ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଏବଂ ସାଥି କଣ୍ଠଶିଳୀଙ୍କ ଦ୍ୱାରା ଭଜନ
ବାରିପଦା-(ଦିଲ୍ଲୀପ ମହାନ୍ତି ): ବାରିପଦା ପବିତ୍ର ରଥଯାତ୍ରା -୨୦୧୯ ଅବସରରେ ଚତୁର୍ଥ ସଂଧ୍ୟାରେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର , ସାଥି କଣ୍ଠଶିଳ୍ପୀ ଏବଂ ସ୍ଥାନୀୟ ବାରିପଦାର ଶିଶୁ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସଂସ୍କୃତି ବିଭାଗ ଓ ବାରିପଦା ପୌରପରିଷଦ ମିଳିତ ସହଯୋଗରେ ବାରିପଦା ବଡ଼ଦାଣ୍ଡରେ ଆୟୋଜିତ ଭଜନ ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭବାନୀ ମ୍ୟୁଜିକାଲ ଗ୍ରୁପ୍ ସଂଯୋଜନାରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଏବଂ ସାଥି କଣ୍ଠଶିଳ୍ପୀ ନିହାର ରଞ୍ଜନ, ଚିନ୍ମୟୀ ଓ ସୁପ୍ରିୟା କୃତୀ କଳାକାର ପ୍ରମୁଖ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଧ୍ୟାତ୍ମିକ ଭକ୍ତି ଭାବମୟ ଭଜନ ପରିବେଷଣ କରିଥିଲେ । ଭବାନୀ ମ୍ୟୁଜିକାଲ ଅନୁଷ୍ଠାନର ଭାଷ୍ୟକାର ଅବନୀ କୁମାର ମିଶ୍ର ଭଜନ ସମାରୋହକୁ ପରିଚାଳନା କରିଥିବାବେଳେ ବାଦ୍ୟଯନ୍ତ୍ର ପରିଚାଳନାରେ ବିଶ୍ୱରଞ୍ଜନ ରାଉତ, ସାଥି ବାଦ୍ୟ କଳାକାର ସୁଶାନ୍ତ ପାଣି, ଶକ୍ତି ପ୍ରସାଦ, ଲଣ୍ଡା ଏବଂ ମିଟୁ ସହଯୋଗ କରିଥିଲେ । ଏହି ଅବସରରେ ବାରିପଦାର ଆଦୃତା ଶିଶୁଯତ୍ନ ଅନୁଷ୍ଠାନର ଶିଶୁକଳାକାରମାନଙ୍କ ଦ୍ୱାରା ସାମାଜିକ ସଚେତନତା ଉପରେ ପର୍ଯ୍ୟବେଶିତ ନୃତ୍ୟ ପରିବେଶ କରାଯାଇ ଥିଲା । ଉକ୍ତ ଭଜନ ସଂଧ୍ୟାରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ବୋଲି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।