ବାରିପଦାକୁ ଦ୍ୱିତୀୟଶ୍ରୀକ୍ଷେତ୍ରର ମାନ୍ୟତା ସହ ମଠ ମନ୍ଦିର ସମ୍ପତ୍ତିର ସୁରକ୍ଷା ଦାବି
ବାରିପଦା(ଦିଲ୍ଲୀପ କୁମାର ମହାନ୍ତି )- ଗତ ଏପ୍ରିଲ ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରିବା ନିମନ୍ତେ ଯାଇଥିବା ବେଳେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ସ୍ତରରେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ସହ ପୂର୍ଣ୍ଣ କ୍ଷମତା ପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତିର ପୁର୍ନଉଦ୍ଧାର ସହ ସୁରକ୍ଷା, ସେବାୟତମାନେ ପାଇ ଆସୁଥିବା ସର୍ବନିମ୍ନ ମାସିକ ଭତ୍ତାର ବୃଦ୍ଧି ଆଦି ଦାବିଗୁଡ଼ିକ ଲିଖିତ ଭାବେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ନିର୍ବାଚନ ପରେ ଏ ବିଷୟରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେବାୟତମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ସେବାୟତମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଫଳରେ ସେବାୟତମାନେ ଭୂବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା ନିମନ୍ତେ ଜୁନ ୧୯ ପୂର୍ବାହ୍ନ ୭ରେ ମହାପ୍ରଭୂଙ୍କ ମନ୍ଦିର ବେଢ଼ାରୁ ଚାଲିଚାଲି ପଦଯାତ୍ରା ଆରମ୍ଭ କରିଥିଲେ । ବାରିପଦା ସହର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥର କାଠପାଳ ସ୍ପିନିଂ ମିଲ ନିକଟରେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ପହଁଞ୍ଚି ସେବାୟତମାନଙ୍କୁ ବୁଝାସୁଝା କରାଇ ଫେରାଇ ଆଣିଥିଲେ । କିନ୍ତୁ, ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ସେବାୟତମାନଙ୍କ ଦାବିଗୁଡ଼ିକ ଉପରେ କୌଣସି ଆଲୋଚନା ପାଇଁ ଭୂବନେଶ୍ୱରରୁ ଡ଼ାକରା ନଆସିବା ଫଳରେ ସେବାୟତମାନେ ମହାପ୍ରଭୂଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ଅସହେଯାଗ କରିବା ସହ ଜୁନ ୩୦ରେ ପୁଣି ଥରେ ଭୂବନେଶ୍ୱର ପଦଯାତ୍ରାରେ ବାହାରିବେ ବୋଲି ଚେତାବନୀ ଦେଇଥିଲେ । ଏହାପରେ ସେବାୟତମାନଙ୍କୁ ଜୁନ ୨୯ ପୂର୍ବାହ୍ନ ସାଢେ଼ ୧୧ରେ ସାକ୍ଷାତ ଆଲୋଚନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଜରିଆରେ ଡ଼ାକରା ଆସି ପହଁଞ୍ଚିଛି । ଫଳରେ ଆଜି ରାତିରେ ସେବାୟତମାନେ ଭୂବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଜଣାପଡ଼ିଛି । ଏଥି ନିମନ୍ତେ ସେବାୟତ ସଂଘର ସମ୍ପାଦକ କାମେଶ୍ୱର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କର ସମସ୍ତ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ପୂରଣ କରିବେ ବୋଲି ଆଶାବାଦୀ ରହିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ସୂଚନା ପ୍ରଦାନ କରିଛନ୍ତି ।
ସେହିପରି ଜିଲ୍ଲାରେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଦାବି କ୍ରମଶଃ ତେଜିବାରେ ଲାଗିଛି । ବରିଷ୍ଠ ନାଗରିକ ମଞ୍ଚର ନରେନ୍ଦ୍ର ମୋହନ ସେନାପତି, ଜ୍ଞାନରଞ୍ଜନ ତ୍ରିପାଠୀ, ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଭାଗବତ ପଣ୍ଡା ପ୍ରମୁଖ ଆନ୍ଦୋଳନକୁ ଉହ୍ଲାଇ ଆସିଛନ୍ତି ଏବଂ ଆଜି ପୂର୍ବାହ୍ନରେ ବାରିପଦାକୁ ସରକାରୀସ୍ତରରେ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଦାବିରେ ହଜାର ହଜାର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରର ନକଲ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ୱମନ୍ତ୍ରୀ ଓ ଦେବୋତ୍ତର ବିଭାଗ ଏଣ୍ଡୋମେଣ୍ଟ କମିଶନଙ୍କ ନିକଟକୁ ପ୍ରେରଣ କରିଥିବାର ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ, ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ତକ୍ରାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୬୫(ଶକାବ୍ଦ ୧୪୯୮)ରେ ବାରିପଦାଠାରେ ପ୍ରତିଷ୍ଠା କରିଥିଲେ ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିର । ଏଥି ସହିତ ମହାପ୍ରଭୂ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କୁ ସ୍ୱପ୍ନାଦେଶରେ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା କରାଇ ପୂଜାର ଅଧିକାର ଦେଇଥିବା ବେଳେ ପ୍ରତ୍ୟେକ ଦିନ ମନ୍ଦିରକୁ ବିଜେ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ ଏବଂ ଏହା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିବ ବୋଲି କହିଥିଲେ । ସେହିପରି ପୁରୀ ଗଜପତିଙ୍କୁ ମଧ୍ୟ ମହାପ୍ରଭୂଙ୍କ ଦ୍ୱାରା ସ୍ୱପ୍ନାବିଷ୍ଟ ହୋଇ ବାରିପଦାରେ ମନ୍ଦିର ନିର୍ମାଣ ନିମନ୍ତେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ନକ୍ସା ପ୍ରସ୍ତୁତ ସହ ସୁଦକ୍ଷ ମିସ୍ତ୍ରୀ ଓ କାରିଗର ପଠାଇ ମହାପ୍ରଭୂଙ୍କ ମନ୍ଦି ନିର୍ମାଣ କାର୍ଯ୍ୟ ସମାପନ କରାଇବା ପରେ ପୁରୀ ମନ୍ଦିରର ରୀତିନୀତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ପରାମର୍ଶ ଯୋଗାଇ ଦେଇଥିଲେ । ତେଣୁ ବାରିପଦାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିÂାର ପରବର୍ତ୍ତି ସମୟଠାରୁ ଏହା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ସର୍ବଜନ ସ୍ୱୀକୃତ ହୋଇ ଆସୁଥିବା ବେଳେ ଓଡ଼ିଶା ସରକାରଙ୍କ ଫାଇଲ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ତାଲିକାର ମାନ୍ୟତା ଦେଇନାହିଁ । ସେହିପରି ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜରୁ ରାଜତନ୍ତ୍ରର ଅବସାନ ଘଟି ଜାନୁଆରୀ ୨ରୁ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହୋଇଆସୁଛି । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଦିଲ୍ଲୀରେ ୧୯୪୮ ଅକ୍ଟୋବର ୧୬ରେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଦଲିଲ(ମାର୍ଜାର ଏଗ୍ରିମେଣ୍ଟ)ରେ ସ୍ୱାକ୍ଷର କରିଥିଲେ । ଏହାପରେ ଓଡ଼ିଶା ସରକାର ମହାରାଜା ପ୍ରତାପ ଚନ୍ଦ୍ରଙ୍କ ମଧ୍ୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିବାଡ଼ିକୁ ନେଇ ଆଲୋଚନା ସମୟରେ ମହାରାଜା ଗଡ଼ଜାତ ରାଜ୍ୟ ଶାସନ ସମୟରେ ଥିବା ମଠ ଓ ମନ୍ଦିରର ସୁପରିଚାଳନା ନିମନ୍ତେ ୪୪ ହଜାର ୬ ଶହ ଏକରୁ ଅଧିକ ସମ୍ପତ୍ତି ସହ କୋଟି କୋଟି ଟଙ୍କା ମୂଲ୍ୟର ଦରବାର ସମୟରୁ ପ୍ରଭୂଙ୍କୁ ପ୍ରଦତ୍ତ ମଣି ବୈଦୁର୍ଯ୍ୟ ମଣ୍ଡିତ ବିଭିନ୍ନ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ସରକାରଙ୍କ ସହିତ ମୟୂରଭଞ୍ଜ ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିର ସର୍ତ୍ତ ଅନୁସାରେ ଦରବାର ସମୟରେ ପ୍ରଚଳିତ ସମସ୍ତ ଦେବନୀତି ସରକାର ଅବ୍ୟାହତ ରଖିବେ ଏବଂ ସେହି ଅନୁସାରେ ରାଜଦରବାର ସମୟରେ ମଠ ନ୍ଦିରଗୁଡ଼ିକରେ ପାଳନ କରାଯାଉଥିବା ଦୈନନ୍ଦିନ ନୀତି ଓ ପାର୍ବଣୀ ନୀତିର ବିଷଦ ବିବରଣୀ ଏକ ରେଜିଷ୍ଟରରେ ପଞ୍ଜିକୃତ କରାଯାଇଥିଲା । ଯାହାକୁ ବର୍ତ୍ତମାନ ଡଉଲ ରେଜିଷ୍ଟାର କୁହାଯାଉଛି ।
