ଭୁବନେଶ୍ୱର, ୨୪.୦୩.୨୦୨୬:
ପିଆଇବି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ତେଲଙ୍ଗାନା ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ପ୍ରଥମ ଦିନରେ ହାଇଦ୍ରାବାଦସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସହ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ଓ ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଅବସରରେ ପିଆଇବି ହାଇଦ୍ରାବାଦର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀମତୀ ଶ୍ରୁତି ପାଟିଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସରକାରୀ ନୀତି ଓ ଜନସାଧାରଣଙ୍କ ସଚେତନତା ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାରେ ଏପରି ପ୍ରେସ୍ ଟୁର୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ସାମ୍ବାଦିକମାନେ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରି ତଥ୍ୟଭିତ୍ତିକ ଓ ପ୍ରଭାବଶାଳୀ ଖବର ପରିବେଷଣ କରିପାରିବେ।
ସେ ଆହୁରି କହିଥିଲେ ଯେ, ଭାରତ ସରକାର ଦକ୍ଷତା ବିକାଶ ଓ କ୍ଷମତା ବୃଦ୍ଧିକୁ ଗୁରୁତ୍ୱ ଦେଇ ରାଜ୍ୟମାନଙ୍କର ସମାବେଶୀ ବିକାଶ ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି। ତେଲେଙ୍ଗାନାରେ ବହୁ ସଂଖ୍ୟକ ଓଡ଼ିଆ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବାରୁ ଦୁଇ ଅଞ୍ଚଳ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଆହୁରି ସୁଦୃଢ଼ ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ।
ଶ୍ରୀମତୀ ପାଟିଲ ସାମ୍ବାଦିକମାନଙ୍କୁ ବିବିଧ ଦୃଷ୍ଟିକୋଣରୁ ଖବର ପରିବେଷଣ କରିବାକୁ ଉତ୍ସାହିତ କରିଥିଲେ। ବିକାଶମୂଳକ ପ୍ରସଙ୍ଗ, ମାନବିକ ସମ୍ବେଦନା ଓ ତୃଣମୂଳ ସ୍ତରର ବାସ୍ତବତାକୁ ଖବର ପ୍ରସ୍ତୁତିରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସାମ୍ବାଦିକମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ସହ ସାମ୍ବାଦିକତା କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।








