ହାତ ପାହାନ୍ତାରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର,ଜନଜୀବନ ବିପଦରେ
ଜଗତସିଂହପୁର(ରମେଶ ମହାନ୍ତି)-ତିର୍ତ୍ତୋଲ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କର କାର୍ଯ୍ୟରେ ଅବହେଳା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଠିଲୋ ଟ୍ରାନ୍ସଫର୍ମର କୁ ସଂଯୋଗ ହୋଇଥିବା ୧୧କେଭି ବିଦ୍ୟୁତ ତାର ଅଧାଛିଣ୍ଡା ହୋଇ ଚାଷଜମି ଉପରେ ହାତ ପାହାନ୍ତାରେ ଝୁଲି ରହିଛି।ଏପରିକି ପାଖ ଜମିରେ ଥିବା ୧୧କେଭି ଖୁଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ଢଳିକରି ରହିଛି।ଆଗାମୀ ଦିନରେ ଚାଷ ପାଇଁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ କିନ୍ତୁ ଉକ୍ତ ଜମିରେ ଧାନ ଚାଷ ନ ହୋଇ ପଡିଆ ରହିବାର ସମ୍ଭାବନା ସୃଷ୍ଟି ହୋଇଛି।ଏମିତିକି ପାଖ ଜମିରେ ବି ଚାଷ କରିବାକୁ ଚାଷି ଭୟ କରୁଛନ୍ତି।ଏବାବଦରେ ତିର୍ତ୍ତୋଲ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ତାଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ।ବିଭାଗୀୟ (ଏସ୍ ଡି ଓ)ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ନୂଆ ଖୁଣ୍ଟ ପକାଯାଇ କାମ ହେବ ବୋଲି କହୁଛନ୍ତି।ଯଦି ଯଥା ଶୀଘ୍ର ଏହି କାର୍ଯ୍ୟ କରାନଯାଏ ମୌସୁମୀ ଆସିଗଲାଣି ଆଗକୁ ଜମିରେ ପାଣି ଜମିଲେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ।ଆଗାମୀ ଦିନରେ ଅସରାଏ ବଡ ବର୍ଷା ପବନ ହେଲେ ଉକ୍ତ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ସହ ପାଖ ଜମିରେ ସମ୍ପୂର୍ଣ୍ଣ ଭାବେ ଢଳି ରହିଥିବା ବିଦ୍ୟୁତ ଖୁଣ୍ଟ ତଳେ ପଡିଯିବାର ଆଶଙ୍କା ରହିଛି।ଫଳରେ ଅନେକ ଧନ ଜୀବନ ହାନି ଘଟିବ ଏଥିରେ ସନ୍ଦେହ ନାହିଁ।ତେଣୁ ବର୍ଷା ହୋଇ ଜମିରେ ପାଣି ହେବା ପୂର୍ବରୁ ଏଗୁଡିକ ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ଏହା ନ ହେଲେ ଯଦି ଆଗାମୀ ଦିନରେ କୌଣସି ପ୍ରକାର ଧନ ଜୀବନ ହାନି ଘଟେ ସେଥିପାଇଁ ତିର୍ତ୍ତୋଲ ବିଦ୍ୟୁତ ବିଭାଗ ଦାୟୀ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।