ସୁପ୍ରସିଦ୍ଧ ପଶ୍ଚିମ ଓଡିଶାର ପାପନାଶିନୀ ନୃସିଂହନାଥ ପୀଠ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରବୀଣ କୁମାର ପୁରୋହିତ

"କଥିତ ହୋଇଅଛିଯେ,ଏକଦା ମୂଷିକ ଦୈତ୍ୟନାମରେ ଏକ ରାକ୍ଷାସ ରହିଥିଲା । ସେ ତାର ମାତାଙ୍କୁ ଭକ୍ଷଣ କରିଥିଲା । ସେ ଭଗବାନ ଶିବଙ୍କୁ ଘୋର ତପସ୍ୟାକରିଥିଲା । ତାର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ବରଦାନ ପ୍ରାପ୍ତ ହେଲା ଯେ,ସେ କେବଳ ନରସିଂହଙ୍କ ବ୍ୟତୀତ ଆଉ କାହାଦ୍ୱାରା ପରାଜିତ ହେବ ନାହିଁ । ବରଦାନ ପାଇଲାପରେ ସେ ଶକ୍ତିଶାଳୀ ହୋଇ ଦେବାଦବୀଙ୍କୁ ଅତ୍ୟାଚାର କଲା । ଦେବତାମନେ ଭୀତତ୍ରସ୍ଥ ହୋଇ ଭଗବାନ ବିଷ୍ଣୁଙ୍କୁ ଏଥିରୁ ତ୍ରାହି ପାଇବା ପାଇଁ ପ୍ରାର୍ଥନା କଲେ । ଭଗବାନ ବିଷ୍ଣୁ ନୃସିଂହ ରୂପ ଧାରଣ କରି ମୂଷିକଦୈତ୍ୟ ସାମନାରେ ପ୍ରକଟିତ ହେଲେ । ନୃସିଂହ ରୂପ ଦେଖି ଭୟରେ ମୂଷିକ ପଳାୟନ କଲା । ଭଗବାନ ତାର ଅନୁଧାବନ କଲେ । ଶେଷରେ ସେ ଗନ୍ଧମାର୍ଦ୍ଧନ ପର୍ବତର ଷୁଡଙ୍ଗ(ଗର୍ତ୍ତ)ମଧ୍ୟରେ ଯାଇ ଆତ୍ମଗୋପନ କଲା । ସେହି ଦିନୁ ଭଗବାନ ନୃସିଂହନାଥ ବା ମାର୍ଜାରକେଶରୀ ଉକ୍ତ ସୁଡଙ୍ଗ(ଗର୍ତ୍ତ)ମୁଖରେ ଜଗି ରହିଲେ ।ସେହି ଦିନୁ ଏହି ସ୍ଥାନ ନୃସିଂହନାଥ ରୂପେ ବିଦିତ ହେଲା । "

ଓଡିଶାର ବଲାଙ୍ଗିର ଜିଲ୍ଲା ଓ ବରଗଡ ଜିଲ୍ଲା ସୀମାନ୍ତରେ ଥିବା ନୃସିଂହନାଥ ମନ୍ଦିରଟି ରାଜ୍ୟର ଏକ ପ୍ରମୁଖ ତୀର୍ଥସ୍ଥଳୀ ଅଟେ । ଏହି ତିର୍ଥସ୍ଥଳୀକୁ ଓଡିଶା ତଥା ଛତିଶଗଡର ଭକ୍ତମାନଙ୍କ ପ୍ରତିଦିନ ବହୁଳଭାବରେ ସମାଗମ ହୁଅନ୍ତି । ଏଠାରେ ଏକ ଚିରସ୍ରୋତା ଝରଣାଟିଏ କୁଳୁ କୁଳୁ ନାଦରେ ବହିଯାଉଛି ।ଏହାର ଆଖ ପାଖରେ ଥିବା ଘନ ଜଙ୍ଗଲର ବୃକ୍ଷରାଜି ଓ ଗନ୍ଧମାର୍ଦ୍ଧନ ପର୍ବତ ପରିବେଷ୍ଟିତ ହୋଇ ତିର୍ଥସ୍ଥଳୀକୁ ସୁଶୋଭିତ କରିଥାଏ ।ଏହି ଗନ୍ଧମାର୍ଦ୍ଧନ ପର୍ବତମାଳାରେ ଅନେକଗୁଡିଏ ଛୋଟବଡ ପ୍ରପାତ ରହିଛି । ଏହି ପ୍ରପାତଗୁଡିକ ନାଁ ଗୁଡିକ ହେଲା କପିଳଧାର, ଚାଳଧାର, ଭୀମଧାର, ଗଜଧାର ଅଟେ । ଏହି ପ୍ରପାତଗୁଡିକ ଦେଖିବାକୁ ଅତି ମନୋହର । ପର୍ବତର ଅପର ପାଶ୍ୱର୍ରେ ହରିଶଙ୍କର ମନ୍ଦିର ଅବସ୍ଥିତ । ଗନ୍ଧମାର୍ଦ୍ଧନ ପାହାଡରେ ଜୀବନ ରକ୍ଷକ ଗୁଳ୍ମ ଓ ଔଷଧିୟ ବୃକ୍ଷ ଦେଖିବାକୁ ମିଳିଥାଏ । ଏ ପାହାଡରେ ଅନେକ ବନ୍ୟ ଜୀବଜନ୍ତୁ ବାସ କରନ୍ତି । ଏହାର ପାଦଦେଶରେ ଅନେକ ଗୁଡିଏ ଗାଁ ରହିଛି । ଏ ଗାଁର ବାସୀନ୍ଦାମାନେ ବଣରୁ ମିଳୁଥିବା କାଠ, ପତ୍ର, ଫଳ ମୂଳ, କନ୍ଦ ଇତ୍ୟାଦି ସଂଗ୍ରହକରି ଜୀବନ ନିର୍ବାହ କରନ୍ତି । ଏହି ପର୍ବତର କୋଳ ରେ ସୁପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଅବସ୍ଥିତ । ନୃସିଂହନାଥ ମନ୍ଦିରଟିକୁ ପରାଧିନ ଭାରତର ପାଟଣାଷ୍ଟେଟର ଚୈାହାନ ବଂଶର ରାଜା ବୈଜଲ ଦେବଙ୍କ ଦ୍ୱାରା ୧୪୧୩ ଖ୍ରୀଷ୍ଟାଦ୍ଧରେ ନିର୍ମିତ ହୋଇଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ ଏକଦା ଏକକନ୍ଧୁଣୀ କନ୍ଦାଗାଡ ଝରଣା ପାଖେ ପିଠାକନ୍ଦା ଖୋଜୁଥିବା ବେଳେ ଏକ ଗର୍ତ୍ତରୁ ରକ୍ତ ଧାର ବାହୁରୁଥିବା ଦେଖିଲା । ଏହା ଦେଖି ଭୟରେ ସେ କନ୍ଧ(ସ୍ୱାମୀ)କୁ ଯାଇ ଏକଥା ବର୍ଣ୍ଣନା କଲା । କନ୍ଧ ସେ ସ୍ଥାନକୁ ଯାଇ ବିସ୍ମିତ ହୋଇ ଉକ୍ତ ଗର୍ତ୍ତକୁ ଗଭୀର ଭାବେ ଖୋଲିବାରେ ଲାଗିଲା । ଖୋଳୁ ଖୋଳୁ ଗର୍ତ୍ତଭିତରେ ଗୋଟାଏ ଦେବତାଙ୍କ ମୂର୍ତ୍ତି ଦେଖିବାକୁ ପାଇଲା । ଉକ୍ତ ମୂର୍ତ୍ତିଟିକୁ ସେ ଗର୍ତ୍ତରୁ କାଢି ଆଣି ନିଜ ଘରେ ରଖିଲା । ସେ ଦିନ ରାତ୍ରୀପ୍ରହରରେ ତାକୁ ସ୍ୱପ୍ନାଦେଶ ହେଲା ଯେ ଯେଉଁ ମୂର୍ତ୍ତିଟିକୁ ସେ ଆଣିଥିଲା ସେ ହେଉଛନ୍ତି ସ୍ୱୟଂ ନୃସିିଂହନାଥ ବା ମାର୍ଜାରକେଶରୀ ଅଟନ୍ତି । ଏ କଥା ସେ ପାଟଣା ମହାରାଜ ବୈଜଲଦେବଙ୍କୁ ଜଣାଇଲା । ଉକ୍ତ ସ୍ଥାନରେ ମହାରାଜ ମନ୍ଦିର ତୋଳାଇ ପ୍ରଭୁ ନୃସିଂହନାଥଙ୍କୁ ସ୍ଥାପନ କରାଇଲେ । ସିଂହାସନର ବାହ୍ୟପାଶ୍ୱର୍ରେ ଚତୁର୍ଭୁଜ ବିଶିଷ୍ଟ ତ୍ରୀବିକ୍ରମଙ୍କ ମୂର୍ତ୍ତି ଅଛି । ତାଙ୍କ ପାଦଦେଶର ଏକ ପାଶ୍ୱର୍ରେ ଲକ୍ଷ୍ମୀ ଓ ଅନ୍ୟ ପାଶ୍ୱର୍ରେ ବାମନ ବାଳୀ ଏବଂ ତାଙ୍କ ମନ୍ତ୍ରୀଙ୍କ ମୂର୍ତ୍ତି ତଥା ଦକ୍ଷିଣକୁ ମୁହଁ କରି ବରାହଙ୍କ ମୂର୍ତ୍ତି ଅଛି । ସିଂହାସନ ମଧ୍ୟରେ ନୃସିଂହନାଥ ଅଥବା ମାର୍ଜାରକେଶରୀଙ୍କ ଏକ କ୍ଷୁଦ୍ର ପ୍ରତିମା ସ୍ଥାପିତ ହୋଇଛି । ପ୍ରତିମାରେ ରୋପ୍ୟଧାତୁରେ ନିର୍ମିତ ନାସା ଚକ୍ଷୁ ଓ ମୁଖ ଖଚିତ ହୋଇଛି ।ଐତିହାସିକମାନେ ମତ ଦିଅନ୍ତି ଯେ ଏ ମନ୍ଦିରର ଦ୍ୱାରବନ୍ଧ ଓ ମହାମଣ୍ଡପର ପରିଲକ୍ଷିତ କାରୁକାର୍ଯ୍ୟଗୁଡିକୁ ଅନୁଧ୍ୟାନ କଲେ ଏହି ମନ୍ଦିରଟି ଖଜୁରାହୋ ମନ୍ଦିର ଶୈଳୀରେ ନିର୍ମିତ ହୋଇଥିବା କୁହାଯାଏ ।ମନ୍ଦିର ନିର୍ମାଣ ଶୈଳୀର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ ମଣ୍ଡପକୁ ଧରି ରଖିବା ପାଇଁ ସ୍ତମ୍ଭର ବ୍ୟବହାର ଓଡିଶାର ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଦୃଷ୍ଟିିଗୋଚର ହୁଏ ନାହିଁ । ଏ ସ୍ତମ୍ଭ ଦେହରେ ଖୋଦିତ ଚାରୁକଳା ଓ ଭାସ୍କର୍ଯ୍ୟ ଗୁଡିକ ପ୍ରାୟତଃ ୬୦୦ରୁ ୬୫୦ ଖ୍ରୀଷ୍ଟାଦ୍ଧର ବୋଲି ଗବେଷକମାନେ ମତପୋଷଣ କରନ୍ତି । ମୁଖ୍ୟ ମନ୍ଦିରର ମୂର୍ତ୍ତିଗୁଡିକ ବ୍ୟତୀତ ଆଉ ଅନେକ ଶିଳାମୂର୍ତ୍ତି ମଧ୍ୟ ଏଠାରେ ଦେଖିବାକୁ ମିଳେ । ସେ ଗୁଡିକ ହେଲା ବୃହତ୍ ଶିଳାଖଣ୍ଡରେ ଖୋଦିତ ହୋଇଥିବା ବିରାଟକାୟ ଦୁର୍ଗାମୂର୍ତ୍ତି,ଗଣେଶ,ବ୍ରହ୍ମା,ବିଷ୍ଣୁ,ମହେଶ୍ୱର,ନନ୍ଦୀ ପଞ୍ଚୁ ପାଣ୍ଡବ ମୂର୍ତ୍ତି । ଏ ଗୁଡିକ ପରବର୍ତ୍ତୀ ସମୟର ବୋଲି କେତେକ ଐତିହାସିକ ମତ ଦିଅନ୍ତି । ପାଷାଣ ଗାତ୍ରରେ ଅଙ୍କିତ ସୂକ୍ଷ୍ମସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ରୂପ ସମ୍ଭାର ଦେଖିଲେ ପ୍ରାଚୀନ କୋଶଳ ରାଜ୍ୟର ଶିଳ୍ପୀମାନଙ୍କର କଳା କୁଶଳତା ଶିଳ୍ପଚାତୁରୀ ଓ ଅପୂର୍ବ ସାଂସ୍କୃତିକ ଚେତନାର ପରାକାଷ୍ଠା ହୃଦୟଙ୍ଗମ ହୁଏ । ଏଠାରେ ବୌଦ୍ଧଧର୍ମାବଲମ୍ବି ଓ ହିନ୍ଦୁଧର୍ମାବଲମ୍ବିଙ୍କ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥାଏ । ସପ୍ତମ ଖ୍ରୀଷ୍ଟାଦ୍ଧରେ ଚୀନ୍ ପରିବ୍ରାଜକ ହୁଏନସାଂଙ୍କ ବର୍ଣ୍ଣିତ ଐତିହାସିକ ବିବରଣୀରୁ ଜଣାଯାଏ ଯେ ପରିମଳ ଗିରି ବା ଗନ୍ଧମାର୍ଦ୍ଧନ ପର୍ବତର ଏହି ସ୍ଥାନରେ ବିଖ୍ୟାତ ବୈାଦ୍ଧପଣ୍ଡିତ ଓ ଦାର୍ଶନିକ ନାଗାର୍ଜୁନଙ୍କ ଏକ ବୈାଦ୍ଧବିହାର ଓ ବୈାଦ୍ଧମାନଙ୍କର ବିଶ୍ୱବିଦ୍ୟାଲୟ ସ୍ଥାପିତ ହୋଇ ଥିଲା ତାକୁ ଭୋଜଗଡ କୁହାଯାଏ । ପତ୍ନତତ୍ୱ୍ୱବିଦମାନଙ୍କ ଖନନ ସମୟରେ ଅନେକ ବୈାଦ୍ଧ କିର୍ତ୍ତିମାନ ଦେଖିବାକୁ ମିଳିଥିଲା । ମହାପ୍ରଭୁ ନୃସିଂହନାଥଙ୍କ ପୂଜା ଓ ନୀତିକାନ୍ତି ସ୍ୱତନ୍ତ୍ର ଧରଣର ଅଟେ । ଏଠାରେ ସାଧାରଣତଃ ନାବାଳକ ଅବିବାହିତ ଆରଣ୍ୟକ ବ୍ରାହ୍ମଣମାନେ ପୂଜା ଆରଧନା କରିଥାନ୍ତି । ସେମାନଙ୍କ ବିବାହ ହେଲାପରେ ପୂଜାରୁ ବାଦ୍ ପଡନ୍ତି ଓ ସେମାନେ ମନ୍ଦିରର ଅନ୍ୟ ନୀତି ପୂଜା କରିଥାନ୍ତି ।