ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ଗଜପତିରେ ବିଜେଡିକୁ ପୁଣି ଝଟକା ଲାଗିଛି। ବିଜୁ ଜନତା ଦଳର ଅନେକ ପୂରାତନ ନେତା ଙ୍କ ସହ ଯୁବ ନେତା ଓ ତାଙ୍କ ଶହ ଶହ ସଂଖ୍ୟାରେ ସମର୍ଥକ ମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
ଗଜପତି ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନବ କିଶୋର ଶବର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ , ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ , ମୋହନା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ପ୍ରମୂଖ ମଞ୍ଚାସୀନ ଥିଲେ।
ପ୍ରଥମ ପର୍ଯ୍ୟାୟରେ ଗୋଷାଣୀ ବ୍ଲକର ବରିଷ୍ଠ ବିଜେଡି ନେତା ତଥା ବିଜୁ ଯୁବ ଜନତା ଦଳର କ୍ରମାଗତ ଭାବେ ତିନି ଥର ଜିଲ୍ଲା ସଭାପତି ତଥା ବର୍ତ୍ତମାନ ରା.ଉଦୟଗିରି ନିୟନ୍ତ୍ରିତ ବଜାର କମିଟି ସଦସ୍ୟ ଏସ୍. ଲିଙ୍ଗରାଜ ଙ୍କ ନେତୃତ୍ୱରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ପଞ୍ଚାୟତ ସରପଞ୍ଚ ଜି.ବିମଳାବତୀ , ଘୋରୋଣୀ ପଞ୍ଚାୟତ ସରପଞ୍ଚ କଳ୍ପନା ପ୍ରଧାନ , ପୂର୍ବତନ ସମିତି ସଭ୍ୟ ଘାସିରାମ ପ୍ରଧାନ , ବୋମିକା ପୂର୍ବତନ ସମିତସଭ୍ୟ ଲକ୍ଷ୍ମଣ ରାଓ , ଅଗରଖଣ୍ଡି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶିଶିର ପ୍ରଧାନଙ୍କ ସହ ସେହି ବ୍ଲକ୍ ଅନ୍ତର୍ଗତ ଉପଲଡା , ବାଘଶଳା , ଅଗରଖଣ୍ଡି , ଗୋଷାଣୀ ଗ୍ରାମ ପଞ୍ଚାୟତ ର ଶହ ଶହ ନେତା ଓ କର୍ମୀ ଯୋଗ ଦେଇଥିଲେ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ରେ କାଶୀନଗର ବ୍ଲକର ବର୍ତ୍ତମାନ ଉପାଧ୍ୟକ୍ଷା ଏସ.କଲ୍ୟାଣୀ , କାଶୀନଗର ଅଞ୍ଚଳ ର ବରିଷ୍ଠ ନେତା ସିଏଚ.ଲୋକନାଥମ୍ ଙ୍କ ସହ ଖାରାଡା ପଞ୍ଚାୟତ , ହାଦୁଭାଙ୍ଗି ପଞ୍ଚାୟତ , କିଡିଗାଁ ପଞ୍ଚାୟତ ସମେତ କାଶୀନଗର ବ୍ଲକର ଶହ ଶହ ବିଜେଡି ଓ କଂଗ୍ରେସ ନେତା ତଥା କର୍ମୀ ଓ ସମର୍ଥକଙ୍କ ସହ ଆସି ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ପ୍ରାୟ ୨ହଜାର କର୍ମୀ ଓ ନେତା ସାମିଲ ହୋଇଥିବା ବେଳେ ଜିଲ୍ଲା ବିଜେପି ପ୍ରଭାରୀ ବିଶ୍ବେଶ୍ବର ଟୁଡୁ ଓ ରାଜ୍ୟ ଉପସଭାପତି ତଥା ପାରଳା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଏବଂ ଜିଲ୍ଲା ବିଜେପି ସଭାପତି ନବକିଶୋର ଶବର ପ୍ରମୁଖ ଏମାନଙ୍କୁ ସ୍ବାଗତ କରିଛନ୍ତି।
ଏମାନଙ୍କ ଯୋଗଦାନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ତଥା ଗଜପତି ଜିଲ୍ଲାରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଶ୍ରୀ ଟୁଡୁ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପସଭାପତି କେ.ନାରାୟଣ ରାଓଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା ନେତା କହିଥିଲେ।








