ହେଡଲାଇନସ୍:

    ୧୪ ଦଫା ଦାବି ନେଇ ଜିଲ୍ଲା ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ ଆସୋସିଏସନ୍ ,  ସଂଲଗ୍ନ  ଭାରତୀୟ ମଜଦୁର ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । 

ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ୧୪ ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ୫୦୦ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର  ପରିସରରେ  ସମାବେଶ ହୋଇ ସେଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

   ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଂଘର ସଭାନେତ୍ରୀ  ପୁଷ୍ପାଞ୍ଜଳି ପଣ୍ଡା ଏବଂ ସମ୍ପାଦିକା ଅଞ୍ଜଳି ନାୟକଙ୍କ ନେତୃତ୍ୱରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । 

    ସଂଘର ସଭାନେତ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଏବଂ ସମ୍ପାଦିକା ଅଞ୍ଜଳି ନାୟକ ପ୍ରତିବାଦ ସଭାରେ ଦାବି ଗୁଡିକ ଉପରେ ଦୋହରାଇ କହିଥିଲେ ଯେ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ସହ ସହାୟିକା କର୍ମୀ ମାନଙ୍କୁ ତୁରନ୍ତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ , ନଚେତ ନହେବା ପର୍ଯ୍ୟନ୍ତ ସର୍ବନିମ୍ନ ମାସିକ ଅଙ୍ଗନବାଡି  ଓ ମିନି ଅଙ୍ଗନବାଡି କର୍ମୀଙ୍କ ପାଇଁ ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କ ପାଇଁ ୯ ହଜାର ଟଙ୍କା ପ୍ରଦାନ କରାଯାଉ , ସୁପ୍ରଭାଇଜର ପଦବୀ ନିମନ୍ତେ କେବଳ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରାଯାଉ ,ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି କରାଯାଉ ଏବଂ ଟିଏ-ଡ଼ିଏ ଲାଗୁ କରି ଅଙ୍ଗନବାଡି କେନ୍ଦ୍ର ପରିଚାଳନା ପାଇଁ ପ୍ରତ୍ୟେକ ମାସରେ ଘରଭଡା ପ୍ରଦାନ କରାଯାଉ , 

ଗାଁ କଲ୍ୟାଣ ସମିତି କାର୍ଯ୍ୟ ଗୁଡିକରୁ ଅଙ୍ଗନବାଡି କର୍ମୀ ମାନଙ୍କୁ ବାଦ ଦିଆଯାଉ , ଗ୍ରୀଷ୍ମ ମାସରେ ୧ ମାସ ଛୁଟି ପ୍ରଦାନ କରାଯାଉ , ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅବସର ସମୟରେ ଗ୍ରାଚୁଇଟି ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଏବଂ ତା ସହିତ ମାସିକ ୩ ହଜାର ଟଙ୍କା ଅବସର କାଳୀନ ଭତ୍ତା ଯୋଗାଇ ଦିଆଯାଉ ,ଅଙ୍ଗନବାଡି  ମିନି-ଅଙ୍ଗନବାଡି ଏବଂ ସହାୟିକା କର୍ମୀ ମାନଙ୍କୁ ସମ୍ବଲପୁରୀ ଶାଢ଼ୀ ପ୍ରଦାନ କରି ବୟନ ଶିଳ୍ପର ବିକାଶ ଦିଗରେ ସହାୟକ ହୁଅନ୍ତୁ , ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆଇଥିବା କର୍ମୀଙ୍କୁ ବାରିଷ୍ଠତା ଭିତ୍ତିରେ ବେତନ ନିର୍ଦ୍ଧାରଣ କରାଯାଉ , କାର୍ଯ୍ୟରତ ସମୟରେ ଦୁର୍ଘଟଣା-ଜନିତ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଉ , ମମତା ଯୋଜନାର ସଫଳତା ପାଇଁ କର୍ମୀ ମାନଙ୍କୁ ପ୍ରୋତ୍ସାହନ ରାଶି ୫୦୦ ଟଙ୍କା ଓ ସହାୟିକା ମାନଙ୍କୁ ୨୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଙ୍ଗନବାଡି କର୍ମୀ ମାନଙ୍କୁ ସାମିଲ କରାଯାଉ , କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାର ଜଣକୁ ଚାକିରୀ ଦିଆଯାଉ , ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ , ଅଙ୍ଗନବାଡି କର୍ମୀ ମାନଙ୍କ ଅଭିଜ୍ଞତାକୁ ଅଗ୍ରାଧିକାର ଦିଆଯାଇ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଯାଉ , ଯେଉଁ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ୬୦ ବର୍ଷ ବୟସରେ ଚାକିରିରୁ ଅବସର ଦିଆଯାଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଉ ।

    ସମସ୍ତ ଦାବି ଗୁଡିକ  ଆମର ମୌଳିକ ଓ ଯଥାର୍ଥ ଦାବି ରହିଛି ।ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରି ଆମ ପ୍ରତି ସଦୟ ହେବେ ,  ଦାବି ଗୁଡିକ ପ୍ରତି ଯଦି କୌଣସି ସମାଧାନ ପଦକ୍ଷେପ ନିଆ ନ ଯାଏ ତା ହେଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କହିଥିଲେ ।

0
0
0
s2sdefault