ହେଡଲାଇନସ୍:

ସୁଧୁରୁଛି ଅସିତଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥହେବାକୁ ଲାଗିବ ଆହୁରି 15 ଦିନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କଲେ ସମାଜସେବୀ 

ସୁନ୍ଦରଗଡ଼- ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଗୁରୁତର ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁନ୍ଦରଗଡ଼ ଆରଆଇଟି କଲୋନୀର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଅସିତ ପ୍ରସାଦ(18) ଙ୍କୁ ଆଜି ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବିସ୍ତୃତ ଭାବରେ ଅନୁଧ୍ୟାନ କରିଛନ୍ତି ସମାଜସେବୀ ଶାନ୍ତନୁ କୁସୁମ| ତତ ସଙ୍ଗେସଙ୍ଗେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଅସିତଙ୍କ ସ୍ୱାସ୍ଥ୍ୟବସ୍ଥାର ଅଗ୍ରଗତିଇ ନେଇ ଆଲୋଚନା କରିଛନ୍ତି| ଅସିତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଥିବା ବେଳେ ଆହୁରି 15 ଦିନ ଭିତରେ ଅସିତ ସମ୍ପୂର୍ଣ ସୁସ୍ଥହୋଇ ଘରକୁ ଫେରିବ ବୋଲି ଆଇଜିଏଚ ସୂତ୍ରରୁ ଜଣାପଡିଛି| ଅସିତ ଏବେ ସ୍ୱାଭାବିକ ଢଙ୍ଗରେ ଖିଆପିଆ କରୁଥିବା ବେଳେ  ବିନା ସାହାରାରେ ବେଡ଼ରେ ଉଠିବସି ପାରୁଛି| ସମସ୍ତଙ୍କ ସାଙ୍ଗରେ ଠିକ ଢଙ୍ଗରେ କଥା ବାର୍ତ୍ତା କରୁଛି| ପୁଅର  ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଦେଖି ବାପା କିରଣ ପ୍ରସାଦ ଓ ମା ମଞ୍ଜୁ ପ୍ରସାଦଙ୍କ ଭଙ୍ଗା ମନରେ ଧୀରେ ଧୀରେ ଆଶା କଁଅଳୁଛି| ବଞ୍ଚିବା ପାଇଁ ଦୀର୍ଘ ଦୁଇମାସ ଧରି ହସ୍ପିଟାଲ ବେଡ଼ରେ ସଂଘର୍ଷ କରୁଥିବା ଅସିତଙ୍କ ମନରେ ଦିନେ ଖୁନ୍ଦି ହୋଇଥିଲା ଅନେକ ଆଶା| ଭଲ ପାଠ ପଢିବେ, ବଡ ମଣିଷଟିଏ ହେବେ, ଅଭାବୀ ବାପା ମାର ସବୁତକ ଦୁଃଖକୁ ଦୁର କରିଦେବେ| ଏମିତି କାହିଁ କେତେ ଅସୁମାରୀ ସ୍ବପ୍ନ ଖୁନ୍ଦି ହୋଇଥିଲା ଦିନେ ଅସିତଙ୍କ ଜୀବନରେ| ସେଥିପାଇଁ ଛୁଟି ଦିନରେ ସାଙ୍ଗମାନଙ୍କ ସହିତ ମିଶି ଅସିତ ଇଲେକ୍ଟ୍ରି ଓୟାରିଂ କାମ କରୁଥିଲେ| ଦୁଇ ପଇସା ରୋଜଗାର ହେଲେ ପାଠପଢ଼ା ବି ହେଇଜିବ ଆଉ ଅଭାବୀ ବାପା ମାଙ୍କୁ ବି କିଛି ସାହାଯ୍ୟ କରିହେବ| ହେଲେ ଜୁଲାଇ-14 ଦିନ ସୁନ୍ଦରଗଡ଼ ସହରର ଏକ ଘରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଅସିତ| ଯେଉଁଥିରେ ତାଙ୍କ ଦେହର 70 ଭାଗ ପୋଡି ଯାଇଥିଲା| ଅସିତଙ୍କୁ ପ୍ରଥମେ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ବୁର୍ଲା, ବୁର୍ଲାରୁ ପୁଣି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା| ଅସିତଙ୍କୁ ସଙ୍ଗେସଙ୍ଗେ  ଆଇସିୟୁରେ ରଖା ଯାଇଥିବା ବେଳେ ଚିକିତ୍ସା ପାଇଁ ଆବଶ୍ୟକ ପଡିଥିଲା ଲକ୍ଷାଧିକ ଟଙ୍କା| ପେଟକୁ ମୁଠାଏ ଦାନା ଆଉ ଦେହକୁ ଖଣ୍ଡେ କନା ଠିକରେ ଯୋଗାଡ଼ କରିପାରୁନଥିବା ବାପା ମାଙ୍କ ମୁଣ୍ଡରେ ପଡିଥିଲା ଚଡକ| ମୁଣ୍ଡରେ ହାତଦେଇ କାନ୍ଦିବା ଛଡା ତାଙ୍କ ପାଖରେ ଆଉ କୌଣସି ରାସ୍ତାନଥିଲା| ହେଲେ ଏଭଳି ଏକ ଦୁଃଖଦ ଘଟଣା ବିଷୟରେ ଅବଗତ ହେଲାପରେ ତ୍ୱରିତ ଏ ଘଟଣାରେ ହସ୍ତକ୍ଷେପ କରିଥିଲେ ସମାଜସେବୀ ଶାନ୍ତନୁ କୁସୁମ| ଶ୍ରୀ କୁସୁମ ସଙ୍ଗେସଙ୍ଗେ ଆରଜିଏଚକୁ ଯାଇ ଭାଙ୍ଗି ପଡ଼ିଥିବା ବାପା ମାଙ୍କୁ ସାକ୍ଷାତ ସାନ୍ତ୍ଵନା ଦେବା ସହିତ ଅସିତର ଚିକିତ୍ସା ନିମନ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ| ତାସହିତ   ଅସିତର ଦୁଃଖ କାହାଣୀ ବିଷୟରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସହୃଦୟ ବ୍ୟକ୍ତିଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ| ଏହା ମଧ୍ୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସହୃଦୟ ବ୍ୟକ୍ତିଙ୍କ ପକ୍ଷରୁ ଅସିତର ଚିକିତ୍ସା ନିମନ୍ତେ 1 ଲକ୍ଷ 95 ହଜାର ଟଙ୍କା ମିଳିଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ 20 ହଜାର ଟଙ୍କାର ସହାୟତା ମିଳିଛି| ସର୍ବମୋଟ 2 ଲକ୍ଷ 15 ହଜାର ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅସିତର ଚିକିତ୍ସା ନିମନ୍ତେ 2 ଲକ୍ଷ 50 ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି

0
0
0
s2sdefault