ହେଡଲାଇନସ୍:

ସୁସ୍ଥହୋଇ ଘରକୁ ଫେରିଲେ ଅସିତ : ସହାୟତା ପାଇଁ କୃତଜ୍ଞତା ଜଣାଇଲେ ବାପା ମା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା - ସେଦିନ ଥିଲା ଜୁଲାଇ - 16 ତାରିଖ ଅପରାହ୍ନ, ହଠାତ ସୁନ୍ଦରଗଡ଼ ଆରଆଇଟି କଲୋନୀ ନିବାସୀ କିରଣ ପ୍ରସାଦ ଓ ମଞ୍ଜୁ ପ୍ରସାଦଙ୍କ ଗରିବ କୁଡ଼ିଆରେ ଚଡକ ପଡିଥିଲା ଯେମିତି | ଅଭାବ ଓ ଅନାଟନ ଭିତରେ ମଧ୍ୟ ଖୁସି ଭରିଥିବା କୁଡ଼ିଆକୁ ହଠାତ ମାଡି ଆସିଥିଲା ଦୁଃଖ ଆଉ ଲୁହର ଦରିଆ | ହେଲେ ଦୁଃଖ ଆଉ ଲୁହର ଦରିଆ ଭିତରେ ବୁଡି ଯାଇଥିବା ସେଇ କୁଡ଼ିଆ ଭିତରେ କିନ୍ତୁ ଫେରିଛି ବଞ୍ଚିବାର ଆଶା | ବିଦ୍ୟୁତ ସଂସ୍ପର୍ଶରେ ଆସି ମରଣ ମୁଁହରେ ପଡ଼ିଥିବା ପୁଅ ଅସିତ ପ୍ରସାଦ (18) ଆଜି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରୁ ସୁସ୍ଥହୋଇ ଘରକୁ ଫେରିଛି | ପୁଅ ଅସିତକୁ ମରଣ ମୁଁହରୁ ଫେରିପାଇ ବାପା କିରଣ ପ୍ରସାଦ ଓ ମା ମଞ୍ଜୁ ପ୍ରସାଦ ଖୁସିରେ ଭାବବିହ୍ୱଳ ହୋଇଥିବା ବେଳେ ତାଙ୍କ ମନରେ ଉଦ୍ରେକ ହୋଇଛି ବଞ୍ଚିବାର ଅସାର କିରଣ | ଏ ସମ୍ପୂର୍ଣ୍ଣ ଘଟଣାକ୍ରମ ଥିଲା ଏମିତି | ଜୁଲାଇ- 16 ତାରିଖ ଦିନ ଯୁକ୍ତ ଦୁଇ ଛାତ୍ର ଥିବା ଅସିତ ସାଙ୍ଗମାନଙ୍କ ସହ ମିଶିକି ଇଲେକ୍ଟ୍ରି ଓୟାରିଂ କାମ କରିବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ | ସେଇ ଦୁର୍ଘଟଣାରେ ତାଙ୍କ ଶରୀରର 70 ଭାଗ ଅଂଶ ପୋଡି ଯାଇଥିଲା | ତାଙ୍କୁ ଉଦ୍ଧାର କରି ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ବୁର୍ଲା ସ୍ଥିତ ଭିମସାରକୁ ସ୍ଥାନାନ୍ତର କରିଥିଲେ | ଜୁଲାଇ -17 ଦିନ ବୁର୍ଲାରୁ ପୁଣି ଅସିତକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଅସିତକୁ ଭର୍ତ୍ତି କରାଯିବା ପରେ ଡାକ୍ତର କହିଥିଲେ ଅସିତର ଚିକିତ୍ସା ନିମନ୍ତେ ଆବଶ୍ୟକ ହେବ ଲକ୍ଷାଧିକ ଟଙ୍କା | ହେଲେ ନିତ୍ୟ ରୋଜଗାର ନକଲେ ଚୁଲି ଜାଳିବା କଷ୍ଟଥିବା ପ୍ରସାଦ ପରିବାର ଲକ୍ଷାଧିକ ଟଙ୍କା କଥା ଶୁଣି କିଛି ସମୟ ନିରବ ହୋଇଯାଇଥିଲେ | ଯେତେ ଭାବିଲେ ବି କିଛି ବାଟ ଦିଶୁନଥିଲା ଆଖିର  ଲୁହକୁ ଆଖିରେ ମାରିଦେଇ ଭଗବାନକୁ ଡାକିବା