ହେଡଲାଇନସ୍:

ଗାଁ ସାଥୀଙ୍କ ନିଯୁକ୍ତି ପ୍ରସଙ୍ଗ : ୪ ନଭେମ୍ବର ଭୁବନେଶ୍ୱର ଚାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲା ଗାଁସାଥୀ (ମେଟ୍) ମିଳିତ କ୍ରିୟାନୁଷ୍ଠାନ  କମିଟି, ଓଡ଼ିଶା ପ୍ରଦେଶ ସଂଗଠନର ଆହ୍ୱାନକ୍ରମେ ଆଜି ଭଦ୍ରକ ଜିଲ୍ଲା ସଂଘ ତରଫରୁ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମ କରାଯାଇ ଭଦ୍ରକ ଜିଲ୍ଲାର ପି.ଡି. ଡି.ଆର୍.ଡି.ଏ. ଜିଲ୍ଲା ଓ ରାଜ୍ୟସ୍ତରୀୟ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରରେ ୪ ଦଫା ଦାବି ଯଥା - ପି.ଆର. ଡିପାର୍ଟେମେଣ୍ଟ ଚିଠି ନଂ. ୯୪୦ ତା ୧୧.୦୧.୧୯ ଅନୁଯାୟୀ ମାସକୁ ସର୍ବନିମ୍ନ ୧୦ ଦିନ କାର୍ଯ୍ୟ ସମସ୍ତ ଗାଁସାଥୀ (ମେଟ୍) ମାନଙ୍କୁ ପ୍ରାପ୍ୟ ପ୍ରଦାନ ସହିତ ଗାଁ ସାଥୀଙ୍କ ଷ୍ଟାଟସ୍ ରିପୋର୍ଟ ଓ ଡାଟାବେସ୍କୁ ସଠିକ୍ ଭାବେ ପ୍ରସ୍ତୁତି  ଓ ରାଜ୍ୟକୁ ପ୍ରେରଣ, ଗାଁସାଥୀ (ମେଟ୍)ମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ, ମନରେଗାର ସମସ୍ତ ପ୍ରକଳ୍ପ କାର୍ଯ୍ୟାଦେଶ ଗାଁସାଥୀ (ମେଟ୍)ମାନଙ୍କ ନାମରେ ପ୍ରଦାନ ଇତ୍ୟାଦି ରହିଛି । ଠିକ୍ ସେହିପରି ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆମ ଗାଁସାଥୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥା - ରାଜ୍ୟରେ ଥିବା ପ୍ରତି ଗାଁର ଦୁଇଜଣ ଗାଁସାଥୀ (ମେଟ୍)ମାନଙ୍କୁ ଗ୍ୟାରେଣ୍ଟି ଭାବେ ମାସକୁ ସର୍ବନିମ୍ନ ୧୦ ଦିନ ସରକାରୀ କାର୍ଯ୍ୟ ପ୍ରଦାନ କରାଯିବ । ଯେଉଁମାନେ ଏତକ କାର୍ଯ୍ୟ ପାଇପାରିବେନି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଏକ କର୍ପସ ପାଣ୍ଠି ଗଠନ କରାଯାଇ ସେମାନଙ୍କୁ ନିର୍ଦ୍ଧିଷ୍ଟ ଏକ ନିୟମ ଆଧାରରେ ବେକାରୀ ଭତ୍ତା ପ୍ରଦାନ କରାଯିବ । ଏଥିପାଇଁ ପି.ଡି. ଡି.ଆର୍.ଡି.ଏ. ଜରିଆରେ ସଂଘ ଆଜି ଏକ ସ୍ୱତନ୍ତ୍ର ସ୍ମାରକପତ୍ର ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରୁଅଛି । ୫ମ ପାଳିରେ ସରକାର ଆସିବା ପରେ ସ୍ୱତନ୍ତ୍ର ଏକ ଆଲୋଚନା ମାଧ୍ୟମରେ ସରକାର ୩ ମାସ ସମୟ ନେଇଥିଲେ । ଏବେ ଉକ୍ତ ୩ ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଗାଁସାଥୀ (ମେଟ୍)ମାନଙ୍କର କ୍ଷତି କରିବା ପରି ୪ଟି ଚିଠି ପଞ୍ଚାୟତିରାଜ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନକୁ ପଠାଯାଇଛି । ମାତ୍ର ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ୨ ଓ ୧୯ ତାରିଖରେ ଆମ ଗାଁସାଥୀଙ୍କ ପାଇଁ ୨ଟି ସକରାତ୍ମକ ଚିଠି ଆମର ଟ୍ରେନିଂ, ୧୦ ଦିନର କାର୍ଯ୍ୟ, ଡାଟାବେସ୍, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ମାଗିବା ଆଦି ପ୍ରସଙ୍ଗରେ ଜିଲ୍ଲାକୁ ଆସିଥିଲା । ମାତ୍ର ସେସବୁ ଚିଠି କୌଣସି କାର୍ଯ୍ୟକାରୀ ଏଯାବତ୍ ହୋଇପାରି ନାହିଁ । ଏପରିସ୍ଥଳେ ଚଳିତବର୍ଷ ଜୁଲାଇ ୩୦ ତାରିଖରୁ ସେପ୍ଟେମ୍ବର ୨୭ ମଧ୍ୟରେ ୪ଟି ଗାଁସାଥୀ (ମେଟ୍) ବିରୋଧୀ ଚିଠି ରାଜ୍ୟ ପି.ଆର. ଡିପାର୍ଟମେଣ୍ଟ କରି ସାରିଛନ୍ତି ।

