ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଘଟଣାକୁ ୪୮ ଘଣ୍ଟା ପୁରିଲା
ତଥାପି ପୁଲିସର ହାତ ଖାଲିକୁ ନେଇ ତାତିଲେ ଜନତା
ବାରିପଦା/Dillip Mohanty - ବାରିପଦା ସହରର ଷ୍ଟେସନ ବଜାର ରୋଡ଼ରେ ଉପହାର ନାମରେ ଏକ ଷ୍ଟେସନାରୀ ଦୋକାନର ମାଲିକ ତଥା ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୧୧ ନହରପଦାର ଯୁବ ବ୍ୟବସାୟୀ ପାର୍ଥସାରଥୀ ଗୁଡ଼ିଆ ଦାସଙ୍କୁ ଗତ ଜାନୁଆରୀ ୧୮ ଗୁରୁବାର ବିଳମ୍ବିତ ରାତିରେ ଗୁଳିମାଡ଼ କରି ହତ୍ୟା ମାମଲାକୁ ୪୮ ଘଣ୍ଟା ପୁରି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ସହିତ ବାରିପଦା ସହର ଓ ମୟୂରଭଞ୍ଜ ଜିଲାରେ କ୍ରମାଗତ ଭାବେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦରେ ଜାନୁଆରୀ ୨୪ରେ ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି । ଗତ ଶୁକ୍ରବାର ଜିଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂଙ୍କ ନେତୃତ୍ୱରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଷ୍ଟେସନ ବଜାର ରାସ୍ତା ଅବରୋଧ କରାଯାଇ ଥିଲା ଏବଂ ବାରିପଦା ସଦର ଏସଡ଼ିପିଓ ଅଭିମନୁ୍ୟ ନାୟକ, ବାରିପଦା ଟାଉନ ଥାନା ଆଇଆଇସି ଅଶୋକ କୁମାର ନାୟକ ସଦଳବଳେ ପହଁଞ୍ଚି ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅପରାଧୀମାନଙ୍କୁ ଧରିବା ନିମନ୍ତେ ପ୍ରଶାସନକୁ ୪୮ ଘଣ୍ଟା ସମୟ ଦେଇଛି ଓ ଏହି ସମୟସୀମା ମଧ୍ୟରେ ଅଭିଯୁକ୍ତମାନେ ଧରା ନ ପଡ଼ିଲେ ମୟୂରଭଞ୍ଜ ବନ୍ଦ ପାଳନ କରିବାର ଚେତାବନୀ ଦେଇଛନ୍ତି । ତେବେ କଂଗ୍ରେସ ପକ୍ଷରୁ ଜାନୁଆରୀ ୨୪ରେ ଡ଼ାକରା ଦିଆ ଯାଇଥିବା ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦକୁ ବାରିପଦା ଓ ମୟୂରଭଞ୍ଜ ବସ ମାଲିକ ସଂଘ, କ୍ଲଥ ଓ ଗାରମେଣ୍ଟ ସଂଘ, ମୟୂରଭଞ୍ଜ ବାର ଆସୋସିଏସନ, ବାଣିଜ୍ୟ ସଂଘ ଆଦି ବିଭିନ୍ନ ସଙ୍ଗଠନ ସହିତ କେତେକ ରାଜନୈତିକ ଦଳ ପକ୍ଷରୁ ସିଧାସଳଖ ସମର୍ଥନ ପ୍ରଦାନ କରିଛନ୍ତି । ବାରିପଦା ସହର ସହିତ ସମଗ୍ର ମୟୂରଭଞ୍ଜ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ମାରାତ୍ମକ ନିଶାଦ୍ରାବ୍ୟ ବ୍ୟବସାୟ, ଚୋରୀ, ଡ଼କାୟତି, ରାହାଜାନୀ, ଛିନ୍ନତାଇ, ଦୁଷ୍କର୍ମ, ହତ୍ୟା, ଲୁଣ୍ଠନ ଆଦି ନିତି ଦିନିଆ ଘଟଣାରେ ପରିଣତ ହୋଇସାରିଥିବା ବେଳେ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରିପାରୁ ନାହାନ୍ତି । ସେମାନଙ୍କ ମଧ୍ୟରେ ଏକ ଅସନ୍ତୋଷର ନିଆଁ କୁହୋଳିବାରେ ଲାଗିଛି । ବନ୍ଦ ଡ଼ାକରା ମାଧ୍ୟମରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହା ସତ୍ୱେ ପ୍ରଶାସନ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ଅସମର୍ଥ ହେଲେ ଆଗାମୀ ଦିନରେ ଆନେ୍ଦାଳନକୁ ଅଧିକ ତୀବ୍ର କରାଯିବ । ଏଥି ସହିତ ୨୪ ତାରିଖ ବନ୍ଦ ପାଳନକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁମତି ମିଳୁ ନାହିଁ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ବିଷୟରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପ୍ରଶାସନ ସହିତ ଆଲୋନା କରିବେ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ଶ୍ରୀସିଂ କହିଛନ୍ତି । ଗୁଳିକାଣ୍ଡ ମାମଲାରେ ପୁଲିସ ପକ୍ଷରୁ କଂଗ୍ରେସକୁ ଦିଆ ଯାଇଥିବା ପ୍ରତିଶ୍ରୁତି ଉପରେ ବାରିପଦା ସଦର ଏସଡ଼ିପିଓ ଅଭିମନୁ୍ୟ ନାୟକ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି ଏବଂ ଖୁବ ଶୀଘ୍ର ସଫଳ ହେବେ ବୋଲି କହିଥିଲେ ।