ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କଲେ ସମାଜସେବୀ
ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ - ବିଗତ 15 ଦିନ ମଧ୍ୟରେ ସାପ କାମୁଡାର ଶିକାର ହୋଇ ଜିଲାରେ 7 ଜଣଙ୍କ ଜୀବନ ଗଲାଣି। ଏଥିରେ ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ମଧ୍ୟ ଜୀବନ ଯାଇଛି। ଏଭଳି ଧନ ଜୀବନ ହାନି ଜିଲ୍ଲା ବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଏଇ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମାନବାଧୀକାର କର୍ମୀ ଶାନ୍ତନୁ କୁସୁମ। ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦିଲ୍ଲୀପ ଷଡଙ୍ଗୀଙ୍କୁ ସାକ୍ଷାତ କରି ସାପ କାମୁଡାର ଶିକାର ହେଉଥିବା ଲୋକଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ପ୍ରତେକ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସାପ କାମୁଡା ଔଷଧ ଓ ଇଂଜେକ୍ସନ ଉପଲବ୍ଧ କରାଇବା ପାଇଁ ଦାବି କରିଛନ୍ତି। ତାସହିତ ପ୍ରତେକ ସ୍ବାସ୍ଥ୍ୟ କର୍ମୀ ଓ ଆଶା ମାନଙ୍କୁ ରାତିରେ ସଜାଗ ରଖିବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ଶ୍ରୀ କୁସୁମ ସିଡିଏମଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ କୁସୁମ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଜୁନ-18 ଦିନ ସଦର ଥାନା ଅନ୍ତର୍ଗତ ଟେଡଗାମହନ ଗ୍ରାମର କୃଷ୍ଣ ଓରାମ(25) ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଜୁନ-19 ଦିନ ଲହୁଣୀପଡା ବ୍ଳକ୍ ଶଙ୍ଖପୋଷ ପଞ୍ଚାୟତ ଅନ୍ତର୍ଗତ କିଷାନ ଟାଙ୍ଗରପାଲ୍ଲୀ ଗ୍ରାମର ବୁଆନ ପ୍ରଧାନଙ୍କ ପୁଅ ଲାଲୁ ପ୍ରଧାନ(45) ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେମିତି ଜୁନ୍-21 ଦିନ ଲହୁଣୀପଡା ବ୍ଳକ୍ କୁଳିପୋଷ ପଞ୍ଚାୟତ ଅନ୍ତର୍ଗତ ବିଜାଘାଟ ଗ୍ରାମର ଚମରୁ ମୁଣ୍ଡାଙ୍କ ଧର୍ମପତ୍ନୀ ପୁଷ୍ପା ମୁଣ୍ଡା(28) ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଜୁନ୍-27 ଦିନ ବାଲିଶଙ୍କରା ସୁଖା ମହାଦେବ ମନ୍ଦିରର ପୁଜକ ରୁପନ ଷଣ୍ଢ(55) ନାଗ ଦଂଶନର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ଜୁନ୍-27 ଦିନ ଲହୁଣୀପଡା ବ୍ଳକ୍ ରାଜାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜିବିକାପୋଷ ଗ୍ରାମର ଅନାଦି କିଷାନଙ୍କ ପୁଅ ଶଶୀ କିଷାନ(30) ମୃତ୍ୟୁବରଣ କରିଥିବା ବେଳେ ଲାଠିକଟା ବ୍ଳକ୍ ଗର୍ଜନ ପଞ୍ଚାୟତ ଅନ୍ତର୍ଗତ ଝରା ବସ୍ତିର ମଧୁ ଝରାଙ୍କ ପୁଅ ରାଜବିର ଝରା(5) ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ଜୁଲାଇ-2 ଦିନ ଲହୁଣୀପଡା ବ୍ଳକ୍ କୁର୍ଡା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମର ଭିମଷେନ ମହାକୁଡଙ୍କ ଝିଅ କୁନି ମହାକୁଡ(15) ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏଇ ସମସ୍ତ ଘଟଣାରେ ସାପ କାମୁଡାର ପ୍ରତିଷେଧ ବିଷୟରେ ଅସଚେତନତା ଏକ କାରଣ ହୋଇଥିବା ବେଳେ ତ୍ବରିତ ଚିକିତ୍ସାରୁ ବଞ୍ଚିତ ହେବା ପ୍ରମୁଖ କାରଣ ଅଟେ। ଅଧିକାଂଶ ଘଟଣା ଘଟିଥିବା ସ୍ଥାନରୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୂରତା 20 କିଲୋମିଟରରୁ ଅଧିକ ହୋଇଥିବା ବେଳେ ଯାତ୍ରାୟାତର ନିଜସ୍ୱ ସୁବିଧା ନଥିବାରୁ ରୋଗୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହେଉଛି। ଯାହା ଫଳରେ ପୀଡିତଙ୍କ ଦେହରେ ବିଷ ସଂକ୍ରମଣ ହେବା ସହିତ ପରବର୍ତ୍ତୀ ମୁହୁର୍ତ୍ତରେ ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଯଦି ପ୍ରତେକ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସାପ କାମୁଡାର ପ୍ରତିଷେଧ ଔଷଧ ଓ ଇଂଜେକ୍ସନ ଉପଲବ୍ଧ କରିବା ସହିତ ସ୍ୱାସ୍ଥ୍ୟକର୍ମୀ ଓ ଆଶା ମାନଙ୍କୁ ରାତିରେ ସଜାଗ ରଖିଲେ ଅନେକ ପୀଡିତଙ୍କ ଜୀବନ ସହଜରେ ରକ୍ଷା କରାଯାଇ ପାରିବ ବୋଲି ଶ୍ରୀ କୁସୁମ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଭିଯୋଗ ଗମ୍ଭୀରତାର ସହ ଅନୁଧ୍ୟାନ କଲାପରେ ସିଡିଏମଓ ପ୍ରତେକ ସ୍ବାସ୍ଥ୍ୟ କର୍ମୀଙ୍କୁ ରାତିରେ ସଜାଗ ରହିବାକୁ କଡା ନିର୍ଦେଶ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ଶ୍ରୀ କୁସୁମଙ୍କ ସହିତ ଗଜେନ୍ଦ୍ର ସିଂ, ପ୍ରିତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।