ପ୍ରତ୍ୟକ୍ଷଦର୍ଶୀଙ୍କ ଆବିର୍ଭାବକୁ ନେଇ ଅଡ଼ୁଆରେ ପୁଲିସ
ମିଡିଆଠାରୁ ଦୂରେଇ ରଖିବାକୁ ରୀତିମତ ପ୍ରୟାସ
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଆନ୍ଦୋଳନମୁଖା ବିଜେପି
ଅପରାଧୀ ରାଜନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ବହୁ ଚର୍ଚ୍ଚିତ କୁନୁପଣ୍ଡା ହତ୍ୟା ମାମଲାର ହତ୍ୟାକାରୀଙ୍କୁ ଚିହ୍ନଟ ଓ ଠାବ କରିବା ସମ୍ପ୍ରତି ଜିଲ୍ଲା ପୁଲିସ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ଘଟଣାରେ ପଲଟିକାଲ ଲିଙ୍କ୍ ନେଇ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ ଉଠାଇ ଚାଲିଥିବା ବେଳେ ଆଜି ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏସପି ନୀତି ଶେଖର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହି ଅଞ୍ଚଳର ଭଟ୍ଟ ମୁର୍ମୁୁଙ୍କ ପୁଅ ଜିତେନ ମୁର୍ମୁୁ(୨୯) ଓ ବାବୁରାମ ରାଓଙ୍କ ପୁଅ ବାବୁ ଓରଫ ଚନ୍ଦ୍ରା ରାଓ(୨୮) ଏବଂ ଚାନ୍ଦିପୁର ଥାନା ଅନ୍ତର୍ଗତ ନାଙ୍ଗୁଡ଼ି ଅଞ୍ଚଳର ଦୁଃସାହସନ ଜେନାଙ୍କ ପୁତ୍ର ଅଭି ଜେନା (୩୨) । ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଗୋଟି ତେଲେଙ୍ଗା କଟୁରୀ ମଧ୍ୟ ପୁଲିସ ଜବତ କରିଛି । ଏହି ତିନିଜଣଙ୍କ ବ୍ୟତୀତ ଆହୁରି ୭ ଜଣ ଅଭିଯୁକ୍ତ ଏବେ ଫେରାର ଥିବା ବାଲେଶ୍ୱର ଏସପି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ନଦୀବାଲି ଚାଲାଣକୁ ନେଇ ଦୁଇ ଅପରାଧିକ ଗୋÂୀଙ୍କ ମଧ୍ୟରେ ଦୀର୍ଘଦିନରୁ ଥିବା ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସେ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ କୌଣସି ପଲଟିକାଲ ଲିଙ୍କ୍ ନଥିଲେ ବି ଘଟଣା ଦିନ କୁନୁ ପଣ୍ଡା ଓ ସହଯୋଗୀ ଓଟିରୋଡ଼୍ସ୍ଥିତ ଶାସକ ଦଳର ଜିଲ୍ଲା ମୁଖ୍ୟଙ୍କ ଅଫିସକୁ ଯାଇଥିଲେ ଓ କୌଣସି ଆଲୋଚନା ହୋଇ ନଥିବା ପୁଲିସ ସୂଚନା ଦେଇଛି । ସେଠାରୁ ଫେରିବା ସମୟରେ ଅନ୍ୟଗୋÂୀର ୧୦ ଜଣ ୩ ଗୋଟି ବାଇକ୍ ଓ ଗୋଟିଏ ସ୍କୁଟିରେ ଆସି କୁନୁପଣ୍ଡାଙ୍କୁ ଆକ୍ରମଣ କରିଥିଲେ ବୋଲି ଏସପି କହିଛନ୍ତି । ଖୁବଶୀଘ୍ର ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ହତ୍ୟାକାଣ୍ଡ ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ରଂଜନ ରାଉତ ଦେଇଥିବା ଲିଖିତ ସ୍ୱୀକାରୋକ୍ତିକୁ ତଦନ୍ତ ସମୟରେ ପୁଲିସ ଗୁରୁତ୍ୱ ଦେଉନଥିବା ଏସପିଙ୍କ ସୂଚନାରୁ ଆଜି ବେଶ ସ୍ପଷ୍ଟ ହୋଇଥିଲା । ଏ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏସପି ଚତୁରତାର ସହ ଏଡେ଼ଇ ଯାଇଥିଲେ । ତଦନ୍ତ ଜାରି ଥିବା ବେଳେ କିଛି କହିବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଥଲେ । ଅନ୍ୟପକ୍ଷରେ ଏସପିଙ୍କ ପ୍ରେସ୍ ମିଟ୍କୁ ଘଣ୍ଟାଏ ବିତି ନ ଥିବା ବେଳେ ହତ୍ୟାକଣ୍ଡର ପ୍ରତ୍ୟକ୍ଷଦର୍ଶୀ ଭାବେ ଦାବି କରୁଥିବା ଗବଗାଁ ପଞ୍ଜିବାଗର ରଂଜନ ରାଉତଙ୍କ ହଠାତ ଆବିର୍ଭାବ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି । ଜବାନବନ୍ଦି ପାଇଁ ସେ ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲଙ୍କ ନିକଟରେ ହାଜର ହୋଇଛନ୍ତି । ପଚରାଉଚୁରା ସମୟରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ କ୍ରାଇମ୍ ଡିଏସପି ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ଶ୍ରୀ ରାଉତଙ୍କ ବୟାନକୁ ପୁଲିସ କେତେ ମାତ୍ରାରେ ଗ୍ରହଣ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀ ରାଉତଙ୍କୁ ମିଡିଆଠାରୁ ଦୂରେଇ ରଖିବା ପାଇଁ ପୁଲିସ ରୁଦ୍ଧଦ୍ୱାରରେ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଥିଲା । ଏସପିଙ୍କ ନିଦେ୍ର୍ଧଶ ନହେବା ପର୍ଯ୍ୟନ୍ତ ତାଙ୍କୁ ମିଡିଆ ଆଗକୁ ଅଣାଯିବ ନାହିଁ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଶ୍ରୀ ରାଉତଙ୍କ ସାକ୍ଷ୍ୟ ଯୋଗୁଁ ଅଭିଯୁକ୍ତ ତାଲିକାରେ ରାଜନେତାଙ୍କ ନାମ ଆସିବା କାରଣରୁ ପୁଲିସ ତାଙ୍କର ଜବାନବନ୍ଦୀକୁ କେତେ ଗୁରୁତ୍ୱ ଦେବେ ତାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା ।
ଅନ୍ୟପକ୍ଷରେ : ଜିଲ୍ଲାରେ ବଢ଼ି ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଏସପି ନୀତି ଶେଖରଙ୍କୁ ଦାୟୀ କରିବା ସହ ତାଙ୍କର ବଦଳି ଦାବି କରିଛି ବିଜେପି ଆଇନ ବିଭାଗ । ଏହି ପରିପ୍ରେକ୍ଷୀରେ ସହରର ରେଣୁକା କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଆଇନ ପରାମର୍ଶ ବିଭାଗର ଆବାହକ ପ୍ରସନ୍ନ କୁମାର ପାଢ଼ୀ ଯୋଗଦେଇ ଜିଲ୍ଲା ପୁଲିସର ସ୍ଥାଣୁତା ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥର ମୁଖ୍ୟ କାରଣ ବୋଲି କହିଛନ୍ତି । ଶାସକ ଦଳ ନେତାଙ୍କ ହାତବାରିସି ସାଜି ଏସପି ବାଲେଶ୍ୱର ଜିଲ୍ଲାକୁ ଅପରାଧିକ ବଳୟକୁ ଟାଣି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କୁ ପୁଲିସ ଅତି ଅମାନୁଷିକ ଭାବେ ମାଡ଼ ମାରିବା ଓ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା କେଶରେ ଫସାଇ ଜେଲ ପଠାଇବା ଏହାର ଉଦାହରଣ ବୋଲି ସେ କହିଛନ୍ତି । ସରକାର ତୁରନ୍ତ ଏହି ଦୁର୍ନୀତିଗ୍ରସ୍ତ ଏସପିଙ୍କୁ ବାଲେଶ୍ୱରରୁ ବଦଳି ନକଲେ ଆଗାମୀ ଦିନରେ ବିଜେପି ଲିଗାଲ ସେଲ ତୀବ୍ର ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତି, ଲମ୍ବୋଦର ନାୟେକ, କାର୍ତ୍ତିକ ସ, ରାଇମୋହନ ପଟ୍ଟନାୟକ, ମହମ୍ମଦ ଇସଲାମ, ଜିତେନ୍ଦ୍ର କୁମାର ରାଉତ, ବାଦଲ ଦାସ, କେଶବ ଆଚାର୍ଯ୍ୟ, ହରେକୃଷ୍ଣ ଦାଶ, କମଳଲୋଚନ ପ୍ରଧାନଙ୍କ ସମେତ ବହୁ ଆଇନଜୀବୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ଅନ୍ୟଏକ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ପାଦକ ମିହିର ପାଣି, କ୍ଷେତ୍ରୀୟ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର ପ୍ରମୁଖ ଯୋଗଦେଇ ତାଳସାରୀ ମହୋସôବରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ଫିଙ୍ଗିଥିବା ମହିଳା ରାଜେଶ୍ୱରୀ କମିଳାଙ୍କ ପ୍ରତି ପୁଲିସର ଅମାନୁଷିକ ଅତ୍ୟାଚାର ଘଟଣାକୁ ନିନ୍ଦା କରିଥିଲେ । ଥାନାକୁ ନେଇ ପୁଲିସ ନିର୍ମମ ଭାବେ ପିଟିବା ଯୋଗୁଁ ଆଜି ତାଙ୍କର ଜୀବନ ସଂକଟାପନ୍ନ ହୋଇଛି । ଶାସକ ଦଳର ନେତାଙ୍କ ନିଦେ୍ର୍ଧଶରେ ପୁଲିସ ତାଙ୍କୁ ମାଡ଼ ମାରିଥିଲା ବୋଲି ବିଜେପି ପକ୍ଷରୁ ଆରୋପ ହୋଇଛି । ସମ୍ପ୍ରତି ଅପରାଧୀମାନଙ୍କ ସହ ଶାସକ ଦଳର ରାଜନେତା ଓ ପୁଲିସର ଘନିଷ୍ଟ ସମ୍ପର୍କ ବାଲେଶ୍ୱର ଜିଲ୍ଲାରେ ଅପରାଧିକ ବଳୟ ସୃଷ୍ଟି କରିଛି । କୁନୁପଣ୍ଡା ହତ୍ୟା କାଣ୍ଡ ଏହାର ଜ୍ୱଳନ୍ତ ଉଦାହରଣ । ଏହି ହତ୍ୟାକାଣ୍ଡରେ ଯୁବ ବିଜେଡି ସଭାପତି ଓ ଜଲ୍ଲା ବିଜେଡି ସଭାପତି ତଥା ସାଂସଦଙ୍କ ସମ୍ପୃକ୍ତି ସ୍ୱଷ୍ଟ ହୋଇଥିଲେ ବି ପୁଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି କର୍ମକର୍ତ୍ତାମାନେ କହିଛନ୍ତି । ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ବିଜେପି ପୁଣିଥରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।