ଏଣୁ ପୂର୍ବ ପ୍ରତିଶୃତିକୁ ରକ୍ଷା କରି ଗାଁସାଥୀଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ, କର୍ପସ ଫଣ୍ଡ ଜରିଆରେ ବେକାରୀ ଭତ୍ତା ପ୍ରଦାନ ଓ ସେହି ୪ଟି ଗାଁସାଥୀ (ମେଟ୍) ବିରୋଧୀ ଚିଠିର ତୁରନ୍ତ ପରିବର୍ତ୍ତନ ଦାବିରେ ରାଜ୍ୟ ସଂଘ ତରଫରୁ ଚଳିତ ୪ ନଭେମ୍ବରରୁ ଭୁବନେଶ୍ୱର ରାମ ମନ୍ଦିର ଆଗରୁ ଏକ ବିଶାଳ ରାଲି ଜରିଆରେ ୫୦ ହଜାରରୁ ଉର୍ଧ୍ଵ  ଗାଁସାଥୀ ବିଧାନସଭା ଆଗକୁ ଯାଇ   ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣଧାରଣା ଓ ଆନେ୍ଦାଳନ ଜାରି ରଖିବେ ବୋଲି ରାଜ୍ୟ ସଂଘର ନିଷ୍ପତ୍ତିକୁ ଆଜି ଭଦ୍ରକ ଜିଲ୍ଲା ସଭାପତି ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ପି.ଡି. ଡ.ଆର୍.ଡି.ଏ. ଠାରେ ଏକ ସ୍ୱତନ୍ତ୍ର ଗଣଧାରଣା ମାଧ୍ୟମରେ ଗଣମାଧ୍ୟମକୁ ଜଣାଇ ଦିଆଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଗାଁସାଥୀ ସଂଗଠକ ଯଥା - ଭରତ ବାରିକ, ଅକ୍ଷର ଜେନା, ରବୀନ୍ଦ୍ର ମାଝି, ଷୁସମାରାଣୀ ବେହେରା, ବୈଷ୍ଣବ ଦାସ, ମମତା ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ଗାଁସାଥୀ ଏହି ଆନେ୍ଦାଳନରେ ସାମିଲ୍ ହେବା ପାଇଁ ସଂଘ ତରଫରୁ ବିନମ୍ର ନିବେଦନ କରାଯାଇଅଛି ।

0
0
0
s2sdefault