ଆତତାୟୀଙ୍କ ଗୁଳିରେ ନିହତ ହେଲେ ଯୁବ ବ୍ୟବସାୟୀ
ବାରିପଦାରୁ ଦିଲ୍ଲୀପ ମହାନ୍ତି :ଶାନ୍ତ ସରଳ ବାରିପଦା ସହରରେ ଜାନୁଆରୀ ୧୮ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଗୁଳିରେ ଏକ ଯୁବକଙ୍କ ମୁଣ୍ଡ ଗଡ଼ିଛି । ପୁଲିସ ଓ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ମହିଳାର ମୁଣ୍ଡରୁ ସିନ୍ଦୁର ପୋଛି ଦେଇଥିବା ବେଳେ ପୁଅ ଓ ଝିଅକୁ ବାପଛେଉଣ୍ଡ କରାଇ ବାପା ଓ ମା କୋଳରୁ ସେମାନଙ୍କ ଯୁବକକୁ ଛଡ଼ାଇ ନେଇଛି । ଏହି ଘଟଣାଟି ଘଟିଛି ବାରିପଦା ପୌରପରିଷଦ ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ପାଲବଣି-ତକତପୁର ରାସ୍ତାର ପାଶ୍ୱର୍ରେ ଥିବା ଶୁକଯୋଡ଼ ନଦୀ କୂଳରେ । ଏଥି ସହିତ ଏହି ହତ୍ୟାକାଣ୍ଡ ଘଟିଛି ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ବାସଭବନଠାରୁ ପ୍ରାୟ ୩୦/୪୦ ମିଟର ଏବଂ ବାରିପଦା ସଦର ଥାନା ନିକଟରୁ ପ୍ରାୟ ୫୦୦ ମିଟର ବ୍ୟବଧାନ ମଧ୍ୟରେ । ବାରିପଦା ସହରରେ ଗୁଳି ଚଳାଇ ହତ୍ୟା ମାମଲା ସହରରେ ସର୍ବପ୍ରଥମ ଘଟଣା ବୋଲି ସହରରେ ଆଲୋଚନା ହେଉଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୧୧ ନହରପଦାର ପରିତୋଷ ଗୁଡ଼ିଆ ଦାସଙ୍କ ପୁଅ ପାର୍ଥ ସାରଥୀ ଦାସ ସ୍ଥାନୀୟ ଷ୍ଟେସନବଜାର ରୋଡ଼ରେ ଉପହାର ନାମରେ ଏକ ଷ୍ଟେସନାରୀ ଦୋକାନ କରିଥିଲେ । ଗତ ଜାନୁଆରୀ ୧୮ ରାତି ପ୍ରାୟ ୧୦.୪୫ ମିନିଟ ପାଖାପାଖି ନିଜର ଦୋକାନ ବନ୍ଦ କରିଥିଲେ । ଏହାପରେ ସେ ଆଉ ଘରକୁ ଫେରି ପାରି ନ ଥିଲେ । ପରିବାରର ସଦସ୍ୟମାନେ ପାର୍ଥର ମୋବାଇଲକୁ ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନ ଥିଲା । ଘରେ ସ୍ତ୍ରୀ ଅନୁପ୍ରିୟା ଦାସଙ୍କ ସହିତ ପୁଅ, ଝିଅ, ବାପା, ମା ଓ ପରିବାରର ଅନ୍ୟ ସମସ୍ତ ସଦସ୍ୟମାନେ ପାର୍ଥର ଫେରିବା ରାସ୍ତାକୁ ଅପେକ୍ଷା କରି ରହିଥିବା ବେଳେ ଶୁକ୍ରବାର ସକାଳ ସମୟରେ ଏକ ଯୁବକ ବୁଲେଟ ବାଇକ ସହିତ ପାଲବଣି ଜାତୀୟ ରାଜପଥ ପାଶ୍ୱର୍ରେ ଗୁଳିବିଦ୍ଧ ଅବସ୍ଥାରେ ମରି ପଡ଼ିଥିବାର ଖବର ପହଁଞ୍ଚିଥିଲା । ଖବରପାଇବା ମାତ୍ରେ ସ୍ଥାନୀୟ ସେଣ୍ଟ ଜେଭିୟର ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟକରୁଥିବା ସ୍ତ୍ରୀ ଅନୁପ୍ରିୟା ଘଟଣା