ଶ୍ରୀ ଚୈତନ୍ୟ ଅନୁଷ୍ଠାନର ସ୍ପଷ୍ଟୀକରଣ
ଭୁବନେଶ୍ୱର : କଲେଜରେ ଆଦୌ ରାଗିଂ ହୋଇନି କି ଶ୍ରେୟାଂଶୁକ କେହି ମାରଧର ବି କରିନାହାନ୍ତି ବୋଲି ବିବାଦୀୟ ତଥା ଅଦ୍ୟାବଧି ଅସମାହିତ ଶ୍ରେୟାଂଶୁ କେଶରୱାନୀ ମୃତୁ୍ର୍ୟ ଘଟଣାରେ ଅନୁଷ୍ଠାନ ତରଫରୁ ସ୍ପଷ୍ଟିକରଣ ରଖି କହିଛନ୍ତି ଶ୍ରେୟାଂଶୁ ପଢୁଥିବା ଶ୍ରୀ ଚୈତନ୍ୟ ଅନୁଷ୍ଠାନର ଡିନ୍ ଏସ୍. ରଘୁ କୁମାର ଓ ଅଧକ୍ଷ ଭି. ରବୀନ୍ଦ୍ରନାଥ ।
ସୋମାବାରଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରଘୁ କୁମାର ଓ ରବୀନ୍ଦ୍ରନାଥ କହିଛନ୍ତି ଯେ, ବିଗତ ତିନି ଦଶନ୍ଧି ଧରି ଶ୍ରୀ ଚୈତନ୍ୟ ଅନୁଷ୍ଠାନ ପ୍ରତି ଆମର ପ୍ରିୟ ଛାତ୍ର ଏବଂ ଅଭିଭାବକମାନଙ୍କର ଅତୁଟ ବିଶ୍ୱାସକୁ ଆମ୍ଭେ ସମ୍ମାନ ପ୍ରଦର୍ଶନ କରୁଛୁ । ଅନୁଷ୍ଠାନ ପ୍ରାରମ୍ଭ ସମୟରୁ ଆମ୍ଭେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ଦିଗରେ ସହାୟକ ହୋଇପାରିଛୁ । ନିକଟରେ ଆମ ଅନୁଷ୍ଠାନ ବିରୋଧରେ କିଛି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଅଣାଯାଇଥିଲା । ଏହି କ୍ରମରେ ଆମ୍ଭେ ବିଗତ ଜାନୁଆରୀ ୬ ତାରିଖରେ ଆମର ଛାତ୍ର ଶ୍ରେୟାଂଶୁ କେଶରୱାନୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ ଅଭିବ୍ୟକ୍ତ କରୁଛୁ । ଘଟଣା ସଂଯୋଗରେ ଆମ୍ଭ ଅନୁଷ୍ଠାନ ବିରୋଧରେ ଯେପରି ଭାବେ ମିଥ୍ୟା ଅଭିଯୋଗ ଅଣାଗଲା, ଆମ୍ଭେ ହତବାକ୍ ହୋଇଗଲୁ । ଏହି ଘଟଣାରେ ପୋଲିସର ଯାଂଚ ଏବଂ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରି ମୃତ ଛାତ୍ରଜଣକର ପଢ଼ାପଢ଼ି ବିଷୟକ ସମସ୍ତ କାଗଜପତ୍ର ହସ୍ତାନ୍ତର କରିସାରିଛୁ । ଏପରି ସ୍ଥିତିରେ ଆମ୍ଭ ଅଭିଭାବକମାନଙ୍କୁ ସମସ୍ତ ଘଟଣାବଳୀ ସୂଚେଇଦେବା ଉଚିତ ମନେକଲୁ ।
ଶ୍ରୀଚୈତନ୍ୟ ଶିକ୍ଷାନୁଷ୍ଠାନରେ ଆଜି ସୁଦ୍ଧା ରାଗିଙ୍ଗର ଲେଶମାତ୍ର ଚିହ୍ନବର୍ଣ୍ଣ ନାହିଁ । ଦିବଙ୍ଗତ ଛାତ୍ରର ପିତା ତାଙ୍କ ପୁଅ ଶ୍ରେୟାଂଶୁ ପ୍ରତି ସିନିଅର ଛାତ୍ରମାନେ ର୍ୟାଗିଂ କରିଥିବା ଅଭିଯୋଗ କରିଛନ୍ତି । ଆପଣଙ୍କ ଦୃଷ୍ଟିକୁ ଏହି ବିଷୟ ଆଣିବା ଚାହୁଁ ଯେ ଶ୍ରେୟାଂଶୁ ପଢ଼ୁଥିବା ଅନୁଷ୍ଠାନ ପ୍ରଶାନ୍ତି ଭବନ କ୍ୟାମ୍ପସ୍ରେ କେବଳ ଜୁନିଅର୍ ଏକାଦଶ ଶ୍ରେଣୀ ରହିଛି । ଶ୍ରେୟାାଂଶୁର ମେଡ଼ିକାଲ ରିପୋର୍ଟ ମଧ୍ୟ ଆମେ ଏଠାରେ ଉପସ୍ଥାପନ କରୁଛୁ । ପ୍ରଥମେ କଥିତ ଛାତ୍ରଜଣକ ଶ୍ରେୟାଂଶୁ କେଶରୱାନୀ ଗାଧୁଆଘରେ ପଡ଼ିଯିବା ହେତୁ ତା’ ଆଣ୍ଠୁରେ ଯନ୍ତ୍ରଣା ହେଉଥିବା କହିଥିଲା । ହଷ୍ଟେଲ ୱାଡେନ୍ ଛାତ୍ରଜଣକୁ ୨୬ ଡିସେମ୍ବରରେ ନିକଟସ୍ଥ ଗାୟତ୍ରୀ ହସପିଟାଲକୁ ନେଇ ଚିକିତ୍ସା କରାଇଥିଲେ । ସେଠାକାର ଡାକ୍ତର ଛାତ୍ରଜଣଙ୍କୁ ଅର୍ଥୋପେଡ଼ିକ ବିଭାଗରେ ଦେଖାଇବାକୁ ପରାମର୍ଶ ଦେବାପରେ ତୁରନ୍ତ ଶ୍ରେୟାଂଶୁକୁ ବିଶାଖା ହସପିଟାଲ ନିଆଯାଇଥିଲା । ସେଠାରେ ରକ୍ତ ପରୀକ୍ଷା କରାଯିବା ସହ ବ୍ୟାଣ୍ଡେଜ କରାଯାଇଥିଲା ।
ଅର୍ଥୋପେଡ଼ିକ ସର୍ଜନଙ୍କ ପରାମର୍ଶ କ୍ରମେ ସେ ଔଷଧ ବ୍ୟବହାର କରୁଥିଲା, ଏବଂ ତା ବାପାଙ୍କୁ ସେ ପ୍ରକାରେ ସୂଚିତ ମଧ୍ୟ କରାଯାଇଥିଲା । ଶ୍ରେୟାଂଶୁର ବାପା ୨୯ତାରିଖରେ ପଂହଚି ତାଙ୍କ ପୁଅକୁ ସେଭେନହିଲ ଡାକ୍ତରଖାନାକୁ ନେଇକି ଗଲେ । ସେଭେନହିଲ ହସପିଟାଲରେ ଡାକ୍ତରଙ୍କୁ ଦେଖା କରାଇବା ପରେ ସେ ଶ୍ରେୟାଂଶୁକୁ ତାଙ୍କ ନିଜ ଘରକୁ ନେଇଯାଇଥିଲେ । ନେବାବେଳକୁ ତାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ ତାଙ୍କ ପୁଅ ଆଣ୍ଠୁ ଯନ୍ତ୍ରଣା ଭୋଗୁଛି । କିଛି ଦିନ ପରେ ବିଭିନ୍ନ ଗଣମାଧ୍ୟମରୁ ୬ ଜାନୁଆରୀରେ ଜାଣିବାକୁ ପାଇଲୁ ଯେ ଶ୍ରେୟାଂଶୁର ବିୟୋଗ ଘଟିଛି ଏବଂ ତା ବାପା କଲେଜରେ ରାଗିଙ୍ଗରେ ତାଙ୍କ ପୁଅର ଶିକାର ହୋଇଥିବା ଅଭିଯୋଗ କରିଥିବା ଗଣମାଧ୍ୟମରୁ ହିଁ ଜାଣିଲୁ । ଯେହେତୁ ଏଇ କେଶ୍ ରେଜିଷ୍ଟ୍ରି ହୋଇଛି, ପୋଲିସ ପହଂଚି ସମସ୍ତ ଛାତ୍ରଙ୍କୁ ପଚରାଉଚରା କରିବା ସହ ତଦନ୍ତ ପ୍ରକ୍ରିୟା ଚାଲୁ ରଖିଲେ । କିନ୍ତୁ ଆମ୍ଭ ଅନୁଷ୍ଠାନରେ ର୍ୟାଗିଂ ଘଟିଥିବା କିମ୍ବା ସେପରି ଅଘଟଣ ଘଟିନଥିବା ପୋଲିସ ଜାଣିପାରିଥିଲେ । ପୋଲିସ ତଦନ୍ତ ପରେ ବ୍ୟକ୍ତ କରିଥିଲେ ଯେ ଶ୍ରୀଚୈତନ୍ୟ ଶିକ୍ଷାନୁଷ୍ଠାନରେ ରାଗିଙ୍ଗ ହୋଇନଥିବା ଏବଂ ଶ୍ରେୟାଂଶୁକୁ କୌଣସି ଛାତ୍ର ମାରଧର କରିନଥିବା ସ୍ପଷ୍ଟ କରିଥିଲେ ।
