ହେଡଲାଇନସ୍:

ବ୍ୟବସ୍ଥାର ଚକ୍ରବୁ୍ୟହରେ ଚାପି ହୋଇ ବରଗଡର ଯୁବଚାଷୀ ଇଚ୍ଛାମୃତୁ୍ୟ ମାଗିବା ଓଡିଶା ପାଇଁ ନିନ୍ଦନୀୟ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବରଗଡ଼ରେ ଚାଷୀ ଇଚ୍ଛାମୃତୁ୍ୟ ମାଗିବା ପ୍ରସଙ୍ଗ

  • ଚାଷୀଙ୍କ ଇଚ୍ଛାମୃତୁ୍ୟ ଗ୍ରହଣ କରି ଡବଲ ଇଞ୍ଜିନ ସରକାର ନିଜର ଅସହାୟତା ପ୍ରକାଶ କରିଛନ୍ତି

  • ଡବଲ ଇଞ୍ଜିନ ସରକାରର ଅପାରଗତା ଲାଗି ଚାଷୀ ଇଚ୍ଛାମୃତୁ୍ୟ ମାଗିବାକୁ ବାଧ୍ୟ ହେଉଛି

  • ବରଗଡ଼ରେ ଚାଷୀଙ୍କ ଇଚ୍ଛାମୃତୁ୍ୟକୁ ଗ୍ରହଣ କରି ସରକାର ହୀନମନ୍ୟତାର ପରିଚୟ ଦେଇଛନ୍ତି

  • ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀକୂଳ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି


ଭୁବନେଶ୍ୱର, ୨୪/୦୬/୨୦୨୬: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲରେ ଚାଷୀ ଗୋପାଳ କୃଷ୍ଣ ସାହୁ କଷ୍ଟ ଉପାର୍ଜିତ ଧାନକୁ ବିକି୍ର କରିନପାରି ଶେଷରେ ବାଧ୍ୟହୋଇ ଇଚ୍ଛାମୃତୁ୍ୟ ମାଗିବା ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି । ଚାଷୀଙ୍କ ଇଚ୍ଛାମୃତୁ୍ୟ ଆବେଦନକୁ ଗ୍ରହଣ କରି ସରକାର ନିଜର ଅସହାୟତାକୁ ପ୍ରକାଶ କରିଛନ୍ତି । ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଓ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଜ୍ୟରେ ପରିବର୍ତ୍ତନ କଥା କହୁଥିବା ଡବଲ ଇଞ୍ଜିନ ସରକାରରେ ପରିବର୍ତ୍ତନ ଅତ୍ୟନ୍ତ ଭୟଙ୍କର ହୋଇଛି । ଓଡ଼ିଶାର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ଚାଷୀକୂଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି ।
ଶ୍ରୀମତୀ ବର୍ଷା ସିଂ ବରିହା କହିଥିଲେ ଯେ, ବରଗଡ଼ ଜିଲ୍ଲାର ଚାଷୀ ଗୋପାଳ କୃଷ୍ଣ ସାହୁ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକି୍ର କରିବା ପାଇଁ ବାରମ୍ବାର ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ଶେଷରେ ବାଧ୍ୟ ହୋଇ ଚରମ ପଦକ୍ଷେପ ସ୍ୱରୂପ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତୁ୍ୟ ମାଗିଛନ୍ତି ଏବଂ ସେହି ଇଚ୍ଛାମୃତୁ୍ୟକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ସରକାର ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରୁ । ଯେଉଁ ରାଜ୍ୟରେ ଚାଷୀ ଇଚ୍ଛାମୃତୁ୍ୟ ମାଗିବାକୁ ବାଧ୍ୟ ହୁଏ, ସେଠି ସରକାରଙ୍କ କୃଷକ କଲ୍ୟାଣ ନୀତି କେତେ ସଫଳ, ତାହା ସାଧାରଣ ଲୋକ ବିଚାର କରିପାରିବେ । ରାଜ୍ୟର ଅନେକ ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀକୂଳ ଚିନ୍ତାରେ ରହିଛି । ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିବାରୁ ମୌସୁମୀ ବର୍ଷାରେ ଭିଜି ଗଜା ହେଲାଣି । ସରକାର କହିଥିଲେ ଏମଏସପି ବୃଦ୍ଧି କରିବେ, କିନ୍ତୁ ବୃଦ୍ଧି କଲେ ନାହିଁ । ଅନ୍ୟପଟେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଅହେତୁକ ଦରବୃଦ୍ଧି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଡବଲ ଇଞ୍ଜିନ ସରକାର କେବଳ ଚାଷୀକୂଳ ପ୍ରତି ଅନ୍ୟାୟ କରିନାହିଁ, ରାଜ୍ୟର ବୟସ୍କ, ଦିବ୍ୟାଙ୍ଗ, ବିଧବାମାନଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବ କରିବା ଯୋଗୁଁ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷୀକୂଳର ସମସ୍ତ ସମସ୍ୟା ଡବଲ ଇଞ୍ଜିନ ସରକାର ତୁରନ୍ତ ସମାଧାନ କରନ୍ତୁ, ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଲଢ଼େଇ ଜୋରଦାର କରିବ ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଚାଷୀକୂଳକୁ ୩୧୦୦ ଟଙ୍କା ଦେଉଥିବାର ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାର ଅନ୍ୟପଟେ ୧୫ କିଲୋ କଟନୀ ଛଟନୀ କରି ସରକାର ଦୋମୁହାଁ ନୀତିର ପରିଚୟ ଦେଉଛନ୍ତି । ପ୍ରତିଥର ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି । ମଣ୍ଡି ସମସ୍ୟା, ଟୋକନ ସମସ୍ୟା ଯୋଗୁଁ ଚାଷୀ ତାର ଧାନକୁ ବିକି୍ର କରିନପାରି ଇଚ୍ଛାମୃତୁ୍ୟ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି । ବରଗଡ଼ର ଚାଷୀ ଇଚ୍ଛାମୃତୁ୍ୟ ମାଗିବା ଓ ଜିଲ୍ଲା ପ୍ରଶାସନ ତାଙ୍କ ଆବେଦନକୁ ଗ୍ରହଣ କରିବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସରକାର କେତେ ଅସହାୟ ହୋଇପଡ଼ିଛନ୍ତି । ଧାନ ବିକି୍ରର ୨୪ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ପ୍ରତିଶ୍ରୁତି ସରକାର ଦେଉଛନ୍ତି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡୁଛି । ବିଜୁ ଜନତା ଦଳ ଆଶା କରୁଛି, ସରକାର ଚାଷୀକୂଳ ପ୍ରତି ଯତ୍ନବାନ ହୁଅନ୍ତୁ ଓ ଚାଷୀକୂଳର ସବୁ ସମସ୍ୟା ଦୂର କରନ୍ତୁ ।

0
0
0
s2sdefault