ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମହାତ୍ମାଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ  ସକାଳ ୭ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସାଇକଲ ଶୋଭାଯାତ୍ରା ବାହାରି ପ୍ଲାଷ୍ଟିକ ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ଜନ-ସଚେତନ କରାଥିଲେ । ଏହି ସଚେତନତା ସାଇକଲ ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା   ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ଏକ ସଚେତନତା ଶୋଭାଯାତ୍ରା ବାହାରି ରାସ୍ତାରେ ପଡ଼ିଥିବା ମଇଳା ଗୋଟେଇ ଯାଇଥିଲେ ।

    ଏହାପରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବୃନ୍ଦାବନ ପ୍ୟାଲେସ୍ ପରିସରରେ ଜିଲ୍ଲାପାଳ  ଶ୍ରୀ ଶାହାଙ୍କ ସମେତ ବନ ବିଭାଗ ଅଧିକାରୀ ଏସିଏଫ୍ଓ ,  ଦେବଗିରି ରେଞ୍ଜର ଏମ.ନରସିଂହମ୍ ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ମାନେ ବୃକ୍ଷ ରୋପଣ କରିଥିଲେ।

        ଏହାପରେ ପୌରସଂସ୍ଥା କାର୍ଯ୍ୟାଳୟ ଠାରୁ ଏକ ବିରାଟ ସଚେତନତା ପଦଯାତ୍ରା ବାହାରିଥିଲା । ଏହାକୁ ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

   ଏହି ପଦଯାତ୍ରାରେ ସହରର ମହିଳା , ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ  , ପ୍ରଶାସନିକ କର୍ମକର୍ତ୍ତା , ପୌର ଅଧିକାରୀ ଅଶୋକ ରାଉତ  , ଯନ୍ତ୍ରୀ ମାନେ , ପୌର କର୍ମଚାରୀ ଓ ମେହେନ୍ତର କର୍ମଚାରୀ ମାନେ ସହର ପରିକ୍ରମା କରି ପ୍ଲାଷ୍ଟିକ ବର୍ଜନ  ଓ ପରିବେଶ  ସ୍ୱଚ୍ଛତା ଉପରେ ଜନ ସଚେତନ କରାଇଥିଲେ । 

      ପଦଯାତ୍ରା ଗାନ୍ଧୀ ଛକ ଠାରେ ପହଞ୍ଚିବା ପରେ ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

   ପରେ ଗୋପାଳ କୃଷ୍ଣ ପାଠାଗାର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଚଞ୍ଚଳ ରାଣା , ସାମ୍ବାଦିକ ,ମହିଳା ଓ ପୌର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ ।

       ଏହାପରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

   ଜିଲ୍ଲା ପରିଷଦ ସଭାପତି ଅନିତା ରାଣୀ ବେହେରା ସଭାପତିତ୍ବରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ମାନି ଆମେ ଆମର  ନିତିଦିନିଆ ଜୀବନ ଶୈଳୀରେ ଲଗାଇବା ଏବଂ ପ୍ଲାଷ୍ଟିକ ବର୍ଜନ କରିବା ସହ ପରିବେଶକୁ ସ୍ୱଚ୍ଛ ରଖି ସୁସ୍ଥ ସମାଜ ଓ ଦେଶ ଗଠନରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା , ଡି ଏଫ୍ ଓ ବିବେକ କୁମାର ତ୍ୟାଗୀ , ପ୍ରତିଷ୍ଠାନର ଅଧ୍ୟକ୍ଷା ଅପନା ମିଶ୍ର , ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ରୀନା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।ଶେଷରେ କୃତି ପ୍ରତିଯୋଗୀ ଓ ଅନ୍ୟାନ୍ୟ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

        ଏହି ଅବସରରେ ଜିଲ୍ଲାପାଳ ଅନୁପମ ଶାହା ଜିଲ୍ଲାର ଲୋକ କଳା ଗ୍ରାମ ଭାବେ ଗୋଷାଣୀ ବ୍ଲକର ବଡ଼ଗାଁ କୁ ଏବଂ ପାରଳାଖେମୁଣ୍ଡି ର ହାଇସ୍କୁଲ ଛକଠାରୁ କୋର୍ଟ ଛକ୍ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାକୁ ଗାନ୍ଧିମାର୍ଗ ଭାବେ ପ୍ରସ୍ଥାବର ଘୋଷଣା କରିଥିଲେ । 

   ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଅଚ୍ୟୁତା ନନ୍ଦ ବସ୍ତିଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

    ସଭା କାର୍ଯ୍ୟକ୍ରମ ପରେ ପରେ  କବି ବିଚିତ୍ରା ନନ୍ଦ ବେବର୍ତ୍ତା ଏବଂ କବି ରଶ୍ମିତା ସାମଲଙ୍କ ପୌରହିତ୍ୟ ଓ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault