ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର:  ୨୫୨ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

19-07-19-rsp.jpg - 50.83 kB

ରାଉରକେଲା / ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପାଇଁ ଜୁଲାଇ ୧୮ ତାରିଖରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନେ ନିଜନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରରେ  ପ୍ରାୟ ୨୫୨ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ ହୋଇଥିଲା। ସେମାନଙ୍କର ଉଚ୍ଚତା, ଓଜନ, ବଡି ମାସ ଇଣ୍ଡେକ୍ସ, ଚକ୍ଷୁ ପରୀକ୍ଷା, ରକ୍ତ ଚାପ, ରକ୍ତ ଶର୍କରା, ବ୍ଲଡ଼ ଗୃପିଙ୍ଗ, ହେପାଟିଟିସ ବି ଏବଂ ଶ୍ରବଣ ଓ ପଲ୍ସ ହାର ଭଳି ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ କରାଯାଇଥିଲା। ଶିବିରରେ ଚିହ୍ନଟ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଠିକା ଶ୍ରମିକମାନଙ୍କୁ ଏଚଆଇଭି ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା। 

ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ ଏବଂ ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ, ଶ୍ରୀ ଅତନୁ ଭୌମିକ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିବା ସହିତ ଠିକା ଶ୍ରମିକଙ୍କ ସହ ମତବିନିମୟ ମଧ୍ୟ କରିଥିଲେ। ଏହି ଅବସରରେ କାରଖାନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  ଉକ୍ତ ସ୍ୱାସ୍ଥ୍ୟଶିବିରରେ ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ରର ସିନିୟର ଡେପୁଟି ଡାଇରେକ୍ଟର, ଡକ୍ଟର ତରୁଣାଦିତ୍ୟ ମିଶ୍ର, ଆଇଜିଏଚର ମେଡିକାଲ ଅଫିସର, ଡକ୍ଟର ସାହିଦ, କର୍ମଚାରୀ ରାଜ୍ୟ ବୀମା କର୍ପୋରେସନ ମଡେଲ ହସ୍ପିଟାଲର ଡକ୍ଟର ଶୈଲ୍ୟା ଏବଂ ଇଏସଆଇସି ଡିଶପେନସରିର ଡକ୍ଟର ରୀନା କୁଜୁର ଓ ଡକ୍ଟର ଏ କେ ନାୟକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।  

ଉଲ୍ଲେଖନୀୟ ଯେ, ଆର.ଏସ.ପି.ରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ନିମନ୍ତେ ଏହା ୪୦ତମ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଥିଲା। ୨୦୧୩ ଅପ୍ରେଲ ମାସରେ ଆରମ୍ଭ ହୋଇଥିବା ଯୋଜନା ଅଧୀନରେ ଅଦ୍ୟାବଧି ୧୦୦୨୨ ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ କାର୍ମିକ ଠିକା ଶ୍ରମିକ  ସେଲ ଦ୍ଵାରା ଆଇଜିଏଚ ଓ କର୍ମଚାରୀ ରାଜ୍ୟ ବୀମା କର୍ପୋରେସନ ମଡେଲ ହସ୍ପିଟାଲ ଏବଂ ଇଏସଆଇସି ଡିଶପେନସରିର ସହଭାଗିତାରେ ଅନୁଷ୍ଠିତ ହେଉଛି । କାର୍ମିକ ଠିକା ଶ୍ରମିକ ସେଲର ଡ଼ିଜିଏମ, ଶ୍ରୀ ଟି ଜି କାନେକର ଏବଂ ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ଡ଼ିଜିଏମ, ଶ୍ରୀ ବିପିନ ସର୍ତପେ କାର୍ମିକ ଠିକା ଶ୍ରମିକ ସେଲର ଷ୍ଟାଫଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

 

0
0
0
s2sdefault