ହେଡଲାଇନସ୍:

 ସରକାରୀ ମାଲ ଦରିଆ ମେ ଡାଲ, ଠିକାଦାର ଯନ୍ତ୍ରୀ  ମାଲେ ମାଲ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଯୋଜନା : ଗ୍ରାମ୍ୟ ଉନ୍ନୟନ ବିଭାଗର ଜ୍ଞାତରେ ନୀତିରେ ଚାଲିଛି ନିମ୍ନମାନର ରାସ୍ତା ନିର୍ମାଣ ।

କାମ ଏତେ ମଜଭୁତ ଯେ ହାତରେ ଟେକି ଆଣିଲେ ଚକୁଳି ପରି ଉଠି ଆସୁଛି ପିଚୁ 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜ୍ଞାତ ସାରରେ ସରକାର କା ମାଲ , ଦରିଆ ମେ ଡ଼ାଲ ନ୍ୟାୟରେ ଚାଲିଛି ରାସ୍ତାର ନିର୍ମାଣ କାର୍ଯ୍ୟ । ନିର୍ମାଣ କାର୍ଯ୍ୟ ତଦାରଖ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା, ଖାମଖିଆଲି ଓ ଅସାଧୁ ମନୋଭାବ ଠିକାଦାରଙ୍କ କପାଳକୁ ଶିକା ଛିଡ଼ିବା ସଦୃଶ୍ୟ କାର୍ଯ୍ୟକରୁଛି । ଫଳରେ ଠିକାଦାର ମାଲେ ମାଲ ହେଉଥିବା ବେଳେ ଜନସାଧାରଣଙ୍କ ଗମନାଗମନର ସୁବିଧା ନିମନ୍ତେ ନିର୍ମାଣ କରାଯାଉଥିବା ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ନ ହେଉଣୁ ନଷ୍ଟ ହୋଇ ଖାଲଖମାରେ ପରିଣତ ହେବାରେ ଲାଗିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମଙ୍କ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ପାଇକବସା ଗ୍ରାମପଞ୍ଚାୟତର ଉଦଳା-ବାରିପଦା ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ସାଢେ଼ ୪ କି.ମି ଏସଏଚ ୧୯ରୁ ପାଣ୍ଡୁରା ରାସ୍ତା । ଉକ୍ତ ରାସ୍ତା ନିମ୍ନମାନର ନିର୍ମାଣ କରାଯାଇଥିବା ଓ ରାସ୍ତା ପାଶ୍ୱର୍ ଡ୍ରେନ ନିର୍ମାଣକୁ କେନ୍ଦ୍ର କରି ସ୍ଥାନୀୟ ଗ୍ରାମବାସୀ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । 

           ସରକାରଙ୍କ ନିୟମ ଅନୁସାରେ ଏସଏଚ ୧୯ରୁ ପାଣ୍ଡୁରା ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ସୂଚନା ଫଳକ ରାସ୍ତା ପାଶ୍ୱର୍ରେ ରହିଥିବାର ଦେଖିବାକୁ ମିଳିଥିଲା । ତେବେ ଲଗାଯାଇଥିବା ସୂଚନା ଫଳକ ଅସମ୍ପୂର୍ଣ୍ଣ ଥିବାର ପରିଲକ୍ଷିତ ହୋଇଥିଲା । ଫଳକରେ ପ୍ରକଳ୍ପ ବ୍ୟୟ ଅଟକଳର ପରିମାଣ, ଠିକାଦାରଙ୍କ ନାମ, ପ୍ରକଳ୍ପ ନିର୍ମାଣ ଏଗ୍ରିମେଣ୍ଟ, ଆରମ୍ଭ ଓ ଶେଷ ତାରିଖ ସହ ନିର୍ମାଣ କାର୍ଯ୍ୟ ଆଦି ଉପରେ ସୂଚନା ଫଳକରେ ଦେଖିବାକୁ ମିଳିନଥିଲା । ଏଥି ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ରାସ୍ତାର ନିର୍ମାଣ କାର୍ଯ୍ୟ ୩ ମାସ ପୂର୍ବେ ଶେଷ ହୋଇଥିବା ବେଳେ ରାସ୍ତା ଉପରୁ ପିଚୁ ଚଦର ଭଳି ଉଠିଯାଇଛି । କେତେକ ସ୍ଥାନରେ ଠିକାଦାର ତାଳିପକା ମରାମତି କାର୍ଯ୍ୟ ଜାରି ରଖିଛି । ଏହି ରାସ୍ତା ନିର୍ମାଣ ସମୟରେ ତଦାରଖ କରିବା ନିମନ୍ତେ କୌଣସି ବିଭାଗୀୟ ଅଧିକାରୀଙ୍କୁ ଦିନେ ବୋଲି ଦେଖିବାକୁ ମିଳିନଥିବାର କୁହାଯାଉଛି । ପୁଣି ଠିକାଦାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଗ୍ରାମବାସୀମାନଙ୍କୁ ଭୟଭିତ କରାଉଥିବାର ଅଭିଯୋଗ ହେଉଛି । 

