ହେଡଲାଇନସ୍:

କେମିତି ଚାଲିଛି ମୋ ସରକାର ,ସ୍ଥିତି ପରଖିଲେ ୫-ଟି ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆସିବା ଆଗରୁ ସଜେଇ ହୋଇ ଯାଇଥିଲା, ସମସ୍ୟା ଦିଶିଲା କି ନାହିଁ କେଜାଣି !

ବାରିପଦା(Dillip Mohanty)- କେମିତି ଚାଲିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମ । ସ୍ଥିତି ପରଖିବା ନିମନ୍ତେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଅକ୍ଟୋବର ୯ରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ସମୟରେ ଅକ୍ଟୋବର ୧୩ ରବିବାର ୫-ଟି ସଚିବ ଶ୍ରୀପାଣ୍ଡିଆନ ହେଲିକେପ୍ଟର ଯୋଗେ ବାରିପଦା ଗସ୍ତରେ ଆସି ଅପରାହ୍ନ ୪ରେ ବାରିପଦା ଛଉପଡ଼ିଆସ୍ଥିତ ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ସିଧାସଳଖ ଭାବେ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିଦର୍ଶନରେ ଆସି ପହଁଞ୍ଚି ପ୍ରଥମେ ମେଡ଼ିସିନ ୱାଡର଼୍(ମହିଳା)କୁ ଯାଇ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେମାନଙ୍କ ପ୍ରତି ଡ଼ାକ୍ତର ଓ ସ୍ୱାସ୍ଥ୍ୟ ସେବିକାମାନଙ୍କର ବ୍ୟବହାର, ନିରାମୟରୁ ମାଗଣାରେ ଔଷଧପତ୍ର ମିଳୁଛି କି ନାହିଁ , ଚିକିତ୍ସା ନିମନ୍ତେ କେହି ଅର୍ଥ ଦାବି କରୁଛନ୍ତି କି ନାହିଁ , ଡ଼ାକ୍ତରମାନେ ନିୟମିତ ୱାର୍ଡକୁ  ଆସୁଛନ୍ତି କି ନାହିଁ ଆଦି ପଚାରି ବୁଝିଥିଲେ । ସେହିପରି ଆଶୁ ଚିକିତ୍ସା , ପ୍ରସୂତୀ ବିଭାଗ , ଶିଶୁ ବିଭାଗ ଆଦିକୁ ଯାଇ ରୋଗୀ ଓ ସମ୍ପର୍କୀୟମାନଙ୍କ ସହ ଆଲୋଚନା କରି   ସେମାନଙ୍କ ସମସ୍ୟାଗୁଡ଼ିକ ପଚାରି ବୁଝିଥିଲେ । ଏହାପରେ ମେଡ଼ିକାଲ ଓ ହସପିଟାଲ କର୍ତ୍ତୃପକ୍ଷ ପ୍ରଫେସର, ସହକାରୀ ପ୍ରଫେସର, ସିଡ଼ିଏମଓ, ଏଡ଼ିଏମଓ, ଡ଼ାକ୍ତରମାନଙ୍କ ସହ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତ୍ତମ ଦାସ, ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକରେ ବସିଥିବାର ପରିଲକ୍ଷିତ ହୋଇଥିଲା । ତେବେ ୫-ଟି ସଚିବ ଶ୍ରୀପାଣ୍ଡିଆନ ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପରିଦର୍ଶନରେ ଆସିଥିବା ସମୟରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉପରେ କଟକଣା ଜାରି କରାଯାଇଥିଲା । ୫-ଟି ସଚିବ ୱାଡର଼୍କୁ ଯାଉଥିବା ବେଳେ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ ଭିତରକୁ ପ୍ରବେଶ ନିମନ୍ତେ ପୂର୍ବରୁ ବାରଣ କରାଯାଇଥିବାରୁ ରୋଗୀ ଓ ସଚିବଙ୍କ ମଧ୍ୟରେ ସାପ କି ବେଙ୍ଗ ଆଲୋଚନା ହେଲା ତାହା କେବଳ ସେମାନେ ହିଁ ଜାଣିଛନ୍ତି । ଏହାପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବୈଦୁ୍ୟତିକ ଗଣମାଧ୍ୟମକୁ ସଚିବଙ୍କ ସମୀକ୍ଷା ଉପରେ କିଛି ସୂଚନା ଦେଉଥିବାର ଦେଖିବାକୁ ମିଳିଥିଲା ।     