ଛଡା ତାଙ୍କ ପାଖରେ ଆଉ କୌଣସି ରାସ୍ତାନଥିଲା | ହେଲେ ଏଭଳି ଏକ ଦୁଖଃଦ ଘଟଣା ବିଷୟରେ ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ ଅବଗତ ହେଲାପରେ ସଙ୍ଗେସଙ୍ଗେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ଯାଇ ଭାଙ୍ଗି ପଡ଼ିଥିବା ବାପା ମାଙ୍କୁ ଭେଟିବା ସହିତ ସାନ୍ତ୍ଵନା ଦେଇଥିଲେ | ତାସହିତ ଅସିତର ଚିକିତ୍ସା ନିମନ୍ତେ ଯଥାସମ୍ଭବ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ତାପରେ ସମାଜସେବୀ ଶ୍ରୀ କୁସୁମ ଅସିତର ଦୁଃଖ କାହାଣୀ ବିଷୟରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ସହିତ ଗଣମାଧ୍ୟମ ଜରିଆରେ ଅସିତକୁ ସହଯୋଗ କରିବା ପାଇଁ ବିଭିନ୍ନ ସହୃଦୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ ମାନଙ୍କୁ ନିବେଦନ କରିଥିଲେ | ଅସିତର ଦୁଃଖ କାହାଣୀ  କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ରାଉରକେଲା ତଥା ସମ୍ପୂର୍ଣ୍ଣ ଜିଲ୍ଲାର ଅନେକ ସହୃଦୟ ବ୍ୟକ୍ତି ଓ ସାମାଜିକ ଅନୁଷ୍ଠାନ ମାନେ ସହଯୋଗର ହାତ ବଢ଼ାଇଥିଲେ | ଅସିତକୁ ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ 1 ଲକ୍ଷ 95 ହଜାର ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ 20 ହଜାର ଟଙ୍କା ପ୍ରାପ୍ତ ହୋଇଥିଲା | ସର୍ବମୋଟ 2 ଲକ୍ଷ 15 ହଜାର ଟଙ୍କା ଚିକିତ୍ସା ପାଇଁ ଅସିତକୁ ପ୍ରାପ୍ତ ହୋଇଥିଲା | ତାପରେ କ୍ରିୟାଶିଳ ହୋଇଥିଲା ଅସିତଙ୍କ ଚିକିତ୍ସା ପ୍ରକ୍ରିୟା | ଦୀର୍ଘ ଦୁଇ ମାସ 19 ଦିନ ହସ୍ପିଟାଲରେ ଚିକିତ୍ସିତ ହେଲାପରେ ଆଜି ସୁସ୍ଥହୋଇ ଘରକୁ ଫେରିଛନ୍ତି | ଆଜି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରୁ ବିଦାୟ ନେଲା ବେଳେ ଅସିତର ବାପା ମା କିରଣ ଓ ମଞ୍ଜୁ ଖୁସିରେ ଭାବବିହ୍ୱଳ ହୋଇଥିବା ବେଳେ ଅସିତର ଚିକିତ୍ସା ନିମନ୍ତେ ସହଯୋଗ କରିଥିବା ସମସ୍ତ ସହୃଦୟ ବ୍ୟକ୍ତି ଓ ସାମାଜିକ ଅନୁଷ୍ଠାନ ମାନଙ୍କ ପାଖରେ ଜୀବନସାରା ଋଣୀ ହୋଇ ରହିବୁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି 

0
0
0
s2sdefault