ବେଗୁନିଆ, ବୋଲଗଡକୁ ଏନଏସି ମାନ୍ୟତା, ପିଏନ କଲେଜକୁ 12 କୋଟି ଅନୁଦାନ
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ 8ଟି ଦାବିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ ଭାଗରେ ବିକାଶ ନେଇ ଏହି ଦାବି ଗୁଡିକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଲୋକସଭା ଭବନରେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବି ଗୁଡିକ ସମ୍ପର୍କରେ ବିଶେଷ ଭାବରେ ଅବଗତ କରାଇ ପ୍ରଦାନ କରିଛନ୍ତି । ଭୁବନେଶ୍ବର ସାଂସଦ ପ୍ରଦାନ କରିଥିବା ଦାବି ଗୁଡିକରେ ରହିଛି |
1- ବେଗୁନିଆ, ବୋଲଗଡକୁ ଏନଏସି ଘୋଷଣା କରିବାକୁ ଦାବି
2- ଖୋର୍ଦ୍ଦା ପ୍ରାଣନାଥ କଲେଜର ଉନ୍ନତିକରଣ ପାଇଁ 12 କୋଟି ଟଙ୍କା ପ୍ରଦାନ ପାଇଁ ଦାବି
3- ନୟାପଲ୍ଲୀରେ କମ୍ୟୁନିଟି ପାର୍କ
4- ପ୍ରାଚୀନଦୀର ପୁନଃଉଦ୍ଧାର ପ୍ରକଳ୍ପ
5- ବିଶ୍ବକର୍ମା ସମିତି ନାମରେ ପଟ୍ଟା ପ୍ରଦାନ
6- ଖୋର୍ଦ୍ଦା, ବେଗୁନିଆ, ପିପିଲି, ଡେଲାଙ୍ଗ ତହସିଲର 36ଟି ଗାଁର ଲୋକଙ୍କୁ ଏଖରଜାତ ମହଲ ଅଧିନରେ ଥିବା ଜମିର ସଠିକ୍ ଜମି ସତ୍ବାଧିକାର ପ୍ରଦାନ
7- 2 ହଜାର ଶଯ୍ୟା ବିଶିଷ୍ଟ ହେବାକୁ ଥିବା କିମ୍ସ ସୁପରସ୍ପେଶିଆଲିଟି ହସ୍ପିଟାଲର ଜମି ହସ୍ତାନ୍ତରକୁ ଇଡକୋରୁ ଅନୁମତି ପ୍ରଦାନ
8- ଖୋର୍ଧାରେ ଅଟଳ ବସଷ୍ଟାଣ୍ଡ ଯୋଜନା
ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ବିଭିନ୍ନ ଜିଲ୍ଲାରୁ ଆବେଦନ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଏବଂ ବୋଲଗଡ଼କୁ ଏନଏସି ଘୋଷଣା ନେଇ ଆବେଦନ କରାଯାଇଛି ।
ଓଡ଼ିଶା ସରକାରଙ୍କ ମୁନିସିପାଲିଟି ଆକ୍ଟ 1950 ଅନୁସାରେ ଏନଏସିର ଜନସଂଖ୍ୟା 10 ହଜାର ହେବା ଉଚିତ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ବର୍ତ୍ତମାନ ବେଗୁନିଆ ବ୍ଲକର ଜନସଂଖ୍ୟା 10 ହଜାର 138 ଏବଂ ବୋଲଗଡ଼ର ଜନସଂଖ୍ୟା 11 ହଜାର 998 । ଏଣୁ ଏହା ଏନଏସି ଘୋଷଣାର ମାପଦଣ୍ଡ ବହନ କରୁଛି । ତେଣୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଏବଂ ବୋଲଗଡ଼କୁ ଏନଏସି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଦାବିରେ ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ଆଉ ଏକ ଦାବି ହେଉଛି ଖୋର୍ଦ୍ଧା ଜିଲ୍ଲାର ପିଏନ୍ କଲେଜର ଉନ୍ନତିକରଣ ସକାଶେ 12 କୋଟି ଟଙ୍କା ଅର୍ଥରାଶି ପ୍ରଦାନକୁ ମଞ୍ଜୁର କରିବା । ପୂର୍ବରୁ ପିଏନ୍ କଲେଜ ଗସ୍ତ କାଳରେ କଲେଜର ସମସ୍ୟା ନେଇ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟ ବାସିନ୍ଦା ଭୁବନେଶ୍ବର ସାଂସଦଙ୍କୁ ନିବେଦନ କରିଥିଲେ । ସେହି ଅନୁସାରେ ଖୋର୍ଦ୍ଧା ପିଏନ କଲେଜର କୋଠା, ପାଚେରୀ, ମୁଖ୍ୟ ଫାଟକର ଉନ୍ନତିକରଣ, କଲେଜରେ ସାଇକେଲ ଷ୍ଟାଣ୍ଡ, ଦୁଇ ଚକିଆ ଗାଡି ରଖିବା ପାଇଁ ପାର୍କିଂସ୍ଥଳ ଏବଂ ସବୁଠାରୁ ଜରୁରୀ ଏନଏଚ 16କୁ ଲାଗିଥିବା ପାଚେରୀକୁ ଲାଗି ଆଉ ଏକ ଶକ୍ତ ଫାଟକ ସହ ସୁରକ୍ଷା ପାଚେରୀ ନିର୍ମାଣର ଆବଶ୍ୟକତା ରହିଛି । ସେଥିପାଇଁ ଖୋର୍ଦ୍ଧାର ବହୁ ପୁରୁଣା ପିଏନ୍ କଲେଜର ଉନ୍ନତିକରଣ ପାଇଁ 12 କୋଟି 17 ଲକ୍ଷ 17 ହଜାର ଟଙ୍କାର ଅର୍ଥରାଶିକୁ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ଦାବିପତ୍ରରେ ଜଣାଇଛନ୍ତି ଭୁବନେଶ୍ବର ସାଂସଦ ।