             ୫-ଟି ସଚିବ ଶ୍ରୀପାଣ୍ଡିଆନଙ୍କ ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲ ଗସ୍ତ ସମୟରେ ହସପିଟାଲରେ କେତେକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ହସପିଟାଲର କାନ୍ଥରେ ରହିଥିବା ସୂଚନା ଆଧାରରେ ରବିବାର ରୋଗୀମାନଙ୍କ ଶଯ୍ୟାରେ ଖଇରିଆ ରଙ୍ଗର ବେଡ଼ସିଟ ବଦଳରେ ଧଳା ରଙ୍ଗ ବେଡ଼ସିଟ ଥିବାର ଦେଖିବାକୁ ମିଳିଥିଲା । ଏଥି ସହିତ ହସପିଟାଲର ସମସ୍ତ ୱାଡର଼୍ ସହ ପରିସରର ପୂର୍ବର ଦୁର୍ଗନ୍ଧ, କୁଢ଼ କୁଢ଼ ଅଳିଆ, ପାନ-ଖଇନି- ଘୁଟକା ଆଦି ଛେପ ବଦଳରେ ସୁଗନ୍ଧଯୁକ୍ତ ଫିନାଇଲର ବାସନାରେ ମହକୁ ଥିବା ବେଳେ ସର୍ବତ୍ର ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖିବାକୁ ମିଳିଥିଲା ।  ଏଥି ସହିତ ଏକ ଘରୋଇ ହସପିଟାଲର ଭ୍ରମ ସୃଷ୍ଟି କରାଉଥିଲା । 

         ଓଡ଼ିଶାରେ ପ୍ରଶାସନିକ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରିୟାଶୀଳ, ଅଧିକ ଉତ୍ତରଦାୟୀ ଓ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଛନ୍ତି ‘ମୋ ସରକାର’ କାର୍ଯ୍ୟକ୍ରମ । ଯୋଜନାର ମୂଳତତ୍ୱଭାବେ ସାଧାରଣ ଜନତା ଗଣତନ୍ତ୍ରର ଆତ୍ମା ଏବଂ ଗଣତନ୍ତ୍ରରେ ପ୍ରତ୍ୟେକ ଅନୁଷ୍ଠାନ  ଜନତାଙ୍କ କଲ୍ୟାଣ ପାଇଁ, ଜନତାଙ୍କ ପଇସାରେ, ଜନତାଙ୍କ ସେବା ଏବଂ ସଶକ୍ତୀକରଣ ନିମନ୍ତେ ଉଦ୍ଧିଷ୍ଟ । ଜନତା ଏହାର ପ୍ରକୃତ ମାଲିକ । ଜନତା ହେଉଛନ୍ତି ସରକାର । ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜନତାଙ୍କ ପାଇସାରେ ଦରମା ପାଇଥାନ୍ତି । ଥାନା, ଡ଼ାକ୍ତରଖାନା, ସରକାରୀ କାର୍ଯ୍ୟାଳୟ ଜନତାଙ୍କ ସେବା ପାଇଁ କାର୍ଯ୍ୟକରୁଛି । ‘ମୋ ସରକାର’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନଙ୍କ ୫-ଟିର ଏକ ଅଂଶ ବିଶେଷ । ଏହା ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ୫-ଟି ସଚିବ ଶ୍ରୀପାଣ୍ଡିଆନଙ୍କ ଏହି ବାରିପଦା ଗସ୍ତ ରହିଥବାର କୁହାଯାଉଥିବା ବେଳେ ସଚିବଙ୍କ ଏହି ଗସ୍ତ ବିଜେଡ଼ିର ପ୍ରଚାର ନିମନ୍ତେ ଉଦ୍ଧିଷ୍ଟ ଅଥବା ଜନତାଙ୍କ ସାମୂହିକ ସ୍ୱାର୍ଥ ସାଧାନ ନିମନ୍ତେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଭଞ୍ଜସେନା । ୫-ଟି ସଚିବ ଶ୍ରୀପାଣ୍ଡିଆନ ଏବଂ ତାଙ୍କ ସହିତ ଆସିଥିବା ଅନ୍ୟ ଉଚ୍ଚ ପଦାଧିକାରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସଂଙ୍ଗେ ସଂଙ୍ଗେ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ଆଦିକୁ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିବା ନିମନ୍ତେ ଭଞ୍ଜସେନାର ଏକ ପ୍ରତିନିଧି ମଣ୍ଡଳୀ ପୁଷ୍ପଗୁଚ୍ଛ ଧରି ଅପେକ୍ଷାରେ ରହିଥିଲେ ମଧ୍ୟ ସେମାନଙ୍କୁ ଏହି ସୁଯୋଗ ମିଳିପାରିନଥିଲା । ତେଣୁ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଉପରକୁ ଅଙ୍ଗୁଳି ଉଠାଇଛି । 

             ୫-ଟି ସଚିବ ଶ୍ରୀପାଣ୍ଡିଆନଙ୍କ ଆଜିର ଏହି ଗସ୍ତ ସମୟରେ ତାଙ୍କ ସହିତ ଡେ଼ଭେଲପମେଣ୍ଟ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଏନଆରଏଚଏମ ନିଦେ୍ର୍ଧଶିକା ଶାଲିନୀ ପଣ୍ଡିତ ପ୍ରମୁଖ ସାମିଲ ରହିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସାମାଜିକ ଗଣମାଧ୍ୟମରେ ଦେଇଥିବା ସୂଚନାରୁ ଜଣାପଡ଼ିଛି ।

 

0
0
0
s2sdefault