍ଥା ହୋଇଥିଲା । ଉଭୟେ ଜାଣିଥିଲେ ଯେ ଏପରି ଚାହିଁବା ଦରକାର ଯାହାପାଇଁ ଜଣେ ମରିବାକୁ ମଧ୍ୟ ପ୍ରସ୍ତୁତ ଥିବ । ବାସ୍ତବରେ ପରିବେଶ ଓ ନଦୀପ୍ରତି ଜି.ଡି. ଅଗ୍ରୱାଲଙ୍କ ନିଷ୍ଠା ଏବଂ ମୋଦୀଙ୍କ ଉଦ୍ଭଟ କାର୍ଯ୍ୟ ମଧ୍ୟରେ ତୁଳନା କରାଯିବା ଆବଶ୍ୟକ । ଜି.ଡି. ଅଗ୍ରୱାଲ ତାଙ୍କର ବିଶ୍ୱାସ ପାଇଁ ପ୍ରାଣତ୍ୟାଗ କଲେ ଆଉ ମୋଦୀ ମିଳିତ ଜାତିସଂଘର ପୁରସ୍କାର ହାସଲ କଲେ । ମୋଦୀ କେବେହେଲେ ବୁଝିପାରିବେ ନାହିଁ ଯେ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସଙ୍ଗମରୁ ହିଁ ପରିସଂସ୍ଥାନ ଓ ନାଗରିତ୍ୱର ସୃଷ୍ଟି ହୁଏ ବୋଲି । ଜି.ଡି. ଅଗ୍ରୱାଲ ଅନେକ ଭାବଧାରର ସଙ୍ଗମ ହୋଇଥିବା ବେଳେ ମୋଦୀ ଓ ତାଙ୍କ ସରକାର କେବଳ ଅହଂକାର ଓ ସେମାନେ ସମ୍ମୁଖୀନ ହେଉଥିବା ବିରୋଧାଭାଷର ପ୍ରତିଫଳନ ।
ଶ୍ରଦ୍ଧାଞ୍ଜଳୀ କେବଳ ଜଣଙ୍କର ସଫଳତାର ଲମ୍ବା ତାଲିକା ନୁହେଁ । ଜି.ଡି. ଅଗ୍ରୱାଲ କୌଣସି ପ୍ରମାଣପତ୍ରର ଅପେକ୍ଷା ରଖନ୍ତି ନାହିଁ । ସେ କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ପ୍ରଥମ ଅଧ୍ୟକ୍ଷ ଥିଲେ । ବାର୍କଲେରୁ ଡକ୍ଟରେଟ୍ ହାସଲ କରିଥିବା ଜି.ଡି. ଅଗ୍ରୱାଲ ଆଇ.ଆଇ.ଟି କାନପୁରର ପାରିବେଶିକ ଇଞ୍ଜିନିୟରିଂ ବିଭାଗର ଡିନ୍ ଥିଲେ । ସେ ସମ୍ଭବତଃ ଅନୀଲ ଅଗ୍ରୱାଲ ଓ ରାଜେନ୍ଦ୍ର ସିଂ ଙ୍କ ପୃଷ୍ଠା ପୋଷକତା କରୁଥିବା ଗୁରୁ ହିସାବରେ ପରିଚିତ ହେବାକୁ ଅଧିକ ଶ୍ରେୟସ୍କର ମଣିଥାନ୍ତେ । ଏକଥା ପ୍ରଶ୍ନ କରାଯିବା ଉଚିତ୍ ଯେ ମୋଦୀ ସରକାର ଏବଂ ଖୋଦ୍ ମୋଦୀ ଗଙ୍ଗା ମୁକ୍ତି ଓ ସୁରକ୍ଷାର ସ୍ଲୋଗାନ୍ ଦେଇ ଏବଂ ନିଜକୁ ଗଙ୍ଗାର ପୁତ୍ର ବୋଲି କହୁଥିବା ସରକାର ଦୀର୍ଘ ଚାରିମାସ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଜି.ଡି. ଅଗ୍ରୱାଲଙ୍କ ଅନଶନ ପ୍ରତି ଆଖି ବୁଜିଦେଲେ କାହିଁକି ଓ କିପରି? ପ୍ରାୟ କିଛିଦିନର ଅନଶନ ପରେ ଜି.ଡିଙ୍କୁ ତାଙ୍କ ଆଶ୍ରମ ପରିସରରୁ ବଳପୂର୍ବକ ସ୍ଥାନାନ୍ତରିତ କରାଗଲା ଏବଂ ଜୋରଜବରଦସ୍ତୀ ତାଙ୍କର ଅନଶନ ଭାଙ୍ଗିବା ପାଇଁ ପ୍ରୟାସ କରାଗଲା । ମାତ୍ର ଜଣେ ଗାନ୍ଧୀବାଦୀ ପରି ଏହି ଉଦ୍ୟମର ପ୍ରତିରୋଧ କଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ସରକାର ତାଙ୍କ ସହିତ କଥାବାର୍ତ୍ତା କରିବାର କୌଣସି ପ୍ରୟାସ କଲେ ନାହିଁ କିମ୍ବା ତାଙ୍କର ନୈତିକତା ପ୍ରତି ସମ୍ମାନ ଜଣାଇ ଗଙ୍ଗାର ଉନ୍ନତିର ପରିଚାଳନା କରିବେ ବୋଲି ପ୍ରତିଶୃତିଟିଏ ମଧ୍ୟ ଦେଇପାରିଲେ ନାହିଁ ।
ଜି.ଡି. ଅଗ୍ରୱାଲ ଏକଥା ପ୍ରଦର୍ଶିତ କରିଦେଲେ ଯେ ଗଙ୍ଗାରେ ଥିବା ଅଣୁଜୀବମାନଙ୍କର ବିଶୋଧନ କରିବାର ଅଦ୍ଭୁତ ଗୁଣ ଯୋଗୁଁ ଗଙ୍ଗା ଏକ ସାଧାରଣ ନଦୀ ନୁହେଁ । ଜି.ଡି. ଅଗ୍ରୱାଲ ଏକଥା ମଧ୍ୟ ଦେଖାଇଦେଇ ଗଲେ ଯେ ପୁରାଣ ଏବଂ ବିଜ୍ଞାନକୁ ଅଲଗା କରାଯାଇ ପାରିବ ନାହିଁ । ସରକାର ଶିଷ୍ଟତାର ସହିତ ଶୁଣିପାରିଥାଆନ୍ତେ ଏବଂ ଏହା ଶୁଣିବା ଉଚିତ୍ ଥିଲା । ସରକାର ତାଙ୍କୁ କ୍ଷମା ପ୍ରାର୍ଥନା କରିପାରି ଥାଆନ୍ତେ । କେବଳ ଏକ ନଦୀର ମୁମୁର୍ଷୁ ଅବସ୍ଥା ସକାଶେ ଏ ଶୋକ ନୁହେଁ, ବରଂ ଏକ ଏପରି ବ୍ୟକ୍ତିପାଇଁ ଏ ଶୋକ ଯିଏକି ଅନାବଶ୍ୟକ ଭାବେ ମୃତୁ୍ୟ ବରଣ କଲେ । ଏପରି ଜଣେ ବ୍ୟକ୍ତି ଯିଏକି ଏଭଳି ଏକ ଭାରତର ବିବେକ, ଯେଉଁ ଭାରତ ଯାହା ଉପଭୋକ୍ତାବାଦକୁ ଭଲପାଏ ଏବଂ ବିଶ୍ୱାସ କରେ ଯେ ମୂଲ୍ୟବୋଧରିକ୍ତ ଉପଭୋଗଦ୍ୱାରା ମଧ୍ୟ ନିରନ୍ତରତା ହାସଲ କରାଯାଇ ପାରିବ ।
