ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ରଥଯାତ୍ରା ସମୟରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହାନ ଚଳାଚଳ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣାମାନ ଲାଗୁ କରାଯାଇଛି ଏବଂ ଉକ୍ତ କଟକଣା ଜୁଲାଇ ୪ ପୂର୍ବାହ୍ନ ୬ଠାରୁ ଜୁଲାଇ ୧୪ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବଳବତର ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସମସ୍ତ ଜନସାଧାରଣ, ବସ, ଟ୍ରକ, ଟ୍ୟାକ୍ସି ଓ ଅଟୋରିକ୍ସା ମାଲିକ ସଂଘର କର୍ମକର୍ତ୍ତାମାନେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । ବାଲେଶ୍ୱର ଓ ଉଦଳା ଅଭିମୁଖେ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହାନ ସତ୍ୟସାଇ ଛକ, ଦାରଗାଡାହି ଗୋଲେଇ ଓ ପାଲବଣି ଗୋଲେଇ ଦେଇ ଯାତାୟତ କରି ପାରିବେ । ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ(ଜାଗନ୍ନାଥ) ମନ୍ଦିରଠାରୁ ଅମ୍ବିକା ମନ୍ଦିର ଛକ ପର୍ଯ୍ୟନ୍ତ ବଡଦାଣ୍ଡରେ କୌଣସି ଯାନବାହାନ ଚଳାଚଳ କରି ପାରିବେ ନାହିଁ । ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗାଡି ରଖିପାରିବେ ନାହିଁ । ଜୁଲାଇ ୪ ମହାପ୍ରଭୂଙ୍କ ପହଣ୍ଡି ବିଜେ ସହ ଜୁଲାଇ ୫ ଓ ୬ ଗୁଣ୍ଡିଚାଯାତ୍ରା ଏବଂ ବାହୁଡ଼ା ଯାତ୍ରାର ପହଣ୍ଡି ବିଜେ ଜୁଲାଇ ୧୨ ଓ ଜୁଲାଇ ୧୩, ୧୪ ରଥ ଟଣା ହେବାର ଦୁଇ ଘଣ୍ଟା ପୂର୍ବରୁ କୌଣସି ସାଇକେଲ, ରିକ୍ସା, ଅଟୋରିକ୍ସା, ଟ୍ରଲିରିକ୍ସା ବଡଦାଣ୍ଡ ଉପରକୁ ଆସି ପାରିବ ନାହିଁ । ଉପରୋକ୍ତ କଟକଣା କର୍ତ୍ତବ୍ୟରତ ମାଜିଷ୍ଟେ୍ରଟ୍, ପୋଲିସ, ଦମକଳ, ଆମ୍ବୁଲାନ୍ସ ଏବଂ ଦେବୋତର ବିଭାଗ ଗାଡି ପ୍ରତି ଲାଗୁ ହେବ ନାହିଁ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି । ସେହିପରି ମହାପ୍ରଭୂଙ୍କ ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବା ସହ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ପୁଲିସ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଚଳିତ ବର୍ଷ ୨ ଜଣ ଏଡ଼ିସନାଲ ଏସପି, ୨ ଡ଼ିଏସପି, ୧୦ ଇନ୍ସପେକ୍ଟର, ୧୮ ସବଇନ୍ସପେକ୍ଟର, ୪୦ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ୩୦ ହୋମ ଗାର୍ଡ, ୧୮ ପ୍ଲାଟୋନ ଫୋର୍ସ ମୁତୟନ ରହିବେ । ଏଥି ସହ ସହରରେ ପରିମଳ ବ୍ୟବସ୍ଥା, ୨୪ ଘଣ୍ଟା ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଦିଗ ପ୍ରତି ପ୍ରାଥମିକତା ଦିଆଯାଇଛି ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।
ରାଜ୍ୟ
ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାନବାହାନ ଚଳାଚଳ ଉପରେ କଟକଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା
- Hits: 357