ବାରିପଦା(ଦିଲ୍ଲୀପ ମହାନ୍ତି )- ନିର୍ବାଚନ ପରିଚାଳନାରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଡ଼ାକ ଯୋଗେ ମତଦାନର ବ୍ୟବସ୍ଥା ପୂର୍ବରୁ ଥିଲେ ମଧ୍ୟ ଅଧିକାଂଶ କର୍ମଚାରୀ ମତଦାନରୁ ବିରତ ରହିଥାନ୍ତି । ଉକ୍ତ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଥିବାର ଜଣାପଡ଼ିଛି । ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରଥମର ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଫଳରେ ଆସନ୍ତା ଏପ୍ରିଲ ୨୯ରେ ହେବାକୁ ଥିବା ଜିଲ୍ଲାର ମୋଟ ୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରଗୁଡ଼ିକରେ ନିୟୋଜିତ ହୋଇଥିବା ଆରକ୍ଷୀ ବାହିନୀଙ୍କ ନିମନ୍ତେ ବାରିପଦା ରିଜର୍ଭ ପୁଲିସ ପରିସରରେ ଡ଼ାକ ଯୋଗେ ମତଦାନ ନିମନ୍ତେ ଏକ ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଆରକ୍ଷୀ ବାହିନୀର ୪୭୭ ମତଦାତାମାନଙ୍କ ମଧ୍ୟରୁ ୨୫୭ ଜଣ ସେମାନଙ୍କ ମତଦାନ କରିଥିଲେ । ମତଦାନ ଆଜି ପୂର୍ବାହ୍ନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା । ଏଥି ନିମନ୍ତେ ପୂର୍ବରୁ ସମସ୍ତ ଆରକ୍ଷୀ ବାହିନୀଙ୍କୁ ଅବଗତ କରାଯାଇଥିଲା । ଆଜିର ଏହି ମତଦାନ କେନ୍ଦ୍ରକୁ ନୋଡ଼ାଲ ଅଧିକାରୀ ଭାବେ ଅକ୍ଷୟ କୁମାର ମଲ୍ଲିକ ପରିଚାଳନା କରିଥିଲେ । ମତଦାନ ପରେ ଉକ୍ତ ପୋଷ୍ଟାଲ ବେଲଟ ପେପରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଥିଲା । ଏହାପରେ ନିର୍ବାଚନ ମଣ୍ଡଳୀ ଅନୁସାରେ ତାକୁ ସେଟିଂ କରାଯାଇ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯିବ ଏବଂ ମେ ୨୩ ମତଗଣନା ସମୟରେ ଉକ୍ତ ପୋଷ୍ଟାଲ ବେଲଟକୁ ମିଶାଯାଇ ନିର୍ବାଚନର ଫଳାଫଳ ଘୋଷଣା କରାଯିବ ବୋଲି ନୋଡ଼ାଲ ଅଧିକାରୀ ଶ୍ରୀମଲ୍ଲିକ ସୂଚନା ଦେଇଥିଲେ ।