ଡ଼ାହାଣୀ ସନ୍ଦେହରେ ଭାଇବୋହୁଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଦେଢ଼ଶୁରକୁ ଆଜୀବନ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/Dillip Mohanty- ଆଦିବାସୀ ଅଧ୍ୟୁଷିତ  ପଛୁଆ ଜିଲା ମୟୂରଭଞ୍ଜ । ଉପଯୁକ୍ତ ସ୍ୱାସ୍ଥ୍ୟ ସେବାର ଅଭାବ ଓ ସଚେତନତା ଅଭାବରୁ ଜିଲାରେ ଅନ୍ଧ ବିଶ୍ୱାସ ଏବଂ କୁସଂସ୍କାରକୁ ଆପଣେଇ ନେଇଥାନ୍ତି ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ । ଫଳରେ ପରିବାରରେ କୌଣସି ସଦସ୍ୟ ରୋଗରେ ପଡ଼ିଲେ  ଦୌଡ଼ିଥାନ୍ତି ଗୁଣିଆ ନିକଟକୁ ଝଡ଼ାଫୁଙ୍କା କରାଇବା ନିମନ୍ତେ । ଏହାର ଫାଇଦା ଉଠାଇଥାନ୍ତି ଗୁଣିଆ । ରୋଗୀର ପରିବାର ମଧ୍ୟରେ ସୃଷ୍ଟି କରାଯାଏ ଡ଼ାହାଣୀ ସବାର ହେବାର ବିଶ୍ୱାସ । ଏଣେ ରୋଗୀର ଉପଯୁକ୍ତ ଚିକିତ୍ସା ହୋଇ ନ ପାରିବା ଦ୍ୱାରା ତାର ମୃତ୍ୟୁ ହୁଏ । ଫଳରେ ପ୍ରତିଶୋଧ ପରାୟଣ ହୋଇ କିଏ ସେହି ଡ଼ାହାଣୀ ଖୋଜା ହୁଏ । ପୂର୍ବରୁ ଯାହା ସହିତ କୌଣସି କାରଣରୁ ଝଗଡ଼ା ଅଥବା ଗଣ୍ଡଗୋଳ ହୋଇଥାଏ ତା ଉପରେ ସନେ୍ଦହ କେନ୍ଦ୍ରୀଭୂତ ହୁଏ ଏବଂ ସମୟ ସୁବିଧା ଦେଖି ବିନାଦ୍ୱିଧା ଓ ଆଇନକାନୁନକୁ ଭୟ ନକରି ଅପରାଧ କରିବାକୁ ପଛାଇ ଯାଇନଥାନ୍ତି ପୀଡ଼ିତାର ପରିବାର । ବିନା କାରଣରେ ଅସମୟରେ ଝଡ଼ିଯାଏ ଅନେକ ଜୀବନ । ଏହି ଭଳି ଏକ ଅଭାବନୀୟ ଦୁଃଖଦାୟକ ମାମଲାର ବିଚାର କରି ବାରିପଦା ଅତିରିକ୍ତ ସେସନ ଜଜ୍-୨ ସମର ବିଳାସ ବେହେରା ଅଭିଯୁକ୍ତ ମୟୂରଭଞ୍ଜ ଜିଲାଲା ଶୁଳିଆପଦା ଥାନା ଅନ୍ତର୍ଗତ ତିଲକପାଳ ଗ୍ରାମର ସାମଲ ମୁର୍ମୁଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଅର୍ଥ ଦଣ୍ଡର ରାୟ ଶୁଣାଇଛନ୍ତି । ଏଥି ସହିତ ଜୋରିମାନା ଅନାଦେୟରେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ରେ ତିଲକପାଳ ଗ୍ରାମର ସାମଲ ମୁର୍ମୁଙ୍କ ଝିଅ ରୋଗରେ ପଡ଼ି ତାର ମୃତୂ ହୋଇଥିଲା । ବାପା ସାମଲ ଝିଅର ମୃତ୍ୟୁ ନିମନ୍ତେ ତାର ସାନଭାଇ ନିମାଇଁ ମୁର୍ମୁର ସ୍ତ୍ରୀ ରନ୍ଦିି ମୁର୍ମୁ ଦାୟୀ ବୋଲି ତାର ସନ୍ଦେହ  ଜନ୍ମି ଥିଲା । ରନ୍ଦିି ଡ଼ାହାଣୀ ଓ ସେ ହିଁ ଝିଅର ଜୀବନ ନେଇଛି ଏହାକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମତାନ୍ତର ଦେଖା ଦେଇଥିଲା । ଗତ ୨୦୧୫ ଅପ୍ରେଲ ୧୫ରେ ଅଭିଯୁକ୍ତ ବଡ଼ଭାଇ ସାମଲ ଓ ସାନଭାଇ ନିମାଇଁ ପ୍ରତ୍ୟେକ ଦିନ ପରି ଘରେ ପାଳିଥିବା ଛେଳି ଧରି ଚରାଇବାକୁ ଘରୁ ବାହାରି ଯାଇଥିଲେ । ଅପରାହ୍ନ ପ୍ରାୟ ୫ଟା ସମୟରେ ପ୍ରଥମେ ନିଜର ଛେଳି ଧରି ଘରକୁ ଚାଲି ଆସିଥିଲା ବଡ଼ଭାଇ ସାମଲ । ଏହି ସମୟରେ ସାନଭାଇ ନିମାଇଁର ସ୍ତ୍ରୀ ରନ୍ଦି ତାର ଝିଅ ରାତି ମୁର୍ମୁକୁ ଧରି ଖଟିଆରେ ଘର ପିଣ୍ଡାରେ ଶୋଇ ଥିବାର ଦେଖିବା ପରେ ମନ ଭିତରେ ରହିଥିବା ରାଗକୁ ସମ୍ଭାଳି ନ ପାରି ଘର ଭିତରୁ ଏକ ଛୁରୀ ଆଣି ସେଥିରେ ରତିକୁ ବାରମ୍ବାର ଆକ୍ରମଣ କରିବାରେ ଲାଗିଥିଲା । ଫଳରେ ଘଟଣାସ୍ଥଳରେ  ରନ୍ଦିର ମୃତ୍ୟୁ  ହୋଇଥିଲା । ଏହାପରେ ଛେଳି ଧରି ନିମାଇଁ ଘରକୁ ଫେରି ଆସି ସ୍ତ୍ରୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରିପଡ଼ିଥିବାର  ଏବଂ ତା ନିକଟରେ ଝିଅ ରାତି କାନ୍ଦୁ ଥିବାର ଦେଖିବାକୁ ପାଇଥିଲା । ଝିଅ ନିକଟରୁ ସମସ୍ତ ବିଷୟ ଜାଣିବା ପରେ ନିମାଇଁ ୧୬.୦୪.୨୦୧୫ରେ ଶୁଳିଆପଦା ଥାନାରେ ଉକ୍ତ ଘଟଣାକୁ ନେଇ ବଡ଼ଭାଇ ସାମଲ ମୁର୍ମୁ ବିରୋଧରେ ଲିଖିତ ଅଭିଯୋଗ କରିଥିଲା ଏବଂ ପୁଲିସ କେଶ ନଂ ୨୮/୨୦୧୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସାମଲକୁ କୋର୍ଟ ଚାଲାଣ କରିଥିଲା । ଆଜି ମାମଲାରେ ଥିବା ୨୩ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ଶୁଣାଇ ଥିଲେ । ସରକାରଙ୍କ ପକ୍ଷରୁ ଏପିପି ଶାନ୍ତନୁ କୁମାର ଦାସ ମାମଲାକୁ ପରିଚାଳନା କରିଥିଲେ । 

 

0
0
0
s2sdefault