ଓଡ଼ିଶା ରାଜ୍ୟରେ ମୟୂରଭଞ୍ଜ ଦେବୋତ୍ତର ବିଭାଗ ସବୁଠାରୁ ଅଧିକ ବିଭବ ଓ ଧନଶାଳୀ ହୋଇଥିଲେ ମଧ୍ୟ ଅର୍ଥିକ ଅନାଟନ ଆଳରେ ଜିଲ୍ଲାରେ ମଠ ମନ୍ଦିରର ଠାକୁରମାନଙ୍କୁ ଅଣଦାଖା ପ୍ରଦର୍ଶନ କରାଯାଇ ଆସୁଛି । ଦେବୋତ୍ତର ବିଭାଗରେ ନିଜସ୍ୱ ଅଧିକାରୀ ନିଯୁକ୍ତି କରାନଯାଇ ବିଭାଗ ବାରିପଦା ଉପଜିଲ୍ଲାପାଳଙ୍କ ଅଧୀନରେ ରହିଆସୁଛି । ମହାରାଜା ଛାଡ଼ିଯାଇଥିବା ଅଚଳାଚଳ ସମ୍ପତ୍ତିର କୌଣସି ହିସାବ ନାହିଁ । ଦେବୋତ୍ତର ବିଭାଗର ଅପାରଗତା କାରଣରୁ କେତେକ ଅସାଧୁ ସରକାରୀ କର୍ମଚାରୀ, ସମାଜର କେତେକ ପ୍ରତିପତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତି ଦେବୋତ୍ତର ବିଭାଗର ସିଂହ ଭାଗ ସମ୍ପତ୍ତିକୁ ହଡ଼ପ କରିନେଇଥିବା ବେଳେ ଅବଶିଷ୍ଟ ସମ୍ପତ୍ତି ସରକାରୀ ଖାତାକୁ ଚାଲିଯାଇଛି । ତେଣୁ ଜିଲ୍ଲାରେ ମଠ ମନ୍ଦିର ସମ୍ପତ୍ତିର ସୁରକ୍ଷା ଓ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଆଦି ବିଭିନ୍ନ ଦାବି ପୂରଣ ନିମନ୍ତେ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ମଠ ମନ୍ଦିରର ସେବାୟତମାନେ । ଭୂବନେଶ୍ୱରରେ ଧାରଣା, ବାରିପଦାରେ ଅନଶନ ସହ ମୁଖ୍ୟମନ୍ତ୍ରୀ, ରାଜ୍ୟ ଏଣ୍ଡୋମେଣ୍ଟ କମିଶନ, ଆଇନ ମନ୍ତ୍ରୀଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ସେବାୟତମାନଙ୍କ ସମସ୍ତ ଦାବି ଫାଇଲ ମଧ୍ୟରେ ଚାପି ହୋଇ ରହିଯାଇଛି ।
୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ବାରିପଦାକୁ ନିର୍ବାଚନୀ ପ୍ରଚାରରେ ଆସି ମହାପ୍ରଭୂଙ୍କ ଦର୍ଶନ ନିମନ୍ତେ ଏପ୍ରିଲ ୨୫ରେ ଯାଇଥିବା ବେଳେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଦାବିଗୁଡ଼ିକ ଲିଖିତ ଭାବେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ନିର୍ବାଚନ ପରେ ଏବିଷୟରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେବାୟତମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ନର୍ବାଚନ ସରିଲା । ନବୀନ ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀ ମଣ୍ଡଳ ଶପଥ ନେବା ପରେ ମଧ୍ୟ ବାରିପଦାରେ ସେବାୟତମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିପାରିନଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭୂବନେଶ୍ୱରେ ଭେଟିବା ନିମନ୍ତେ ଜୁନ ୧୯ ପୂର୍ବାହ୍ନ ୭ରେ ମହାପ୍ରଭୂଙ୍କ ମନ୍ଦିର ବେଢ଼ାରୁ ଚାଲିଚାଲି ପଦଯାତ୍ରା ଆରମ୍ଭ କରିବେ । ସେବାୟତମାନଙ୍କ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ଏହି ପଦଯାତ୍ରାକୁ ନେଇ ଜୁନ ୧୧ରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ପ୍ରଶାସନ ଅଥବା ସରକାର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ୧୯ରେ ସେବାୟତମାନେ ଚାଲିଚାଲି ଭୂବନେଶ୍ୱର ଯିବାକୁ ବାଧ୍ୟ ହେଲେ ବୋଲି କାମେଶ୍ୱର ତ୍ରିପାଠୀ ସୂଚନା ଦେଇଛନ୍ତି ।