ହେଡଲାଇନସ୍:

ମାର୍ଚ୍ଚ ସୁଦ୍ଧା ୫ଲକ୍ଷ ସହରୀ ପରିବାରକୁ ଜଳ ସଂଯୋଗ :ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ଘର ଯୋଗାଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ 

ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପାଖପାଖି ୫ଲକ୍ଷ ଗୃହ ଆବଶ୍ୟକ ଥିବାବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ) ରେ ମାତ୍ର ଏକ ଲକ୍ଷ ୨୭ହଜାର ଘର ମିଳିଛି । ଅବଶିଷ୍ଟ ଗୃହ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ  କରୁଥିବା ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । 

ଆଜି ଲୋକସେବା ଭବନ ଠାରେ ମନ୍ତ୍ରୀ ଶ୍ରୀ ଜେନା ସହରାଞ୍ଚଳରେ ଗୃହ ନିର୍ମାଣ, ଜାଗା ମିଶନ, ପାନୀୟଜଳ ଓ ଉନ୍ନତି ଯୋଜନାର ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ ଜାଗା ମିଶନରେ ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳର ୫୧ହଜାର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିବାବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୨୫ହଜାର ଲୋକଙ୍କୁ ପଟ୍ଟା ମିଳିବ । ତେବେ ଏହି ଯୋଜନା ରାଜ୍ୟର ମହାନଗର ନିଗମ ଗୁଡିକରେ କାର୍ଯ୍ୟକାରୀ ହେଉନଥିବାରୁ ୫ଟି ମହାନଗର ନିଗମରେ ବସବାସ କରୁଥିବା ଲୋକେ କିଭଳି ଘର ପାଇବେ ସେଥିପାଇଁ ଦକ୍ଷେ ଗ୍ରହଣ କରାଯାଉଛି । ଏହି ମହାନଗର ନିଗମ ଗୁଡିକରେ ପାଖାପାଖି ୩ଲକ୍ଷ ୯୦ ହଜାର ଘର ଆବଶ୍ୟକ ଥିବାରୁ ଏହି କାର୍ଯ୍ୟ ରାଜ୍ୟ ଗୃହନିର୍ମାଣ ବୋର୍ଡ, ବିଡିଏ ଓ ସିଡିଏ ଭଳି ସଂସ୍ଥାଙ୍କୁ ଦାୟିତ୍ୱ ଦେବାପାଇଁ ସ୍ଥିର ହୋଇଛି । ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଥିବାବେଳେ ଗୃହ ନିର୍ମାଣ କାର୍ଯ୍ୟ କିଭଳି ହେବ ସେଥିପାଇଁ ୨୦୨୦ ମାର୍ଚ୍ଚ ସୁଦ୍ଧା ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି । 

ସେହିଭଳି ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ଜେନା ସମୀକ୍ଷା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୫ଲକ୍ଷ ସହରୀ ପରିବାରକୁ ପାନୀୟଜଳ ସଂଯୋଗ ପାଇଁ ଲକ୍ଷ୍ୟ ଥିବାବେଳେ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ରାଜ୍ୟ ଯୋଜନାରେ ୬୭୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରୁ ୫୫୦ଟି ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ୧୨୭ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଅନୁରୂପ ଭାବେ ଅମୃତ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ୧୩୦ଟି ପ୍ରକଳ୍ପ ମଧ୍ୟରୁ ୭୧ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୫୦ଟିର କାର୍ଯ୍ୟ ଚାଲିଛି । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ କାର୍ଯ୍ୟକାରୀ ହେଉଥିବା ୫୫ଟି ପ୍ରକଳ୍ପ ମଧ୍ୟରୁ ୪୫ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୦ଟି ର କାର୍ଯ୍ୟ ଜାରି ରହିଛି । ମୋଟାମୋଟି ଭାବେ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୋଟ୍‍  ୮୯୩ଟି ପ୍ରକଳ୍ପ ମଧ୍ୟରୁ ୬୭୮ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୨୧୫ଟି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ବୈଠକରେ ଉନ୍ନତି ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ସ୍ମାର୍ଟ ପାର୍କ, ଶବଦାହ ଗୃହ ଓ ଷ୍ଟି୍ରଟ୍‍ ଲାଇଟ୍‍ ପାଇଁ ୩୭୦ କୋଟି ଟଙ୍କାର ବଜେଟ୍‍ ରହିଥିବାବେଳେ ବିଭିନ୍ନ ପ୍ରକଳ୍ପ ତ୍ୱରାନ୍ୱିତ ଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ  ଦେଇଛନ୍ତି । ଲୋକସେବା ଭବନ ଠାରେ ଅନୁଷ୍ଠିତ  ସମୀକ୍ଷା ବୈଠକରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନ, ଓରେରାର ଅଧ୍ୟକ୍ଷ ଅମୀୟ କୁମାର ମହାପାତ୍ର, ଗୃହ ନିର୍ମାଣ ନିଦେ୍ର୍ଧଶକ ସୁରେଶ ଚନ୍ଦ୍ର ଦଳାଇ, ଯୁଗ୍ମ ସଚିବ ସୁଶାନ୍ତ ମିଶ୍ର, ଯନ୍ତ୍ରୀ ମୁଖ୍ୟ ଜନ୍ମଞ୍ଜେୟ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault