ହେଡଲାଇନସ୍:

ଅପହଂଚ ସମାଟପଦର : ବିକାଶର ଅନ୍ୟନାମ ଏଠି ଉପହାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାହାଡିଆ ରାସ୍ତାରେ ଖଟ ଉପରେ ପ୍ରସବ କଲେ ମହିଳା

ନୂଆପଡ଼ା(ଅମିତ ପୁରୋହିତ).ନୂଆପଡ଼ା ଜିଲ୍ଲାର ସମାଟପଦର ଗାଁ ଦୁଇ ବର୍ଷ ତଳେ ନା ମଧ୍ୟ କେହି ଶୁଣିନଥିଲେ | କିନ୍ତୁ ହଠାତ ଦିନେ ସମସ୍ତ ଖବରକାଗଜର ଶିରୋନାମା ପାଲଟିଯାଇଥିଲା ସମାଟପଦର ଗାଁ । ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଦୀର୍ଘ ୪କିମି ରାସ୍ତା ଚାଲିଚାଲି ପହଞ୍ଚିଥିଲେ ସେହି ଗାଁ ରେ । ସେହିଦିନ ଠାରୁ ସମାଟପଦର ଗାଁ ଚର୍ଚ୍ଚା ରେ ରହିଆସିଥିଲା । ଏବେ ମାତ୍ର ଚାରି ଦିନ ତଳେ ପୁଣିଥରେ ନୂଆପଡ଼ାର ବିଦାୟୀ ଜିଲ୍ଲାପାଳ  ସମାଟପଦର ଗାଁରେ ପହଞଞ୍ଚିଥିଲେ ।  ପ୍ରତିଶୃତି ଅନୁଯାଇ ସମାଟପଦର ଗାଁରେ ପହଂଚି ଆନୁଷ୍ଠାନିକ ଭାବରେ ବିଜୁଳି ସେବା ଉଦ୍ଘାଟନ  କରିଥିଲେ । ସମାଟପଦର  ଗାଁ ର ଦୀର୍ଘ ୭୦ ବର୍ଷ ର ପ୍ରତୀକ୍ଷାର ଅନ୍ତ ଘଟିଥିଲା  । କିନ୍ତୁ ବିଜୁଳି ଆଲୋକରେ  ଝଲସି ଉଠିଥିବା  ସମାଟପଦର ଗାଁ  ପୂର୍ବରୁ ଯେଉଁ ଅନ୍ଧାରରେ  ଥିଲା ସେହି ଅନ୍ଧାରରେ ବା ବିକାଶର ଅନ୍ଧାରି ମୁଲକରେ  ଅଛି ବୋଲି କହିଲେ ଭୁଲ ହେବନି | ଆଉ ତାହା ସତ ବୋଲି ପ୍ରମାଣିତ କରିଛି  ଏହି ଅଭାବନିୟ ଘଟଣା।
ହସ୍ତଗତ ସୂଚନା ଅନୁଯାୟୀ  ଗତ ରାତିରେ  ପ୍ରମିଳା ମାଝୀ ନାମକ ଜଣେ ଯୁବତୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ | କିନ୍ତୁ  ସର୍ମ୍ପକୀୟ ମାନେ ଏତେରାତିରେ ନିଛାଟିଆ ନିଘଞ୍ଚ ଜଙ୍ଗଲ ରାସ୍ତା ରେ ଦୀର୍ଘ ୪କିମି  ପାହାଡ଼ ଉପରୁ ତଳକୁ ଓହ୍ଲାଇ ଆସନ୍ନ ପ୍ରସବା ଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ନେବା ପାଇଁ  ସାହାସ ଜୁଟାଇ ପାରିନଥିଲେ ଓ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ସକାଳ ହେବା ମାତ୍ରେ  ସର୍ମ୍ପକୀୟ ମାନେ ପ୍ରସବା ଙ୍କୁ ଖଟରେ ବୋହି ଦୀର୍ଘ ୪କିମି ରାସ୍ତା ଚାଲି ପାହାଡ଼ ଉପରୁ ତଲକୁ ଓହ୍ଲାଇ ଥିଲେ  । ସର୍ମ୍ପର୍କୀୟ ମାନେ ରାସ୍ତାରୁ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରି ପାହାଡ଼ ତଳକୁ ଆସିବାକୁ ଅନୁରୋଧ କରିଥିଲେ | କିନ୍ତୁ ଦୁର୍ଭାଗ୍ୟବଶତଃ ମହିଳା ଜଣକ ମଝି ରାସ୍ତା ରେ ହିଁ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ  । ନବଜାତ ଶିଶୁକନ୍ୟା ଓ ପ୍ରସବା ମହିଳା ଙ୍କୁ ଧରି ସର୍ମ୍ପକିୟ ମାନେ ପାହାଡ଼ ତଳେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ମଧ୍ୟ  ଆମ୍ବୁଲାନ୍ସ ର କୌଣସି ଦେଖା ମିଳିନଥିଲା ।  ଦୀର୍ଘ ସମୟଧରି ଆମ୍ବୁଲାନ୍ସ ନ ଆସିବାରୁ ବିରକ୍ତ ହୋଇ ପୁଣିଥରେ ମା ଓ ଛୁଆ କୁ ଧରି ପାହାଡ଼  ଚଢ଼ି ନିଜ ଗାଁ କୁ ଫେରି ଯାଇଥିଲେ । ଘଟଣାଟି  ରାଜ୍ୟ ରେ  ପ୍ରସବାଙ୍କ ପାଇଁ ଉଦ୍ଧିଷ୍ଟ ସେବା ସୁବିଧାର ଡିଣ୍ଡିମ ପିଟୁଥିବା ସରକାର ଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
 ଏସର୍ମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ   ଶୀମତି ଜ୍ୟୋତ୍ସାରାଣୀ ପଟ୍ଟନାୟକଙ୍କୁ  ପଚାରିବାରୁ  ଏସର୍ମ୍ପକରେ ଆମ ପାଖରେ ତଥ୍ୟନାହିଁ ଓ ୧୦୮ଆମ୍ବୁଲାନ୍ସ ସେବା ଆମ ପରିସର ଭୁକ୍ତ ନୁହେଁ|  କିନ୍ତୁ ଆମେ ଏହାର ତଦନ୍ତ କରିବୁ ଓ ଯଥାଶୀଘ୍ର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ  ସମାଟପଦର ଗାଁ କୁ ପଠାଇ ମା ଓ ଛୁଆ କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜଣାଇଥିଲେ ।

0
0
0
s2sdefault