ପ୍ରଥମେ ନୃସିଂହନାଥଙ୍କ ପୂଜା କନ୍ଧମାନେ କରୁଥିବାବେଳେ,ଦୁଇଜଣ ବ୍ରାହ୍ମଣପିଲା ଉପନୟନ ସମୟରେ ଗାର ଡେଇଁ ଆଜନ୍ମ ବ୍ରହ୍ମଚାରୀ ହୋଇ ପଳେଇ ଆସି, ଏ ମନ୍ଦିରରେ ଆଶ୍ରୟ ନେଇଥିଲେ । କନ୍ଧ ପୂଜକମାନେ ଅନ୍ନ ଭକ୍ଷଣ କରିବାକୁ କହିବାରୁ ସେମାନେ କହିଲେ ତୁମେ କନ୍ଧଜାତି ତୁମ୍ଭ ହାତରୁ ଅନ୍ନ ଭକ୍ଷଣ କରିବୁ ନାହିଁ । ସେ ସମୟରେ ଲୋକେ ବ୍ରାହ୍ମଣମାନଙ୍କୁ ଦେବତା ଭଳିଆ ସମ୍ମାନ କରୁଥିଲେ । ଏହି କାରଣରୁ କନ୍ଧପୂଜକମାନେ ସମ୍ମାନ ଜଣାଇ, ସେହି ଦୁଇ ବ୍ରାହ୍ମଣପିଲାଙ୍କୁ ପୂଜା ଆରଧନା ତଥା ଭୋଗ ରାନ୍ଧିବା ଦାୟିତ୍ୱ ଚିରଦିନ ପାଇଁ ଏ ସେବା ଅର୍ପଣ କଲେ । ଏହି ଦିନ ଠାରୁ ନାବାଳକ ଆରଣ୍ୟକ ବ୍ରାହ୍ମଣ ମହାପ୍ରଭୁ ନୃସିଂହାନାଥଙ୍କ ପୂଜାବିଧି କରି ଆସୁଛନ୍ତି । ଏବେ ଏମାନଙ୍କ ପାଇଁ ସଂସ୍କୃତ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ଦିଆଯାଉଛି । ନୃସିଂହନାଥ ଭଗବାନଙ୍କ ନୀତିରେ ଗୋଟିଏ ସ୍ୱତନ୍ତ୍ର “ପଙ୍ଗତ”ଲାଗି ହୋଇଥାଏ । ଏହା ପ୍ରତ୍ୟହ ଦିବା ଘ. ୧୨ ଟା ହୋଇଥାଏ । ଏହି “ପଙ୍ଗତ”ଲାଗି ସରିଗଲେ ଜଣେ ବ୍ରାହ୍ମଣ ପିଲା ହରିହର ପଙ୍ଗତ ହରିହର ପଙ୍ଗତ ବୋଲି ତିନିଥର ଡାକରା ଦିଏ । ଏହାପରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମାଗଣାରେ ଅନ୍ନ ପ୍ରସାଦ ପାଇଥାନ୍ତି ।ମନ୍ଦିର ପଛପଟେ ଥିବା ପାହଡରେ ଏକ ଛୋଟ ସୁଡଙ୍ଗ(ଗର୍ତ୍ତ)ଅଛି । ଏହାକୁ ମୂଷିକଦୈତ୍ୟ ଦ୍ୱାର କହନ୍ତି ।କଥିତ ହୋଇଅଛିଯେ,ଏକଦା ମୂଷିକ ଦୈତ୍ୟନାମରେ ଏକ ରାକ୍ଷାସ ରହିଥିଲା । ସେ ତାର ମାତାଙ୍କୁ ଭକ୍ଷଣ କରିଥିଲା । ସେ ଭଗବାନ ଶିବଙ୍କୁ ଘୋର ତପସ୍ୟାକରିଥିଲା । ତାର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ବରଦାନ ପ୍ରାପ୍ତ ହେଲା ଯେ,ସେ କେବଳ ନରସିଂହଙ୍କ ବ୍ୟତୀତ ଆଉ କାହାଦ୍ୱାରା ପରାଜିତ ହେବ ନାହିଁ । ବରଦାନ ପାଇଲାପରେ ସେ ଶକ୍ତିଶାଳୀ ହୋଇ ଦେବାଦବୀଙ୍କୁ ଅତ୍ୟା•ର କଲା । ଦେବତାମନେ ଭୀତତ୍ରସ୍ଥ ହୋଇ ଭଗବାନ ବିଷ୍ଣୁଙ୍କୁ ଏଥିରୁ ତ୍ରାହି ପାଇବା ପାଇଁ ପ୍ରାର୍ଥନା କଲେ । ଭଗବାନ ବିଷ୍ଣୁ ନୃସିଂହ ରୂପ ଧାରଣ କରି ମୂଷିକଦୈତ୍ୟ ସାମନାରେ ପ୍ରକଟିତ ହେଲେ । ନୃସିଂହ ରୂପ ଦେଖି ଭୟରେ ମୂଷିକ ପଳାୟନ କଲା । ଭଗବାନ ତାର ଅନୁଧାବନ କଲେ । ଶେଷରେ ସେ ଗନ୍ଧମାର୍ଦ୍ଧନ ପର୍ବତର ଷୁଡଙ୍ଗ(ଗର୍ତ୍ତ)ମଧ୍ୟରେ ଯାଇ ଆତ୍ମଗୋପନ କଲା । ସେହି ଦିନୁ ଭଗବାନ ନୃସିଂହନାଥ ବା ମାର୍ଜାରକେଶରୀ ଉକ୍ତ ସୁଡଙ୍ଗ(ଗର୍ତ୍ତ)ମୁଖରେ ଜଗି ରହିଲେ ।ସେହି ଦିନୁ ଏହି ସ୍ଥାନ ନୃସିଂହନାଥ ରୂପେ ବିଦିତ ହେଲା ।

ମନ୍ଦିର ନିକଟବର୍ତ୍ତି ଝରଣାରେ ଅନେକ ଗୁଡିଏ ଘାଟ ରହିଛି । ଏମାନଙ୍କ ମଧ୍ୟରୁ “ ଗୋକୁଣ୍ଡ ଘାଟ” ଅନ୍ୟତମ । କିମ୍ବଦନ୍ତୀରୁ ଜଣାଯାଏ ଯେ ଏଠାରେ ଭଗବାନ ଶିବ ଗୋହତ୍ୟା ପାପରୁ ମୁକ୍ତି ପାଇବା ପାଇଁ ଏ ଗୋକୁଣ୍ଡ ଘାଟରେ ସ୍ନାନ କରିଥିଲେ । ଯେଉଁମାନେ ଗୋହତ୍ୟା ପାପ କରନ୍ତି ସେମାନେ ଆସି ଏଠାରେ ସ୍ନାନ ଓ ମୁଣ୍ଡନ କରି ଗୋହତ୍ୟା ପାତକରୁ ମୁକ୍ତି ପାଇଥାନ୍ତି । ନୃସିଂହନାଥ ମନ୍ଦିରର ଏକ ମୁଖ୍ୟ ବିଶେଷତ୍ୱ ହେଲାଯେ ଭାରତବର୍ଷରେ କୈାଣସି ଠାରେ ଗୋହତ୍ୟା ପାପରୁ ମୁକ୍ତି ପାଇବା ଏଭଳିଆ ଆଉ କୈାଣସି ତିର୍ଥସ୍ଥାନ ନାହିଁ । ଏହି ପର୍ବତମାଳାରେ ଏକ ବିରାଟ ଚଟାଣ ଖୋଳରୁ ଏକ ଛୋଟ ଜଳାଧାର ଝରି ଆସୁଛି । । ଲୋକକଥାନୁସାରେ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଏଠାକୁ ଆସି କିଛି ଦିନ ଅବସ୍ଥାନ କରିଥିଲେ । ଏହି ସମୟରେ ଭଗବାନ ଶ୍ରୀରାମଚନ୍ଦ୍ର