ବସ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର
ବାରିପଦା/ Arabinda Das : ବସ ଚାଳକଙ୍କ ଅନ୍ୟମନସ୍କତା ଓ ଦାୟିତ୍ବହୀନତା କାରଣରୁ ଭୁବନେଶ୍ୱରରୁ ବାରିପଦା ଆସୁଥିବା ବେଳେ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବସ ବସ ରାତି ପ୍ରାୟ ୧୨ଟା ବେଳେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି | ବାଲେଶ୍ୱର ବାରିପଦା ମଧ୍ୟ ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ଥାନା ଆଗ୍ରିଆ ହନୁମାନ ମନ୍ଦିର ସମ୍ମୁଖରେ ଜୁନ ୨୭ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଓଡ଼ି ୦୧ ଜେ ୨୨୧୨ ନମ୍ବର ବିଶିଷ୍ଟ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଏନଏଲ ୦୨ ଏନ ୫୧୬୨ ନମ୍ବର ବିଶିଷ୍ଟ ଲୁହା ବୋଝେଇ ଟ୍ରଲରରୁ ବାହାରକୁ ବାହାରି ଆସିଥିବା ଲୁହା ସହ ସମ୍ମୁଖରୁ ଘଷି ହୋଇଯିବା ଫଳରେ ବସର ସମ୍ମୁଖ ଡ଼୍ରାଇଭର ସିଟରୁ ପଛ ପର୍ଯ୍ୟନ୍ତ ଝରକା ଉଚ୍ଚରେ ଛେଲି ହୋଇ ଯିବା ଫଳରେ ଝରକା ପାଶ୍ୱର୍ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତ୍ତର ଭାବେ ଆହତ ହୋଇଥିଲେ ଏବଂ ଅବଶିଷ୍ଟ ଯାତ୍ରୀମାନେ ସୁରକ୍ଷିତ ନିରାପଦ ଅବସ୍ଥାରେ ଉହ୍ଲାଇଯାଇଥିଲେ । ଆହତ ଓ ମୃତ ଯାତ୍ରୀମାନଙ୍କୁ ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିବା ପରେ ଆହତମାନଙ୍କୁ ପ୍ରଥମେ ବେତନଟୀ ସିଏଚସିଏସ ଚିକିତ୍ସା ନିମନ୍ତେ ଭତ୍ତି କରାଯାଇଥିଲା । ସେଠାରେ ଗୁରୁତ୍ତର ଥିବା ୩ ଜଣଯାତ୍ରୀଙ୍କୁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏସକେ ନିଜାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଚିକିତ୍ସା କରୁଥିବା ଡ଼ାକ୍ତର ତାଙ୍କୁ ରାତିରେ କଟକ ମେଡ଼ିକାଲକୁ ରେଫର କରାଇ ଦେଇଥିବା ବେଳେ ବାରିପଦା ଟାଉନ ଥାନା ଅଧୀନସ୍ଥ ମାକଲକାନ୍ଦି ଅଞ୍ଚଳର ଡ଼ାକ୍ତର ଝୁଲିଆ ଓ କାରୁମ ସୋରେନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡ଼ିଛି । ସେହିପରି ମୃତକମାନଙ୍କ ମଧ୍ୟରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାଲିଗଞ୍ଜ ଅଞ୍ଚଳର ହିମାଂଶୁ ପାତ୍ରଙ୍କ ପୁଅ ଆନିନ୍ଦ୍ୟ ସିଦ୍ଧାର୍ଥ(୩୪) ଓ ତୁଳସୀଚଉରା ଅଞ୍ଚଳର ସ୍ୱର୍ଗତ ବୁଢ଼ାନ ସୋରେନଙ୍କ ବିଧବା ପତ୍ନୀ ସୁକାନ୍ତୀ ସୋରେନ(୩୫) ରହିଥିବା ବେଳେ ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ଅଞ୍ଚଳର ସମରାୟ ହେମ୍ବ୍ରମ(୩୭) ଓ ଶାମାଖୁଣ୍ଟା ବ୍ଲକ ବଜ୍ରତୁଣ୍ଡି ଗ୍ରାମର ବୃନ୍ଦାବନ ପାତ୍ରଙ୍କ ପୁଅ ସତ୍ୟରଞ୍ଜନ ପାତ୍ର(୧୮) ଥିବାର ଜଣାପଡ଼ିଛି ।
ମୃତକମାନଙ୍କ ଶବକୁ ବୈଶିଙ୍ଗା ଥାନା ପୁଲିସ ବ୍ୟବଚ୍ଛେଦ କରାଇବା ନିମନ୍ତେ ବାରିପଦା ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇଦେଇଛି । ଦୁର୍ଘଟଣା ଘଟିବା ପରେ ବସର ଚାଳକ ବସକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିବା ବେଳେ ଟ୍ରଲର ଚାଳକ ଟ୍ରଲର ଧରି ପଳାଇ ଯାଇ ଅଳ୍ପ ଦୂରରେ ଥିବା ଏକ ଢ଼ାବା ନିକଟରେ ଟ୍ରଲରକୁ ଛାଡ଼ି ଦେଇ ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଖବରପାଇ ବେତନଟୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇ ଟ୍ରଲରକୁ ଜବତ କରିଥିବାର ଜଣାପଡ଼ିଛି ବୈସିଙ୍ଗା ଥାନା କେଶ ନମ୍ବର ୧୧୮/୨୦୧୯ ରୁଜୁ କରିଛି ପୋଲିସ | ବାରିପଦା ମେଡ଼ିକାଲ କଲେଜ ଓ ହସପିଟାଲରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀଙ୍କ କହିବା ଅନୁସାରେ କଳ୍ପନା ଯାତ୍ରୀବାହୀ ବସ ବାରିପଦା ଆସିବା ନିମନ୍ତେ ଶେଷ ବସ ରହିଥିଲା । ବାଲେଶ୍ୱରରେ ବସ ଛାଡ଼ିବା ସମୟରେ ବସ ଭିତରେ ପ୍ରାୟ ୩୦ ମଧ୍ୟରେ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ବୈଶିଙ୍ଗା ଷ୍ଟପେଜରେ ୧୦ରୁ ୧୫ ଜଣ ଯାତ୍ରୀ ଉହ୍ଲାଇ ଯିବା ପରେ ଅବଶିଷ୍ଟ ଯାତ୍ରୀମାନଙ୍କୁ ଧରି ବାରିପଦା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାର କହିଥିଲେ ।