୨୦୨୦ରେ ଶେଷ ହେବ ଖଣି ପଟ୍ଟା ଅବଧି
ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୨୦ରେ ୨୪ଜଣ ଖଣି ପଟ୍ଟାଦାର ବା ଲିଜ୍ ସୂତ୍ରରୁ ଖଣି ଉପଭୋଗ କରୁଥିବା କମ୍ପାନୀଙ୍କ ଖଣି ପଟ୍ଟା ଅବଧି ସରିବ । ସେଥିପାଇଁ ସେମାନଙ୍କର ନିୟନ୍ତ୍ରଣାଧୀନ ଖଣିଗୁଡ଼ିକରୁ ସର୍ବାଧିକ ପରିମାଣର ଖଣିଜ ସଂପଦ ଉତ୍ତୋଳନ କରିବାକୁ ସଂପୃକ୍ତ ପଟ୍ଟାଦାରମାନେ ବ୍ୟସ୍ତ । ଉତ୍ତୋଳନ କରି ବିପୁଳ ପରିମାଣର ଖଣିଜ ସଂପଦକୁ ରାଜ୍ୟ ଏପରିକି ଦେଶ ବାହାରକୁ ରପ୍ତାନୀ କରିବା ପାଇଁ ଅଦ୍ଭୂତପୂର୍ବ ତତ୍ପରତା ଲକ୍ଷ୍ୟ କରାଯାଉଛି । କିନ୍ତୁ କେହି କମ୍ପାନୀ ସେହି ଖଣିଜକୁ ମୂଲ୍ୟଯୁକ୍ତ କରି ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ବିନିଯୋଗ ପାଇଁ ଅନାଗ୍ରହୀ । ଖଣିଜ ସଂପଦକୁ ଯେଭଳି ପଦ୍ଧତିରେ ଉତ୍ତୋଳନ କରାଯାଉଛି ସେସବୁ ଖଣି ନିଃଶେଷ ହୋଇ ପରବର୍ତ୍ତୀ ଅବସ୍ଥାରେ ନିଲାମଯୋଗ୍ୟ ରହିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ରାଜ୍ୟ ସରକାର ରୟାଲ୍ଟି, ଡିଏମ୍ଏଫ ଭଳି ରାଜସ୍ୱ ଆଦାୟ କରି ଖୁସ୍ ଥିବା କୁହାଯାଉଛି ।
ଖଣିଗୁଡ଼ିକ ଏଭଳି ସ୍ଥିତି ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଉତ୍ତର ଲୋଡ଼ିଥିଲେ । ମନ୍ତ୍ରୀଙ୍କ ଉତ୍ତରରୁ ୨୪ଜଣ ଖଣି ପଟ୍ଟାଦାରଙ୍କ ଖଣିଜ କାରବାରର ସଙ୍ଗିନ ପରିସଂଖ୍ୟାନ ମିଳିଛି । ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ୨୦୧୫-୧୬ରୁ ଚଳିତ ବର୍ଷ ପର୍ୟ୍ୟନ୍ତ ଖଣିଜ ସଂପଦ ଉତ୍ତୋଳନ କରୁଥିବା ୨୪ଜଣ ପଟ୍ଟାଦାରଙ୍କ ଖଣି ପଟ୍ଟା ଅବଧି ସରୁଛି ।
ସେମାନେ ହେଉଛନ୍ତି କେ.ଜେ.ଏସ୍.ଆହୁଲୁୱାଲିଆ-ନୂଆଗାଁ ଲୁହାପଥର ଖଣି, କେନ୍ଦୁଝର, ମେସର୍ସ କେପି ଏଣ୍ଟରପ୍ରାଇଜେସ୍- ଠାକୁରାଣୀ ଲୁହାପଥର ଖଣି, କେନ୍ଦୁଝର, ମେସର୍ସ ଜି.ଏସ୍.ମିଶ୍ର ଆଣ୍ଡ ସନ୍ସ- ଗୋରୁମହିଷାଣୀ ଲୁହାପଥର ଖଣି, ମୟୂରଭଞ୍ଜ, ମେସର୍ସ ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସିଜ୍- ବାଦାମପାହାଡ଼ ଲୁହାପଥର ଖଣି, ମୟୂରଭଞ୍ଜ, ମେସର୍ସ ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍, ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି, କେନ୍ଦୁଝର, ମେସର୍ସ ଏମ୍.ଏଲ୍.ରୁଙ୍ଗ୍ଟା- ସିଲ୍ୟୋର-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି, କେନ୍ଦୁଝର, ମେସର୍ସ ବି.ସି.ମହାନ୍ତି ଆଣ୍ଡ ସନ୍ସ-କମର୍ଦ୍ଦା କ୍ରୋମାଇଟ୍ ଖଣି, ଯାଜପୁର, ମେସର୍ସ ରୁଙ୍ଗ୍ଟା ସନ୍ସ-କଟାସାହି ମାଙ୍ଗାନିଜ୍ ଖଣି, କେନ୍ଦୁଝର, ମେସର୍ସ ରୁଙ୍ଗଟା ମାଇନ୍ସ-କୋଇଡ଼ା ମାଙ୍ଗାନିଜ୍, ସୁନ୍ଦରଗଡ଼, ଆର.