ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ଓଡିଶା ଉଚ୍ଚ ନ୍ୟାୟାଳୟର ଅନୁମୋଦନ କ୍ରମେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଏକ ବର୍ଷ ପୂର୍ବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେ ଏମ ଏଫ୍ ସି) ସ୍ଥାପନ ପାଇଁ ଅନୁମୋଦନ ମିଳି ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୂତନ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ନୂତନ ଅଦାଲତ ସ୍ଥାପନ ପାଇଁ ଡାବୁଗାଁ ରେ ଜମି ଥାଇ ସୁଦ୍ଧା ଏଠାରୁ ୮ କିମି ଦୂର ସରାଗୁଡ଼ା ଠାରେ ଜେ ଏମ ଏଫ୍ ସି କୋର୍ଟ ସ୍ଥାପନ ପାଇଁ ଜମି ଚିହ୍ନଟ ହୋଇଥିବା ବେଳେ ଡାବୁଗାଁ ତହସିଲ କଲୋନି ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ସୂଚନା ଅନୁଯାଇ ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ ଅନୁମୋଦନ କ୍ରମେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଓ କୋଡିଙ୍ଗା ( କୋଷାଗୁମୁଡା) ଠାରେ ଦୁଇଟି (ଜେ ଏମ ଏଫ୍ ସି) କୋର୍ଟ ସ୍ଥାପନ ପାଇଁ ସ୍ଥିରୀକୃତ ହୋଇଥିଲା। ଏଥିପାଇଁ ଡାବୁଗାଁ ରେ ଆବଶ୍ୟକ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତତ୍କାଳୀନ ନବରଙ୍ଗପୁର ଜିଲ୍ଲା ଜର୍ଜ ସଞ୍ଜୀବ ଦୁବେ ଓ ରେଜିଷ୍ଟ୍ରାର ଡାବୁଗାଁ ଆସି ପର୍ଯ୍ୟବେକ୍ଷଣ କରିଥିଲେ। ତେବେ ଡାବୁଗାଁ ରେ ଆବଶ୍ୟକ ଜମି ଥିଲେ ସୁଦ୍ଧା ଏଠାରେ କୋର୍ଟ କରା ନ ଯାଇ ଏଠାରୁ ୮ କିମି ଦୂର ସରାଗୁଡା ଠାରେ ଜମି ଚିହ୍ନଟ କରାଯାଇଛି। ସେହିପରି ଅସ୍ଥାୟୀ ଭାବେ ଶୀଘ୍ର ଜେ ଏମ ଏଫ୍ ସି କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ତହସିଲ କଲୋନି ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଜଜ ପ୍ରସ୍ତାବ ଦେଇଥିଲେ। ଚିଠି ନମ୍ବର ୧୨୭୫୨ ଅନୁଯାଇ ତା ୦୯/୦୮/୨୪ ରେ ଏଠାରେ ଆବଶ୍ୟକ ଭିତ୍ତିଭୂମି ର ଉନ୍ନତି ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର ଡି)ଓ ବିଦ୍ୟୁତ୍ ବିଭାଗ କୁ ଖର୍ଚ୍ଚ ର ପରିମାଣ ଆଇନ ବିଭାଗ ମାଗିଥିଲେ।ଏଥିରେ ଉଭୟ ବିଭାଗ ଭିତ୍ତିଭୂମି ର ଉନ୍ନତି ପାଇଁ ୭୩ ଲକ୍ଷ ଟଙ୍କାର ହିସାବ ଆଇନ ବିଭାଗ କୁ ଦେଇଥିଲେ। ଯେଉଁ ଥିରେ କୋର୍ଟ ହଲ, ଡାଇସ୍,ଦୋଷୀ ଓ ସାକ୍ଷ୍ୟ ବକ୍ସ,ପୁରୁଷ ଓ ମହିଳା ହାଜତ ଶୌଚାଳୟ,ଅଫିସ ଚାମ୍ବର ଆଦି ନିର୍ମାଣ କାର୍ଯ୍ୟ ରହିଥିଲା। ତେବେ ହିସାବ ଆଇନ ବିଭାଗ କୁ ଦିଆ ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ। ଡାବୁଗାଁ ରେ ଦୀର୍ଘଦିନ ଧରି ଜେ ଏମ ଏଫ୍ ସି କୋର୍ଟ ସ୍ଥାପନ ଦାବୀ ହୋଇଥିବା ବେଳେ ଜିଲ୍ଲାରେ ସବୁ ଠାରୁ ବିଳମ୍ବରେ କୋର୍ଟ ସ୍ଥାପନ ପାଇଁ ଅନୁମୋଦନ ମିଳିଥିଲା। ଡାବୁଗାଁ ରେ ଜେ ଏମ ଏଫ୍ ସି କୋର୍ଟ ନ ଥିବାରୁ ଲୋକେ ଜମିବାଡି ,ଫୌଜଦାରୀ, ଦେୱାନି,ଚେକ୍ ବାଉନ୍ସ କେସ ଓ ବିବାହ ବିଚ୍ଛେଦ ଆଦି କେସ ପାଇଁ ନବରଙ୍ଗପୁର କିମ୍ବା ଉମରକୋଟ କୋର୍ଟ ଉପରେ ନିର୍ଭର କରିବା ସହ ଅଯଥା ଯାତାୟାତ କରି ଖର୍ଚ୍ଚାନ୍ତ ହେଉଛନ୍ତି। ଡାବୁଗାଁ ର ଦୁଇ ବରିଷ୍ଠ ଆଇନଜୀବି ଦିବାନ ସିଂ ଓ ଦିବ୍ୟ ରଞ୍ଜନ ରାୟ ପାତ୍ର ନିଜ ହାତ ଖର୍ଚ୍ଚରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ( ଅସ୍ଥାୟୀ କୋର୍ଟ) ରେ ରଙ୍ଗ ମାରି କୋର୍ଟ ଆରମ୍ଭ ଅପେକ୍ଷାରେ ରହିଥିବା ବେଳେ ଡାବୁଗାଁ ର ଜେ ଏମ ଏଫ୍ ସି କୋର୍ଟ ନ୍ୟାୟ ପାଇବା ଅପେକ୍ଷାରେ ରହିଛି।
ରାଜ୍ୟ
ନ୍ୟାୟ ଅପେକ୍ଷାରେ ଅଦାଲତ !
- Hits: 40