ସ୍ଥଳରେ ପହଁଞ୍ଚି ସ୍ୱାମୀ ରକ୍ତାକ୍ତ ଅବସ୍ଥାରେ ପିଠିରେ ତାଙ୍କର କଳା ରଙ୍ଗର ରେଗଜିନ ବ୍ୟାଗ ସହିତ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ । ମୁଣ୍ଡରୁ ରକ୍ତ ସ୍ରାବ ହୋଇ ହୋଇ ମାଟିରେ ଜମାଟ ବାନ୍ଧି ଯାଇଥିଲା । ସ୍ତ୍ରୀ ଅନୁପ୍ରିୟା ସ୍ୱାମୀ ପାର୍ଥଙ୍କ ମୋବାଇଲକୁ କଲ କରିବାରୁ ବ୍ୟାଗ ଭିତରେ ମୋବାଇଲ ରିଂ ହୋଇଥିଲା । ଏହାପୂର୍ବରୁ ବାରିପଦା ସଦରଥାନା ଏସଡ଼ିପିଓ ଅଭିମନ୍ୟୁ ନାୟକ ଓ ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଖବରପାଇ ସଦଳବଳେ ଘଟଣା ସ୍ଥଳରେ ପହଁଞ୍ଚି ସାରିଥିଲେ । ସ୍ତ୍ରୀ ଅନୁପ୍ରିୟାଙ୍କ ଲିଖିତ ଅଭିଯୋଗ ପରେ ବାରିପଦା ଟାଉନ ଥାନାରେ ୧୩/୨୦୧୮ରେ ଏକ ମାମଲା ରୁଜୁ କରାଯିବା ସଂଗେସଂଗେ ପୁଲିସ ଶବକୁ ଜବତ କରି ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ହତ୍ୟାକାଣ୍ଡ ଉପରେ ତଦନ୍ତ ଆରମ୍ଭ କରିଥିଲା । ପୁଲିସର ତଦନ୍ତ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଏକ ବୋକାଡ଼ି ଲିମନ ବ୍ରାଣ୍ଡର ଖାଲି ମଦ ବୋତଲ, ଗୁଳିର ଖୋକା, ମୁଣ୍ଡରେ ଲାଗି ଥିବା ଗୁଳି, ବାଇକ, ବ୍ୟାଗ, ମୋବାଇଲ ଓ ହାତରେ ପିନ୍ଧି ଥିବା ଘଣ୍ଟା ଆଦିକୁ ପୁଲିସ ଜବତ କରିଥିଲା । ଉକ୍ତ ଘଣ୍ଟା ୧.୨୫ ମି.ରୁ ବନ୍ଦ ରହିଥିବାର ଜଣାପଡ଼ିଥିଲା । ମାତ୍ର ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତମାନଙ୍କ ଧରିବାରେ ପୁଲିସ ସଫଳ ହୋଇପାରି ନ ଥିଲା । ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ଆଇନଜୀବୀ ବିଭୂ ପ୍ରସାଦ ଦାସଙ୍କ କହିବା ଅନୁସାରେ ଅତି ନିକଟରୁ ଗୁଳି ଚାଳନା କରାଗଲେ ତାର ପ୍ରଭାବରେ ନିକଟରେ ଥିବା ଘଣ୍ଟା ଆପେ ବନ୍ଦ ହୋଇଯାଏ । ତେଣୁ ମୃତ ବ୍ୟକ୍ତି ହାତରେ ବନ୍ଦ ରହିଥିବା ଘଣ୍ଟାର ସମୟ ଗୁଳିଚାଳନାର ସମୟ ବୋଲି ଅଧିକ ସମ୍ଭାବନା ରହିଛି । ତେଣୁ ଗୁଳି ଚାଳନା ସେହି ଗୋଟାଏ ପନ୍ଦର ମିନିଟ ବୋଲି ଧରାଯାଇ ପାରେ । ଏଥି ସହିତ ନିକଟରୁ ମିଳିଥିବା ମଦ ବୋତଲ ପ୍ରମାଣିତ କରାଉଛି କି, ଗୁଳି ଚଳାଇବା ପୂର୍ବରୁ ଅଭିଯୁକ୍ତମାନେ ମୃତ ପାର୍ଥକୁ ମଦ ପିଆଇ ଥିଲେ । ଅବଶ୍ୟ ଏହା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଯିବ । ଏହି