ହେଡଲାଇନସ୍:

ଭୁଶୁଡି  ଯାଇଛି ସ୍ୱାସ୍ଥ୍ୟସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ମାରିସା

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ଭୂଷୁଡ଼ି ଯାଇଥିବା ବେଳେ ଜିଲାପ୍ରଶାସନ, ନିର୍ବାଚିତ ଜନପ୍ରତିନିଧି କୁମ୍ଭକର୍ଣ୍ଣ ନିଦ୍ରାରେ । ମୁଖ୍ୟମନ୍ତ୍ରୀ ନବୀନ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ନିର୍ମାଣ କରି ବାହାବା ନେବା ନିମନ୍ତେ ନାଗରା ବଜାଇ ଚାଲିଥିବା ବେଳେ ଉକ୍ତ ମଡେ଼ିକାଲ କଲେଜ ଓ ହସପିଟାଲରେ ସ୍ୱାସ୍ଥ୍ୟସେବା କିପରି ଚାଲିଛି ସେଥି ପ୍ରତି ନଜର ଦେବା ନିମନ୍ତେ ସମୟ ପାଉ ନାହାନ୍ତି । ଫଳରେ ଜିଲାବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ବଦଳରେ ଶୋଷଣର ଶିକାର ହେଉଛନ୍ତି । ଯାହାକୁ ନେଇ ମୟୂରଭଞ୍ଜ ଆଦିବାସୀ ରିଭଲୁ୍ୟସନାରୀ ୟୁଥ ଆଣ୍ଡ ଷ୍ଟୁଡେ଼ଣ୍ଟ ଆସୋସିଏସନ ଗଭୀର ଉଦବେଗ ପ୍ରକାଶ କରିବା ସଂଗେସଂଗେ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଇବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । 

ମାରିସା ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଜିଲାରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରୁ ୬୫ ପ୍ରତିଶତରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଓ ଏମାନେ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ । ଉପଯୁକ୍ତ ଶିକ୍ଷା ଅଭାବରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନ ହୋଇପାରୁ ନାହାନ୍ତି । ନିରକ୍ଷର ତଥା ଆର୍ଥିକ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଆଦିବାସୀ ସମ୍ପ୍ରଦାୟ ଡ଼ାକ୍ତରଖାନାରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ଅବହେଳାର ଶିକାର ହେଉଛି । ନିରାମୟ ଯୋଜନା ଆବଶ୍ୟକୀୟ ଔଷଧ ଉପଲବ୍ଧ ହେଉ ନ ଥିବାରୁ ରୋଗୀ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛି । ଶବ ବ୍ୟବଚ୍ଛେଦ ସମୟରେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି । ଟଙ୍କା ନ ଦେଲେ ଶବକୁ ସିଲେଇ ନ କରି ସେହିପରି ଗୋଡ଼ାଇ ଦେଇ ଦେଉଛନ୍ତି । ସରକାରୀ ଚିକିତ୍ସାଳୟରେ ପାଥୋଲୋଜି ବ୍ୟବସ୍ଥା ରହିଥିଲେ ମଧ୍ୟ ବାହାରୁ ପରୀକ୍ଷା କରିବାକୁ ପଠାଇ ଖର୍ଚ୍ଚାନ୍ତ କରାଯାଉଛି । ଘରୋଇ ପାଥୋଲୋଜି ସହିତ ସଲାସୁତରା ହୋଇ ଚିକିତ୍ସାଳୟର ଆଧୁନିକ ମୂଲ୍ୟବାନ ଯନ୍ତ୍ରପାତିଗୁଡ଼ିକୁ ଅକାମୀ କରିଦେଉଛନ୍ତି । ଏପରିକି ରୋଗୀଙ୍କୁ ଭୂଲ ରିପୋର୍ଟ ଧରାଇ ଦେଉଥିବାର ଅନେକ ନଜିର ରହିଛି । କଥାକଥାକେ ରୋଗୀଙ୍କୁ କଟକ ରେଫର କରାଇ ଦେଉଛନ୍ତି । ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ସରକାରୀ ଚିକିତ୍ସାଳୟରେ ସଠିକ୍ ଚିକିତ୍ସା ହୋଇପାରୁ ନ ଥିବାରୁ ଆନ୍ଧବିଶ୍ୱାସ ଓ କୁସଂସ୍କାରକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ସମୟରେ ଏହି କୁସଂସ୍କାର ଓ ଅନ୍ଧବିଶ୍ୱାସରେ ପଡ଼ି ଅପରାଧ କରିବାକୁ ପଛାଉ ନାହାନ୍ତି । ତେଣୁ ମାରିସା ପକ୍ଷରୁ ଜିଲା ସଭାପତି ଅର୍ଜୁନ ମୁର୍ମୁ, କାର୍ଯ୍ୟକାରୀ ସଭାପତି ଧରମରାଜ ହାଁସଦାଃ, ନଗର ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ନଗର ସମ୍ପାଦକ ସୁବାଷ ମାର୍ଣ୍ଡି, ଗୋବିନ୍ଦ ମାହାଲି, ମହେଶ ସିଂ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ କରି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି 

 

0
0
0
s2sdefault