ହେଡଲାଇନସ୍:

ହାତୀ ଆକ୍ରମଣରେ ଲିଭିଗଲା ଜୀବନ ଦୀପ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଶୌଚ ପାଇଁ ଯାଇ ହାତୀ ଆକ୍ରମଣ ରେ ଜୀବନ ହାରିଲେ ବୃଦ୍ଧ

ବରଗଡ :- ଆଜି ଏକ ଅଭାବନୀୟ ଘଟଣା କ୍ରମରେ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ର ରସମୁଣ୍ଡା ଗ୍ରାମର ରାମଚନ୍ଦ୍ର ନାୟକ (୮୦)ଙ୍କୁ ଏକ ଜଙ୍ଗଲୀ ହାତୀ ଦଳି ମାରିଦେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ ରାମଚନ୍ଦ୍ର ସକାଳ ପ୍ରାୟ ସାଢ଼େ ଚାରିଟା ସମୟରେ ଶୌଚ ପାଇଁ ଯାଇଥିବା ସମୟରେ ଗନ୍ଧମାର୍ଦ୍ଦନ ପାହାଡ଼ ପଟରୁ ଦୁଇ ଗୋଟି ହାତୀ ଆସିଥିଲେ । ମୃତକ କିଛି ଜାଣିପାରିବା ପୂର୍ବରୁ ଗୋଟେ ହାତୀ ବୃଦ୍ଧଙ୍କୁ ଶୁଣ୍ଢ ରେ ଟେକି କଚାଡ଼ି ଦେଇଥିଲା । ଏହାପରେ ପୁନର୍ବାର ବୃଦ୍ଧ ରାମଚନ୍ଦ୍ର ଙ୍କୁ ଟେକି ଆଣି ତାଙ୍କ ଘର ସମ୍ମୁଖରେ ଫୋପାଡ଼ି ଦେଇ କିଛି କଦଳୀ ଗଛ ଭାଙ୍ଗି ବିଜୁ ଏକ୍ସପ୍ରେସ ୱେ ଅତିକ୍ରମ କରି ଭେଙ୍ଗରାଜପୁର ଆଡକୁ ଚାଲି ଯାଇଥିଲା । ଘଟଣା ବାବଦରେ ଜାଣିବା ପରେ ଗାଁ ଲୋକେ ବନ ବିଭାଗ କୁ ଖବର ଦେବା ପରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ପ୍ରଥମେ ମୃତକ ଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠେଇ ଥିଲେ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶେଷକୃତ୍ୟ ପାଇଁ ଶବ ହସ୍ତାନ୍ତର କରାଯିବ । ଏହି ଘଟଣା ଓ ହାତୀର ଉପସ୍ଥିତ ବର୍ତ୍ତମାନ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ବର୍ତ୍ତମାନ ହାତୀ ଦୁଇଟି ଛେଳିଆମାଲ ଅଞ୍ଚଳରେ ଥିବା ଜଣା ପଡ଼ିଛି । ତେଣୁ ପାଇକମାଲ ରେଞ୍ଜ ଅନ୍ତର୍ଗତ ଛେଳିଆମାଲ ତଥା ଆଖପାଖ ଗ୍ରାମର ଲୋକଙ୍କୁ ସତର୍କ ରହିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।

0
0
0
s2sdefault