ହେଡଲାଇନସ୍:

କଂଗ୍ରେସକୁ ଫେରିଲା  ପୁରୁଣା ରୋଗ,ସକ୍ରିୟ ହେଲା ଭାଇରସ PCCPH

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର/ ସ୍ୱତନ୍ତ୍ର ପ୍ରତିନିଧି :  ବିନା ସିଜନରେ  କଂଗ୍ରେସରେ ପୁଣି ପୁରୁଣା ରୋଗ ମୁଣ୍ଡ ଟେକିଛି | ଏବେ ଅଖା ମୂଷା କାଟିଦେଲେଣି, ବିରି ପୋକ ଖାଇଯାଇଛି | ବୁଣିଲେ ଏବେ କିଛି ଗଜା ହେବାର ବି ନାହିଁ, ହେଲେ ଟାଙ୍ଗରା ଭୁଇଁରେ ବିହନ ବୁଣିବାର ପ୍ରଚେଷ୍ଟା ଆରମ୍ଭ ହୋଇଛି | ଏବେ ମୁଣ୍ଡ ଟେକିଥିବା ପୁରୁଣା ରୋଗ ହେଉଛି ହେଉଛି ଚିରାଚରିତ ଦାବି ସଭାପତି ହଟା | କଂଗ୍ରେସକୁ ଭଲ ପାଇଁ ଏହା ଚାଲିଛି ନ କ୍ଷମତା ହାତେଇବା ପାଇଁ ଏହା ହେଉଛି ତାହା କରୁଥିବା ନେତାମାନେ କହିପାରବେ | ପୁଣି ରିଟର୍ନ କରିଥିବା ରୋଗଟି ହେଲା PCCPH (ପିସିସି  ପ୍ରେସିଡେଣ୍ଟ ହଟାଓ) ଭୁତାଣୁ ଜନିତ | ମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିକଟରେ ପୁନଃନିଯୁକ୍ତି ପାଇଥିବା ପିସିସି ପ୍ରେସିଡେଣ୍ଟ  ନିରଞ୍ଜନ ପଟ୍ଟନାୟକଙ୍କୁ ହଟା | ଆଉ ଜଣେ ବିଧାୟକଙ୍କ ମାଲପାଣି ଖର୍ଚ୍ଚାରେ ପାନ୍ଥନିବାସରେ ହେଉଛି ଗୋପନ(ଯୋଜନାବଦ୍ଧ ଭାବରେ ମିଡ଼ିଆକୁ ଜଣାଇ) ବୈଠକ | ଡାକରା ହୋଇଛି ପୁରୁଣା ନେତାଙ୍କୁ | ପୁରୁଣା ନେତାମାନେ ଆସିନାହାନ୍ତି, ହେଲେ ସେମାନଙ୍କ ସହଯୋଗୀଙ୍କୁ ସମ୍ମତି ପତ୍ର ଦେଇ ପଠାଇଛନ୍ତି | ଆଉ ନିରଞ୍ଜନ ବାବୁଙ୍କୁ ହଟାଇ ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଇବା ପାଇଁ ଆପାତତଃ ନିଷ୍ପତ୍ତି ହୋଇପାରେ | ବିଧାୟକଙ୍କୁ ଯଦି ସଭାପତି କରାଯାଏ ସେଇ ଜଣେ ବିଧାୟକ ହିଁ ମାଲପାଣି ଖର୍ଚ୍ଚ କରିପାରିବେ, ଯେ କି ଆଜିର ବୈଠକ ପାଇଁ ଇନ୍ଧନ ଦେଇଛନ୍ତି | ହେଲେ ସତ୍ୟ ଏହା ଯେ ଏବେ ଆପାତତଃ ନିରଞ୍ଜନ ବାବୁ ବଦଳିବାର ସମ୍ଭାବନା ନାହିଁ | ଯାହା ଲାଗୁଛି ପୌର ନିର୍ବାଚନ ପରେ ଯାହା କିଛି ହୋଇପାରେ | ଅବଶ୍ୟ ରାଜନୀତିରେ କିଛି ବି ଅସମ୍ଭବ ନୁହେ | ହେଲେ ଆଶା କ୍ଷୀଣ | 

ହେଲେ ପ୍ରଶ୍ନ ଉଠୁଛି ଏବେ ଏଇ ବୈଠକ କାହିଁକି ? କାହିଁକିର ଗୋଟିଏ ଉତ୍ତର ହୋଇପାରେ , ତାହା ହେଉଛି "ଚାପ ଖେଳ" | ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକର ଗୋଟେ ମହତ ଉଦ୍ଦେଶ୍ୟ ଅଛି | ନିରଞ୍ଜନ ହଟନ୍ତୁ ନହଟନ୍ତୁ, ତାଙ୍କ ଉପରେ ପ୍ରେସର ପକାଇ ତାଙ୍କୁ ନୁଆଁଇବାକୁ ଉଦ୍ୟମ ବୋଲି କୁହାଯାଇପାରେ | କାରଣ ନିରଞ୍ଜନ ବାବୁ ଏବେ ନୂଆ କମିଟି କରିବେ | ଆଉ ସେ କହିଛନ୍ତି ଛୋଟିଆ କମିଟି କରିବେ, ଆଗ ଭଳିଆ ବଡ କରିବେ ନାହିଁ | ତେଣୁ ଏପରି ଏକ ଗୋପନ( ହେଲେ ପରୋକ୍ଷରେ ଓପନ ) ବୈଠକ କରି ଦିଲ୍ଲୀ ଆଉ ନିରଞ୍ଜନଙ୍କ ଉପରେ ପତିଆରା ଜାହିର କରି କମିଟିରେ ମୂଲଚାଲ କରିବାକୁ ନିରଞ୍ଜନଙ୍କୁ ବାଧ୍ୟ କରାଯାଇପାରେ | ହେଲେ ଦେଇକହିବାକୁ ବାକି ରହିଲା ଫଳ କଣ ହଉଛି ଆଉ ଅଭିଜ୍ଞ ନିରଞ୍ଜନ ନଉଁଛନ୍ତି କି ନାହିଁ !  ପିସିସି କମିଟିରେ ପଦବୀ ପାଇଁ ମୂଲଚାଲ ହେଉଛି କି ନାହିଁ !!!!

0
0
0
s2sdefault