ଗଙ୍ଗାଙ୍କୁ ଆଣିଥିଲେ । ତେଣୁ ସେ ଗୁପ୍ତଭାବରେ ପର୍ବତ କନ୍ଦରରୁ ଗଙ୍ଗାମାତା ଝରି ଆସୁଛନ୍ତି । ଏଣୁ ଏହା ଗୁପ୍ତଗଙ୍ଗା ନାମରେ ଖ୍ୟାତ । ଏହି ଦିନୁ ଏଠାରେ ପଶ୍ଚିମ ଓଡିଶା କାହିଁକି ଝାରଖଣ୍ଡ, ବିହାର,ଛତିଶଗଡରୁ ଲୋକେ ଅସ୍ଥି ପ୍ରବାହ ଓ ପିତୃପୁରୁଷ ତର୍ପଣ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଏହି ଗୁପ୍ତଗଙ୍ଗାକୁ ଆସିଥାନ୍ତି । ଗୁପ୍ତଗଙ୍ଗା ପାଖରେ ବିରାଟ ପଥର ଚଟାଣରେ ସୂର୍ଯ୍ୟ,ଚନ୍ଦ୍ର,ବ୍ରହ୍ମା ଏବଂ ପଞ୍ଚୁପାଣ୍ଡବଙ୍କ ମୂର୍ତ୍ତି ଖୋଦିତ ହୋଇଛି । ଏ ନୃସିଂହନାଥ ମନ୍ଦିରରେ ଏକ ସୁନ୍ଦର ସଂଗ୍ରହାଳୟ ଏବଂ ମାର୍ଜାରକେଶରୀ ବି•ାରାଳୟ ମଧ୍ୟ ଅଛି । ଏ ବିଚାରାଳୟରେ ଅନେକ ସମସ୍ୟାର ସମାଧାନ କରାଯାଇ ଥାଏ । ପ୍ରଶାସନଙ୍କ ପଚେଷ୍ଟାରେ ଅନେକ ଧର୍ମଶାଳା, ଅତିଥି ଭବନ ଓ ସୁନ୍ଦର ଉଦ୍ୟାନ କରାଯାଇଅଛି । ଏ ଉଦ୍ୟାନରେ ହନୁମାନଙ୍କ ଗୋଟିଏ ବିରାଟ ମୂର୍ତ୍ତି ,ଭୀଷ୍ମଙ୍କ ଶରଶର୍ଯ୍ୟା,ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଗୀତା ଶୁଣାଉ ଥିବା ଦୃଶ୍ୟର ମୂର୍ତ୍ତି,ମୁଣ୍ଡକଟା ହୋଇ ସ୍ତମ୍ଭରେ ଥିବା ବେଳାଲସେନଙ୍କ ମୂର୍ତ୍ତି ଇତ୍ୟାଦି ଦେଖିବାକୁ ମିଳିଥାଏ । ନୃସିଂହନାଥ ମନ୍ଦିର ପ୍ରବେଶ ଦ୍ୱାରରେ ନୃସିଂହନାଥଙ୍କୁ ପାଇଥିବା କନ୍ଧ ଓ କନ୍ଧୁଣୀଙ୍କ ଚିତ୍ର ରହିଛି । ନୃସିଂହନାଥ ମନ୍ଦିରରେ ପ୍ରତିବର୍ଷ ବୈଶାଖ ଚତୁର୍ଦ୍ଧଶୀ ଦିନ ନୃସିଂହ ଚତୁର୍ଦ୍ଧଶୀ ପର୍ବପାଳନ ଉପଲକ୍ଷେ ଏଠାରେ ଏକ ବିରାଟ ମେଳା ହୁଏ । ଏହି ଦିନ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ପାଟଣାଗଡ
ମୋ .ନଂ -୮୪୫୫୮୭୯୫୯୫, ୯୪୩୮୦୨୪୮୮୪

0
0
0
s2sdefault