ଶ୍ରେୟାଂଶୁର ଛାତ୍ରବନ୍ଧୁମାନଙ୍କଠାରୁ ଜଣାଯାଇଥିଲା ଯେ ଶ୍ରେୟାଂଶୁର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ହୁଏତ ବିଷମ ସ୍ୱାସ୍ଥ୍ୟଗତ ସମସ୍ୟାରୁ ତାର ବିୟୋଗ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସର ତଦନ୍ତ ମଧ୍ୟ ସ୍ପଷ୍ଟ କରିଛି ଯେ କୌଣସି ର୍ୟାଗିଂ ହୋଇନାହିଁ ଏବଂ ପୂର୍ବରୁ ରହି ଆସିଥିବା ସ୍ୱାସ୍ଥ୍ୟଗତ ସମସ୍ୟା ହଁ ପ୍ରାଣହାନୀର ରିପୋର୍ଟ କାରଣ ହୋଇପାରେ । ଦିବଙ୍ଗତ ଛାତ୍ରର ବାପା ଶ୍ରେୟାଂଶୁର ତିନି ଜଣ ବନ୍ଧୁଙ୍କ ବିରୋଧରେ କରିଥିବା ଅଭିଯୋଗ ପ୍ରକାରେ ତାଙ୍କର ଅଡ଼ିଓ ରେକର୍ଡିଂଗୁଡ଼ିକୁ ପୋଲିସ କିମ୍ବା ଡାକ୍ତରଙ୍କ ନିକଟରେ ସେ ଉପସ୍ଥାପନ କରିପାରିନଥିଲେ । ଏହି ଘଟଣାରୁ ଆମ୍ଭେ ମଧ୍ୟ ତାଙ୍କ ବାପାଙ୍କ ଅଭିଯୋଗ ସଂକ୍ରାନ୍ତରେ ସନେ୍ଦହ ପ୍ରକଟ କରୁଛୁ । ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଠିକ ଭାବେ ଉପସ୍ଥାପିତ ହୋଇନାହିଁ । ଶ୍ରେୟାଂଶୁର ପୂର୍ବ ସ୍ୱାସ୍ଥ୍ୟୃଗତ ରିପୋର୍ଟ ଦେଖାଯାଇନାହିଁ । ତେଣୁ ଏଠରେ ଆମେ ସନେ୍ଦହ ପ୍ରକଟ କରୁଛୁ । ସାମ୍ବାଦିକ ସମ୍ମିଳନୀ କାହାକୁ ନିନ୍ଦିତ କରିବା ପାଇଁ କରିନାହୁଁ, ର୍ୟାଗିଂ ହୋଇଛି ବୋଲି ଆମ ବିରୋଧରେ ଅଣାଯାଇଥିବା ଅଭିଯୋଗ ସତ୍ୟତା ସମ୍ପର୍କରେ ସମସ୍ତ ଅଭିଭାବକଙ୍କୁ ବାସ୍ତବ ତଥ୍ୟ ଦେବା ଆମର ଲକ୍ଷ୍ୟ ବୋଲି ସେମାନେ କହିଛନ୍ତି |
ପୋଲିସ କର୍ତ୍ତୃପକ୍ଷ ତଦନ୍ତ ରିପୋର୍ଟରେ ଖୋଲାଖୋଲି କହିଛନ୍ତି ଯେ କଲେଜରେ ଆଦୌ ର୍ୟାଗିଂ ହୋଇନାହିଁ । ଏବଂ ଶ୍ରେୟାଂଶୁକୁ ତାଙ୍କ ବାପାଙ୍କ ଅଭିଯୋଗ ପ୍ରକାରେ କେହି ମାରଧର ବି କରିନାହାନ୍ତି । ଏପରିକି କୌଣସି ପ୍ରମାଣ ନଥିବା ସତ୍ତେ୍ୱ ପୋଲିସ ଭିଡ଼ିଓ କ୍ଲିପିଂ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ତିନିଜଣଙ୍କ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆମର ଛାତ୍ରଛାତ୍ରୀ ଏବଂ ଅଭିଭାବକବୃନ୍ଦ ହେଉଛନ୍ତି ପ୍ରକୃତ ଶକ୍ତି, ଏମାନେ ହିଁ ଆମର କଲେଜର ଏବଂ ସମସ୍ତ ସିଷ୍ଟମର ମେରୁଦଣ୍ଡ ସଦୃଶ । ଶ୍ରୀଚୈତନ୍ୟ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ପୁଣିଥରେ ସାଧୁବାଦ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ ବୋଲି ଶ୍ରୀଚୈତନ୍ୟ ଅନୁଷ୍ଠାନର ଡିନ୍ ଓ ଅଧକ୍ଷ କହିଛନ୍ତି ।