ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅଧୀନସ୍ତ ଭଣ୍ଡନ ନଦୀ କୂଳରେ ଅବସ୍ଥିତ ରାମତୀର୍ଥ । ତ୍ରେତୟା ଯୁଗରେ ମହାପ୍ରଭୂ ଶ୍ରୀରାମ, ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ଏଠାରେ ପଦାର୍ପଣ କରିଥିବାର କିମ୍ବଦନ୍ତୀ ରହିଆସିଛି ଏବଂ ଏଠାରେ ମଧ୍ୟ ଏକ ମନ୍ଦିର ନିର୍ମାଣ କରାଯାଇ ମହାପ୍ରଭୂ ଶ୍ରୀରାମ, ସୀତା ଦେବୀ ଓ ଲକ୍ଷ୍ମଣଙ୍କୁ ପୂଜାର୍ଚ୍ଚନା କରାଯାଇ ଆସୁଛି । ଏଥି ସହିତ ଏହା ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ଫଳରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକମାନେ ଏଠାକୁ ଭ୍ରମଣରେ ଆସିଥାନ୍ତି ।
ଏହି ରାମତୀର୍ଥଠାରେ ଭଣ୍ଡନ ନଦୀର ଅନୁକୂଳ ପରିବେଶ ମଧ୍ୟରେ ୧୯୭୯ରେ କୁମ୍ଭୀର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ପ୍ରଥମେ ୧୯୮୪ରୁ-୮୭ ମଧ୍ୟରେ ତାମିଲନାଡ଼ୁ କୁମ୍ଭୀର ବ୍ୟାଙ୍କରୁ୧୧୫ଟି କୁମ୍ଭୀର ଶାବକକୁ ଅଣାଯାଇ ଗବେଷଣା କେନ୍ଦ୍ରରେ ରଖାଯାଇଥିଲା । ଏଠାରେ କୁମ୍ଭୀରମାନଙ୍କ ନିକଟରୁ ୧ ହଜାର ୫ଶହ ୧୭ଟି ଅଣ୍ଡାକୁ ସଂଗ୍ରହ କରାଯାଇଥିଲା । ୧୯୮୮ ମସିହାରେ ନନ୍ଦନକାନନରୁ ୧୨ଟି କୁମ୍ଭୀର ଶାବକକୁ ଉକ୍ତ ଗବେଷଣା କେନ୍ଦ୍ରକୁ ଅଣାଯାଇଥିଲା । ଗୋମୁହାଁ କୁମ୍ଭୀର ରାମତୀର୍ଥର ପ୍ରାକୃତିକ ପରିବେଶ ଓ ଜଳବାୟୁ ମଧ୍ୟରେ ଖାପ ଖୁଆଇ ଭଲ ଭାବରେ ବଂଶବିସ୍ତାର କରିପାରୁଥିବାରୁ ପ୍ରାୟ ୭ ଶହରୁ ଅଧିକ କୁମ୍ଭୀରକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ଜଳ ଉତ୍ସଗୁଡ଼ିକରେ ଛଡ଼ାଯାଇ ଏମାନଙ୍କ ଉପରେ ଗବେଷଣା କରାଯାଉଥିଲା । ନିଯୁକ୍ତି ପାଇଥିଲେ ଟେକ୍ନିକାଲ ଏକ୍ସପାର୍ଟ , ଅଧିକାରୀ ଓ କର୍ମଚାରୀ । କୁମ୍ଭୀରଗୁଡ଼ିକ ମଧ୍ୟ ବର୍ଷର ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଜଳ ଉତ୍ସଗୁଡ଼ିକ ନିକଟରେ ବସା ନିର୍ମାଣ କରି ଅଣ୍ଡା ଦେବା ଆରମ୍ଭ କରିଥିଲେ ଏବଂ ପ୍ରତ୍ୟେକ ବସାରୁ ପ୍ରାୟ ୩୦ରୁ ୪୦ ମଧ୍ୟରେ ଅଣ୍ଡା ସଂଗ୍ରହ କରାଯାଉଥିଲା । ଉକ୍ତ ଅଣ୍ଡାଗୁଡ଼ିକର ଲମ୍ବ ୭୫ମିମି. ଓ ପ୍ରସ୍ତ ୫୦ ମିମି ମଧ୍ୟରେ ରହିଥିଲା । ଅଣ୍ଡାରୁ ଛୁଆ ବାହାରିବାକୁ ପ୍ରାୟ ୭୫ରୁ ୯୦ ଦିନ ସମୟ ଲାଗୁଥିଲା । ଗବେଷଣା କେନ୍ଦ୍ରରେ ରହିଥିବା କୁମ୍ଭୀରଗୁଡ଼ିକୁ ସପ୍ତାହରେ ୩ ଦିନ ଖାଇବାକୁ ଦିଆଯାଉଥିଲା । ପ୍ରାପ୍ତ ବୟସର କୁମ୍ଭୀରକୁ ଘୁଷୁରୀ ମାଂସ ଓ ଶାବକମାନଙ୍କୁ ମାଛ ଖାଇବାକୁ ଦିଆଯାଉଥିଲା । ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଠିକଠାକ୍ ଭାବେ ଚାଲିଥିଲା ଉକ୍ତ କୁମ୍ଭୀର ପ୍ରଜଜନ ଓ ଗବେଷଣା କେନ୍ଦ୍ର । ପରବର୍ତ୍ତି ସମୟରେ ସରନ୍ରଙ୍କ ଆନ୍ତରିକତାର ଅଭାବ ହେଉ ଅଥବା ଅପାରଗତା ହେଉ ଗବେଷଣା କେନ୍ଦ୍ରରେ ତାଲା ଝୁଲିଲା ।