ମୃତ୍ୟୁ ବେଳକୁ ଜି.ଡି. ଅଗ୍ରୱାଲ ୮୬ ବର୍ଷର ହୋଇଥିଲେ । ସେ ସ୍ୱାମୀ ଜ୍ଞାନ ସ୍ୱରୂପ ସାନନ୍ଦ ରୂପେ ପରିଚିତ ଥିଲେ ମାତ୍ର ସ୍ୱାମୀଜୀଙ୍କ ରୂପରେ ହେଉ ଅଥବା ଜଣେ ବୈଜ୍ଞାନିକ, ଏହି ବ୍ୟକ୍ତିଙ୍କ ସତ୍ୟତା ସମ୍ମୁଖରେ ସରକାର ସର୍ବଦା ଅପ୍ରତିଭ ଅନୁଭବ କରୁଥିଲେ । ଏହି ବ୍ୟକ୍ତିଙ୍କ ବିଶ୍ୱାସ ଯୋଗ୍ୟତା ଆଗରେ ଯୋଗୀ ଆଦିତ୍ୟନାଥଙ୍କ ଧର୍ମଉପଦେଶ କେବଳ ଛଳନା ପରି ପ୍ରତିୟମାନ ହୁଏ ଏବଂ ମୋଦୀଙ୍କ ଭାଷଣ କେବଳ ଅହଂକାରର ପ୍ରତିଫଳନ କରେ । ସରକାର ଗଙ୍ଗାର ଉପରମୁଣ୍ଡରେ ମାତ୍ରାଧିକ ସଂଖ୍ୟକ ନଦୀବନ୍ଧ ନିର୍ମାଣକୁ ବନ୍ଦ କରିବାପାଇଁ ତାଙ୍କ ପରାମର୍ଶକୁ ଶୁଣିବା ଉଚିତ୍ ଥିଲା । ଜି.ଡି. ଅଗ୍ରୱାଲ ଚାହୁଁଥିଲେ ଯେ ଗଙ୍ଗା ମୁକ୍ତରେ ପ୍ରବାହିତ ହେଉଥିବା ଅନେକଗୁଡିଏ ଭାବନା / ଧାରଣାର ସମାଜ ହେଉ ଏବଂ ମୁକ୍ତରେ ପ୍ରବାହିତ ନଦୀ ହେଉ ।
ପ୍ରତିବାଦର ମୂହୁର୍ତ୍ତ
ଜି.ଡି. ଅଗ୍ରୱାଲଙ୍କୁ ସମ୍ମାନ ପ୍ରଦର୍ଶନ କରିବା କିପରି ? ତାଙ୍କର ସଫଳତାର ତାଲିକା ପ୍ରସ୍ତୁତ କରି ନୁହେଁ, ବରଂ ତାଙ୍କର ସ୍ୱପ୍ନ ପୂରଣ ଦିଗରେ କାର୍ଯ୍ୟ କରି ଏବଂ ତାଙ୍କ ବୈଜ୍ଞାନିକ ବିଚାରଧାରାର ବିଶ୍ୱାସନୀୟତାକୁ ସମ୍ମାନ ଜଣାଇ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁପରେ ପ୍ରଥା ଅନୁଯାୟୀ ଗୋଟିଏ ମିନିଟ୍ର ନୀରବ ପ୍ରାର୍ଥନା ଦରକାର ନାହିଁ । ସେ ଯାହା କରୁଥିଲେ ସେଇ କଥାକୁ ହଜାର ହଜାର ଲୋକଙ୍କ ମୁହଁରେ ପରିଭାଷିତ କରାଯିବା ଆବଶ୍ୟକ । ଜି.ଡି. ଅଗ୍ରୱାଲଙ୍କ ପରି ବିଶିଷ୍ଟ ରାସାୟନବିତ୍ ସି.ଭି. ଶେଷାଦ୍ରୀ, ଏକା ଅନୁଷ୍ଠାନର ଅନୀଲ ଅଗ୍ରୱାଲ, ଇତ୍ୟାଦି ଆଇ.ଆଇ.ଟି କାନପୁରର ପାରିବେଶିକ ଜ୍ଞାନକୁ ଏକ କାବି୍ୟକ ସାବଲୀଳତା ପ୍ରଦାନ କରିଥିଲା ।
