ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ବେହେରାସାହିରେ ଏକ ଦୁଃଖଦ ଘଟଣା ଘଟିଛି। ହନୁମନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅଞ୍ଜଳି ସାହୁ (୪୪)ଙ୍କ ସୋମବାର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି।
ସେ କୁରାଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁଙ୍କ ପୁତ୍ରବଧୁ ଓ ଡା. ଗୋପୀନାଥ ସାହୁଙ୍କ ଧର୍ମପତ୍ନୀ ଥିଲେ। ରବିବାର ସକାଳେ ଗାଁର ବେଡ଼ାପୋଖରି ନିକଟସ୍ଥ ନିଜ ଫାର୍ମହାଉସକୁ ଯାଇଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ କୁରାଳ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଓଡ଼ଗାଁ ଓ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ପରବର୍ତ୍ତୀରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ଶେଷରେ ଆଦିତ୍ୟ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ତାଙ୍କର ଦେହାନ୍ତ ଘଟିଥିବା ବିଷୟରେ ଡାକ୍ତରମାନେ ସୂଚନା ଦେଇଥିଲେ। ତାଙ୍କର ଅକାଳ ବିୟୋଗ ପରେ ପରିବାର ମଧ୍ୟରେ ଦୁଃଖର ଛାୟା ଛାଇଯାଇଛି। ୮୦ ବର୍ଷରୁ ଅଧିକ ବୟସର ଶଶୁର ଓ ଦୁଇ ନାବାଳକ ସନ୍ତାନଙ୍କ ଭବିଷ୍ୟତ୍ ନେଇ ଚିନ୍ତା ବ୍ୟକ୍ତ ହେଉଛି। ତାଙ୍କ ଶବଦାହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବାକୁ ଥିବା ବେଳେ, ଖବର ପାଇ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭକ୍ତରଞ୍ଜନ ମିଶ୍ର ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ଈଶ୍ୱରଙ୍କୁ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି।
ରାଜ୍ୟ
ଶିକ୍ଷୟତ୍ରୀ ଅଞ୍ଜଳି ସାହୁଙ୍କ ଅକାଳ ବିୟୋଗ,କୁରାଳରେ ଶୋକାକୁଳ ପରିବେଶ
- Hits: 25