ଭବନେଶ୍ବର ମହାନଗର ନିଗମ ଅଧିନ ନୟାପଲ୍ଲୀରେ ଏକ କମ୍ୟୁନିଟି ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ । ୟୁନିଟ୍ 8ର ବ୍ୟାଚେଲର ବାରାକ, ଯାହା ବିଏମସିର 39 ନଂ ଓ୍ବାର୍ଡର ଅନ୍ତର୍ଗତ, ଏହାକୁ ଭଙ୍ଗାଯାଇ ସେହି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ପାର୍କ କରିବାକୁ ନିବେଦନ କରିଛନ୍ତି ସାଂସଦ । 2016 ମସିହାରୁ ଏହି ପାର୍କ ନିର୍ମାଣ ନେଇ ବରିଷ୍ଠ ନାଗରିକମାନେ ଦାବି କରି ଆସୁଛନ୍ତି । ସେହିପରି କଳିଙ୍ଗଷ୍ଟାଡିୟମ ନିକଟରେ ରହିଥିବା ବିଶ୍ବକର୍ମା ମନ୍ଦିରର ସ୍ଥିତି ଉଜୁଡା ହୋଇଗଲାଣି । 1975 ମସିହାରୁ ନିର୍ମିତ ଏହି ମନ୍ଦିରର ଉନ୍ନତିକରଣ, ମନ୍ଦିର ପାଚେରୀ, ରୋଷେଇ ଘର ଏବଂ ଶୌଚାଳୟ ନେଇ ନିବେଦନ ହୋଇ ଆସୁଛି । ଏହି ପ୍ଲଟ୍ ନଂବର 118 ଜମିକୁ ବିଶ୍ବକର୍ମା ସମିତି ନାମରେ ପ୍ଲଟ ନଂବର 118ର ପଟ୍ଟା ପ୍ରଦାନ କରାଗଲେ ସାଂସଦ ପାଣ୍ଠିରୁ ଅର୍ଥରେ ମନ୍ଦିର ଉନ୍ନତିକରଣ କାମ ସହଜ ହୋଇପାରିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ । ସେହିପରି ଆଉ ଏକ ଦାବି ହେଉଛି ଖୋର୍ଦ୍ଧା, ବେଗୁନିଆ, ପିପିଲି, ଜଟଣୀ ଏଭଂ ଡେଲାଙ୍ଗ ତହସିଲର 36ଟି ଗାଁର ଜମି ସତ୍ବାଧିକାର ସମ୍ପର୍କରେ । ଏକରଜାତ ମହଲ ଅଧିନରେ ଥିବା ଜମିକୁ ସେହି ଗ୍ରାମବାସୀଙ୍କ ନାଁରେ ପଟ୍ଟା ପ୍ରଦାନ ନେଇ ସାଂସଦ ଦାବି ରଖିଛନ୍ତି । ପୂର୍ବରୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ତ୍ବରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରାୟ 10 ବର୍ଷରୁ ଅଧିକ ସମୟ ଧରି ଏହି ଦାବି ପୂରଣ ହୋଇପାରିନି । ସେନେଇ ରାଜସ୍ବ ବିଭାଗ ତ୍ବରିତ ସମାଧାନ କରିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ ।
ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କିମ୍ସ , କିଟ୍-କିସ୍ର ଅବଦାନ ଅନନ୍ୟ ରହିଛି । କିଟ୍ ପକ୍ଷରୁ 2 ହଜାର ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ
ପ୍ରତିଷ୍ଠା ହେବାକୁ ଯାଉଛି । ଏଠାରେ ରାଜ୍ୟର 10 ହଜାର ନିଯୁକ୍ତି ସୃଷ୍ଟି ହେବ । ଏ ନେଇ କିଟ୍ କ୍ରୟ କରିଥିବା ଜାଗାକୁ ମ୍ୟୁଚୁଆଲ୍ ଟ୍ରାନ୍ସଫର ନିୟମ ଅନୁସାରେ ଅନୁମତି ପ୍ରଦାନ କରିବା ଦିଗରେ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏ ଦିଗରେ ମ୍ୟୁଚୁଆଲ ଟ୍ରାନ୍ସଫର ପ୍ରସ୍ତାବ କିଟ୍ ପକ୍ଷରୁ ଜମା କରାଯାଇଛି । ଏହାର ଅନୁମୋଦନ ଦିଗରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ ।
ଲୋକସେବା ଭବନରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭୁବନେଶ୍ବର ସାଂସଦ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ରାଜ୍ୟ ସରକାର ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରୀୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।