ଭୁବନେଶ୍ୱର : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଏବଂ ମହିଳା ଉଦ୍ୟୋଗୀ ଙ୍କ ଅଭିବୃଦ୍ଧି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ବ୍ୟାଙ୍କ୍ ଋଣ ବୃଦ୍ଧି, ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଭବିଷ୍ୟତ ନିମନ୍ତେ କାର୍ଯ୍ୟାବଳୀ ପ୍ରସ୍ତୁତ କରିବା ଥିଲା ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ।
ମିଶନ ଶକ୍ତି ବିଭାଗର ଅବିରତ ପ୍ରୟାସ ଫଳରେ, ଓଡ଼ିଶା ଏସଏଚଜି ବ୍ୟାଙ୍କ ଋଣ କ୍ଷେତ୍ରରେ ଦେଶରେ ଏକ ଅଗ୍ରଗଣ୍ୟ ରାଜ୍ୟ ହୋଇପାରିଛି । ୨୦୨୩-୨୪ ଆର୍ଥିକ ବର୍ଷରେ , ୪.୧୩ ଲକ୍ଷ ଏସଏଚଜିଙ୍କୁ ₹୧୬,୫୮୬ କୋଟି ଋଣ ପ୍ରଦାନ କରାଯାଇଛି, ଯାହା ରାଜ୍ୟକୁ ଜାତୀୟ ପ୍ରଦର୍ଶନ ମାନଦଣ୍ଡରେ ଚତୁର୍ଥ ସ୍ଥାନରେ ପହଞ୍ଚାଇଛି । ଓଡ଼ିଶାରେ ଏସଏଚଜି ମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଋଣର ଆକାରରେ ବିଗତ ବର୍ଷ ମାନଙ୍କରେ ଅଭିବୃଦ୍ଧି ଘଟିଛି, ଯାହା ମା' ମାନଙ୍କୁ ପ୍ରଦାନ କରାଯାଉଥିବା ଆନୁଷ୍ଠାନିକ ଆର୍ଥିକ ସହାୟତାରେ ଅଗ୍ରଗତିକୁ ସୂଚିତ କରୁଅଛି ।
ଏଥି ସହିତ ଏହି ବୈଠକରେ ମହିଳା ଉଦ୍ୟୋଗୀତା ବୃଦ୍ଧି ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଉପରେ ଚର୍ଚ୍ଚା ହୋଇଥିଲା । ବ୍ୟାଙ୍କମାନଙ୍କୁ ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ଯୋଜନା ପ୍ରାରମ୍ଭ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା ଯାହା ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ କରାଯିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବ୍ୟାଙ୍କମାନଙ୍କୁ ଏହି ଯୋଜନାର ସର୍ବାଧିକ ପ୍ରଚାର କରିବା ସହ ଏସଏଚଜି ସଦସ୍ୟାମାନଙ୍କ ପାଇଁ ନୂତନ ସୁଯୋଗ ଉପଲବ୍ଧ କରାଇବାରେ ସମର୍ଥନ ଯୋଗାଇଦେବାକୁ ଅନୁରୋଧ କରାଯାଇଥିଲା ।
ଏଥି ସହିତ ଆଜିର ବୈଠକରେ ଏସଏଚଜି ଋଣର ଏନପିଏକୁ ହ୍ରାସ କରିବା ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା । ମାତ୍ର ୧.୪୨% ଏନପିଏ ସ୍ତର ସହିତ ଓଡ଼ିଶା ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ସ୍ଥାନିତ ଥିବା ବେଳେ ଏହି ଏନପିଏ ସ୍ତରକୁ ୧% ତଳକୁ ଆଣିବାର ଲକ୍ଷ୍ୟ ରଖାଯାଇଛି ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ଏସଏଚଜିଙ୍କ ପ୍ରଗତିରେ ବ୍ୟାଙ୍କ୍ ମାନଙ୍କର ସହଯୋଗକୁ ସମ୍ମାନ ଦେବା ସହ ଓଡ଼ିଶାରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ସେମାନଙ୍କ ଭୂମିକା ଉଲ୍ଲେଖ କରିଥିଲେ। ସେ ଏକ ବିକଶିତ ଓଡିଶା ଗଠନ ଦିଗରେ ମହିଳା ସଶକ୍ତିକରଣର ମହତ୍ତ୍ଵ ଉପରେ ଗୁରୁତ୍ୱାରୋପ କରିବ ସହ ଜଡିତ ଥିବା ସମସ୍ତ ସଂସ୍ଥାମାନଙ୍କୁ ଏସଏଚଜିଙ୍କୁ ସମର୍ଥନ କରି ସେମାନଙ୍କୁ ଆହୁରି ସୁଦୃଢ କରିବା ନିମନ୍ତେ ଅନୁରୋଧ କରିଥିଲେ।
ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତ ବ୍ୟାଙ୍କର ଅଧିକାରୀ ମାନଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଲଭ ଋଣ ଯୋଗାଇ ସେମାନଙ୍କୁ ଲକ୍ଷପତି ଦିଦି ହେବାର ସୁଯୋଗ ନେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସୁଭଦ୍ରା ହିତାଧିକାରି ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଯାହା ସମସ୍ୟା ରହିଛି ତାକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରି ସେ ସବୁକୁ ସମାଧାନ କରିବାପାଇଁ ସମସ୍ତ ବ୍ୟାଙ୍କ ଅଧକାରୀ ମାନଙ୍କର ସହଯୋଗ କାମନା କଲେ।ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟାଙ୍କ ମଧ୍ୟରେ ସଂଯୋଗକୁ ତ୍ୱରାନ୍ୱିତ କରିବା ଏବଂ ଓଡିଶାର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନିରନ୍ତର ଜୀବିକା ସୃଷ୍ଟିର ସଂକଳ୍ପ ସହିତ ଏହି ବୈଠକ ସମାପ୍ତ ହୋଇଥିଲା ।
ଏହି ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ, ବିଭାଗର ନିର୍ଦ୍ଦେଶକ, ଆନୁଷ୍ଠାନିକ ଅର୍ଥ ବିଭାଗର ନିର୍ଦ୍ଦେଶକ, ବିଭିନ୍ନ ବ୍ୟାଙ୍କର ପ୍ରମୁଖ ଅଧିକାରୀ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।