ରାମତୀର୍ଥ କୁମ୍ଭୀର ଗବେଷଣା କେନ୍ଦ୍ର ଶୈଶବରୁ ଯୁବ ଅବସ୍ଥାକୁ ଗତି କରିବା ପ୍ରକ୍ରିୟା ଆରମ୍ଭ କରୁଥିବା ବେଳେ ସରକାରୀ ଅବହେଳାର ଶିକାର ପାଲଟିଲା । ସରକାରଙ୍କ ପକ୍ଷରୁ ଗବେଷଣା କେନ୍ଦ୍ରରେ କୁମ୍ଭୀରମାନଙ୍କ ଉପରେ ଗବେଷଣା କରିବା ନିମନ୍ତେ ଖାଲି ପଡ଼ିଥିବା ବୈଜ୍ଞାନିକ , ଟେକ୍ନିସିଆନ ଆଦି ସରକାରୀ କର୍ମଚାରୀଙ୍କୁ ପ୍ରକଳ୍ପରେ ନୂତନ ଭାବେ ନିଯୁକ୍ତି ଦିଆ ନଯିବାରୁ ଗବେଷଣା କେନ୍ଦ୍ରରେ କୁମ୍ଭୀରମାନଙ୍କୁ ନେଇ ଗବେଷଣା କାର୍ଯ୍ୟ ଠପ୍ ହୋଇଗଲା ଏବଂ ସରକାରଙ୍କ ଅନ୍ତରିକତା , ଇଚ୍ଛାଶକ୍ତିର ଅଭାବ ଫଳରେ ପ୍ରକଳ୍ପ ନିର୍ମାଣର ଉଦେ୍ଧଶ୍ୟ ଓ ଲକ୍ଷ ସଫଳତାଠାରୁ ଦୂରେଇ ଗଲା । ଫଳରେ କୁମ୍ଭୀରମାନଙ୍କ ରକ୍ଷଣାବେକ୍ଷଣର ଅଭାବ, ଖାଦ୍ୟାଭାବ ସହ ଶିକାରୀମାନଙ୍କ ନଜର ପଡ଼ିବାରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଥିବା କୁମ୍ଭୀର ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଲା । ୨୦୧୪ରେ ବନ ବିଭାଗର ରେକଡର଼୍ରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜଳ ସ୍ରୋତ ଓ ଗବେଷଣା କେନ୍ଦ୍ରରେ ୪ ଟି ବୟସ୍କ ଓ ୭ଟି ଛୋଟ କୁମ୍ଭୀର ଏହିପରି ମୋଟ ୧୧ଟି ଥିବାର ଜଣାପଡ଼ିଥିବା ବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୮କୁ ଖସି ଆସିଥିବାର ଜଣାପଡ଼ିଛି । ତେବେ ଦୀର୍ଘ ୪୦ ବର୍ଷର ପୁରୁଣା ରାମତୀର୍ଥ କୁମ୍ଭୀର ଗବେଷଣା କେନ୍ଦ୍ରରେ ଶତାଧିକ କୁମ୍ଭୀର ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ୮ଟି କୁମ୍ଭୀର ରହିବା ଏକ ଚିନ୍ତାର ବିଷୟ ପାଲଟିଯାଇଛି । ବର୍ତ୍ତମାନ ଉକ୍ତ କୁମ୍ଭୀର ପ୍ରଜଜନ ଓ ଗବେଷଣା କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ବିଭିନ୍ନ ମହଲରୁ ଦାବି ହେଉଅଛି ।
ଏବିଷୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ଯଶୀପୁର କୁମ୍ଭୀର ଗବେଷଣା ପ୍ରକଳ୍ପର କାର୍ଯ୍ୟକାଳ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରହିଥିଲା ଏବଂ ସମୟ ଶେଷ ହେବା ପରେ ପ୍ରକଳ୍ପ ବନ୍ଦ ହୋଇଗଲା । ତେବେ ଏହା ଉପରେ ସବିଶେଷ ତଥ୍ୟ ଓ ସୂଚନା କାର୍ଯ୍ୟାଳୟ ସମୟରେ ଫାଇଲ ଦେଖିବା ପରେ ଜଣାପଡ଼ିବ ବୋଲି କହିଥିଲେ ।