               ଏସଏଚ ୧୯ରୁ ପାଣ୍ଡୁରା ରାସ୍ତାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ଶରତ କୁମାର ରାଉତ କୁହନ୍ତି, ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ପରେ ନୂଆ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିନଥିବାରୁ ଅତିରିକ୍ତ ଭାବେ ଏଠାକାର ଦାୟିତ୍ୱ ଦିଆଯାଇଛି । ନୂଆ ହୋଇଥିବାରୁ ରାସ୍ତାର ନିର୍ମାଣ କାର୍ଯ୍ୟ ଉପରେ କିଛି ଜଣା ନାହିଁ । ସ୍ପଷ୍ଟ ଯାଇ ଏହାର ତଦନ୍ତ କରି ଦେଖିବି ଏବଂ ନିର୍ମାଣ କାର୍ଯ୍ୟ ଖରାପ ହୋଇଥିଲେ ନିୟମ ଅନୁସାରେ ୫ ଧରି ରାସ୍ତା ମରାମତି କାର୍ଯ୍ୟ ଠିକାଦାର କରିବ ବୋଲି କହିଥିଲେ । ଏଥି ସହିତ ପ୍ରକଳ୍ପର ପ୍ୟାକେଜ ନଂ-ଓଆର-୨୧-୬୯୮ , ଏହାର କଷ୍ଟ ୧୪୬.୭୯ ଲକ୍ଷ. ଏଜେନ୍ସୀର ନାମ ସୁବାଷ ଚନ୍ଦ୍ର ମଣ୍ଡଳ, କାର୍ଯ୍ୟ ଆରମ୍ଭ ତାରିଖ ୨୨.୦୫.୨୦୧୮, ଶେଷ ତାରିଖ ୨୧.୦୨.୨୦୧୯ , ନିର୍ମାଣ କାର୍ଯ୍ୟର ମୋଟ ଲମ୍ବ  ୪.୫୦୦କି.ମି(ବିଟି-୨.୮୧୦ ଓ ସି-୧.୬୯୦) ବୋଲି ସୂଚନା ଦେଇଥିଲେ । ତେବେ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ଶ୍ରୀରାଉତଙ୍କ ସୂଚନା ଅନୁସାରେ ରାସ୍ତା ନିର୍ମାଣ କାର୍ଯ୍ୟର ଏଗ୍ରୀମେଣ୍ଟ ସୁବାଷ ଚନ୍ଦ୍ର ମଣ୍ଡଳଙ୍କ ନାମରେ ରହିଥିବା ବେଳେ କାର୍ଯ୍ୟ ଅନ୍ୟ ଜଣେ ଠିକାଦାର କରୁଥିବାର ଜଣାପଡ଼ିଛି ଏବଂ କାର୍ଯ୍ୟ କରୁଥିବା ଉକ୍ତ ଠିକାଦାର ଅତୀତରେ କୁଆଡେ଼ ବ୍ଲାକ ଲିଷ୍ଟେଡ଼ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।  ଏଥି ସହିତ ସରକାରରେ ଉପର ମହଲରେ ତାଙ୍କର ପ୍ରଭାବ ରହିଥିବାରୁ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ତାଙ୍କ ନିୟନ୍ତ୍ରଣରେ ରହିଥିବାରୁ ନିମ୍ନମାନର ନିର୍ମାଣ କାର୍ଯ୍ୟ କରୁଥିଲେ ମଧ୍ୟ କେହି ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରନ୍ତି ନାହିଁ । ନିମ୍ନମାନର କାର୍ଯ୍ୟକରି ସମ୍ପୂର୍ଣ୍ଣ ବିଲ ପାଶ୍ କରାଇ ନେବାରେ ବେଶ ସିଦ୍ଧହସ୍ତ  ବୋଲି  ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।            

                ତେଣେ ମୁଖ୍ୟମନ୍ତ୍ରୀ ନବୀନ ୫ଟି, ମୋ ସରକାର ଆଦିକୁ ନେଇ ରାଜ୍ୟରେ ନାଗରା ବଜାଇବାରେ ଲାଗିଛନ୍ତି । ଏଥି ସହିତ ଗତ ସେପ୍ଟେମ୍ବର ଶେଷ ସପ୍ତାହରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଭୂବନେଶ୍ୱରରେ ଏକ ସମୀକ୍ଷା ବୈଠକରେ ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା, ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା, ନିର୍ମାଣ ସମୟରେ ଗୁଣବତ୍ତା ଓ ମାନ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେବା, ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା, ଭଲ କାର୍ଯ୍ୟ କଲେ ପୁରସ୍କାର ସହ ଖରାପ କାର୍ଯ୍ୟ କରୁଥିବା ଏବଂ ଅସାଧୁ ଠିକାଦାରଙ୍କୁ ବ୍ଲାକ ଲିଷ୍ଟେଡ଼ କରିବା ଆଦିକୁ ନେଇ ବିଭାଗୀୟ ଉଚ୍ଚପଦସ୍ତ ପଦାଧିକାରୀ ଓ ଅଧିକାରୀମାନଙ୍କୁ ତାଗିଦ କରିଥିବା ସମୟରେ ଏସଏଚ ୧୯ରୁ ପାଣ୍ଡୁରା ରାସ୍ତାର ନିମ୍ନମାନର ନିର୍ମାଣ କାର୍ଯ୍ୟରୁ  ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଏହାର କୌଣସି ପ୍ରଭାବ ପକାଇପାରି ନଥିବାର କୁହାଯାଉଛି । 

 

 

0
0
0
s2sdefault