ହେଡଲାଇନସ୍:

ଆରଏସପିର  ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ରୌପ୍ୟ ଜୟନ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆରଏସପିର  ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ରୌପ୍ୟ ଜୟନ୍ତୀ ପାଳନ

ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ବର୍ଷବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ଜୁଲାଇ ୨୧ ତାରିଖରେ ଆରଏସପିର ସିଇଓ, ଶ୍ରୀ ସିଇଓଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିପିଟିଆଇ ଲାଉଞ୍ଜଠାରେ ସିଇଓ ଏକ କେକ କାଟିବା ସହିତ ରୌପ୍ୟ ଜୟନ୍ତୀ ପାଳନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ, ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ, ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ, ବହୁ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀ ତଥା ଏନଏସପିସିଏଲର ପ୍ରତିନିଧି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟ ୧୯୯୩ ମସିହାରେ ଏକ କର୍ପୋରେଟ ପ୍ରତିଷ୍ଠାନ ରୂପେ ନାକେବଳ ସେଲ, ବରଂ ଭାରତର ଅନ୍ୟ ସମସ୍ତ ପାୱାର ପ୍ଳାଣ୍ଟର ବୃତ୍ତିଧାରୀଙ୍କୁ ବିଶେଷ ତାଲିମ ପ୍ରଦାନ ନିମନ୍ତେ ୧୨.୪ କୋଟି ଟଙ୍କା ବ୍ୟୟରେ  ସ୍ଥାପିତ ହୋଇଥିଲା। ଏହି ପ୍ରତିଷ୍ଠାନ ୧୯୯୬ ମସିହାରୁ ଅଦ୍ୟାବଧି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି (ସିଇଏ) ଦ୍ଵାରା ଚାରିଥର ୫୦୦ମେଗାୱାଟ ପର୍ଯ୍ୟନ୍ତ କ୍ଷମତା ସମ୍ପନ୍ନ ପାୱାର ପ୍ଳାଣ୍ଟର ଅପରେସନ ଓ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ତାଲିମ ପ୍ରଦାନ ନିମନ୍ତେ ପ୍ରଥମ ଶ୍ରେଣୀର ଅନୁଷ୍ଠାନ ରୂପେ ସ୍ୱୀକୃତି ଲାଭ କରିଛି। ଏହା ସମଗ୍ର ପୂର୍ବ ଭାରତରେ ସମଧରଣର ଏକମାତ୍ର ଅନୁଷ୍ଠାନ ଅଟେ। 

ଆରଏସପିର ପ୍ରକଳ୍ପ ଓ ଆଧୂନିକୀକରଣ ପରିସରରେ ସ୍ଥିତ ସିପିଟିଆଇ, କେନ୍ଦ୍ରୀୟ ବତାନୁକୁଳ ନିୟନ୍ତ୍ରିତ ତଥା ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏକ ଅନନ୍ୟ ତାଲିମ ପ୍ରତିଷ୍ଠାନ ଅଟେ।  ୬୦ ମେଗା ୱାଟ ପାୱାର ପ୍ଳାଣ୍ଟ ଅପରେଟର ଟ୍ରେନିଂ ସିମୁଲେଟର ସିପିଟିଆଇର ଅନ୍ୟତମ ବିଶେଷତ୍ଵ ରହିଛି । ଏହି ଅତ୍ୟାଧୁନିକ ଏଚଏମଆଇ ସିମୁଲେଟର ଆଧାରିତ ତାଲିମ ସାରଣୀ ସେଲ ଓ ଅନ୍ୟାନ୍ୟ ପାୱାର ପ୍ଳାଣ୍ଟର ମହତ୍ତ୍ୱପୂର୍ଣ୍ଣ ତାଲିମ ଆବଶ୍ୟକତା ମେଣ୍ଟାଉଛି।  

ଉକ୍ତ ଇନଷ୍ଟିଚ୍ୟୁଟକୁ ୨୦୦୪ ମସିହାରେ ଏଚଆରଡ଼ି ସେଣ୍ଟର ଅଧୀନକୁ ଅଣାଯାଇଥିଲା। ୨୦୦୭ ଫେବୃଆରୀ ମାସରେ ସିପିଟିଆଇ ଆଇଏସଓ ୯୦୦୦:୨୦୦୮ ପ୍ରମାଣପତ୍ର ଲାଭ କରିଥିଲା। ୨୦୦୪ ମସିହାରେ ଏହା ସମ୍ମାନଜନକ ଗୋଲ୍ଡେନ ପିକକ ପୁରସ୍କାର ଲାଭ କରିଥିଲା। ନୂଆଦିଲ୍ଲୀରେ ୨୦୧୪ ମସିହାରେ ଅନୁଷ୍ଠିତ ଇଣ୍ଡିଆନ ଏଜୁକେସନ ଏକ୍ସଲେନ୍ସ ପୁରସ୍କାର ଉତ୍ସବରେ ସିପିଟିଆଇ ଶିଳ୍ପ ତାଲିମ ନିମନ୍ତେ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ପୁରସ୍କାର ଲାଭ କରିଥିଲା। 

ସେଲ ଷ୍ଟିଲ ପ୍ଳାଣ୍ଟ ଯଥା ଆରଏସପି, ବୋକାରୋ ଷ୍ଟିଲ ପ୍ଳାଣ୍ଟ, ଭିଲାଇ ଷ୍ଟିଲ ପ୍ଳାଣ୍ଟ, ଦୁର୍ଗାପୁର ଷ୍ଟିଲ ପ୍ଳାଣ୍ଟ, ଆଇଏସପି ବର୍ଣ୍ଣପୁର , ଏଏସପି, ଏସଏସପି, ସିଏଫପି, ଆରଏମଡ଼ି, ଆରଡ଼ିସିଆଇଏସ ଓ ସିଇଟିର ବ୍ୟତୀତ ଅଣସେଲ ସଂସ୍ଥା ଯଥା ଏନଏସପିସିଏଲ (ରାଉରକେଲା ଓ ଦୁର୍ଗାପୁର), ବିପିଏସସିଏଲ, ଆଇସିସିଏଲ, ଟାଟା ଷ୍ଟିଲ, ଏନଆଇଏନଏଲ, ହିଣ୍ଡାଲ୍କୋ, ଆଧୁନିକ ମେଟାଲିକ, ଓପିଜିସି, ଏମ ଏନ ଦସ୍ତୁର ଆଦି କମ୍ପାନୀ ଏହି ପ୍ରତିଷ୍ଠାନର ଉପଭୋକ୍ତାଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି। 

ଏହି ବର୍ଷବ୍ୟାପୀ ଉତ୍ସବ ପାଳନ ଅବସରରେ ବିଭିନ୍ନ ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବା ନିର୍ଦ୍ଧାରିତ ହୋଇଛି। 

 

0
0
0
s2sdefault