ଅନୁଷ୍ଠାନଗୁଡ଼ିକୁ ତାଙ୍କର ବିଜ୍ଞାନର ଢ଼ଙ୍ଗକୁ ବଜାୟ ରଖି୍ନବାକୁ ପଡ଼ିବ । ଯେତେବଳେ ସରକାର ଏପରି ବିଜ୍ଞାନକୁ ନଷ୍ଟ କରିଚାଲନ୍ତି କିମ୍ବା "ବିଗ୍ ସାଇନ୍ସ'ର ସର୍କସରେ ଏହି ବିଜ୍ଞାନକୁ ସ୍ଥାଣୁ କରିଦେଉଛନ୍ତି ଏବଂ ଭାରତୀୟ ବିଜ୍ଞାନ ଚୀନର ବିଜ୍ଞାନର ଘୁଣଖିଆ ବିଜ୍ଞାନକୁ ଅନୁକରଣ କରିଛାଲିଛନ୍ତି ସେତେବେଳେ ସ୍ୱରୂପ ସାନନ୍ଦଙ୍କ ପରି ବୈଜ୍ଞାନିକଙ୍କର କଥା ସ୍ମରଣ କରାଯିବା ଆବଶ୍ୟକ । ଏପରି ବୈଜ୍ଞାନିକମାନଙ୍କର ଜୀବନ ଉଭୟ ଭାରତୀୟ ବିଜ୍ଞାନ, ଆଧ୍ୟାତ୍ମିକତାର ସୋଧନ କରିଛନ୍ତି । ମୋ ବିଚାରରେ ଜି.ଡ଼ି. ଅଗ୍ରୱାଲଙ୍କର ସ୍ୱର୍ଗପ୍ରାପ୍ତିର ଶୋକ ପ୍ରକାଶ କରିବାର ମୁହୂର୍ତ୍ତ ନୁହେଁ । ଏହା ପ୍ରତିବାଦର, ବିରୋଧର ମୁହୂର୍ତ୍ତ ହେବା ଉଚିତ । ସେ ଯେଉଁସବୁ ସତ୍ୟ ଉନ୍ମୋଚନ କରିଯାଇଛନ୍ତି ସେସବୁର ଏକତ୍ରୀକରଣ ମୁହୂର୍ତ୍ତ ହେବାର ସମୟ ଆସିଛି । ଏହି ବିଜ୍ଞାନୀମାନେ ହିଁ ବିଜ୍ଞାନର ସୁରକ୍ଷା ପାଇଁ ଅଣ୍ଟାଭିଡ଼ି ବାହାରିବା ଉଚିତ । ପରିବେଶବିତ୍ ଓ ନଦୀସୁରକ୍ଷା କର୍ମୀମାନେ ଏବେ ସ୍ୱାମୀ ସ୍ୱରୂପ ସାନନ୍ଦଙ୍କ ସ୍ମୃତିକୁ ବାସ୍ତବ ରୂପ ଦେବାର ସମୟ ଆସିଛି । ସନ୍ୟାସୀ ସ୍ୱରୂପ ସାନନ୍ଦ ଏକ ସତ୍ୟାଗ୍ରହୀ ଭାରତ ନିର୍ମାଣର ମୁଖବନ୍ଧ ହିସାବରେ ସତ୍ୟାଗ୍ରହୀ ବିଜ୍ଞାନର ପ୍ରତିଶ୍ରୁତି ପାଇବା ପାଇଁ ହକ୍ଦାର । ତାଙ୍କର ଗଙ୍ଗା ମୁକ୍ତି ଅଭିଯାନ ଓ ସ୍ୱପ୍ନର ଗଙ୍ଗା ଗଠନକୁ ସାକାର କରିପାରିଲେ ତାହା ହିଁ ହେବ ଏହି ସନ୍ୟାସୀଙ୍କ ପ୍ରତି ଗଭୀର ସମବେଦନା ଓ ଶ୍ରଦ୍ଧାଞ୍ଜଳୀ ।