ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ବାସୀ ଖାଦ୍ୟ ଖାଇ ହଜାରେରୁ ଅଧିକ ପ୍ରତିଯୋଗି ଅସୁସ୍ଥ-
ମେଡ଼ିକାଲ ଟିମ ପହଁଞ୍ଚି ଚିକିତ୍ସା କଲେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଜନସାଧାରଣ
ବାରିପଦାରୁ ଦିଲ୍ଲୀପ ମହାନ୍ତି -ଆଦିବାସୀ ମାନଙ୍କ ମଧ୍ୟରେ ଥିବା କ୍ରୀଡା ନୈପୁଣ୍ୟର ପରିପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିକଳ୍ପିତ ଆଧିବାସୀ କ୍ରୀଡା କାର୍ଯ୍ୟକ୍ରମକୁ ବଦନାମ କରିବା ପାଇଁ କିଛି ଦାଇତ୍ୱହୀନ ଆଧିକାରୀ ବୋଧହୁଏ ସଂକଳ୍ପ ନେଇଛନ୍ତି | ନହେଲେ ପିଲାମାନଙ୍କୁ ଗଣ୍ଡେ ଭଲରେ ଖାଇବାକୁ ଦେଇ ପାରନ୍ତେନିଯେ ସେମାନେ ଅଖାଦ୍ୟ ଖାଇ ଅସୁସ୍ଥ ହେଉଛନ୍ତି !!!!
ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲାପ୍ରଶାସନ ଆନୁକୂଲ୍ୟରେ ଜାନୁଆରୀ ୧୦ରୁ ୧୨ ପର୍ଯ୍ୟନ୍ତ ୩ ଦିନ ଧରି ମୟୂରଭଞ୍ଜ ଜିଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ଦିନ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ପ୍ରତିଯୋଗିମାନେ ଛନ୍ଦି ହେବା ଫଳରେ କପ୍ତିପଦା, ଉଦଳା, ବେତନଟୀ, ବହଳଦା ଓ କୁସୁମୀ ଆଦି ବ୍ଲକରୁ ଆସିଥିବା ପ୍ରାୟ ହଜାରେରୁ ଅଧିକ ପ୍ରତିଯୋଗି ଅସୁସ୍ଥ ହୋଇପଡ଼ିଛନ୍ତି । ଖବରପାଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରୁ ଏକ ଟିମ ପହଁଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ ।
ଅସୁସ୍ଥ ହୋଇପଡ଼ିଥିବା ପ୍ରତିଯୋଗିମାନଙ୍କ ଅଭିଯୋଗ ଆଧାରରେ, ପ୍ରତିଯୋଗିତାର ପ୍ରଥମ ଦିନ ଅପରାହ୍ନ ପ୍ରାୟ ୩ଟା ମଧ୍ୟରେ ପ୍ରତିଯୋଗିମାନଙ୍କୁ କୁକୁଡ଼ା ମାଂସ ଓ ଅଧାଫୁଟା ଭାତ ଆଦି ଖାଇବାକୁ ଦିଆ ଯାଇଥିଲା । ଏହାପରେ ରାତି ପ୍ରାୟ ୭ଟା ବେଳେ ଭାତ ସହିତ ଘଣ୍ଟ ଓ ଡ଼ାଲି ଆଦି ଖାଇବାକୁ ଦିଆ ଯାଇ ଥିଲା । ବାସୀ ଭାତକୁ ଗରମ କରି ଦିଆ ଯାଇଥିବା ବେଳେ ଘଣ୍ଟ ଓ ଡ଼ାଲି ବାସୀ ରହିଥିଲା । ଖାଇବା ବେଳେ ପାଟିକୁ ଖଟା ଲାଗୁ ଥିଲା । ଏହାକୁ ଖାଇ ପ୍ରତିଯୋଗିମାନେ ରାତିରେ ବିଶ୍ରାମ ନେଉଥିବା ବେଳେ ମଧ୍ୟ ରାତିରେ ପାଇଖାନା ଆରମ୍ଭ ହୋଇଥିଲା । ବାରିପଦା ଏମକେସି ହାଇସ୍କୁଲ ମଧ୍ୟରେ ରହିଥିବା ପ୍ରତିଯୋଗିମାନେ ଭିତରେ ରହିଥିବା ଶୌଚାଳୟରେ ପାଣି ନ ଥିବାରୁ ପାଚେରୀ ଡେ଼ଇଁ ଯିଏ ଯେଉଁଠି ପାରିଛି ପାଇଖାନା କରିଛନ୍ତି । ରାତି ପାହି ସକାଳ ସାଢେ଼ ୯ ହୋଇଥିଲେ ମଧ୍ୟ ଏବଂ ଏହି ଅସୁସ୍ଥତା ବିଷୟରେ ସୂଚନା ଦିଆ ଯାଇଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ବ୍ୟତୀତ ଅନ୍ୟ କେହି ପହଁଞ୍ଚି ପାରି ନ ଥିଲେ । ଏହି ଅସୁସ୍ଥତା ମଧ୍ୟରେ କିପରି ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇ ପାରିବେ ଏବଂ ପୁରସ୍କାର ଜିଣି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବାର ସ୍ୱପ୍ନ ସ୍ୱପ୍ନ ହୋଇ ରହିଯିବ ବୋଲି ଅଭିଯୋଗ ଆଣିଛନ୍ତି ଉଦଳା ବ୍ଲକ ଶ୍ରୀରାମଚନ୍ଦ୍ରପୁର ବିଦ୍ୟାଳୟର ଛାତ ୍ରଦେବାଶିଷ ସୋରେନ ଓ କୁସୁମୀ ବ୍ଲକ ବିକେ ହାଇ ସ୍କୁଲର ଛାତ୍ର ବିଜୟ ହାଁସଦାଃ ପ୍ରମୁଖ । ପ୍ରତିଯୋଗି ତଥା ଛାତ୍ରଛାତ୍ରୀମାନଙ୍କ ବାସୀ ଖାଦ୍ୟ ଖାଇବା ଦ୍ୱାରା ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗକୁ ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ପ୍ରତିଯୋଗିମାନଙ୍କ ନିମନ୍ତେ ପ୍ରସ୍ତୁତ ଖାଦ୍ୟକୁ ପ୍ରଥମେ ନିଜେ ଖାଦ୍ୟ ଖାଇଥିଲେ । କୌଣସି ବାସୀ ନ ଥିଲା । ପିଲାମାନଙ୍କ ଅସୁସ୍ଥ ହେବା ଖବର ବର୍ତ୍ତମାନ ପାଇଲେ ଏବଂ ସଂଗେସଂଗେ ମେଡ଼ିକାଲ ଟିମ ଆସୁଛନ୍ତି । ଏହା ଦିନରେ ଖାଦ୍ୟ ଓ ରାତିର ଖାଦ୍ୟ ଖାଇବା ମଧ୍ୟରେ ୨/୩ ଘଣ୍ଟା ଫରକ କାରଣରୁ ହୋଇଥିବାର ସମ୍ଭାବନା ବୋଲି କହିଥିଲେ । ତେବେ ଜିଲା ମଙ୍ଗଳ ଅଧିକାରୀଙ୍କ ଉତ୍ତରରେ ସନ୍ତୋଷ୍ଟ ହୋଇପାରି ନ ଥିଲେ ପ୍ରତିଯୋଗିମାନେ । ପୁଲିସ ପଡ଼ିଆରେ ଡ଼ାକ୍ତରୀ ଟିମ ଚିକିତ୍ସା ପାଇଁ ପହଁଞ୍ଚି ରୋଗୀମାନଙ୍କୁ ଔଷଧ ଖାଇବାକୁ ଦେଇଥିବା ବେଳେ ସେହି ଔଷଧ ଖାଇବା ନିମନ୍ତେ ପଡ଼ିଆରେ ପାଣିର ଅଭାବ ଦେଖା ଦେଇଥିଲା । ପୁଣି ଏହି ଘଟଣା ରାତିରେ ହୋଇଥିଲେ ମଧ୍ୟ ଡ଼ାକ୍ତରୀ ଟିମ ପ୍ରାୟ ୧୦ଟା ସମୟରେ ପହଁଞ୍ଚି ଥିଲେ । ପୁଣି ପୁଲିସ ପଡ଼ିଆରେ ପ୍ରାୟ ୨ ହଜାର ବାଳକ ଓ ବାଳିକା ପ୍ରତିଯୋଗି ଉପସ୍ଥିତ ରହିଥିବା ବେଳେ ନିମନ୍ତେ କୌଣସି ଆସ୍ଥାୟୀ ଶୌଚାଳୟ ନ ଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅସୁସ୍ଥ ହୋଇପଡ଼ିଥିବା ଛାତ୍ରୀଛାତ୍ରମାନଙ୍କ ସହିତ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରଶାସନକୁ ଭୟ କରି ମୁହଁ ଖୋଲିବାକୁ ପ୍ରସ୍ତୁତ ନ ଥିବା ବେଳେ ଛାତ୍ରୀଛାତ୍ରମାନେ ନିଜର ଅସନ୍ତୋଷକୁ ଜାହିର କରିବାକୁ ପଛାଇ ନ ଥିଲେ । ତେବେ ଏହି ଜନଜାତି ପ୍ରତିଯୋଗିତାରେ ସରକାର ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ଏହି ପ୍ରକାରର ଅବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଜନସାଧାରଣରେ ଦାବି କରାଯାଇଛି ।