ରଙ୍ଗ ବୋଳା ଟଙ୍କା ସହ ରେଡହାଣ୍ଡ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ
ହେଲେ ବଳିଷ୍ଠ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାରାପ୍ରସାଦ ରଥ ଏକ ଭିଜିଲାନ୍ସ ଟ୍ରାପ ମାମଲା ଟିସି କେସ ନମ୍ବର ୬/୧୪ର ବିଚାର କରି ବର୍ତ୍ତମାର କପ୍ତିପଦା ତହସିଲର ଏଆରଆଇ ଅଭିମନ୍ୟୁ ବାରିକଙ୍କୁ ଠୋଷ ପ୍ରମାଣ ଅଭାବରୁ ଦୋଷମୁକ୍ତ ଘୋଷଣା କରାଇଛନ୍ତି । ମାମଲାର ବିବରଣୀରୁ ଜଣାପଡ଼ିଛି, ୨୦୧୩ ଅକ୍ଟୋବର ୮ ଅଭିମନ୍ୟୁ ବାରିକ ଠାକୁରମୁଣ୍ଡା ତହସିଲ ଅନ୍ତର୍ଗତ ଠାକୁରମୁଣ୍ଡା ଆରଆଇ ସର୍କଲରେ ଆରଆଇ ଦାୟିତ୍ୱରେ ରହିଥିଲେ । ସେହି ସମୟରେ ଉକ୍ତ ତହସିଲ ଅନ୍ତର୍ଗତ ସାତକୋଶିଆ ଆରଆଇ ସର୍କଲର ଘୁଳୁଘୁଳିଆ ଗ୍ରାମ ଦୁଲୁମ ବିରୁଆ ଏକ ସରକାରୀ ଜମି ପାଇବା ପାଇଁ ସ୍ଥାନୀୟ ତହସିଲରେ ଆବେଦନ କରିଥିଲେ । ଏହା ଉପରେ ତଦନ୍ତ କରି ଠାକୁରମୁଣ୍ଡା ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ ଆରଆଇ ଶ୍ରୀବାରିକ ଆବେଦନକାରୀ ଶ୍ରୀବିରୁଆଙ୍କୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ତେଣୁ ଆବେଦନକାରୀ ଶ୍ରୀବିରୁଆ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ପୂର୍ବ ଯୋଜନା ଅନୁସାରେ ୦୮/୧୦/୨୦୧୩ରେ ଭିଜିଲାନ୍ସଠାରୁ ନେଇଥିବା ୫ ହଜାର ରଙ୍ଗବୋଳା ଟଙ୍କା ଆରଆଇ ଅଭିମନ୍ୟୁ ବାରିକଙ୍କୁ ଦେବା ପରେ ଭିଜିଲାନ୍ସ ତାଙ୍କୁ ରଙ୍ଗବୋଳା ହାତରେ ଗିରଫ କରିବା ସଂଗେସଂଗେ ୫ ହଜାର ଟଙ୍କାକୁ ମଧ୍ୟ ଜବତ କରିଥିଲେ । ଆଜି ଉକ୍ତ ମାମଲାରେ ଭିଜିଲାନ୍ସ ପକ୍ଷରୁ ସାକ୍ଷୀମାନେ ଦେଇଥିବା ବୟାନ ଓ ସମସ୍ତ ପ୍ରମାଣପତ୍ରରେ ଅଭିଯୁକ୍ତଙ୍କ ବିରୋଧରେ ସେପରି ବଳିଷ୍ଠ ପ୍ରମାଣ ଅଭାବ ରହିଥିବା କାରଣରୁ କୋର୍ଟ ଅଭିଯୁକ୍ତକୁ ସସମ୍ମାନେ ଦୋଷ ମୁକ୍ତ ଘୋଷଣା କରିଥିଲେ । ଉକ୍ତ ମକଦ୍ଦମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିବା ବେଳେ ବିବାଦୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଟ୍ଟନାୟକ ଏବଂ ସହଯୋଗୀ ସୁନିଲ ଅଗ୍ରୱାଲ ପରିଚାଳନା କରିଥିଲେ ।