ପି. ସାଓ-ଗୁଆଳି ଲୁହାପଥର ଖଣି, କେନ୍ଦୁଝର, ମେସର୍ସ ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍- କେନ୍ଦୁଝର ଲୁହାପଥର ଖଣି, ମେସର୍ସ ମିଶ୍ରିଲାଲ୍ ମାଇନ୍ସ- କ୍ରୋମାଇଟ୍, ଯାଜପୁର, ମେସର୍ସ ପଟ୍ଟନାୟକ ମିନେରାଲ୍ସ- ଲୁହାପଥର ଖଣି, କେନ୍ଦୁଝର, କେ.ଏନ୍.ରାମ ଆଣ୍ଡ କୋ.- ଲୁହାପଥର ଖଣି, କେନ୍ଦୁଝର, ମେସର୍ସ କଳିଙ୍ଗ ମାଇନିଂ, ଲୁହାପଥର ଖଣି, କେନ୍ଦୁଝର, ମେସର୍ସ ଏଏମ୍ଟିସି- ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ବି.ଆଇ.କୋ. - ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ଫିଗ୍ରେଡ୍ ଆଣ୍ଡ କୋ.- ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ବି.ଆଇ.କୋ. - ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ଟାଟା ଷ୍ଟିଲ୍ ଲିମିଟେଡ୍-କ୍ରୋମାଇଟ୍, ଯାଜପୁର, ମେସର୍ସ ରୁଙ୍ଗଟା ମାଇନ୍ସ-କୋଇଡ଼ା ମାଙ୍ଗାନିଜ୍, ସୁନ୍ଦରଗଡ଼, ମେସର୍ସ ସିରାଜ୍ଉଦ୍ଦିନ ଆଣ୍ଡ କୋ.-ଲୁହାପଥର, କେନ୍ଦୁଝର ଓ ପି.କେ.ଆହୁଲୁୱାଲିଆ- ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼ ।
ଖଣିମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ୨୪ଜଣ ପଟ୍ଟଦାର ଗତ ୨୦୧୫-୧୬ରୁ ୨୦୧୮-୧୯ ଆର୍ଥିକ ବର୍ଷ ପର୍ୟ୍ୟନ୍ତ କେତେ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିଛନ୍ତି, କେତେ ରାଜ୍ୟ ଭିତରେ ଓ କେତେ ରାଜ୍ୟ ବାହାରକୁ ଚାଲାଣ କରିଛନ୍ତି ଏବଂ କେତେ ପରିମାଣର ବିଦେଶକୁ ରପ୍ତାନୀ କରିଛନ୍ତି ସେ ସଂପର୍କିତ ବିସ୍ତୃତ ତଥ୍ୟ ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ, ଉତ୍ତୋଳିତ ଖଣିଜ ଦ୍ରବ୍ୟ ବାବଦରେ ସେମାନେ କେତେ ପରିମାଣର ରୟାଲ୍ଟି, ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡକୁ ଦେଇଛନ୍ତି ସେ କଥା ମଧ୍ୟ ଦର୍ଶାଇଛନ୍ତି । ଏହି ପରିସଂଖ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ ଏମ୍ଏମ୍ଡିଆର(ସଂଶୋଧନ) ଆଇନ ଆସିବା ପରେ ଟାଟା, ରୁଙ୍ଗ୍ଟା, ସିରାଜ୍ଉଦ୍ଦିନ୍ଙ୍କ ଭଳି ପଟ୍ଟାଦାରମାନେ ଅଧିକ ପରିମାଣର ଖଣିଜ ଦ୍ରବ୍ୟ ଉତ୍ପାଦନ କରିବା ସହିତ ଚାଲାଣ ଓ ରପ୍ତାନୀ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ବିଗତ ବର୍ଷ ତୁଳନାରେ ଅଧିକ ପରିମାଣର ରାଜସ୍ୱ ଖଣି କ୍ଷେତ୍ରରୁ ଅର୍ଜନ କରିପାରିଛନ୍ତିି ।