ହେଡଲାଇନସ୍:

ଖାଲି ପଡିଛି ଡାକ୍ତର ପଦବୀ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଚାଲିଛି ସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅବ୍ୟବସ୍ଥା ଘେରରେ ଓଲରା ସରକାରୀ ଆୟୁର୍ବେଦ ଡାକ୍ତରଖାନା


ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଓଲରା ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ୩୩ ବର୍ଷ ତଳେ ସରକାରୀ ଆୟୁର୍ବେଦ ଡାକ୍ତରଖାନା ଖୋଲା ଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ତାହା ଯେମିତି ଥିଲା ସେମିତି ରହିଛି । ସରକାରୀ ସ୍ତରରେ ଏଯାବତ୍ ଡାକ୍ତରଖାନା ଚାଲିଲା ଭଳି ସର୍ବନିମ୍ନ ଘର ଖଣ୍ଡିଏ ଯୋଗାଇ ଦିଆଯାଉ ନାହିଁ । ବର୍ଷ ବର୍ଷ ଧରି ଡାକ୍ତର ପଦବି ଏଠି ଖାଲି ପଡ଼ି ରହୁଥିବା ବେଳେ, ସରକାରୀ ସ୍ତରରେ ଏଥିପ୍ରତି କାହାର ନିଘା ନଥିବା ଜଣାଯାଇଛି । ଏରସମା ବ୍ଲକ୍ ପଦ୍ମପୁର ପଞ୍ଚାୟତ ଏକ ସମୁଦ୍ର କୂଳିଆ ଅଞ୍ଚଳ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହି ଅଞ୍ଚଳର ଜନସାଧାରଣଙ୍କ କ୍ଷେତ୍ରରେ ସ୍ଵାସ୍ଥ୍ୟ ସେବା ପାଇଁ ଓଲରା ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଏକମାତ୍ର ସାହା ଓ ଭରସା । ମାତ୍ର ୩୩ ବର୍ଷ ତଳର ଏହି ଆୟୁର୍ବେଦ ଚିକିତ୍ସାଳୟର ସେମିତି କିଛି ଆଖି ଦୃଶିଆ ଉନ୍ନତି ହୋଇପାରିନାହିଁ । ଘୋର ଅବ୍ୟବସ୍ଥା ଭିତରେ ଚାଲିଛି ଓଲରା ଆୟୁର୍ବେଦ ଚିକିତ୍ସାଳୟ । ୧୯୯୨ରେ ଏହି ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିବା ବେଳେ, ଦୀର୍ଘ ବର୍ଷ ପରେ ମଧ୍ୟ ଏହାର ଭିତ୍ତି ଭୂମିର ବିକାଶ ହୋଇ ପାରିନାହିଁ । ଏଯାବତ୍ ଆବଶ୍ୟକ ଘର ଯୋଗାଇ ଦିଆଯାଉ ନାହିଁ, ଯେଉଁଥି ପାଇଁ ଦୀର୍ଘ ବର୍ଷ ଧରି ତାହା ୨ଟି ପୁରାତନ ଆଜବେଷ୍ଟସ କୋଠରିରେ ଚାଲୁଛି । ଯାହା ପଦ୍ମପୁର ରାଜସ୍ୱ ନିରୀକ୍ଷକଙ୍କ ଏକ ପୁରାତନ କାର୍ଯ୍ୟାଳୟରେ ଚାଲିଛି । ଯେଉଁଥିରେ ରଙ୍ଗ ମରାଯାଇ ଯେନତେନ ପ୍ରକାରେ କାର୍ଯ୍ୟ ଚଳାଇବାକୁ ପଡୁଛି । ରୋଗୀ ମାନେ ଆସିଲେ ବସିବା ପାଇଁ ଏଠି ସ୍ଥାନ ନାହିଁ । ଏବେ ଆବଶ୍ୟକତା ଥିଲେ ମଧ୍ୟ ଏଠାରେ କୋଠରୀ ନିର୍ମାଣ କରାଯାଉ ନାହିଁ କିମ୍ବା ମରାମତିର ଆବଶ୍ୟକତା ଥିଲେ ମଧ୍ୟ ତାହା କରାଯାଉ ନାହିଁ । ଡାକ୍ତର କର୍ମଚାରୀଙ୍କ ରହିବା ପାଇଁ କୌଣସି କ୍ବାର୍ଟର୍ସ ବ୍ୟବସ୍ଥା ନଥିବାରୁ ଏଠାରେ ଅବସ୍ଥାପିତ ଡାକ୍ତର ଓ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୨ ବର୍ଷ ହେଲାଣି ଏଠାରେ କେହି ଡାକ୍ତର ନାହାନ୍ତି । ଖୁରାଣ୍ଟତୁଠ ଆୟୁର୍ବେଦ ଚିକିତ୍ସାଳୟର ଚିକିତ୍ସାଧିକାରିଣୀ ଏଠାକୁ ସପ୍ତାହରେ ୨ ଦିନ ମଙ୍ଗଳବାର ଓ ଶନିବାର ଆସି ସେବା ଯୋଗାଉଛନ୍ତି । ଏଠାରେ ଜଣେ ନିୟମିତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଅନ୍ୟ ପକ୍ଷରେ ଏଠାରେ ଜଣେ ଆୟୁଷ ଆସିଷ୍ଟାଣ୍ଟ ନିଯୁକ୍ତ ଥିଲେ ମଧ୍ୟ ତାଙ୍କୁ ସପ୍ତାହରେ ୨ ଦିନ ବାଲିକୁଦାସ୍ଥିତ ମାଧୁରୀ ବଜାର ଆୟୁର୍ବେଦ ଚିକିତ୍ସାଳୟକୁ ପଠାଯାଉଛି । ଗ୍ରାମାଞ୍ଚଳରେ ଅବସ୍ଥିତ ଏହି ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତି ଭୂମିର ବିକାଶ, ମେଡିକାଲ୍‌ର ବିଲିଂ ନିର୍ମାଣ ସହିତ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ସାଧାରଣରେ ଦାବି ହେଉଛି ।

0
0
0
s2sdefault