ହତ୍ୟାକାଣ୍ଡ ଏକ ଯୋଜନା ମାଧ୍ୟମରେ ସଙ୍ଗଠିତ ହୋଇଥିବା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପୁଲିସ ତଦନ୍ତ ଚଳାଇଛନ୍ତି ଏବଂ ବିଶ୍ୱାସ କରନ୍ତି ଖୁବ ଶୀଘ୍ର ଅପରାଧୀମାନଙ୍କୁ ଧରିବାରେ ସଫଳ ହେବେ । ତେବେ ସହରରେ ଏହି ପ୍ରକାରର ଅପରାଧ ଅତ୍ୟନ୍ତ ଦୁଃଖ ଦାୟକ ଓ ଚିନ୍ତା ଜନକ । ଅଭିଯୁକ୍ତ ବ୍ୟବହାର କରିଥିବା ମାରଣାସ୍ତ୍ର ଲାଇସେନ୍ସ ପ୍ରାପ୍ତ ଅଥବା ଚୋରା । ଚୋରା ଅସ୍ତ୍ର କାରବାରୀ ବାରିପଦା ସହରରେ ସକ୍ରିୟ ରହିଥିବାର ସୂଚନା ଦେଉଛି । ଚୋରା ପିସ୍ତଲ ହେଉ ଅଥବା ବନ୍ଧୁକ ହେଉ ସହରରେ ଅପରାଧୀମାନେ ଏହା ବ୍ୟବହାର କରିବା ପୁଲିସ ଓ ଆମର ନିରାପତ୍ତା ପ୍ରତି ଏକ ଆହ୍ୱାନ ବୋଲି ଆଇନଜୀବୀ ଶ୍ରୀଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ମୃତ ପାର୍ଥ ସାରଥୀ ଜଣେ ମେଳାପି, ଶାନ୍ତ ସରଳ ଯୁବକ ରହିଥିଲେ । କାହା ସହିତ କୌଣସି ଶତ୍ରୁତା ନ ଥିଲା କିମ୍ବା କୌଣସି ଦିନ କାହା ସହିତ କଳହ ମଧ୍ୟ କରି ନ ଥିଲେ । ପ୍ରତ୍ୟେକ ଦିନ ସକାଳେ ନିଜର ସାନ ପୁଅକୁ ସେଣ୍ଡ ଜେଭିୟର ସ୍କୁଲରେ ଛାଡ଼ି ଜିମ ଓ ଜିମ୍ରୁ ଫେରି ନିଜ ବ୍ୟବସାୟ ଚଳାଇ ଆସୁଥିଲେ । ଦୋକାନ ବନ୍ଦ ରହିଥିଲେ ପରିବାର ସହିତ ସମୟ କଟାଇ ଆସୁଥିଲେ । ତାଙ୍କୁ ଗୁଳି ଚଳାଇ ହତ୍ୟା କରାଯିବା ଘଟଣାକୁ ସହରବାସୀ ସହଜରେ ଗ୍ରହଣ କରିପାରି ନ ଥିଲେ । ତେଣୁ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ ରଖି ଆନେ୍ଦାଳନକୁ ଉହ୍ଲାଇ ଆସିଥିଲେ ।
ବାରିପଦା ସହରରେ ଲୋକ ସଂଖ୍ୟା ପ୍ରାୟ ଏକ ଲକ୍ଷ ୧୬ ହଜାର ରହିଥିବା ବେଳେ ସହରରେ ଅପରାଧ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଆବଶ୍ୟକ ପୁଲିସ କର୍ମଚାରୀ ଅଭାବ ଦେଖା ଦେଇଛି । ପୁଣି ସହରରେ ପୁଲିସ ବ୍ୟବସ୍ଥା ଦିନକୁ ଦିନ ସ୍ଥାଣୁ ହେବାରେ ଲାଗିଛି । ଏସଡ଼ିପିଓ, ଡ଼ିଏସପି, ଏସପି ଆଦି ରାତିରେ ପେଟ୍ରୋଲିଂ ନ କରି ନିଜ ଘରେ ଆରାମରେ ସମୟ କଟାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ ସହରରେ ଛିନତାଇ, ଚୋରୀ, ଡ଼କାୟତି, ହତ୍ୟା ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି । ସହରବାସୀ ସଦାସର୍ବଦା ଶଙ୍କା ଓ ଆଶଙ୍କା ମଧ୍ୟ ଦେଇ ଗତି କରିଚାଲିଛନ୍ତି ।